ବାଲିକୁଦାର ମହାବୀର ଶୁଖୁଆ ଉତ୍ପାଦ ଗୋଷ୍ଠୀର ସଦସ୍ୟାମାନଙ୍କୁ ସ୍ୱାବଲମ୍ବୀ କରିଛି ‘ସ୍ୱାସ୍ଥ୍ୟପ୍ରଦ ଶୁଖୁଆ’

The Sakala Picture
Published On

ଜଗତସିଂହପୁର(ରଶ୍ମୀରଞ୍ଜନ ମହାପାତ୍ର): ଓଡିଆଙ୍କ ରୋଷେଇ ଘରେ ଶୁଖୁଆ ହେଉଛି ଏକ ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟ। ଶୁଖିଲା ମାଛର ଏହି ସୁସ୍ୱାଦୁ ଚମତ୍କାରିତା ବର୍ଷ ବର୍ଷଧରି ବହୁ ଲୋକଙ୍କ ପସନ୍ଦର ଖାଦ୍ୟ ହୋଇଆସିଛି। ଶୁଖୁଆ ପାଇଁ ଚାହିଦା ଅନୁସାରେ ବନ୍ଦରରୁ ପ୍ରଥମେ ବିଭିନ୍ନ ମାଛ ଅଣାଯାଇଥାଏ। ଏହିମାଛ ଗୁଡିକୁ ପାଣିରେ ଭଲ ଭାବରେ ଧୋଇ ପରିସ୍କାର କରିବା ପରେ ସେଗୁଡିକୁ ଲୁଣରେ ୨୪ ଘଣ୍ଟା ରଖାଯାଏ। ପରଦିନ ଏହି ମାଛକୁ ପାଣିରେ ଧୋଇ ଟାଣ ଖରାରେ ଶୁଖାଇ […]

ଜଗତସିଂହପୁର(ରଶ୍ମୀରଞ୍ଜନ ମହାପାତ୍ର): ଓଡିଆଙ୍କ ରୋଷେଇ ଘରେ ଶୁଖୁଆ ହେଉଛି ଏକ ପାରମ୍ପରିକ ଓ ଲୋକପ୍ରିୟ ଖାଦ୍ୟ। ଶୁଖିଲା ମାଛର ଏହି ସୁସ୍ୱାଦୁ ଚମତ୍କାରିତା ବର୍ଷ ବର୍ଷଧରି ବହୁ ଲୋକଙ୍କ ପସନ୍ଦର ଖାଦ୍ୟ ହୋଇଆସିଛି। ଶୁଖୁଆ ପାଇଁ ଚାହିଦା ଅନୁସାରେ ବନ୍ଦରରୁ ପ୍ରଥମେ ବିଭିନ୍ନ ମାଛ ଅଣାଯାଇଥାଏ। ଏହିମାଛ ଗୁଡିକୁ ପାଣିରେ ଭଲ ଭାବରେ ଧୋଇ ପରିସ୍କାର କରିବା ପରେ ସେଗୁଡିକୁ ଲୁଣରେ ୨୪ ଘଣ୍ଟା ରଖାଯାଏ। ପରଦିନ ଏହି ମାଛକୁ ପାଣିରେ ଧୋଇ ଟାଣ ଖରାରେ ଶୁଖାଇ ଦିଆଯାଏ। ମାଛକୁ ଉପଯୁକ୍ତ ସ୍ୱାସ୍ଥ୍ୟପ୍ରଦ ପରିବେଶରେ ତାରରେ ବାନ୍ଧି ଓହଳାଇ ସୁଖିବାକୁ ଛାଡି ଦିଆଯାଏ। ତିନିଦିନ ନିରବଛିନ୍ନ ଖରା ଖାଇବା ପରେ ଏହି ଶୁଖିଲା ମାଛ ଖାଦ୍ୟ ଉପଯୋଗୀ ଶୁଖୁଆରେ ପରିଣତ ହୋଇଥାଏ।

ଜଗତସିଂହପୁର ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ବାଲିକୁଦା ବ୍ଲକର ମରିଚିପୁର ଗ୍ରାମର ମହାବୀର ଶୁଖୁଆ ଉତ୍ପାଦ ଗୋଷ୍ଠୀର ସଦସ୍ୟାମାନେ ସ୍ୱାସ୍ଥ୍ୟପ୍ରଦ ଶୁଖୁଆ ପ୍ୟାକେଟ ପ୍ରସ୍ତୁତକରି ପାରମ୍ପାରିକ ଶୁଖୁଆ ପ୍ରେମୀଙ୍କ ପାଇଁ ଆଶ୍ୱାସନା ସୃଷ୍ଟି କରିବା ସହିତ ଏଥିରୁ ମିଳୁଥିବା ରୋଜଗାର ଦ୍ୱାରା ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି।

ବାଲିକୁଦା ବ୍ଲକ ମରିଚିପୁର ପଞ୍ଚାୟତ ଅନ୍ତର୍ଗତ ବନ୍ଦର ଠାରେ ପର୍ଯ୍ୟାପ୍ତ ମାଛ ଉତ୍ପାଦାନ ହୋଇଥାଏ। ଦେବୀନଦୀର ମୁହାଣ ଓ ବଙ୍ଗେପାସାଗର ମିଳନ ସ୍ଥଳରେ ଧୀବରମାନେ ପ୍ରତିଦିନ ବୋଟ ନେଇ ମାଛ ଧରିବା ସହିତ ଏଗୁଡିକୁ ବନ୍ଦରଠାରେ ବିକ୍ରି କରିଥାନ୍ତି। ତେବେ ନଦୀ ବା ସମୁଦ୍ରରୁ ମାଛ ଧରିବା ପରେ ଏହାକୁ ତୁରନ୍ତ ବିକ୍ରି କରିବାରେ ବହୁ ସମସ୍ୟା ରହିଥାଏ। ଅନେକ ସମୟରେ ବେପାରୀଙ୍କ ଦ୍ୱାରା ମତ୍ସ୍ୟଜୀବୀଙ୍କୁ ମାଛର ଉପଯୁକ୍ତ ମୂଲ୍ୟ ମିଳି ନ ଥାଏ। କେବ କେବେ ବିକ୍ରି ହୋଇ ନ ପାରିବାରୁ ବଳକା ମାଛ ଗୁଡିକ ପଚି ନଷ୍ଟ ହୋଇଯାଇଥାଏ। ଏହା ଦ୍ୱାରା ମତ୍ସ୍ୟଜୀବୀ ଓ ମାଛ ବ୍ୟବସାୟରେ ବହୁତ କ୍ଷତି ଘଟିଥାଏ। ଦୀର୍ଘ ସଂରକ୍ଷଣ ଅଭାବରୁ ଏହି ମୂଲ୍ୟବାନ ମାଛ ଗୁଡିକ ବାହାରେ ଫିଙ୍ଗି ଦିଆଯାଏ କିମ୍ବା କୁକୁଡା ଦାନା ତିଆରିରେ ବ୍ୟବହାର ପାଇଁ ଅତି ଶସ୍ତାରେ ବିକ୍ରି କରାଯାଇଥାଏ। ତେବେ ମହାବୀର ଶୁଖୁଆ ଉତ୍ପାଦକ ଗୋଷ୍ଠୀ ଶୁଖୁଆ ପ୍ରସ୍ତୁତ ପାଇଁ ମାଛ କିଣିବା ଦିନଠାରୁ ସେମାନଙ୍କର ଏହି ସମସ୍ୟା ଦୂର ହୋଇଥିବା କଥା ସ୍ଥାନୀୟ ମତ୍ସ୍ୟଜୀବୀ ପ୍ରକାଶ କରିଛନ୍ତି। ଉପାôଦିକା ଗୋଷ୍ଠୀ ସିଧା ସଳଖ ମତ୍ସ୍ୟଜୀବୀଙ୍କଠାରୁ ବର୍ଷର ଖରା, ବର୍ଷା ତଥା ଶୀତ ଦିନରେ ମାଛ କିଣୁଥିବାରୁ ସେମାନଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ସହିତ ମତ୍ସ୍ୟଜୀବୀମାନେ ମାଛ ବିକ୍ରିରେ ପୂର୍ବପରି ଆଉ କ୍ଷତିର ସମ୍ମୁଖୀନ ହେଉ ନ ଥିବା ପ୍ରକାଶ କରିଛନ୍ତି।

ମରିଚିପୁର ମହିଳା ଉତ୍ପାଦକ ଗୋଷ୍ଠୀର ଗଠନ ସମ୍ପର୍କରେ ଡିପିଏମ ସତ୍ୟାର୍ଥ ପରିଡ଼ା କହନ୍ତି, ରାଜ୍ୟ ଓ ରାଜ୍ୟ ବାହାରେ ଶୁଖୁଆର ବ୍ୟାପକ ଚାହିଦା ରହିଛି। ବର୍ଷ ବର୍ଷ ଧରି ମରିଚିପୁର କିଛି ମତ୍ସ୍ୟଜୀବୀ ପରିବାର ପାରମ୍ପାରିକ ଉପାୟରେ ଶୁଖୁଆ ଉତ୍ପାଦନ କରୁଥିବା ବେଳେ ଉପଯୁକ୍ତ ଜ୍ଞାନକୌଶଳ ଅଭାବରୁ ସେମାନେ ଉପଯୁକ୍ତ ମୂଲ୍ୟ ବା ଲାଭ ପାଇପାରୁ ନ ଥିଲେ। ସଂରକ୍ଷଣ ଅଭାବରୁ ବର୍ଷା ଓ କୁହୁଡି କାକରର ଆଦ୍ରତା ଦ୍ୱାରା ଶୁଖୁଆ ନଷ୍ଟ ହେଉଥିବା ବେଳେ ଏଗୁଡିକୁ ଶସ୍ତାରେ କୁକୁଡା ଦାନା ଫାର୍ମକୁ ବିକିବାକୁ ସେମାନେ ବାଧ୍ୟ ହେଉଥିଲେ। ପ୍ରତିବର୍ଷ ବର୍ଷା ୪ ମାସ ସମୁଦ୍ରରୁ ଅଧିକ ମାଛ ଉତ୍ପାଦନ ହେଉଥିବା ବେଳେ ଏହି ସମୟରେ ପ୍ରସ୍ତୁତ କରାଯାଉଥିବା ଶୁଖୁଆ ସଂରକ୍ଷଣ ଅଭାବରୁ ଅଧିକ ନଷ୍ଟ ହେଉଥିଲା। ତେଣୁ ଏଠାରେ ରପ୍ତାନୀ ଭିତ୍ତିକ ନଦୀ ଓ ସାମୁଦ୍ରିକ ଶୁଖୁଆ ପ୍ରକ୍ରିୟାକରଣ ପାଇଁ ମହିଳାଙ୍କୁ ନେଇ ଉତ୍ପାଦିକା ଗୋଷ୍ଠୀ ଗଠନ କରିବାକୁ ସ୍ଥାନୀୟ ଏମ୍‌‌ବିକେ ଗୀତାରାଣି ସ୍ୱାଇଁଙ୍କୁ ସେ ପରାମର୍ଶ ଦେଇଥିଲେ ବୋଲି ଶ୍ରୀ ପରିଡ଼ା ପ୍ରକାଶ କରିଛନ୍ତି। ଏଥିପାଇଁ ସଂଯୋଜକ ଦୀପକ କୁମାର ସ୍ୱାଇଁଙ୍କ ତତ୍ତ୍ୱବଧାନରେ ୩୦ ଜଣ ମହିଳାଙ୍କୁ ନେଇ ମହାବୀର ଉତ୍ପାଦିକା ଗୋଷ୍ଠୀ ଗଠନ ହେବା ସହିତ ସେମାନଙ୍କୁ ଶୁଖୁଆ ପ୍ରସ୍ତୁତ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଥିଲା। ଏହି ମହିଳାମାନେ ସ୍ୱାସ୍ଥ୍ୟପ୍ରଦ ଶୁଖୁଆ ପ୍ରସ୍ତୁତ କରିବା ସହିତ ଏହାକୁ ପ୍ୟାକିଂ କରି ବିକ୍ରୟ କରିବା ଜାରି ରଖିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ତେବେ ମିଶନଶକ୍ତି ଓ ଜୀବିକା ମିଶନ ପକ୍ଷରୁ ସେମାନଙ୍କୁ ଆହୁରି ଅଧିକ ତାଲିମ ଓ ଆବଶ୍ୟକ ଯନ୍ତ୍ରପାତି କିଣିବାକୁ ୨ ଲକ୍ଷ ୪ ହଜାର ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରାଯାଇଥିବା ସଂଯୋଜକ ଦୀପକ କୁମାର ମହାନ୍ତି କହିଛନ୍ତି। ଆଗକୁ ବର୍ଷାଦିନ ଆସୁଥିବାରୁ ଏହି ସମୟରେ ଶୁଖୁଆ ସଂରକ୍ଷଣ ପାଇଁ ସେମାନଙ୍କୁ ଉପଯୁକ୍ତ ଜ୍ଞାନକୌଶଳ ପୂର୍ଣ୍ଣ ତାଲିମ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ଶୁଖୁଆର ପ୍ରସ୍ତୁତି ଓ ବିକ୍ରି ସମ୍ପର୍କରେ ମହାବୀର ଉତ୍ପାଦିକା ଗୋଷ୍ଠୀର ସଭାନେତ୍ରୀ ଛବିଲତା ବେହେରା ଓ ସମ୍ପାଦିକା ରୀନାରାଣୀ ବେହେରା କହନ୍ତି। ବହୁ ସଂଖ୍ୟାରେ ଖାଉଟୀ ଓ ବେପାରୀ ଘରକୁ ଆସି ଶୁଖୁଆ କିଣୁଥିବା ସମୟରେ ବଳକା ଶୁଖୁଆ ସ୍ଥାନୀୟ ବାଲିପାଟଣା ହାଟରେ ବିକ୍ରି ହୋଇଥାଏ। ଏକ ବର୍ଷ ହେବ ଆମ ପ୍ରଡ୍ୟୁସର ଗ୍ରୁପର ୩୦ ଜଣ ସଦସ୍ୟା ଶୁଖୁଆ ପ୍ରସ୍ତୁତି ଜାରି ରଖିଛୁ। ପ୍ରତି ଦେଢ କିଲୋ ମାଛରେ ପାଖା ପାଖି ଏକ କିଲୋ ଶୁଖୁଆ ପ୍ରସ୍ତୁତ ହୋଇଥାଏ। ଶହେ ଟଙ୍କାର ମାଛ କିଣିଲେ ଶୁଖୁଆ ହେବା ପରେ ଏହା ଦେଢଶହ ଟଙ୍କାରେ ବିକ୍ରି ହୋଇଥାଏ। ଲୁଣ, ଶ୍ରମ ଓ ପ୍ୟାକିଂ ଖର୍ଚ୍ଚକୁ ବାଦ ଦେଲେ ଶହେ ଟଙ୍କା ଖର୍ଚ୍ଚ କଲେ ୩୫ଟଙ୍କା ଲାଭ ମିଳିଥାଏ। ପ୍ରାୟ ୧୮ରୁ ୨୦ ପ୍ରକାର ମାଛରୁ ଶୁଖୁଆ ପ୍ରସ୍ତୁତ କରୁଥିବା କଥା ସଦସ୍ୟା ମିନତୀ ବେହେରା କହିଛନ୍ତି। ଖଏଙ୍ଗା, ଡେମା, ପଥରମୁଣ୍ଡି, ଖାସୁଲି, ବୋରେଇ, କୋକଲ, ଫାସି, ଚାନ୍ଦି, ପାଣିଆଖିଆ, ଚଟେଇ ଓ ଚିଙ୍ଗୁଡି ପ୍ରଭୁତି ଶୁଖୁଆ ପ୍ରସ୍ତୁତ ହୁଏ। ଖଏଙ୍ଗା ଶୁଖୁଆ ସର୍ବଧିକ ୫ଶହରୁ ୬ଶହ ଟଙ୍କାରେ କିଲୋପ୍ରତି ବିକ୍ରି ହୋଇଥାଏ। ବିଭିନ୍ନ ଆକାରର ଚିଙ୍ଗୁଡି ଶୁଖୁଆ କିଲୋ ପ୍ରତି ୩ ଶହରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ଆଗକୁ ଏହି ବ୍ୟବସାୟକୁ ଆହୁରି ବଡ ଆକାରରେ କରିବାକୁ ଯୋଜନା ଥିବା ନେଇ ଗ୍ରୁପର ମହିଳା ସଦସ୍ୟମାନେ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର