ବୁଗୁଡ଼ାର ଅନନ୍ୟ ବିରଞ୍ଚି ନାରାୟଣ କ୍ଷେତ୍ର

The Sakala Picture
Published On

ଓଡ଼ିଶାରେ ସୌର ଉପାସନା ପୀଠ ଭାବେ କୋଣାର୍କ ପ୍ରଥମେ ରହିଥିବା ବେଳେ ଦ୍ୱିତୀୟ ଅର୍କ କ୍ଷେତ୍ର ଭାବେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକରେ ଅବସ୍ଥିତ ବିରଞ୍ଚି ନାରାୟଣ ମନ୍ଦିର ପରିଚିତ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୬୫ କିମି, ଦକ୍ଷିଣ ଓଡ଼ିଶାର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରଠାରୁ ୭୦ କିମି ଦୂରରେ ଏହି ମନ୍ଦିର ଅବସ୍ଥିତ। ଘୁମୁସର ରାଜବଂଶର ରାଜା ଶ୍ରୀକର ଭଞ୍ଜଙ୍କ ଦ୍ୱାରା ଉକ୍ତ ମନ୍ଦିର ୧୭୯୦ ମସିହାରେ ନିର୍ମାଣ ହୋଇଥିଲା। ମନ୍ଦିରର ଆକୃତି ସୂର୍ଯ୍ୟଙ୍କ […]

ଓଡ଼ିଶାରେ ସୌର ଉପାସନା ପୀଠ ଭାବେ କୋଣାର୍କ ପ୍ରଥମେ ରହିଥିବା ବେଳେ ଦ୍ୱିତୀୟ ଅର୍କ କ୍ଷେତ୍ର ଭାବେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକରେ ଅବସ୍ଥିତ ବିରଞ୍ଚି ନାରାୟଣ ମନ୍ଦିର ପରିଚିତ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୬୫ କିମି, ଦକ୍ଷିଣ ଓଡ଼ିଶାର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରଠାରୁ ୭୦ କିମି ଦୂରରେ ଏହି ମନ୍ଦିର ଅବସ୍ଥିତ। ଘୁମୁସର ରାଜବଂଶର ରାଜା ଶ୍ରୀକର ଭଞ୍ଜଙ୍କ ଦ୍ୱାରା ଉକ୍ତ ମନ୍ଦିର ୧୭୯୦ ମସିହାରେ ନିର୍ମାଣ ହୋଇଥିଲା। ମନ୍ଦିରର ଆକୃତି ସୂର୍ଯ୍ୟଙ୍କ ଧାବମାନ ରଥ ଭଳି। ଏହା ପଶ୍ଚିମ ମୁଖ। ଅସ୍ତକାଳୀନ ସୂର୍ଯ୍ୟଙ୍କ ଶେଷ କିରଣ ଏହି ମନ୍ଦିରର ପ୍ରତିମାଙ୍କ ପାଦ ସ୍ପର୍ଶ କରିଥାଏ। ଏଥିରେ ସାତଗୋଟି ଅଶ୍ୱ ଯୋଚା ହୋଇଛନ୍ତି। ଗୋଟିଏ ମାତ୍ର ଚକ ରହିଛି। କୋଣାର୍କ ମନ୍ଦିରରେ ସୂର୍ଯ୍ୟ ଦେବଙ୍କ ପ୍ରତିମା ନଥିବା ବେଳେ ଏଠାରେ ସୂର୍ଯ୍ୟଦେବଙ୍କ ତିନିଗୋଟି