ମହିମାମୟ ଶଙ୍ଖକ୍ଷେତ୍ର

The Sakala Picture
Published On

ଭାରତରେ ପ୍ରସିଦ୍ଧି ଲାଭ କରିଥିବା ବିଭିନ୍ନ ମହାପୁରାଣ, ଉପପୁରାଣ, ସଂହିତା ଓ ତନ୍ତ୍ରଶାସ୍ତ୍ର ମାନଙ୍କରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ବର୍ଣ୍ଣନା ଅବସରରେ ଏହି ଦିବ୍ୟକ୍ଷେତ୍ରକୁ ବିଭିନ୍ନ ନାମରେ ଅଭିହିତ କରାଯାଇଛି। ତନ୍ମଧ୍ୟରେ ନୀଳଦ୍ରି, ନୀଳାଚଳ, ନୀଳଶୈଳ, ନୀଳଗିରି, ଶଙ୍ଖକ୍ଷେତ୍ର, ଭୂସ୍ୱର୍ଗ, ଦଶାବତାର କ୍ଷେତ୍ର, ମର୍ତ୍ତ୍ୟ ବୈକୁଣ୍ଠ ଆଦି ଅନ୍ୟତମ। ଏହି ନାମଗୁଡ଼ିକ ପୁରାଣ ସମର୍ଥିତ। ଉତ୍କଳର ପ୍ରାଚୀନ ଚାରିକ୍ଷେତ୍ରକୁ ଯଥାକ୍ରମେ ଏକାମ୍ର କ୍ଷେତ୍ରକୁ ଚକ୍ରକ୍ଷେତ୍ର, ବିରଜା କ୍ଷେତ୍ରକୁ ଗଦାକ୍ଷେତ୍ର, କୋଣାର୍କକୁ ପଦ୍ମକ୍ଷେତ୍ର ଓ ପୁରୁଷୋତ୍ତମ ବା ଶ୍ରୀକ୍ଷେତ୍ରକୁ […]

ଭାରତରେ ପ୍ରସିଦ୍ଧି ଲାଭ କରିଥିବା ବିଭିନ୍ନ ମହାପୁରାଣ, ଉପପୁରାଣ, ସଂହିତା ଓ ତନ୍ତ୍ରଶାସ୍ତ୍ର ମାନଙ୍କରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ବର୍ଣ୍ଣନା ଅବସରରେ ଏହି ଦିବ୍ୟକ୍ଷେତ୍ରକୁ ବିଭିନ୍ନ ନାମରେ ଅଭିହିତ କରାଯାଇଛି। ତନ୍ମଧ୍ୟରେ ନୀଳଦ୍ରି, ନୀଳାଚଳ, ନୀଳଶୈଳ, ନୀଳଗିରି, ଶଙ୍ଖକ୍ଷେତ୍ର, ଭୂସ୍ୱର୍ଗ, ଦଶାବତାର କ୍ଷେତ୍ର, ମର୍ତ୍ତ୍ୟ ବୈକୁଣ୍ଠ ଆଦି ଅନ୍ୟତମ। ଏହି ନାମଗୁଡ଼ିକ ପୁରାଣ ସମର୍ଥିତ। ଉତ୍କଳର ପ୍ରାଚୀନ ଚାରିକ୍ଷେତ୍ରକୁ ଯଥାକ୍ରମେ ଏକାମ୍ର କ୍ଷେତ୍ରକୁ ଚକ୍ରକ୍ଷେତ୍ର, ବିରଜା କ୍ଷେତ୍ରକୁ ଗଦାକ୍ଷେତ୍ର, କୋଣାର୍କକୁ ପଦ୍ମକ୍ଷେତ୍ର ଓ ପୁରୁଷୋତ୍ତମ ବା ଶ୍ରୀକ୍ଷେତ୍ରକୁ ଶଙ୍ଖକ୍ଷେତ୍ର କୁହାଯାଏ। ଶ୍ରୀଧାମର ଏହି ଶଙ୍ଖାକୃତି କ୍ଷେତ୍ରରେ ଦାରୁବ୍ରହ୍ମରୂପୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ, ଯେକୌଣସି ସ୍ଥାନରେ ମୃତ୍ୟୁବରଣ ଓ ସମୁଦ୍ରରେ ସ୍ନାନ, ଏହି ତିନି ଗୋଟି ପ୍ରତ୍ୟେକ ମୁକ୍ତିର ସାଧନ ଓ ଅତ୍ୟନ୍ତ ଦୁର୍ଲ୍ଲଭ। ଏପରିକି ସ୍କନ୍ଦପୁରାଣ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟର ୪ ଅଧ୍ୟାୟ ସ୍ଥିତ ୨୦, ୨୧ ଶ୍ଳୋକରେ କୁହାଯାଇଛି ଯେ ଭଗବାନ ଶ୍ରୀହରିଙ୍କର ଅତ୍ୟନ୍ତ ପ୍ରିୟ ତଥା ପୁଣ୍ୟକ୍ଷେତ୍ରଟି ପୃଥିବୀ, ଆକାଶ ଓ ସ୍ୱର୍ଗରେ ଯେଉଁ ମୋକ୍ଷଦାୟକ ସାଢ଼େ ତିନିକୋଟି ସଂଖ୍ୟକ ତୀର୍ଥ ଅଛନ୍ତି, ସେମାନଙ୍କ ମଧ୍ୟରେ ଏହି ଶଙ୍ଖକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ତୀର୍ଥରାଜ ରୂପେ ପ୍ରସିଦ୍ଧ ଅଟେ।

ସ୍କନ୍ଦ ପୁରାଣର ବର୍ଣ୍ଣନାନୁଯାୟୀ ଏହି ଦିବ୍ୟ କ୍ଷେତ୍ରର ଆକାର ଦକ୍ଷିଣାବର୍ତ୍ତ ଶଙ୍ଖ ସଦୃଶ। ଏହାର ପରିମାଣ ପଞ୍ଚ କ୍ରୋଶ ଆୟତନ ବିଶିଷ୍ଟ। ଏଥିମଧ୍ୟରୁ ତୀର୍ଥରାଜ ସମୁଦ୍ରର ତଟଭୂମି ତିନିକ୍ରୋଶ ପରିମିତ ଭୂଭାଗ ଅତ୍ୟନ୍ତ ପବିତ୍ର। ଅବଶିଷ୍ଟ ଦୁଇକ୍ରୋଶ ଜଳଭାଗ ସାଗର ମଧ୍ୟରେ ରହିଛି। ଏଠାରେ ମହୋଦଧି ଶଙ୍ଖକ୍ଷେତ୍ରର ସ୍ପର୍ଶ ହେତୁ ତୀର୍ଥରାଜ ରୂପେ ପରିଗଣିତ ହୋଇଛି।

ଶଙ୍ଖକ୍ଷେତ୍ରର ତିନିଗୋଟି ଆବରଣ ରହିଛି। ପ୍ରଥମ ଆବରଣରେ ଅଦ୍ୟାଶକ୍ତି ମା’ ବିମଳା, ରୋହିଣୀକୁଣ୍ଡ, ପ୍ରଭୁ ଶ୍ରୀନୃସିଂହ, କଳ୍ପବୃକ୍ଷ ଓ ଈଶାନେଶ୍ୱର ବିରାଜମାନ କରିଛନ୍ତି। ଦ୍ୱିତୀୟ ଆବରଣରେ କପାଳମୋଚନ, ମଣିକର୍ଣ୍ଣିକା, ଚଣ୍ଡରୂପା, ଶ୍ୱେତଗଙ୍ଗା ଓ ଦେବୀ କାଳିକା ପ୍ରତିଷ୍ଠିତ। ତୃତୀୟ ଆବର୍ତ୍ତରେ ସମୁଦ୍ର ତଟସ୍ଥିତ ଯମେଶ୍ୱର ପୀଠ ଏବଂ କଣ୍ଡୁଋଷି ଆଶ୍ରମ। ଶଙ୍ଖର ନାଭି ପ୍ରଦେଶରେ ପୁଣ୍ୟ ଅକ୍ଷୟବଟ ଏବଂ ଭଗବାନ ଶ୍ରୀଜଗନ୍ନାଥ ବିରାଜମାନ କରିଅଛନ୍ତି। ଶଙ୍ଖାକୃତି କ୍ଷେତ୍ରର ଅଗ୍ରଭାଗରେ ଶ୍ରୀନୀଳକଣ୍ଠ ମହାଦେବ ଅବସ୍ଥାନ କରୁଛନ୍ତି। ସେହିପରି ଶଙ୍ଖର ପୃଷ୍ଠଭାଗସ୍ଥିତ ଐଶାନ୍ୟକୋଣରେ ଦେବୀ ଆଲମ୍ବା, ଉତ୍ତରରେ ଅର୍ଦ୍ଧାଶନୀ, ଦକ୍ଷିଣରେ କାଳରାତ୍ରି, ପୂର୍ବରେ ମରୀଚିକା, ବାୟୁ କୋଣରେ ସର୍ବମଙ୍ଗଳା, ମାର୍କଣ୍ଡେଶ୍ୱର ପୀଠ ଅବସ୍ଥିତ। ଶଙ୍ଖକ୍ଷେତ୍ରର ମୂଳ ଭାଗରେ ଶ୍ରୀଲୋକନାଥ ବିରାଜମାନ କରିଛନ୍ତି।

ଶଙ୍ଖ ମଧ୍ୟସ୍ଥ ଅନ୍ତର୍ବେଦୀକୁ ରକ୍ଷା କରିବା ପାଇଁ ଅଷ୍ଟଶକ୍ତି ଅଷ୍ଟ ଦିଗରେ ପ୍ରତିଷ୍ଠିତ। ତନ୍ମଧ୍ୟରେ ବଟମୂଳର ଅଗ୍ନିକୋଣରେ ମଙ୍ଗଳା, ପଶ୍ଚିମରେ ବିମଳା, ନୈଋତ କୋଣରେ ଚଣ୍ଡରୂପା, ଉତ୍ତର ଦିଗରେ ଅର୍ଦ୍ଧାଶନୀ, ଐଶାନ୍ୟ କୋଣରେ ଆଲାମଚଣ୍ଡୀ ଇତ୍ୟାଦି ଶକ୍ତି ପୀଠ ଓ ଅଷ୍ଟରୁଦ୍ର ବିଦ୍ୟମାନ ହୋଇଛନ୍ତି। ଶଙ୍ଖକ୍ଷେତ୍ରର ଅଷ୍ଟରୁଦ୍ରଙ୍କ ମଧ୍ୟରେ କପାଳମୋଚନ, ଈଶାନେଶ୍ୱର, କ୍ଷେତ୍ରପାଳ, ଯମେଶ୍ୱର, ମାର୍କଣ୍ଡେଶ୍ୱର, ବିଶ୍ୱେଶ୍ୱର, ନୀଳକଣ୍ଠ ଓ ବଟେଶ୍ୱର ଅନ୍ତର୍ଭୁକ୍ତ।

ପ୍ରାଚୀନ ସମୟରୁ ଉତ୍କଳର ଏହି ଦିବ୍ୟ ଶଙ୍ଖକ୍ଷେତ୍ରକୁ ଆକର୍ଷିତ ହୋଇ ସ୍ୱୟଂ ପ୍ରଜାପିତା ବ୍ରହ୍ମା, ଦେବରାଜ ଇନ୍ଦ୍ର, ଦେବର୍ଷି ନାରଦ, ବଶିଷ୍ଠ, ଭରଦ୍ୱାଜ, ମହତ୍‌‌ଯୋଗୀ, ଅନେକ ସିଦ୍ଧ ସାଧକ, ଆଚାର୍ଯ୍ୟ ତଥା ଜଗଦ୍‌‌ଗୁରୁ ଶଙ୍କରାଚାର୍ଯ୍ୟ, ରାମାନୁଜ, ରାମାନନ୍ଦ, ବଲ୍ଲଭାଚାର୍ଯ୍ୟ, ମଧ୍ୱାଚାର୍ଯ୍ୟ, ନିମ୍ବାକାଚାର୍ଯ୍ୟ, ଶ୍ରୀଚୈତନ୍ୟ, ନାନକ, କବୀର, ସନ୍ଥ ତୁଳସୀ ଦାସ, ଶ୍ରୀଚାନ୍ଦ, ଠାକୁର ହରିଦାସ, ପଞ୍ଚସଖା, ରାୟ ରାମାନନ୍ଦ, ଶ୍ରୀଶଙ୍କର ଦେବ, ଅଦ୍ୱୈତବାଦୀ ଦିଗମ୍ବର ପରମହଂସ ପ୍ରମୁଖ କ୍ଷେତ୍ରରେ ପଦାର୍ପଣ ପୂର୍ବକ ଏହାର ନୈସର୍ଗିକ ସତ୍ତାକୁ ହୃଦୟଙ୍ଗମ କରି ଆନନ୍ଦିତ ହୋଇଥିଲେ।

ଡ. ଭାସ୍କର ମିଶ୍ର
ପୁରୀ, ମୋ: ୯୪୩୭୨୮୧୧୦୨

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର