ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ, କେନ୍ଦ୍ରର ନିଷ୍ଠୁର ନାସ୍ତିବାଣୀ

The Sakala Picture
Published On

ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ୧୯୩୬ ମସିହା ଏପ୍ରିଲ୍‌‌ ପହିଲାରୁ ସ୍ୱୀକୃତି ପାଇ ସାରିଥିଲା। ସ୍ୱାଧୀନତା ପରେ ଭାରତୀୟ ରାଜ୍ୟ ସଂଘର ପ୍ରତିଷ୍ଠାତା ସଦସ୍ୟ ଭାବରେ ଆମ ରାଜ୍ୟ ପରିଚିତ। ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌‌ଙ୍କ ଐତିହାସିକ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟା ଓଡ଼ିଶାରୁ ହିଁ ଆରମ୍ଭ ହୋଇଥିଲା ବୋଲି ସମସ୍ତେ ଜାଣନ୍ତି। ଓଡ଼ିଶାର ପ୍ରଚୁର ଖଣିଜ, ଜଙ୍ଗଲ ଓ ଅନ୍ୟ ପ୍ରାକୃତିକ ସମ୍ପଦ ଭାରତୀୟ ଗଣରାଜ୍ୟର […]

ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ୧୯୩୬ ମସିହା ଏପ୍ରିଲ୍‌‌ ପହିଲାରୁ ସ୍ୱୀକୃତି ପାଇ ସାରିଥିଲା। ସ୍ୱାଧୀନତା ପରେ ଭାରତୀୟ ରାଜ୍ୟ ସଂଘର ପ୍ରତିଷ୍ଠାତା ସଦସ୍ୟ ଭାବରେ ଆମ ରାଜ୍ୟ ପରିଚିତ। ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌‌ଙ୍କ ଐତିହାସିକ ଗଡ଼ଜାତ ମିଶ୍ରଣ ପ୍ରକ୍ରିୟା ଓଡ଼ିଶାରୁ ହିଁ ଆରମ୍ଭ ହୋଇଥିଲା ବୋଲି ସମସ୍ତେ ଜାଣନ୍ତି। ଓଡ଼ିଶାର ପ୍ରଚୁର ଖଣିଜ, ଜଙ୍ଗଲ ଓ ଅନ୍ୟ ପ୍ରାକୃତିକ ସମ୍ପଦ ଭାରତୀୟ ଗଣରାଜ୍ୟର ଅନ୍ୟତମ ଅର୍ଥନୈତିକ ମୂଳଦୁଆ କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାର ପ୍ରାଚୀନ ଗୌରବମୟ ଇତିହାସ, ଅଖଣ୍ଡ ସାଂସ୍କୃତିକ ଭାରତ ନିର୍ମାଣର ଅବଧାରଣାରେ ବିଶାଳ ଯୋଗଦାନ ତଥା ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆମାନଙ୍କର ଅତୁଳନୀୟ ଯୋଗଦାନକୁ ଆଧୁନିକ ଭାରତର ଇତିହାସ ଲିପିବଦ୍ଧ କରିଛି। ତେବେ ଓଡ଼ିଶା ଯେ ପ୍ରାଚୁର୍ଯ୍ୟ ମଧ୍ୟରେ ଥିବା ଏକ ଦରିଦ୍ର ଓ ଅବହେଳିତ ରାଜ୍ୟ ତାହା ଆଧୁନିକ ଭାରତର ଏକ ରାଜନୈତିକ ଓ ପ୍ରଶାସନିକ ସତ୍ୟ ଭାବେ ବହୁ ଦଶନ୍ଧି ଧରି ଉପସ୍ଥାପିତ ହୋଇ ଆସିଥିଲା।

ଜାତୀୟ ରାଜ୍ୟ ପୁନର୍ଗଠନ ଯୋଜନାରେ ଓଡ଼ିଶାକୁ ଖଣ୍ଡବିଖଣ୍ଡିତ କରି ରଖିଦିଆଯାଇଥିଲେ ମଧ୍ୟ ଦାରିଦ୍ର୍ୟ ଓ ଆର୍ଥିକ ଅନଗ୍ରସରତା ସତ୍ତ୍ବେ ଓଡ଼ିଶା ରାଜନୈତିକ ଓ ଅର୍ଥନୈତିକ ମଞ୍ଚରେ ଉପସ୍ଥିତି ଜାହିର କରି ଆସିଛି। ଆମେ ସମସ୍ତେ ଜାଣୁ ଯେ ବନ୍ୟା, ବାତ୍ୟା, ମରୁଡ଼ି ଓ ଦୁର୍ଭିକ୍ଷ ଭଳି ପ୍ରାକୃତିକ ବିପର୍ଯ୍ୟୟ ଗୌରବଶାଳୀ ପ୍ରାଚୀନ କଳିଙ୍ଗର ଏକ ନିଷ୍ଠୁର ପରିଚୟ ହୋଇ ଆସିଛି। ସ୍ୱାଧୀନତା ପରଠାରୁ ଓଡ଼ିଶା ପ୍ରାୟ ୨୩ଟି ବଡ଼ ବନ୍ୟା, ୯ଟି ପ୍ରଳୟଙ୍କରୀ ବାତ୍ୟା ଓ ୯ଟି କରାଳ ମରୁଡ଼ିର ସମ୍ମୁଖୀନ ହୋଇଆସିଛି। ଜାତୀୟ ଅର୍ଥ କମିଶନ୍‌‌ ଯେତେବେଳେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ବ୍ୟବସ୍ଥା ଆରମ୍ଭ କଲା ସେହିଦିନଠାରୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ସମୂହ, ଜାମ୍ମୁ-କାଶ୍ମୀର ଏବଂ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶ ଆଦି ପାର୍ବତ୍ୟ ପ୍ରଦେଶ କିଛି ବିଶେଷ ଆର୍ଥକ ସୁବିଧା ପାଇବା ଆରମ୍ଭ କଲେ। ରାଜ୍ୟରେ ରୂପାୟିତ ହେଉଥିବା କେନ୍ଦ୍ରୀୟ ଯୋଜନାରେ ନବେ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ସହିତ ଆୟକର ଓ ସୀମା ଶୁଳ୍କ ଆଦିରେ ବିଶେଷ ରିହାତି ଏହାର ଅନ୍ତର୍ଭୁକ୍ତ ଥିଲା। ସେଥିରେ ଉପରୋକ୍ତ ରାଜ୍ୟଗୁଡ଼ିକ ବହୁଳ ଭାବରେ ଉପକୃତ ହୋଇଛନ୍ତି। ଜାତୀୟ ବିକାଶ ସୂଚକାଙ୍କରେ ସେତେବେଳେ ସର୍ବଶେଷ ବର୍ଗରେ ଥିବା ବିହାର ଓ ଓଡ଼ିଶା ଏହି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଦାବି କଲେ ଏବଂ ଏବେ ମଧ୍ୟ କରୁଛନ୍ତି। ଜାତୀୟ ଅର୍ଥ କମିଶନ୍‌‌ ୨୦୧୪ ମସିହାରେ ଆଉ ବିଶେଷ ପାହ୍ୟା ରାଜ୍ୟ ନ କରି ରାଜ୍ୟମାନଙ୍କର କେନ୍ଦ୍ରୀୟ ରାଜସ୍ୱ ବଣ୍ଟନ ଭାଗକୁ ବଢ଼଼ାଇ ଦେବା ପାଇଁ ବିଶେଷ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରର ଏନ୍‌‌ଡିଏ ସରକାର ଏହାକୁ ମାନି ନେଇ ରାଜ୍ୟମାନଙ୍କର ଟିକସ ଭାଗ ୩୨%ରୁ ବଢ଼଼ାଇ ୪୨% କରିଥିଲେ।

ଏ ପରିପ୍ରେକ୍ଷୀରେ ଓଡ଼ିଶାର ସ୍ଥିତି କିନ୍ତୁ ନିଆରା। ଓଡ଼ିଶାର ପ୍ରଚୁର ଖଣିଜ ଓ ଜଙ୍ଗଲ ସମ୍ପଦ ଜାତୀୟ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରି ଚାଲିଥିଲେ ମଧ୍ୟ ରାଜ୍ୟ ପାଇଁ ରୟାଲିଟି ବା ରାଜଭାଗର ଅନୁପାତ ଆଜି ପର୍ଯ୍ୟନ୍ତ ନ୍ୟାୟପୂର୍ଣ୍ଣ ହେଲା ନାହିଁ। କୋଇଲା ରୟାଲଟି ଓ ସେସ୍‌‌ ବ୍ୟବସ୍ଥା ଏବେ ମଧ୍ୟ ନବ-ଉପନିବେଶ ଢାଞ୍ଚାରେ ଚାଲିଛି। କୋଇଲା ସେସ୍‌‌ରୁ ପଇସାଟିଏ ମଧ୍ୟ ଓଡ଼ିଶାକୁ ମିଳୁନାହିଁ। ଜାତୀୟକରଣ ନ ହୋଇଥିବା ଖଣିମାନଙ୍କରୁ ଓଡ଼ିଶାକୁ ଯାହା ରାଜସ୍ୱ ମିଳେ ତାହା ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ଆର୍ଥିକ ପାଥେୟ ହୋଇଛି।

୧୯୯୯ର ମହାବାତ୍ୟା ପରଠାରୁ ଫାଇଲିନ୍‌‌, ହୁଡ୍‌‌ହୁଡ୍‌‌, ତିତଲି, ଫନୀ, ୟସ ଭଳି ପ୍ରଚଣ୍ଡ ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହୋଇ ଭୀଷଣ କ୍ଷତିଗ୍ରସ୍ତ ହୋଇଛି ଓଡ଼ିଶା। ଅବଶ୍ୟ ନବୀନ ପଟ୍ଟନାୟକଙ୍କ ଦୃଢ଼ ଓ ଦରଦୀ ସରକାରଙ୍କ ନେତୃତ୍ୱରେ ‘ଶୂନ୍ୟ ଜୀବନହାନି’ ଆଦର୍ଶକୁ ଅନୁସରଣ କରି ଓଡ଼ିଶା ଜନଜୀବନ କ୍ଷତି ରୋକିବାରେ ସଫଳତା ହାସଲ କରିଛି ସତ; କିନ୍ତୁ କ୍ଷେତ ଫସଲ ଓ ସମ୍ପତ୍ତିବାଡ଼ିର ଯେଉଁ ବ୍ୟାପକ କ୍ଷତି ଘଟୁଛି ତାହା ଓଡ଼ିଶାର ଅର୍ଥନୀତିକୁ ଦୋହଲାଇ ଦେଉଛି। ସେହିପରି ବନ୍ୟା ଓ ମରୁଡ଼ିର ପ୍ରହାର ମଧ୍ୟ ପ୍ରଚୁର କ୍ଷତି ଘଟାଉଛି। ପ୍ରତ୍ୟେକ ବାତ୍ୟା, ବନ୍ୟା ଓ ମରୁଡ଼ି ପରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଓଡ଼ିଶାକୁ ଆସି କ୍ଷୟକ୍ଷତିର ସମୀକ୍ଷା କରିବା ରୁଟିନ୍‌‌ରେ ପରିଣତ ହୋଇଛି। କ୍ଷୟକ୍ଷତିର ତାତ୍କାଳିକ ନାମକୁ ମାତ୍ର କ୍ଷତିପୂରଣ କେନ୍ଦ୍ରୀୟ ଘୋଷଣାକୁ ୟସ୍‌‌ ବାତ୍ୟା ପରେ ଓଡ଼ିଶା ସରକାର ପ୍ରତ୍ୟାଖ୍ୟାନ କରି ସୂଚାଇ ଦେଇଥିଲେ ଯେ ବନ୍ୟା ଓ ବାତ୍ୟା ନିରୋଧକ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ହେଉଛି ଆମର ପ୍ରାଥମିକତା। ନିଜେ ମୁଖ୍ୟମନନ୍ତ୍ରୀ ନବୀନ ବାବୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଓ ନିତି ଆୟୋଗର ପୂର୍ଣ୍ଣ ଅଧିବେଶନରେ ଓଡ଼ିଶାର ଯଥାର୍ଥ ପ୍ରାମାଣିକ ଚିତ୍ର ଦର୍ଶାଇ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସ୍ୱୀକୃତିର ଦାବି କରିଥିଲେ। ସେତେବେଳେ ‘ନିର୍ମଳାଙ୍କ ନାସ୍ତିବାଣୀ’ ଶୁଣିବାକୁ ମିଳି ନଥିଲା। ଏହାପରେ ଓଡ଼ିଶାର ବିଜେଡି ସାଂସଦମାନେ ବାରମ୍ବାର କେନ୍ଦ୍ର ସରକାରଙ୍କ ଆଗରେ ଏହି ଦାବି ଉପସ୍ଥାପନ କରି ଆସିଛନ୍ତି। ଏପରିକି ପ୍ରତ୍ୟେକ ବନ୍ୟା, ବାତ୍ୟା ବିପର୍ଯ୍ୟୟ ପରେ ଅନ୍ତତଃପକ୍ଷେ ତିନିବର୍ଷ ପାଇଁ ଓଡ଼ିଶାକୁ ବିଶେଷ ସହାୟତା ପ୍ୟାକେଜ୍‌‌ ଦେବା ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସଦ୍ୟତମ ନାସ୍ତିବାଣୀ ସାରା ଓଡ଼ିଶାବାସୀଙ୍କୁ ବ୍ୟଥିତ କରିଛି। ଓଡ଼ିଶାର ଦୁର୍ଦ୍ଦିନ ବେଳେ ସହାୟତାର ହାତ ନ ବଢ଼଼ାଇ ପାରିଲେ ସଂଘୀୟ ସହଭାଗିତାର କେବଳ ମାତ୍ର ଧ୍ୱନି ଦେଇ ଏନ୍‌‌ଡିଏ ସରକାର ଓଡ଼ିଶାବାସୀଙ୍କ ପ୍ରତି ଘୋର ଅନ୍ୟାୟ କରୁଛନ୍ତି।

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ନ ଦେବାଟା କେନ୍ଦ୍ର ସରକାରଙ୍କ କେବଳ ସାମ୍ବିଧାନିକ ସର୍ତ୍ତ ଖିଲାପୀ ହେଉନାହିଁ, ବରଂ ଏନ୍‌‌ଡିଏ ଶାସନର ସ୍ୱାର୍ଥପର ମୁଖା ଖୋଲି ଦେଉଛି। ଓଡ଼ିଶା ଏବେ ଭାରତରେ ଅନେକ କ୍ଷେତ୍ରରେ ଏକ ସମର୍ଥ ଓ ଆଗୁଆ ରାଜ୍ୟ ଭାବେ ଗଢ଼ି ଉଠୁଛି। ଦୀର୍ଘ ରାଜନୈତିକ ସ୍ଥିରତା ଦୂରଦୃଷ୍ଟିସମ୍ପନ୍ନ ଜନନାୟକ ନବୀନ ବାବୁଙ୍କ ନେତୃତ୍ୱ, ନିଷ୍ଠାପର ଓ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଅମଲାତନ୍ତ୍ର, ଜନମଙ୍ଗଳ ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ଲଗାତାର ପ୍ରଶଂସନୀୟ ପଦକ୍ଷେପ, ଅର୍ଥନୈତିକ ଅଭିବୃଦ୍ଧିରେ ଜାତୀୟ ଅଭିବୃଦ୍ଧି ହାରଠାରୁ ଉଚ୍ଚସ୍ତରର ସ୍ଥିତି, କୃଷି ଓ ଖାଦ୍ୟ ସୁରକ୍ଷା ଦିଗରେ ପ୍ରାମାଣିକ ସଫଳତା, ଦ୍ରୁତ ଶିଳ୍ପାୟନ ଓ ବେକାରୀ ହ୍ରାସ ତଥା ସାଂସ୍କୃତିକ ପୁନଃନିର୍ମାଣରେ ବିପୁଳ ପୁଞ୍ଜି ନିବେଶ ଆଜି ଓଡ଼ିଶାକୁ ଏକ ସମର୍ଥ ଜନମଙ୍ଗଳ ରାଜ୍ୟ ରୂପେ ପରିଚିତ କରାଇଛି। ଓଡ଼ିଶାର ବିକାଶ ଓ ଅଭିବୃଦ୍ଧି ବୋଧହୁଏ ଏନ୍‌‌ଡିଏ ଓ ବିଜେପି ନେତାମାନଙ୍କର ଦେହରେ ଯାଉନି। କେବଳ ମାତ୍ର ସଂକୀର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟରେ ଓ ନିର୍ବାଚନୀ ପଇଁତରା ଦେଖାଇ ଓଡ଼ିଶାକୁ ଅବହେଳା କରିବାର ଫଳାଫଳ କ’ଣ ହେବ ସେ ବିଷୟରେ ଆମେ ସମସ୍ତେ ଜାଣିଛୁ। ଅବଶ୍ୟ ଦୁଃଖର କଥା ଏନ୍‌‌ଡିଏ ସରକାରଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଓ ସହଯୋଗର ହାତ ବଢ଼଼ାଇ ଓଡ଼ିଶାର ଶାସକ ବିଜେଡି ଦଳ ଏ ପର୍ଯ୍ୟନ୍ତ ରାଷ୍ଟ୍ର ହିତରେ ଯାହା କରି ଆସିଛି ତା’ର ପୁରସ୍କାର କ’ଣ ଏୟା? ଏ ପ୍ରଶ୍ନ ସମସ୍ତ ଓଡ଼ିଆଙ୍କ ମନରେ ଉଠିବା ସ୍ୱାଭାବିକ। ରେଳବାଇ, ଟେଲିକମ୍‌‌, ବ୍ୟାଙ୍କିଙ୍ଗ, କେନ୍ଦୁପତ୍ର ଉପରୁ ଜିଏସ୍‌‌ଟି ପ୍ରତ୍ୟାହାର, କୋଇଲା ରୟାଲଟି ବୃଦ୍ଧ଄, ଉପକୂଳ କେନାଲ୍‌‌ ଓ ବନ୍ୟା ନିରୋଧୀ ଭିତ୍ତିଭୂମି ନିର୍ମାଣ, ଆଦିବାସୀ ସଂରକ୍ଷଣ ତାଲିକା ସଂଶୋଧନ, କେନ୍ଦ୍ର ଦ୍ୱାରା ଚାଉଳ ସଂଗ୍ରହ ପରିମାଣ ବୃଦ୍ଧି, ମାଗଣା ଚାଉଳ ଯୋଗାଣ, ଧାନ ଉପରେ ଏମ୍‌‌ଏସ୍‌‌ପି ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଦାବିକୁ ବାରମ୍ବାର ଅବହେଳା କରୁଥିବା କେନ୍ଦ୍ରର ଏନ୍‌‌ଡିଏ ସରକାର ଓଡ଼ିଶା ପାଇଁ ଯେଉଁ ରଣନୀତି କରୁଛନ୍ତି ତାହା ପୁନରାବଲୋକନ କରିବା ବେଳ ଆସିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର