ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ ପ୍ରସଙ୍ଗ: ପୁରୁଣା ଆଇନ ଆଧାରରେ ବିଚାର କର: ହାଇକୋର୍ଟ

କଟକ: ପଦସ୍ଥ ଅଧିକାରୀଙ୍କ ବିଳମ୍ବ ଓ ତ୍ରୁଟି ପାଇଁ ସାଧାରଣ ଲୋକ ଦଣ୍ଡ ଭୋଗିବା ଅନୁଚିତ। ଓଡ଼ିଶା ହାଇକୋର୍ଟ ଏହା କହିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ପୁରୁଣା ଅନୁକମ୍ପାମୂଳକ ନିଯୁକ୍ତି ଆଇନ ଆଧାରରେ ଚାକିରିରୁ ବଞ୍ଚିତ ଆବେଦନକାରୀଙ୍କ ସମସ୍ୟାର ଆସନ୍ତା ୪ ସପ୍ତାହ ମଧ୍ୟରେ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରବୀନ୍ଦ୍ର କୁମାର ମହାନ୍ତିଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ ଏମ.ଏସ.ରମଣ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ […]

କଟକ: ପଦସ୍ଥ ଅଧିକାରୀଙ୍କ ବିଳମ୍ବ ଓ ତ୍ରୁଟି ପାଇଁ ସାଧାରଣ ଲୋକ ଦଣ୍ଡ ଭୋଗିବା ଅନୁଚିତ। ଓଡ଼ିଶା ହାଇକୋର୍ଟ ଏହା କହିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ପୁରୁଣା ଅନୁକମ୍ପାମୂଳକ ନିଯୁକ୍ତି ଆଇନ ଆଧାରରେ ଚାକିରିରୁ ବଞ୍ଚିତ ଆବେଦନକାରୀଙ୍କ ସମସ୍ୟାର ଆସନ୍ତା ୪ ସପ୍ତାହ ମଧ୍ୟରେ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରବୀନ୍ଦ୍ର କୁମାର ମହାନ୍ତିଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି ଜଷ୍ଟିସ ଏମ.ଏସ.ରମଣ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ ୨୦୨୦ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‌‌ର ଧାରା ୬(୯)କୁ ପୂର୍ବରୁ ଅଦାଲତ ଏଭଳି କ୍ଷେତ୍ରରେ ବେଆଇନ ବୋଲି ଦର୍ଶାଇଥିବା ପରିପ୍ରେକ୍ଷୀରେ ୧୯୯୦ର ପୁରୁଣା ଆଇନ୍‌‌ ଆଧାରରେ ଆବେଦନକାରୀଙ୍କ କଥା ବିଚାର କରାଯିବା ଉଚିତ।

ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକରେ ଚତୁର୍ଥ ଶ୍ରେଣୀ ପଦବୀରେ କାମ କରୁଥିବା ବେଳେ ୨୦୧୬ରେ ନେତ୍ର ଉତ୍ସବ ମହାନ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ତାଙ୍କ ପୁଅ ରବୀନ୍ଦ୍ର କୁମାର ମହାନ୍ତି ପରିବାରର ଅନ୍ୟ ସଦସ୍ୟମାନଙ୍କ ସହମତି ଭିତ୍ତିରେ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିଥିଲେ। ପ୍ରଶାସନର ତ୍ରୁଟିରୁ ୨୦୧୮ ଏପ୍ରିଲ ମାସରେ ବସିଥିବା ଜିଲ୍ଲାସ୍ତରୀୟ କମିଟି ନିକଟକୁ ଏହି ଆବେଦନ ବିଚାର ପାଇଁ ଆସିପାରିନଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ୧୯୯୦ର ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‌‌ ବଦଳରେ ୨୦୨୦ରେ ଅନ୍ୟ ଏକ ନୂଆ ଆଇନ ଆଣିଥିଲେ। ୨୦୨୩ ଏପ୍ରିଲରେ ଜିଲ୍ଲା ପ୍ରଶାସନ ଅନୁକମ୍ପାମୂଳକ ଆବେଦନଟିକୁ ୨୦୨୦ର ନୂଆ ଆଇନ୍‌‌ ଆଧାରରେ ଖାରଜ କରିଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆବେଦନକାରୀ ପୁଣିଥରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଅନ୍ୟତମ ଓକିଲ ପ୍ରହଲାଦ କୁମାର ସିଂହ ଓ ଅମିୟ କୁମାର ଛାଟୋଇ ମାମଲା ପରିଚାଳନା କରି ଆଇନର ତର୍ଜମା ସହ ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଅନେକ ମାମଲାର ନଜିର ଉପସ୍ଥାପନ କରିଥିଲେ।

About The Author: The Sakala