ସଭ୍ୟତାର ତ୍ରିଶକ୍ତି: ସମତା, ବନ୍ଧୁତା ଓ ସ୍ୱାଧୀନତା

The Sakala Picture
Published On

ମାନବ ସଭ୍ୟତାର ବିକାଶ ପଥରେ ବହୁ ପ୍ରତିବନ୍ଧକ ଆସିଛି। ତଥାପି ଏହା ଅଟକି ଯାଇନାହିଁ। ଶ୍ରେଷ୍ଠରୁ ଶ୍ରେଷ୍ଠତରର ସନ୍ଧାନରେ ଆଗେଇ ଚାଲିଛି। ସଭ୍ୟତା ମନୁଷ୍ୟର ବିଚାରବୁଦ୍ଧି ସହିତ ଜଡ଼ିତ। ବିଚାରବୁଦ୍ଧି ଯେପରି ଗତିଶୀଳ, ସଭ୍ୟତା ମଧ୍ୟ ସେହି ଅନୁଯାୟୀ ଗତିଶୀଳ। ମନୁଷ୍ୟର ବୁଦ୍ଧିବିବେକ ଯାହାକୁ ଉଚିତ ଓ ସମାଜର ହିତ ବୋଲି ଗ୍ରହଣ କରିନିଏ, ତାକୁ ହିଁ ଅନୁସରଣ କରିବା ଆରମ୍ଭ କରେ। ଯେତେବେଳେ ସଂଖ୍ୟାଧିକ ଲୋକ ଏହି ସମାନ ବିଚାରଧାରାକୁ ଅନୁସରଣ କରିବା ଆରମ୍ଭ କରନ୍ତି, […]

ମାନବ ସଭ୍ୟତାର ବିକାଶ ପଥରେ ବହୁ ପ୍ରତିବନ୍ଧକ ଆସିଛି। ତଥାପି ଏହା ଅଟକି ଯାଇନାହିଁ। ଶ୍ରେଷ୍ଠରୁ ଶ୍ରେଷ୍ଠତରର ସନ୍ଧାନରେ ଆଗେଇ ଚାଲିଛି। ସଭ୍ୟତା ମନୁଷ୍ୟର ବିଚାରବୁଦ୍ଧି ସହିତ ଜଡ଼ିତ। ବିଚାରବୁଦ୍ଧି ଯେପରି ଗତିଶୀଳ, ସଭ୍ୟତା ମଧ୍ୟ ସେହି ଅନୁଯାୟୀ ଗତିଶୀଳ। ମନୁଷ୍ୟର ବୁଦ୍ଧିବିବେକ ଯାହାକୁ ଉଚିତ ଓ ସମାଜର ହିତ ବୋଲି ଗ୍ରହଣ କରିନିଏ, ତାକୁ ହିଁ ଅନୁସରଣ କରିବା ଆରମ୍ଭ କରେ। ଯେତେବେଳେ ସଂଖ୍ୟାଧିକ ଲୋକ ଏହି ସମାନ ବିଚାରଧାରାକୁ ଅନୁସରଣ କରିବା ଆରମ୍ଭ କରନ୍ତି, ତାହା ସଭ୍ୟତାର ଅଂଶବିଶେଷ ହୋଇଯାଏ। ଅବଶ୍ୟ ଏହି ସ୍ତରରେ ପହଞ୍ଚିବା ପାଇଁ ବହୁ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼େ। ଏହା ବୌଦ୍ଧିକ ସଂର୍ଘଷ ହେଲେ ବି ବେଳେବେଳେ ରକ୍ତାକ୍ତ ସଂଘର୍ଷର ରୂପ ନେଇଥାଏ।

ସଭ୍ୟତାର ବିକାଶ ପଥରେ ବହୁ ସଂର୍ଘଷ ହୋଇଛି। ଏହା ବହୁ ଶତାବ୍ଦୀ ଧରି ଚାଲିଛି। ବହୁ ମାନସ ମନ୍ଥନ ହୋଇଛି। ସଭ୍ୟତାର ମାପକାଠି କ’ଣ ହେବ ? କାହାକୁ ସଭ୍ୟତା କୁହାଯିବ? ଗୋଟିଏ ସଭ୍ୟ ସମାଜର ଅତ୍ୟାବଶ୍ୟକ ଉପାଦାନଗୁଡ଼ିକ କ’ଣ ହେବ? ଏହାକୁ ନେଇ ତର୍କବିତର୍କ ହୋଇଛି। ବହୁ ଚିନ୍ତକ ଲେଖନୀ ଚାଳନା କରିଛନ୍ତି। ବହୁ ସମାଜ ସଂସ୍କାରକ ବିଚାର ଓ ଭାଷଣ ମାଧ୍ୟମରେ ଲୋକଙ୍କୁ ଏ ବିଷୟରେ ବୁଝାଇଛନ୍ତି। କଳାଭାସ୍କର୍ଯ୍ୟର ଶ୍ରେଷ୍ଠତା ପ୍ରଦର୍ଶନ ମାଧ୍ୟମରେ ଏହାର ଅନ୍ୱେଷଣ ହୋଇଛି। ନାଟକର ସଂଳାପରେ ଓ ସଙ୍ଗୀତର ରାଗିଣୀରେ ଏହାକୁ ଅନୁଭବ କରିବାର ଚେଷ୍ଟା ହୋଇଛି। ଅଧିକାର ପାଇଁ ଲଢ଼େଇ କରୁଥିବା ସଂଗ୍ରାମୀଙ୍କ ସ୍ଲୋଗାନରେ ଏହା ପ୍ରତିଧ୍ୱନିତ ହୋଇଛି। ଅବଶେଷରେ ସଭ୍ୟତାର ତିନୋଟି ରତ୍ନ ଉଦ୍ଭାସିତ ହୋଇଛି। ସେଗୁଡ଼ିକ ହେଉଛି ସମାନତା (ଇକ୍ୱାଲିଟି), ସ୍ୱାଧୀନତା (ଲିବର୍ଟି) ବା ସ୍ୱତନ୍ତ୍ରତା ଓ ବନ୍ଧୁତା (ଫ୍ରେଟରନିଟି)।

ଯେଉଁ ସମାଜରେ ଏହି ତିନୋଟି ଉପାଦାନ ନାହିଁ, ତାହାକୁ ଏକ ସୁସଭ୍ୟ ସମାଜ ବୋଲି କହିହେବ ନାହିଁ। ଏଗୁଡ଼ିକ ମନୁଷ୍ୟର ଅନ୍ତର୍ନିହିତ ଗୁଣ, ଯାହା ସାମାଜିକ ବ୍ୟବହାରରେ ପ୍ରକାଶିତ ହୋଇଥାଏ। ଏହି ଗୁଣଗୁଡ଼ିକ ମନୁଷ୍ୟକୁ ଅନ୍ୟାନ୍ୟ ପ୍ରାଣୀଠାରୁ ପୃଥକ କରିଥାଏ ଓ ମନୁଷ୍ୟକୁ ଶ୍ରେଷ୍ଠତା ପ୍ରଦାନ କରେ। ଏଗୁଡ଼ିକ ମାନବୀୟ ମୂଲ୍ୟବୋଧ ସହିତ ଜଡ଼ିତ। ଯାହାର ମନରେ ଏହି ଗୁଣଗୁଡ଼ିକ ସମ୍ୱନ୍ଧରେ ଅବଧାରଣା ନାହିଁ, ସେ ଜଣେ ସଭ୍ୟ ମନୁଷ୍ୟଭାବେ ବିବେଚିତ ହୋଇପାରିବ ନାହିଁ। ସଭ୍ୟତା କେବଳ ଚାକଚକ୍ୟ ଘର ଓ ଦାମୀ ପୋଷାକ ପରିଚ୍ଛଦରେ ନଥାଏ। ଏହା ଏକ ଅନ୍ତର୍ନିହିତ ଭାବନା। ଏହା ଏକ ଗୁଣାତ୍ମକ ଲକ୍ଷଣ। ଜଣେ ହତ୍ୟାକାରୀ ଅଥବା ଡକାୟତ ସୁରମ୍ୟ ଅଟ୍ଟାଳିକା ମଧ୍ୟରେ ଚାକଚକ୍ୟ ପରିବେଶ ଭିତରେ ରହୁଥାଇପାରେ, କିନ୍ତୁ ତା’କୁ ଜଣେ ସଭ୍ୟ ମନୁଷ୍ୟ ବୋଲି କୁହାଯାଇ ପାରିବ ନାହିଁ। ଜଣେ ଗରିବ କୁଡ଼ିଆ ଘରେ ରହୁଥିଲେ ବି ସେ ତା’ର ଉତ୍ତମ ବ୍ୟବହାର ଓ ଏହି ମାନବୀୟ ଗୁଣଗୁଡ଼ିକର ଅନୁସରଣ ଜରିଆରେ ସୁସଭ୍ୟ ଭାବେ ବିବେଚିତ ହେବା ସ୍ୱାଭାବିକ।

ୟୁରୋପରେ ଆରମ୍ଭ ହୋଇଥିବା ରେନାଁସାର ଅନ୍ତିମ ନିଷ୍କର୍ଷ ହେଉଛି ସଭ୍ୟତାର ଏହି ତିନି ଉପାଦାନ। ଦୀର୍ଘ ବୌଦ୍ଧିକ ସଂଘର୍ଷ ପରେ ଫରାସୀ ବିପ୍ଳବ ସମୟରେ ଉପରୋକ୍ତ ତିନୋଟି ଶବ୍ଦ ସ୍ଲୋଗାନର ରୂପ ନେଇଥିଲା। ବିପ୍ଳବୀମାନେ ଚାହିଁଥିଲେ ଗୋଟିଏ ସ୍ୱୟଂସମ୍ପୂର୍ଣ୍ଣ ଉନ୍ନତ ସମାଜ ଗଠନ କରିବା ପାଇଁ। ଯେଉଁ ସମାଜରେ ସମାନତା, ଭ୍ରାତୃତ୍ୱଭାବ ଓ ବ୍ୟକ୍ତି ସ୍ୱାଧୀନତା ବିରାଜମାନ ଥିବ। ଏହାପରେ ବିଶ୍ୱବାସୀଙ୍କୁ ମିଳିଯାଇଥିଲା ସଭ୍ୟତାର ମାନକ, ସଭ୍ୟତା ପ୍ରାପ୍ତିର ନିୟାମକ। ଯେଉଁ ସମାଜ ଏହି ତିନୋଟି ବିଷୟକୁ ଯେତେ ଅଧିକ ମାତ୍ରାରେ ଅନୁସରଣ କରେ ସେ ସମାଜ ସେତେ ସଭ୍ୟ। ଯେଉଁ ସମାଜ ଏହି ତିନି ଉପାଦାନର ପରିପନ୍ଥୀ ଅଥବା ବହୁ ପଛରେ ସେ ସମାଜ ଅସଭ୍ୟତାକୁ ଡେଇଁ ଆଗକୁ ଯାଇପାରି ନାହିଁ।

ସମାନତାର ଭାବନା ମନୁଷ୍ୟ ମନରେ ଜନ୍ମସୂତ୍ରରେ ମିଳେ। ଏହା ତାହାର ଆତ୍ମସମ୍ମାନ ସହିତ ଜଡ଼ିତ। ତେଣୁ ପ୍ରତ୍ୟେକ ମନୁଷ୍ୟ ଜନ୍ମ ହେବା ମାତ୍ରେ ସମାଜରେ ସମାନ ମର୍ଯ୍ୟାଦା ପାଇବାକୁ ହକଦାର। ବ୍ୟକ୍ତି ତାହାର ଅଧ୍ୟବସାୟ ବଳରେ ସମାଜରେ ଅସାଧାରଣ ବକ୍ତିତ୍ୱର ଅଧିକାରୀ ହୋଇପାରେ, କିନ୍ତୁ ମନୁଷ୍ୟଭାବେ ସମସ୍ତ ମାନବଜାତିରୁ ଅଭିନ୍ନ – ଏହା ହିଁ ମାନବୀୟ ସିଦ୍ଧାନ୍ତ। ଧର୍ମ, ଜାତି, ସମ୍ପ୍ରଦାୟ ଓ ଅଞ୍ଚଳ ନାମରେ ଅସମାନତାକୁ ପ୍ରତିଷ୍ଠା କରାଯାଇ ପାରିବ ନାହିଁ। ଆର୍ଥିକ ଭାବେ ଜଣେ ଧନୀ କିମ୍ୱା ଦରିଦ୍ର ହୋଇପାରେ। ଶିକ୍ଷା ଦୃଷ୍ଟିରୁ ଜଣେ ଶିକ୍ଷିତ କିମ୍ୱା ଅଶିକ୍ଷିତ ହୋଇପାରେ। କିନ୍ତୁ ସାମାଜିକ ଭାବେ କୌଣସି ବୈଷମ୍ୟ ଗ୍ରହଣୀୟ ନୁହେଁ।

ସାମାଜିକ ବୈଷମ୍ୟ ସଭ୍ୟତାର ପରିପନ୍ଥୀ। ଧର୍ମ ନାମରେ ନିଜକୁ ଶ୍ରେଷ୍ଠ, ଅନ୍ୟକୁ ନିକୃଷ୍ଟ ବୋଲି କହିପାରିବା ନାହିଁ। କୌଣସି ସମ୍ପ୍ରଦାୟ ଓ ଅଞ୍ଚଳର ଲୋକମାନେ ନିଜକୁ ଶ୍ରେଷ୍ଠ ଓ ଅନ୍ୟକୁ ନିକୃଷ୍ଟ କହିବା ଅର୍ଥ ସଭ୍ୟତାକୁ ଅସ୍ୱୀକାର କରିବା। ସେହିପରି ଜାତି ନାମରେ କେହି ନିଜକୁ ଶ୍ରେଷ୍ଠ ଓ ଅନ୍ୟମାନଙ୍କୁ ନିମ୍ନତର କହିବା ମଧ୍ୟ ଅସଭ୍ୟତାର ପରିଚାୟକ।

ସଭ୍ୟତାର ଦ୍ୱିତୀୟ ଉପାଦାନ ‘ସ୍ୱତନ୍ତ୍ରତା’ ମନୁଷ୍ୟର ନିଜସ୍ୱ ଅଧିକାରକୁ ସୂଚୀତ କରେ। ଏହା ତା’ର ଜନ୍ମଗତ ଅଧିକାର। ‘ସ୍ୱତନ୍ତ୍ରତା’ କହିଲେ ‘ସ୍ୱେଚ୍ଛାଚାର’କୁ ବୁଝାଏ ନାହିଁ। ଏହା ମଧ୍ୟ ଅନ୍ୟର ଅଧିକାରକୁ ସଙ୍କୁଚିତ କରିବାକୁ ବୁଝାଏ ନାହିଁ। ବ୍ୟକ୍ତି ନିଜ ପାଇଁ ଯେଉଁ ସିଦ୍ଧାନ୍ତମାନ ଗ୍ରହଣ କରେ ସେଗୁଡ଼ିକ ତା’ର ସ୍ୱତନ୍ତ୍ରତା ଅନ୍ତର୍ଗତ ଅଟେ। ସେ କ’ଣ ଖାଇବ, କ’ଣ ପିନ୍ଧିବ, କେଉଁ ବୃତ୍ତି ଅବଲମ୍ୱନ କରିବ, କାହାକୁ ବାହା ହେବ ଇତ୍ୟାଦି ତା’ର ନିଜସ୍ୱ ଅଧିକାର। ଏହାକୁ ରାଷ୍ଟ୍ର କିମ୍ବା ସମାଜ କେହି ବାରଣ କରିପାରିବେ ନାହିଁ। ଏହାକୁ କୌଣସି ଧର୍ମ ନା ଜାତି ବାଧା ଦେଇପାରିବ। ଯେତେବେଳେ କୌଣସି ଦେଶରେ ଧାର୍ମିକ ମୌଳବାଦୀମାନେ ନିର୍ଣ୍ଣୟ କରନ୍ତି ଲୋକମାନେ କେଉଁପ୍ରକାର ପୋଷାକ ପିନ୍ଧିବେ, କ’ଣ ଖାଇବେ, କ’ଣ କରିବେ ଇତ୍ୟାଦି ସେତେବେଳେ ବ୍ୟକ୍ତି ସ୍ୱତନ୍ତ୍ରତା କ୍ଷୁଣ୍ଣ ହୁଏ। ସେହିପରି କୌଣସି ଜାତି ବା ପରିବାରର ଲୋକମାନେ ଯଦି ନିର୍ଣ୍ଣୟ କରନ୍ତି ଜଣେ ଯୁବକ ବା ଯୁବତୀ କାହାକୁ ବାହା ହେବ କିମ୍ୱା ତା’ର ଇଚ୍ଛାକୃତ ବିବାହରେ ବାଧା ସୃଷ୍ଟି କରନ୍ତି ତେବେ ଏହା ମଧ୍ୟ ବ୍ୟକ୍ତି ସ୍ୱତନ୍ତ୍ରତାକୁ ବ୍ୟାହତ କରେ। ଆମ ଦେଶରେ ଆନ୍ତଃଜାତି ବିବାହକୁ ନେଇ ଚାଲିଥିବା ‘ଅନରକିଲିଂ’ ତଥା ଖାପ୍‌‌ ପଞ୍ଚାୟତ ଏହାର ଜ୍ୱଳନ୍ତ ଉଦାହରଣ।