ପ୍ରତିମା ରହିଛି। ମୁଖ୍ୟ ବିଗ୍ରହ ରୂପେ ରାଜର୍ଷି ଶ୍ରୀକର ଭଞ୍ଜଙ୍କ ଦ୍ୱାରା ମାଳତୀଗଡ଼ ପର୍ବତରୁ ଆନୀତ ଶିଳା ବିଗ୍ରହ ପୂଜା ପାଉଛନ୍ତି ଏବଂ ବିଜେ ପ୍ରତିମା ଭାବେ ଗୋଟିଏ କାଷ୍ଠ ବିଗ୍ରହ ଓ ଗୋଟିଏ ଧାତୁ ବିଗ୍ରହ ରହିଛନ୍ତି। ଏହି ମନ୍ଦିରର ସୂର୍ଯ୍ୟଙ୍କ ପ୍ରତିମା କଳା ମୁଗୁନି ପଥର (ଗ୍ରାନାଇଟ୍‌‌)ରେ ତିଆରି।

ଘୁମୁସର ଗଡ଼ଜାତ ରାଜ୍ୟର କେନ୍ଦୁପଦର ନିକଟସ୍ଥ ମାଳତି ପାହାଡ଼ରେ ଖ୍ରୀଷ୍ଟାବ୍ଦ ୮୫୦ରୁ ୮୮୫ ମଧ୍ୟରେ ମାଳତୀଗଡ଼ ଦୁର୍ଗ ନିର୍ମିତ ହୋଇଥିଲା। ସମୟକ୍ରମେ ଦୁର୍ଗଟି ନଷ୍ଟ ହୋଇଯାଇଥିଲା। ସେହି ଭଗ୍ନାବଶେଷ ମଧ୍ୟରେ ପୋତି ହୋଇ ରହିଥିବା ବିରଞ୍ଚି ନାରାୟଣଙ୍କ ପ୍ରତିମା ପରବର୍ତ୍ତୀ ସମୟରେ ଉଦ୍ଧାର କରାଯାଇ ଏହି ମନ୍ଦିରରେ ସ୍ଥାପିତ ହୋଇଥିଲା। ମନ୍ଦିରର ନିମ୍ନଭାଗ ପ୍ରସ୍ତରରେ ନିର୍ମିତ ହୋଇଥିଲା ବେଳେ ଛାତ ଭାଗ ତମ୍ୱା ପଟାରେ ଆଚ୍ଛାଦିତ। ଗ୍ରୀଷ୍ମକାଳରେ ପକ୍ଷୀମାନଙ୍କୁ ଆଘାତ ଦେବାରୁ ତାହା ଉପରେ ଚୂନର ପ୍ରଲେପ ଦିଆଯାଇଛି। ମନ୍ଦିରର ଆଧାର ରୂପେ ୪୨ଗୋଟି ସ୍ତମ୍ଭ ରହିଛି। ମନ୍ଦିରର ଆକୃତି ଭଦ୍ର ଶୈଳୀରେ ନିର୍ମିତ। ସମ୍ମୁଖ ଭାଗରେ ଗୋଟିଏ ଯଜ୍ଞ ମଣ୍ଡପ ରହିଛି। ଭଦ୍ର ମଣ୍ଡପ ତଳେ ଶାଳ ଓ ତାଳ କାଠରେ ନିର୍ମିତ କାରୁକାର୍ଯ୍ୟ ବିମଣ୍ଡିତ ପଣସୁଆ ଶୋଭାବର୍ଦ୍ଧନ କରୁଛି। ପ୍ରାଚୀର ବାହାରେ ଅରୁଣ ସ୍ତମ୍ଭ ଉପରେ ଅରୁଣ ପ୍ରଣତ ମୁଦ୍ରାରେ ବିରାଜମାନ, ଯାହାର ଉଚ୍ଚତା ପ୍ରାୟ ଚଉଦ ଫୁଟ। ମନ୍ଦିରର ଚତୁଃପାର୍ଶ୍ବରେ ନାରିକେଳ, ପଣସ, ଚମ୍ପା, ପୁନାଗ, ସୁଗନ୍ଧରାଜ ଆଦି ବୃକ୍ଷ ରହିଛି। ମନ୍ଦିର କାନ୍ଥରେ ରାମଲୀଳା, କୃଷ୍ଣ ଲୀଳା କାହାଣୀର ପଟ୍ଟଚିତ୍ରମାନ ଦେଖିବାକୁ ମିଳେ। କାଳର କରାଳ ଗର୍ଭରେ ସଂରକ୍ଷଣର ଅଭାବରୁ ଅନେକ ଚିତ୍ର ନିଶ୍ଚିହ୍ନ ହେବାକୁ ବସିଲାଣି। ଉପରି ଭାଗରେ ନିର୍ମିତ ସୁରମ୍ୟ କାଷ୍ଠ ଚାନ୍ଦୁଆର ବାମପାର୍ଶ୍ବରେ ଦଶ ମହାବିଦ୍ୟା, ଦକ୍ଷିଣରେ ଇନ୍ଦ୍ରାଦି ଦଶଦିଗପାଳ, ଅଷ୍ଟବସୁ, ନବଗ୍ରହ ଓ ପଶ୍ଚିମ ଭାଗରେ କୃଷ୍ଣ ଲୀଳା, ରାମାୟଣ, ମହାଭାରତ କାଳର ଅନେକ କଥାବସ୍ତୁ ଦୃଶ୍ୟମାନ ହୁଏ। କବାଟରେ ମଧ୍ୟ ଅନେକ ମୂର୍ତ୍ତି ଖୋଦିତ ହୋଇ ରହିଛି। ଓଡ଼ିଶାରେ କାଷ୍ଠ କାରୁକାର୍ଯ୍ୟ ସମ୍ପନ୍ନ ଏହି ମନ୍ଦିର ପ୍ରଥମ ଉଦାହରଣ ବୋଲି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଓ ଜଣାଶୁଣା ଐତିହାସିକ ଅମୀୟ କୁମାର ପଟ୍ଟନାୟକଙ୍କ ମତପୋଷଣ କରିଛନ୍ତି।

ମନ୍ଦିର ପରିସରରେ ଏକ ପାଠାଗାର ରହିଛି। ବେଦ, ପୁରାଣ, ଉପପୁରାଣ, ଜ୍ୟୋତିଷ, ତନ୍ତ୍ର, ଶିଳ୍ପ ଶାସ୍ତ୍ର ସମ୍ୱନ୍ଧୀୟ ଅନେକ ଉପାଦେୟ ପୁସ୍ତକ ସହିତ ଅନେକ ତାଳପତ୍ର ପୋଥି ଏଠାରେ ସଂରକ୍ଷିତ ହୋଇ ରଖାଯାଇଛି। ପୂର୍ବରୁ ଅନେକ ବିଦ୍ୟାର୍ଥୀ ଏହିଠାରେ ରହି ଅଧ୍ୟୟନ କରୁଥିଲେ। ପୂର୍ବେ ଯାନିଯାତ୍ରାରେ ବ୍ୟବହୃତ ଅନେକ ମୂର୍ତ୍ତି, ପଶୁପକ୍ଷୀଙ୍କ ମୁଖା, ବିମାନ ଆଦିକୁ ମନ୍ଦିର ପରିଚାଳନା ସମିତି ତରଫରୁ ସୁରକ୍ଷିତ ଭାବେ ରଖାଯାଇଛି। ଏହି ମନ୍ଦିର ଏବେ ମହନ୍ତମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ବର୍ତ୍ତମାନ ଭକ୍ତରାମ ଦାସଙ୍କ ଉପରେ ଏହାର ପରିଚାଳନା ଭାର ନ୍ୟସ୍ତ ଅଛି। ମନ୍ଦିରର ପ୍ରମୁଖ ପର୍ବପର୍ବାଣୀ ଭାବେ ଶାମ୍ୱ ଦଶମୀ, ତିଳ ସପ୍ତମୀ, କାର୍ତ୍ତିକ ପୂର୍ଣ୍ଣିମା ଅନ୍ୟତମ। ଉକ୍ତ ଦିନମାନଙ୍କରେ ମନ୍ଦିରରେ ଯାନିଯାତ୍ରା ପାଳିତ ହୁଏ। ଏହି ମନ୍ଦିର ପରିସରରେ ଏକ ପବିତ୍ର ବାମ୍ପି ରହିଛି, ଯାହାର ଜଳକୁ ମାନସିକ ଧାରୀମାନେ ମୁଣ୍ଡରେ ସିଞ୍ଚନ କରନ୍ତି। ବିଶ୍ୱାସ ରହିଛି ଯେ ବିଇଁଚି ଘାଆ ବା ଏକଜିମା ବା ଅନ୍ୟାନ୍ୟ ଚର୍ମ ରୋଗରେ ଆକ୍ରାନ୍ତ ବ୍ୟକ୍ତି ମାନସିକ ପୂଜା କରି ବିରି ଚାଉଳକୁ ବାମ୍ଫିରେ ପକାଇ ଅବଧୃତ ସ୍ନାନ କଲେ ତାହା ଭଲ ହୋଇଯାଏ। ଶ୍ରୀବିରଞ୍ଚି ନାରାୟଣଙ୍କୁ ଦୁଇବେଳା ଅନ୍ନଭୋଗ ସହ ରବିବାର ଓ ଗୁରୁବାର ଦିନ ସ୍ୱତନ୍ତ୍ର କ୍ଷୀରି ପୁଳି ଭୋଗ ଅର୍ପଣ କରାଯାଏ। ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ଅବକାଶ ବେଶ, ବାଳଭୋଗ ପରେ ମଧ୍ୟାହ୍ନରେ ଅନ୍ନଭୋଗ କରାଯାଇ ପହଡ଼ ହୁଏ। ସନ୍ଧ୍ୟାରେ ଆଳତି ହୋଇ ରାତିରେ ଅନ୍ନଭୋଗ ହୋଇ ପହୁଡ଼ ପଡ଼ିଥାଏ।

ଏହି ମନ୍ଦିରଟି ପର୍ଯ୍ୟଟନ ସ୍ଥଳୀ ଭାବରେ ମାନ୍ୟତା ପାଇବା କାରଣରୁ ପ୍ରତ୍ୟହ ଜନସମାଗମ ହୁଏ। ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଅର୍ଥାଭାବ, ନଷ୍ଟ ହୋଇଯାଉଥିବା କାରୁକାର୍ଯ୍ୟର ମରାମତି ନ ହୋଇପାରିବା ଓ ଊଇ ଲାଗିଯିବା ଇତ୍ୟାଦି ଅନେକ କାରଣ ଏହି ମନ୍ଦିରର ଅସ୍ଥିତ୍ୱ ପ୍ରତି ବିପଦ ସୃଷ୍ଟି କରିଛି। କିନ୍ତୁ ପର୍ଯ୍ୟଟନ ବିଭାଗ ତରଫରୁ ଯଦି ଏହି କାଷ୍ଠ କଳାକୃତିଗୁଡ଼ିକର ସୁରକ୍ଷା ହୋଇପାରନ୍ତା, ତେବେ ମନ୍ଦିରଟି ଆହୁରି ଦୀର୍ଘସ୍ଥାୟୀ ହୋଇପାରନ୍ତା। ମନ୍ଦିରର କାନ୍ଥରେ ରାମାୟଣରେ ବର୍ଣ୍ଣିତ ସୀତାଙ୍କ ସ୍ୱୟମ୍ୱର, ରାମଙ୍କ ହାତରେ ମାୟାମୃଗ ବଧ ହେବା, ସୀତା ହରଣ, ସମୁଦ୍ର ଉପରେ ବାନର ସେନାର ସେତୁ ନିର୍ମାଣ, ରାମ-ରାବଣ ଯୁଦ୍ଧ ଆଦିର ଚିତ୍ର ରହିଛି। ଆଉ ଏକ ଚିତ୍ରରେ ରାମ ଓ ଲକ୍ଷ୍ମଣ ଯୋଦ୍ଧାମାନଙ୍କୁ ପାଛୋଟିବାର ଦୃଶ୍ୟ ବର୍ଣ୍ଣିତ। ମନ୍ଦିରର ପଶ୍ଚିମ ପାର୍ଶ୍ବର କାନ୍ଥରେ କୃଷ୍ଣଲୀଳାର ସୁନ୍ଦର ଚିତ୍ର ଅଙ୍କନ ହୋଇଛି। ଉତ୍ତର ପଟର କାନ୍ଥରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ଚିତ୍ର ଅଙ୍କିତ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅଧୀନରେ ଥିବା ଏହି ମନ୍ଦିରରେ ଭିତ୍ତିଚିତ୍ରଗୁଡ଼ିକର ସୁରକ୍ଷା ଓ ପୁନରୁଦ୍ଧାର ହୋଇପାରିଲେ ଏହା ଆହୁରି ଲୋକପ୍ରିୟ ହୋଇପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର