ଗତବର୍ଷ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ୍ ଯୁଦ୍ଧ କେବେ ସରିବ ଏହା ସମଗ୍ର ବିଶ୍ୱବାସୀ ଓ ବିଶେଷକରି କୂଟନୀତିଜ୍ଞ ଓ ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ ପାଇଁ ଏକ ଜଟିଳ ପ୍ରଶ୍ନ ହେବାରେ ଲାଗିଛି। ଗୋଟିଏ ପଟେ ବିଶ୍ୱର ଏକ ମହାଶକ୍ତି ରୁଷିଆ ଓ ଅନ୍ୟପଟେ ଏକ କ୍ଷୁଦ୍ର ରାଜ୍ୟ ୟୁକ୍ରେନ୍। ରୁଷିଆର କ୍ଷେପଣାସ୍ତ୍ର ତଥା ଟ୍ୟାଙ୍କ ଆଦି ଗୋଳାବାରୁଦ ପ୍ରକ୍ଷେପଣ ସହ ଯୁଦ୍ଧ ଚାଳନାରେ ୟୁକ୍ରେନ୍ର ରାଜଧାନୀ କିଏଭ୍ ସମେତ ଆଉ କୌଣସି ମୁଖ୍ୟ ସହର ବା ଅଞ୍ଚଳ ନାହିଁ, ଯାହା ଧ୍ୱସ୍ତବିଧ୍ୱସ୍ତ ହୋଇନାହିଁ। ସେପଟେ ୟୁକ୍ରେନ୍ ଦ୍ୱାରା ରୁଷିଆର କେତେ କ’ଣ କ୍ଷତି ଘଟୁଛି ତା’ର ବିବରଣୀ ଅତ୍ୟନ୍ତ ନଗଣ୍ୟ। ଏବେ ନିକଟରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼ ଫଳରେ ୟୁକ୍ରେନ୍ର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଏକ ବୃହତ୍ ନଦୀବନ୍ଧ(ଡ୍ୟାମ୍) ଭାଙ୍ଗି ଯାଇ ବିସ୍ତୀର୍ଣ୍ଣ ଚାଷ ଭୂଇଁ, ସହର ଆଦି ଜଳ ପ୍ଲାବିତ ହୋଇଯାଇଛି। ଏଥିରେ ରୁଷିଆର ସଶସ୍ତ୍ର ସ୍ଥଳବାହିନୀର ବିସ୍ତୃତ କ୍ଷୟକ୍ଷତି ହେବାର ରିପୋର୍ଟ ମିଳିଛି। ଏହି ଡ୍ୟାମ୍ ଭୁଶୁଡ଼ିବା ଫଳରେ ୟୁକ୍ରେନ୍ର ବହୁ ପରିଚିତ ଗହମ ଚାଷ କ୍ଷେତ ବହୁତ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହାଫଳରେ ୟୁକ୍ରେନ୍ରୁ ବିପୁଳ ପରିମାଣରେ ରପ୍ତାନି ହେଉଥିବା ଗହମ ଉପଲବ୍ଧ ହେବ ନାହିଁ। ଏହାଦ୍ୱାରା ପୃଥିବୀର ଅନେକ ଦେଶରେ ଖାଦ୍ୟ ସଙ୍କଟ ଦେଖାଯିବ ଏବଂ ଖାଦ୍ୟ ଶସ୍ୟର ଦରଦାମ ବହୁତ ବଢ଼଼ିଯିବାର ଆଶଙ୍କା ରହିଛି।
ରୁଷିଆର ବିଶାଳ ସାମରିକ ଶକ୍ତିର ପ୍ରୟୋଗ ୟୁକ୍ରେନ୍ ଭଳି ଛୋଟିଆ ପଡ଼ୋଶୀ ଦେଶ ଉପରେ କାହିଁକି? ଏହାଛଡ଼ା ଏହି ଯୁଦ୍ଧର ସନ୍ଦିଗ୍ଧ ପୃଷ୍ଠଭୂମି କେବଳ ଯେ ଉତ୍ତର-ପୂର୍ବ ୟୁକ୍ରେନ୍ରେ ଥିବା ମୂଳ ରୁଷିଆ ଜନସଂଖ୍ୟାବହୁଳ ପ୍ରଦେଶକୁ କବ୍ଜା କରିବା, ତାହା ଏ ସୁଦୀର୍ଘ ଯୁଦ୍ଧର କାରଣ ପାଇଁ ପର୍ଯ୍ୟାପ୍ତ ନୁହେଁ। ବିଭିନ୍ନ ପଶ୍ଚିମ ରାଷ୍ଟ୍ରର କୂଟନୈତିକ ମହଲର ସମୀକ୍ଷା ଯେ ରୁଷର ସର୍ବେସର୍ବା ନେତା ପୁତିନ୍ଙ୍କ ମହତ୍ତ୍ୱାକାଂକ୍ଷୀ ବିଶ୍ୱନେତୃତ୍ୱର ଅଭିଳାଷ ଏହାର କାରଣ ହୋଇପାରେ। ନରୱେ, ସ୍ୱିଡେନ୍ ଓ ୟୁକ୍ରେନ୍ ଆଦି ରୁଷର ପଡ଼ୋଶୀ ଦେଶ ନାଟୋ ସାମରିକ ମେଣ୍ଟରେ ମିଶିବାର ଭୟ ମଧ୍ୟ ପୁତିନ୍ଙ୍କୁ ଏଭଳି ଦୀର୍ଘକାଳୀନ ଯୁଦ୍ଧ ପାଇଁ ପ୍ରେରିତ କରୁଛି।
ଯେପର୍ଯ୍ୟନ୍ତ ଏହି ଯୁଦ୍ଧ ନାଟୋ ମେଣ୍ଟଶକ୍ତି ଓ ରୁଷିଆ ମଧ୍ୟରେ ଏକ ଅପ୍ରତ୍ୟକ୍ଷ ସଂଘର୍ଷ ହୋଇ ପାରମ୍ପରିକ ଯୁଦ୍ଧାସ୍ତ୍ର ପ୍ରୟୋଗରେ ସୀମିତ ରହିବ ସେ ପର୍ଯ୍ୟନ୍ତ ବିଶ୍ୱବାସୀ ହୁଏତ ଅତ୍ୟନ୍ତ ଆତଙ୍କିତ ହେବେ ନାହିଁ। କିନ୍ତୁ ଗତବର୍ଷ ମଧ୍ୟଭାଗରୁ ରୁଷ ଦ୍ୱାରା ଆଣବିକ ଅସ୍ତ୍ରଶସ୍ତ୍ରର ସମ୍ଭାବ୍ୟ ପ୍ରୟୋଗ ଘେନି କଳ୍ପନାଜଳ୍ପନା ପ୍ରକାଶ ପାଉଛି। ନିଜେ ପୁତିନ୍ ଏଭଳି ଆଣବିକ ଅସ୍ତ୍ର ପ୍ରୟୋଗ ସମ୍ଭାବନାର ସଂକେତ ଦେଇ ଆସିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପଶ୍ଚିମ୍ ୟୁକ୍ରେନ୍ ଓ ବେଲାରୁଷ ନିକଟରେ ରୁଷ ସେନା ଆଣବିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହେଉଥିବା ବେଳେ ଗତ କିଛିଦିନ ଧରି ରୁଷ ଏକ୍ସ ୫୫ ପରି ଅତ୍ୟାଧୁନିକ ଓ ଆଣବିକ ଅସ୍ତ୍ର ବହନ କରିପାରୁଥିବା କ୍ଷେପଣାସ୍ତ୍ର ଦ୍ୱାରା ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି। ଏଥିରୁ ପ୍ରମାଣିତ ହେଉଛି ଯେ ରୁଷ ନିଶ୍ଚୟ ଏଭଳି ଅତ୍ୟାଧୁନିକ କ୍ଷେପଣାସ୍ତ୍ରରେ କ୍ଷୁଦ୍ର ଅଣୁଅସ୍ତ୍ର ପ୍ରୟୋଗର ପୂର୍ବାଭ୍ୟାସ କରୁଥିବ। ଏ ସମ୍ପର୍କରେ ଆମେରିକା ଓ ନାଟୋର ସାମରିକ ବିଶେଷଜ୍ଞମାନେ ଚିନ୍ତିତ ଥିବା ମନେ ହୁଏ। କାରଣ ରୁଷିଆ ପାଖରେ ବିରାଟ ବିଧ୍ୱଂସକାରୀ ପ୍ରାୟ ସାଢ଼େ ଚାରି ହଜାର ପରମାଣୁ ଅସ୍ତ୍ର ଗଚ୍ଛିତ ରହିଛି। ଏଥିରେ ଉଭୟ ଦୀର୍ଘତମ ଦୂରତ୍ୱ ଓ ମଧ୍ୟବର୍ତ୍ତୀ ଦୂରତ୍ୱ କ୍ଷେପଣାସ୍ତ୍ର ମାଧ୍ୟମରେ ଉପଯୋଗ କରାଯାଇପାରୁଥିବା ଅଣୁଅସ୍ତ୍ର ଅନ୍ତର୍ଭୁକ୍ତ।
ଏ ପର୍ଯ୍ୟନ୍ତ ଉଭୟ ପ୍ରତିପକ୍ଷର ରଣନୀତିକୁ ଲକ୍ଷ୍ୟ କଲେ ଯାହା ଜଣାପଡ଼ୁଛି, ରୁଷିଆ ପାଇଁ ଷୋହଳ ମାସର ଯୁଦ୍ଧ ପରେ ମଧ୍ୟ ୟୁକ୍ରେନ୍ ସମ୍ପୂର୍ଣ୍ଣ ହାର ନ ମାନିବା ଏକ ବିରାଟ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି। ଏପରିକି ଏହା ପୁତିନ୍ଙ୍କ କ୍ଷମତାରେ ରହିବା ପ୍ରତି ମଧ୍ୟ ବିପଦ ଆଣିଛି ବୋଲି କେତେକ ସୂତ୍ରରୁ ପ୍ରକାଶ। ସେପଟେ ଆମେରିକା ଓ ନାଟୋ ଶକ୍ତିମାନଙ୍କର ଏହି ଯୁଦ୍ଧକୁ ପାରମ୍ପରିକ ଯୁଦ୍ଧରେ ସୀମିତ ରଖିବାର ଚେଷ୍ଟା ଚାଲିଛି। ଏଥିପାଇଁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଉଭୟ ସ୍ଥଳ ଓ ଆକାଶ ବାହିନୀ ପାଇଁ ନାଟୋ ପକ୍ଷରୁ ଯୋଗାଇ ଦିଆଯାଉଛି। କିନ୍ତୁ ଯଦି ରୁଷିଆ ଆଣବିକ ଅସ୍ତ୍ର ପ୍ରୟୋଗ କରେ ଏହା ସମଗ୍ର ବିଶ୍ୱ ପାଇଁ ଜୀବନମରଣର ସମସ୍ୟା ରୂପେ ଉଭା ହେବ। କେବଳ ନାଟୋ ଦେଶ ନୁହେଁ, ସମଗ୍ର ବିଶ୍ୱର ଯେତେସବୁ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ର ଅଛନ୍ତି ସମସ୍ତେ ଏହି ସର୍ବବିନାଶକାରୀ ଯୁଦ୍ଧରେ ଅଗତ୍ୟା ଝାସ ଦେବେ। ଆଣବିକ ଅସ୍ତ୍ରର ଏକ ବିଶ୍ୱଯୁଦ୍ଧର ପରିଣତି କ’ଣ ହେବ ତାହା ବର୍ଣ୍ଣନା କରିବା ଆବଶ୍ୟକ ନୁହେଁ। ଏକ ସାମରିକ ଆକଳନ ରିପୋର୍ଟ ଅନୁସାରେ ଆଣବିକ ଅସ୍ତ୍ର ପ୍ରୟୋଗ ଦ୍ୱାରା ବିଶ୍ୱଯୁଦ୍ଧ ପରେ କେବଳ ଦୁଇ ତିନୋଟି ଦେଶରେ ଜନସମାଜ ବଞ୍ଚି ରହିବାର କ୍ଷୀଣ ଆଶା ରହିପାରିବ। ସେଗୁଡ଼ିକ ହେଲେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ତାରି ଆଖପାଖ କେତୋଟି ଦ୍ୱୀପ। ଆଣବିକ ବିଶ୍ୱଯୁଦ୍ଧ ପରେ ପୃଥିବୀର ସମ୍ପୂର୍ଣ୍ଣ ଆକାଶ ଦୀର୍ଘବର୍ଷ ଧରି ଧୂମାଛନ୍ନ ରହି ଘୋର ଶୀତ ଓ ତୁଷାରପାତର ନିଶ୍ଚିତ ଆଶଙ୍କା ଥିବାରୁ ଏବଂ ଅଷ୍ଟ୍ରେଲିଆ ପାଖାପାଖି ଅଞ୍ଚଳରେ କିଛିଟା ସୂର୍ଯ୍ୟାଲୋକ ପଡ଼ିବାର ସମ୍ଭାବନା ଥିବାରୁ ୁଏଭଳି ବିପର୍ଯ୍ୟୟ ସମୟରେ ସେହି ଅଞ୍ଚଳରେ ହିଁ ମାନବ ସମାଜ ବଞ୍ଚି ରହିପାରେ।
ଯାହା ଜଣାପଡ଼ୁଛି ବିପୁଳ ସୈନ୍ୟ ବଳ ଓ ଅସ୍ତ୍ରଶସ୍ତ୍ର ଅପଚୟ କରିଥିôବା ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁତିନ୍ ଏହି ଯୁଦ୍ଧକୁ ଏବେ ଏକ ନିର୍ଣ୍ଣାୟକ ମୋଡ଼ ଦେବାର ଯୋଜନାରେ ଅଛନ୍ତି। ଯଦିବା ବିଶ୍ୱର ଅଗ୍ରଣୀ କୂଟନୀତିଜ୍ଞ ଓ ସାମରିକ ବିଶେଷଜ୍ଞମାନେ ଏବେ ବି ଦମ୍ଭୋକ୍ତି ପ୍ରକାଶ କରି କହୁଛନ୍ତି ଯେ ମହାବିନାଶକାରୀ ପରିଣତି ଜଣାଥିବାରୁ ଆଣବିକ ଶକ୍ତିର ବିଶ୍ୱଯୁଦ୍ଧ ହେବାର ସମ୍ଭାବନା ଆଦୌ ନାହିଁ। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ରୁଷିଆ ଭଳି ବିଶାଳ ଦେଶର ଜନସାଧାରଣଙ୍କର ମତାମତ ୟୁକ୍ରେନ୍ ଯୁଦ୍ଧ ବିଷୟରେ ତିଳେ ହେଲେ ପ୍ରଭାବ ରଖେ ନାହିଁ। ତେଣୁ ସେ ଦେଶର ତୁଙ୍ଗ ଏକଛତ୍ରବାଦୀ ନେତା ନିଜର ମର୍ଯ୍ୟାଦା ବା ଭାବମୂର୍ତ୍ତି ରକ୍ଷା ପାଇଁ ବିଶ୍ୱକୁ ଆଣବିକ ବିନାଶ ଆଡ଼କୁ ଯେ ପେଲି ଦେବେ ନାହିଁ ଏଥିରେ ବିଶ୍ୱାସ କ’ଣ? ଆମେରିକା ଓ ଅନ୍ୟାନ୍ୟ ପଶ୍ଚିମ ଦେଶ ତଥା ଭାରତ, ଜାପାନ୍ ଓ ଚୀନ୍ ଭଳି ଏସୀୟ ରାଷ୍ଟ୍ର ସମସ୍ତେ ମିଶି ରୁଷିଆକୁ ଏହି ଯୁଦ୍ଧରୁ ନିବୃତ କରିବା ବର୍ତ୍ତମାନ ଏକ ପ୍ରଧାନ ଲକ୍ଷ୍ୟ ହେବା ଉଚିତ। ଜି-୨୦ ଓ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥା ମାଧ୍ୟମରେ ଭାରତ ତା’ର କୂଟନୈତିକ ପ୍ରଭାବ ପକାଇ ରୁଷିଆକୁ ଏଥିପାଇଁ ପ୍ରବର୍ତ୍ତାଇବାକୁ ସତତ ଚେଷ୍ଟା କରି ଆସିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ବିଶ୍ୱରେ ଶାନ୍ତି ସ୍ଥାପନ ଓ ଯୁଦ୍ଧ ନିରାକରଣ ପାଇଁ ଯେଉଁ ପରମ୍ପରା ଚଳି ଆସିଛି ତାହା ସାମୟିକ ଦୁର୍ବଳ ଜଣାପଡ଼ୁଥିଲେ ମଧ୍ୟ ଏହା ଏକ ମହାବିନାଶକାରୀ ଆଣବିକ ଯୁଦ୍ଧକୁ ଏଡ଼ାଇ ପାରିବ ବୋଲି ଆମେ ଆଶା କରିବା।