ତୃତୀୟ ଉପାଦାନ ହେଉଛି ଭ୍ରାତୃତ୍ୱଭାବ। ଏହା ସମସ୍ତଙ୍କ ପାଇଁ ସାମାଜିକ ଅଙ୍ଗୀକାରବଦ୍ଧତା। ଏହା ବିନା ସମାଜରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଅସମ୍ଭବ। ସମସ୍ତଙ୍କ ମଧ୍ୟରେ ଭ୍ରାତୃତ୍ୱଭାବ ଯେତେ ନିବିଡ଼ ହୁଏ, ସମାଜ ସେତେ ଐକ୍ୟବଦ୍ଧ ହୁଏ। ବିଭେଦ ଓ ବିବାଦ ଆସ୍ତେ ଆସ୍ତେ ଅପସରି ଯାଏ। ବିଶ୍ୱଶାନ୍ତି ପାଇଁ ବି ଏହା ଜରୁରୀ। ପରସ୍ପରକୁ ଭଲ ପାଇବା ମାନବିକତାର ଅପରିହାର୍ଯ୍ୟ ଅଂଶବିଶେଷ। ଗୋଟିଏ ବିବାଦଗ୍ରସ୍ତ ଓ ବିଭେଦଗ୍ରସ୍ତ ସମାଜକୁ ସଭ୍ୟ ସମାଜ ବୋଲି କହିହେବ ନାହିଁ। ଏପରି ସମାଜ ଦୀର୍ଘସ୍ଥାୟୀ ନୁହେଁ। କାରଣ ବିଶୃଙ୍ଖଳା ଅଧୋପତନର କାରଣ ହୁଏ। ତେଣୁ କରି ପ୍ରତ୍ୟେକ ମାନବବାଦୀ ଧର୍ମରେ ସ୍ନେହ-ମମତା ଉପରେ ଗୁରୁତ୍ୱ ଦିଆଯାଇଛି। ଭାରତୀୟ ଚିନ୍ତନରେ ‘ବସୁଧୈବ କୁଟୁମ୍ୱକମ୍‌‌’ କଥା କୁହାଯାଇଛି। ଭ୍ରାତୃତ୍ୱଭାବର ପ୍ରସାର ପାଇଁ ଅହିଂସା, ଦୟା ଓ କ୍ଷମାର କଥା କୁହାଯାଇଛି। ମାନବବାଦର ପ୍ରତିଷ୍ଠା ପାଇଁ ଉଦ୍ୟମ ହୋଇଛି।

ସଭ୍ୟତାର ନିୟାମକ ଭାବେ ଏ ତିନୋଟି ଉପାଦାନ ଆଜି ସର୍ବତ୍ର ଗ୍ରହଣୀୟ। ଆମ ସମସ୍ତଙ୍କ ପାଇଁ ଆତ୍ମଚିନ୍ତନର ମାର୍ଗଦର୍ଶକ। ନିଜକୁ ସୁସଭ୍ୟ ବୋଲି ଦାବି କରିବା ପୂର୍ବରୁ ସଭ୍ୟତାର ମାନକରେ ତଉଲିବାର ଅଛି ଓ ଅନୁଭବ କରିବାର ଅଛି ଯେ ଆମେ ପ୍ରକୃତରେ କେତେ ସୁସଭ୍ୟ!

 

ଅଧ୍ୟାପକ ଗୋପବନ୍ଧୁ
ବାରିପଦା, ମୋ- ୭୦୦୮୯୭୬୧୮୦

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର