ପ୍ରକୃତ ଜ୍ଞାନୀ

The Sakala Picture
Published On

କୌଣସି ସଂସ୍ଥା ବା କାର୍ଯ୍ୟାଳୟରେ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ ହେଲେ କର୍ତ୍ତୃତ୍ୱର ଅଭିମାନ କେତେଜଣଙ୍କୁ ନିଜର ଲକ୍ଷ୍ୟରୁ ଦୂରେଇ ଦିଏ। ଜୀବନର ଲକ୍ଷ୍ୟ ଟଳମଳ ହେଲେ ସବୁ ପଣ୍ଡ ହୋଇଯାଏ। ଅଭିମାନ ମଣିଷକୁ ହିତାହିତ ଜ୍ଞାନଶୂନ୍ୟ କରିଦିଏ। ବ୍ୟକ୍ତିଗତ ପ୍ରତିପତ୍ତି, ଲୋଭ, ଯଶ ଓ ପ୍ରତିଷ୍ଠାର ଆଶା ଓ ଆକାଂକ୍ଷା ମଧ୍ୟ ମନୁଷ୍ୟକୁ ଲକ୍ଷ୍ୟଚ୍ୟୁତ କରେ। ଜୀବନର ମୂଳ ଲକ୍ଷ୍ୟ ତୁମ ପାଇଁ ଯଦି ଧ୍ରୁବତାରା ପରି ସବୁ ସମୟରେ ଉଜ୍ଜ୍ୱଳ ରହେ ଏବଂ ତୁମର ମୂଳ […]

କୌଣସି ସଂସ୍ଥା ବା କାର୍ଯ୍ୟାଳୟରେ ଉଚ୍ଚ ସ୍ଥାନରେ ପ୍ରତିଷ୍ଠିତ ହେଲେ କର୍ତ୍ତୃତ୍ୱର ଅଭିମାନ କେତେଜଣଙ୍କୁ ନିଜର ଲକ୍ଷ୍ୟରୁ ଦୂରେଇ ଦିଏ। ଜୀବନର ଲକ୍ଷ୍ୟ ଟଳମଳ ହେଲେ ସବୁ ପଣ୍ଡ ହୋଇଯାଏ। ଅଭିମାନ ମଣିଷକୁ ହିତାହିତ ଜ୍ଞାନଶୂନ୍ୟ କରିଦିଏ। ବ୍ୟକ୍ତିଗତ ପ୍ରତିପତ୍ତି, ଲୋଭ, ଯଶ ଓ ପ୍ରତିଷ୍ଠାର ଆଶା ଓ ଆକାଂକ୍ଷା ମଧ୍ୟ ମନୁଷ୍ୟକୁ ଲକ୍ଷ୍ୟଚ୍ୟୁତ କରେ। ଜୀବନର ମୂଳ ଲକ୍ଷ୍ୟ ତୁମ ପାଇଁ ଯଦି ଧ୍ରୁବତାରା ପରି ସବୁ ସମୟରେ ଉଜ୍ଜ୍ୱଳ ରହେ ଏବଂ ତୁମର ମୂଳ ଉଦ୍ଦେଶ୍ୟ ତୁମ ପାଇଁ ସବୁ ସମୟରେ ବଡ଼ ହୋଇ ରହେ ତେବେ ଯଶ, ପ୍ରତିଷ୍ଠା ଓ ପ୍ରଶଂସାର ଲୋଭ ତୁମକୁ କକ୍ଷଚ୍ୟୁତ କରିପାରିବ ନାହିଁ। ମନୁଷ୍ୟତା ମାର୍ଗରେ ପଥିକ ହେଲା ପରେ କ୍ଷୁଦ୍ର ବ୍ୟକ୍ତିତ୍ୱ ଓ ସଂକୀର୍ଣ୍ଣତା ତ୍ୟାଗ କରିବାକୁ ହେବ। ତୁମ ଅଭିପ୍ରାୟ, ଇଚ୍ଛା ଓ ଚେଷ୍ଟା ଏକମୁଖୀ ହେଲେ ଯାଇ ତୁମେ କର୍ମରେ ସାଫଲ୍ୟ ଲାଭ କରିବ। ମନେରଖିବାକୁ ହେବ ଯେ ସମସ୍ତଙ୍କର ରୁଚି, ପ୍ରକୃତି ଓ ଯୋଗ୍ୟତା ଏକ ନୁହେଁ। ତେଣୁ ମତପାର୍ଥକ୍ୟ ହେବା ବିଚିତ୍ର ନୁହେଁ। ମତାନୈକ୍ୟ ହୋଇପାରେ, କିନ୍ତୁ ତାହା ମନୋମାଳିନ୍ୟରେ କେବେହେଲେ ପରିଣତ ହେବା ଉଚିତ ନୁହେଁ। ନିଜ ସିଦ୍ଧାନ୍ତ ବା ଅଭିମତ ସବୁବେଳେ ଅଭ୍ରାନ୍ତ ମନେକରିବା ଉଚିତ ନୁହେଁ। ଅନ୍ୟର ମତାମତକୁ ସମ୍ମାନର ସହ ଶୁଣି ବିଚାରକୁ ନେଲେ ତାହା ଅନେକ ସମୟରେ ଭୁଲ ନିଷ୍ପତ୍ତି ନେବାରୁ ଆମକୁ ବଞ୍ଚାଇଥାଏ।

ଆପଣ ଯେକୌଣସି ଆସନରେ ଆସୀନ ଥାଆନ୍ତୁ ନା କାହିଁକି ନିଜର ଦାୟିତ୍ୱ, କର୍ତ୍ତବ୍ୟ ଓ ଜୀବନର ଲକ୍ଷ୍ୟ ପ୍ରତି ସବୁ ସମୟରେ ସଜାଗ ରହିବାକୁ ହେବ। ଅସତ୍‌‌ ଚିନ୍ତାକୁ ମନରୁ ଦୂର କରିବାକୁ ହେବ। ଦ୍ୱେଷ, ହିଂସା, ପରନିନ୍ଦା, ପରଚର୍ଚ୍ଚା, ପରଶ୍ରୀକାତରତା, ସ୍ୱାର୍ଥପରତା, କୁଟିଳତା, ଅଭିମାନ, ମିଥ୍ୟାଳାପ ଆଦି ମାନବ ଜୀବନକୁ ବିଷମୟ କରିଦିଏ। ଆପଣ ଯେତେ କ୍ଷମତାଶୂନ୍ୟ ବା କ୍ଷମତାସମ୍ପନ୍ନ ହୋଇଥାନ୍ତୁ ନା କାହିଁକି ମନର ଭାବକୁ ସବୁବେଳେ ଉଚ୍ଚ ଓ ମହାନ ରଖନ୍ତୁ। କ୍ଷମା, ଦୟା, ପ୍ରେମ ଓ ପବିତ୍ରତା ଆଦି ସତ୍‌‌ଗୁଣକୁ ହୃଦୟରେ ସ୍ଥାନ ନଦେଲେ ସତ୍ୟଲାଭ ଓ ଆତ୍ମୋନ୍ନତି ପଥ କଷ୍ଟସାଧ୍ୟ ହୋଇଥାଏ।

ଅଭିମାନ ଓ ଅହଂକାର ଆଦିରୁ ନିଜକୁ ଦୂରରେ ରଖିବା ପାଇଁ ଆମ ଉପନିଷଦଗୁଡ଼ିକରେ ଯେଉଁ ମହାନ ଶିକ୍ଷା ଦିଆଯାଇଛି ସେଥିମଧ୍ୟରୁ କେତୋଟି ସବୁବେଳେ ମନେରଖିବା ଦରକାର। ତୁମେ ମନ ନୁହଁ, ବୁଦ୍ଧି ନୁହଁ, ଚିତ୍ତ ନୁହଁ, ଅହଂକାର ନୁହଁ। ତୁମେ ଦେହ ନୁହଁ, ଆତ୍ମାସ୍ୱରୂପ। ତୁମେ ବାଳକ ନୁହଁ, ଯୁବା ନୁହଁ, ପ୍ରୌଢ଼ ନୁହଁ, ବୃଦ୍ଧ ନୁହଁ। ତୁମେ ପତଳା ନୁହଁ, ରୁଗ୍‌‌ଣ ନୁହଁ, ପୁଷ୍ଟ ନୁହଁ। ତୁମର ଜାତି ନାହିଁ, କୁଳ ନାହିଁ। ତୁମେ ବ୍ରାହ୍ମଣ ବା କ୍ଷତ୍ରିୟ ଜାତି ହୋଇଛ ବୋଲି ବ୍ରାହ୍ମଣ ବା କ୍ଷତ୍ରିୟ ହେବାର ମିଥ୍ୟା ଅଭିମାନ ନିଜ ଉପରେ ଆରୋପ କରୁଛ। ତୁମେ ନିଜକୁ ଦେହ ମନେ କରୁଛ ବୋଲି ହିଁ ଏହି ଅଭିମାନର ସୃଷ୍ଟି। ଦେହର ପରିବର୍ତ୍ତନ ହୁଏ, ଦେହ ପୌଢ଼ ଓ ଜରାବ୍ୟାଧି ଗ୍ରସ୍ତ ହୁଏ। ତୁମର ଜନ୍ମ ନାହିଁ, ମୃତ୍ୟୁ ନାହିଁ। ଶରୀର ଜନ୍ମ ହୁଏ ଓ ଧ୍ୱଂସ ହୁଏ। ତେଣୁ ଅଭିମାନ ତ୍ୟାଗ କରି ଏକମାତ୍ର ସତ୍ୟକୁ ଆଶ୍ରୟ କରିଚାଲ, ଆନନ୍ଦ ଲାଭ କରିବ।

ପ୍ରକୃତ ଜ୍ଞାନୀଙ୍କର ଅଭିମାନ ନଥାଏ, ବାଳକ ଭାବ ଥାଏ। ପ୍ରକୃତ ଭକ୍ତ ଓ ଯୋଗୀଙ୍କର ଦୁଃଖୀ ବା ଉଦାସୀନ ଭାବ ନଥାଏ, ବରଂ ବେଳେବେଳେ ଉନ୍ମାଦ ଭାବ ଦେଖାଯାଏ। ପ୍ରକୃତ ଭକ୍ତ ନାଚେ, ଗାଏ, କାନ୍ଦେ, ହସେ ଓ ଆନନ୍ଦରେ ବିଭୋର ଥାଏ। କେତେଜଣ ଏପରି ଲୋକ ଅଛନ୍ତି, ଯେଉଁମାନେ କହନ୍ତି ଏବେ ସତ୍ୟ, ଧର୍ମ, ତପସ୍ୟା, ନ୍ୟାୟ, ନୀତି କିଛି ହେଲେ ନାହିଁ। ସମସ୍ତେ କେବଳ ମିଛ କହୁଛନ୍ତି, ଚରିତ୍ରହୀନ ଓ ନୀତିହୀନ ହେଉଛନ୍ତି, କପଟୀ ଓ ଧନଲୋଭୀ ହେଉଛନ୍ତି, ପରଶ୍ରୀକାତର ଓ ହିଂସାଦ୍ୱେଷ ପରାୟଣ ହେଉଛନ୍ତି। ଦୁର୍ବୁଦ୍ଧି ଓ ଦୁର୍ନୀତିର ପ୍ରଭାବ ଓ ପ୍ରାବଲ୍ୟ ଚାରିଆଡ଼େ ଦେଖାଦେଉଛି। ଲୋକମାନେ ହୀନ ମତି ଓ ହୀନ କର୍ମୀ ହୋଇ ନିୟମ, ସଂଯମ, ଶୃଙ୍ଖଳା ପ୍ରଭୃତି ନିର୍ବାସିତ କରି ସ୍ୱେଚ୍ଛାଚାରୀ ଭାବେ ଜୀବନ କାଟୁଛନ୍ତି। ଆମେ ଛୋଟବେଳରୁ ବଡ଼ମାନଙ୍କ ମୁହଁରୁ ଏପରି କଥା ଶୁଣି ଆସୁଛୁ। କଳିଯୁଗ ଆସିଗଲା। ଚାରିଆଡ଼େ ଦୁର୍ନୀତି, ଜାଲ ବ୍ୟାପୀଗଲା ଇତ୍ୟାଦି ଇତ୍ୟାଦି। ତୁମେ ଯଦି ଏସବୁ କଥାରେ କାନ ଦେବ, ବିଶ୍ୱାସ କରିବ ଓ ଚିନ୍ତା କରିବ, ତେବେ ନିଜ କର୍ତ୍ତବ୍ୟ କଥା କେତେବେଳେ ଚିନ୍ତା କରିବ? ନିଜ କର୍ତ୍ତବ୍ୟ କର ଏବଂ ସନ୍ତୁଷ୍ଟ ରହ ଯେ ତୁମ କର୍ତ୍ତବ୍ୟ ତୁମେ କରିଛ। ଫଳାଫଳ ପାଇଁ ତୁମେ ଦାୟୀ ନୁହଁ। ଗୀତରେ ଅଛି ଫଳଦାତା ତାଙ୍କର ବିଚାର ଅନୁଯାୟୀ ଫଳ ଦେବେ। ସୃଷ୍ଟିର ଦୁଃଖରେ ଦୁଃଖୀ ହୋଇ ଅଶ୍ରୁମୋଚନ କରିବା ପାଇଁ କିମ୍ବା ସୃଷ୍ଟିକୁ ଗାଳି ଦେବା ପାଇଁ ଭଗବାନ ଆମକୁ ପଠାଇ ନାହାନ୍ତି। ଆମେ ଯେଉଁ ପରିସ୍ଥିତିରେ ଅଛୁ ଓ ନିଜକୁ ପାଉଛୁ ସେଥିରେ ଆମର କର୍ତ୍ତବ୍ୟ କ’ଣ ଜାଣି ଯଦି ଆମେ ତାହା କରିଯିବା ଆମେ ସେହିଥିରେ ହିଁ ଆନନ୍ଦ ଲାଭ କରିବା। ଭଗବାନଙ୍କ ଅସ୍ତିତ୍ୱରେ ପୂର୍ଣ୍ଣ ବିଶ୍ୱାସକୁ ଜ୍ଞାନ କୁହାଯାଏ, କିନ୍ତୁ ଜ୍ଞାନ ନହେଲେ ପୂର୍ଣ୍ଣ ବିଶ୍ୱାସ ଆସେ ନାହିଁ। ଏପରି ବିଶ୍ୱାସ ନ ଆସିଲେ ଆମେ ଅଜ୍ଞାନୀ ଭାବେ ସଂସାରର ଦୁଃଖରେ ନିଜକୁ ଦୁଃଖୀ ମଣି କଷ୍ଟ ପାଉ, ସଂସାରରେ ଦୁଃଖୀଙ୍କ ସଂଖ୍ୟା ବଢ଼଼ାଇବାରେ ସାହାଯ୍ୟ କରୁ।

ଭଗବାନଙ୍କୁ ଧନ ମାଗ, ମାନ ମାଗ, ଯଶ ମାଗ, ସମ୍ପଦ ମାଗ ଏସବୁ ବାସନା ସୃଷ୍ଟି କରିବ ଏବଂ ତୁମେ ସେଥିପାଇଁ ନାନା କୁଚ୍ଛ୍ର ସାଧନା କରିବ। ନ ମିଳିଲେ ଦୁନିଆକୁ ଦୁଃଖମୟ ଭାବିବ। ଭଗବାନଙ୍କୁ ଆନନ୍ଦ ମାଗ, ଜ୍ଞାନ ମାଗ, ଭକ୍ତି ମାଗ, ଚିତ୍ତ ଶୁଦ୍ଧି ମାଗ, ମାର୍ଜ୍ଜିତ ବୁଦ୍ଧି ମାଗ। ତୁମେ ଦୁଃଖୀ ହେବ ନାହିଁ, ଆଉ କାହାକୁ ଦୁଃଖୀ କରିବ ନାହିଁ। ଈଶ୍ୱରଙ୍କୁ ନିଜ ଭିତରେ ନ ପାଇଲେ ଆଉ କେଉଁଠି ପାଇବ ନାହିଁ। ସେ ଅନ୍ତରରେ, ବାହାରେ, ଦୂରରେ, ନିକଟରେ ସବୁ ଯାଗାରେ ସବୁ ସମୟରେ ଅଛନ୍ତି। ଆମ ଚିତ୍ତରୁ ସବୁ ମଳିନତା ତ୍ୟାଗ ହେଲେ ମନ ସ୍ଥିର ରହିବ ଓ ଆମ ଆଗରେ ତାଙ୍କର ସ୍ୱରୂପ ଫୁଟି ଉଠିବ। କର୍ମ ହିଁ ବନ୍ଧନ ଓ ମୋକ୍ଷର କାରଣ। ମନନ ଓ ଚିନ୍ତନ କରି ଚିତ୍ତ ଶୁଦ୍ଧ ରଖିଥିଲେ ତୁମେ ନିଜ ଶକ୍ତି ବଳରେ ଆତ୍ମପ୍ରତିଷ୍ଠ ହୋଇପାରିବ।

ଚିତ୍ତ ଶୁଦ୍ଧି ଏତେ କଷ୍ଟ ସାଧନା ନୁହେଁ ଯେପରି କେତେଜଣ ଭାବନ୍ତି। ଆମକୁ ପିଲାଦିନୁ କେତେକ ଉପଦେଶ ପାଠ୍ୟପୁସ୍ତକମାନଙ୍କରେ ଦିଆଯାଇଥାଏ। ପିଲାଦିନୁ ଯାହାର ଅଭ୍ୟାସ କରିହେବ ତା’କୁ ଆମେ କଷ୍ଟ କହିବା କିପରି? ମିଥ୍ୟା କଥା କହିବ ନାହିଁ, ସବୁ ଜୀବରେ ଦୟା କରିବ, ପର ନିନ୍ଦା କରିବ ନାହିଁ, ବାକ୍ୟବ୍ୟୟରେ ବୃଥା ସମୟ ନଷ୍ଟ କରିବ ନାହିଁ, ପରଚର୍ଚ୍ଚା କରିବ ନାହିଁ, ପର ଜିନିଷରେ ଲୋଭ କରିବ ନାହିଁ, ଅଯଥାରେ କାହା ଉପରେ ରାଗିବ ନାହିଁ, ଗୁରୁଜନମାନଙ୍କୁ ମାନ୍ୟ କରିବ, କାହାରିକୁ ଘୃଣା ବା ଇର୍ଷା କରିବ ନାହିଁ, କାହାର ସଙ୍ଗେ ଶତ୍ରୁତା କରିବ ନାହିଁ। ମନୁଷ୍ୟତ୍ୱ ଲାଭର ଇଚ୍ଛା ଯଦି ଆମର ପ୍ରାଣର ଲକ୍ଷ୍ୟ ଥାଏ, ଏସବୁ ଅଭ୍ୟାସ ଆମେ କରିପାରିବା। ସାଧନା କରିବା ମାନେ କେବଳ କଷ୍ଟକର ଯୋଗ, ଆସନ, ପ୍ରାଣାୟାମ କରିବା ନୁହେଁ। ମନୁଷ୍ୟତ୍ୱ ପ୍ରାପ୍ତି ପାଇଁ ଯେଉଁ ସାଧାରଣ ଉପଦେଶଗୁଡ଼ିକ ଆମେ ପିଲାଦିନୁ ପଢ଼଼ିଛୁ, ତା’ର ଅଭ୍ୟାସ କଲେ ହିଁ ଆତ୍ମଚୈତନ୍ୟର ବିକାଶ ହେବ, ଏଥିପାଇଁ ବେଦ ଓ ଉପନିଷଦ ଆଦି ପାଠ କରିବା ଦରକାର ନାହିଁ।

ଡ.ଅଜିତ କୁମାର ତ୍ରିପାଠୀ
ଭୁବନେଶ୍ୱର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର