ଆଇପିଏଲ କ୍ୱାଲିଫାୟର-୧ : ଧୋନୀଙ୍କ ଚେନ୍ନାଇ ବିପକ୍ଷରେ ଟସ୍‌ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି

ଚେନ୍ନାଇ : ସ୍ଥାନୀୟ ଏମ୍‌‌ଏ ଚିଦାମ୍ବରମ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍‌‌ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି ଆଇପିଏଲ ୨୦୨୩ର କ୍ୱାଲିଫାୟର-୧ ମ୍ୟାଚ୍‌ । ଏହି ମ୍ୟାଚରେ ଟସ୍‌ ଜିତି ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍‌‌ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଆଜିର ମ୍ୟାଚରେ ଯେଉଁ ଦଳ ବିଜୟ ହାସଲ କରିବ ସେ ସିଧାସଳଖ ଆଇପିଏଲ ଫାଇନାଲରେ ପ୍ରବେଶ କରିବ। ପରାଜିତ ଦଳ ପ୍ଲେ […]

ଚେନ୍ନାଇ : ସ୍ଥାନୀୟ ଏମ୍‌‌ଏ ଚିଦାମ୍ବରମ ଷ୍ଟାଡିୟମରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍‌‌ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି ଆଇପିଏଲ ୨୦୨୩ର କ୍ୱାଲିଫାୟର-୧ ମ୍ୟାଚ୍‌ । ଏହି ମ୍ୟାଚରେ ଟସ୍‌ ଜିତି ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗ୍‌‌ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଆଜିର ମ୍ୟାଚରେ ଯେଉଁ ଦଳ ବିଜୟ ହାସଲ କରିବ ସେ ସିଧାସଳଖ ଆଇପିଏଲ ଫାଇନାଲରେ ପ୍ରବେଶ କରିବ। ପରାଜିତ ଦଳ ପ୍ଲେ ଅଫ୍‌-୨ରେ ଖେଳିବ।


୧୪ ମ୍ୟାଚ୍‌ରୁ ଗୁଜରାଟ ୨୦ ପଏଣ୍ଟ ଏବଂ ଚେନ୍ନାଇ ୧୭ ପଏଣ୍ଟ ସହ ‌ପ୍ରଥମ ଦୁଇ ଦଳ ଭାବେ ପ୍ଲେ ଅଫ୍‌ରେ ପହଞ୍ଚିଥିଲେ।ଗୁଜରାଟ ୧୪ଟି ମ୍ୟାଚ୍‌‌ ଖେଳି ୧୦ ବିଜୟ ଓ ୪ ପରାଜୟ ସହ ୨୦ ପଏଣ୍ଟ ପାଇ ଶୀର୍ଷରେ ରହିଥିଲା। ସେହିପରି ଚେନ୍ନାଇ ୧୪ ମ୍ୟାଚ୍‌‌ ଖେଳି ୮ ବିଜୟ, ୫ ପରାଜୟ ସହ ୧୭ ପଏଣ୍ଟ ପାଇ ଉନ୍ନତ ନେଟ୍‌‌ ରନରେଟ୍‌‌ରେ ଲକ୍ଷ୍ନୌ ସୁପରଜାଏଣ୍ଟସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଥିଲା। ୪୧ ବର୍ଷୀୟ ମହେନ୍ଦ୍ର ସିଂହ ଧୋନୀଙ୍କ ଏହା ସମ୍ଭବତଃ ଶେ‌ଷ ଆଇପିଏଲ୍‌ ହୋଇଥିବାରୁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉ ଥିବା ଏହି କ୍ବାଲିଫାୟାର-୧ରେ ଘରୋଇ ଦର୍ଶକ ନିଜର ପ୍ରିୟ ଅଧିନାୟକଙ୍କୁ ବିଦାୟ ଦେବାକୁ ବହୁସଂଖ୍ୟାରେ ଉପସ୍ଥିତ ରହିଛନ୍ତି।


ପ୍ଲେ- ଅଫ୍‌‌ରେ ଉଭୟ ଦଳର ରେକର୍ଡ ଭଲ
ପ୍ଲେ ଅଫ୍‌‌ରେ ଗୁଜରାଟର ଶତ ପ୍ରତିଶତ ବିଜୟ ରେକର୍ଡ ରହିଛି। ଗତ ୨୦୨୨ରେ ଗୁଜରାଟ ପଦାର୍ପଣ କରିଥିଲା। ଗତ ବର୍ଷ ପ୍ଲେ ଅଫ୍‌‌ରେ ୨ଟି ମ୍ୟାଚ୍‌‌ ଖେଳି ଗୁଜରାଟ ଦୁଇଟିରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରି ଶେଷରେ ଚାମ୍ପିଅନ ବିବେଚିତ ହୋଇଥିଲା। ଚେପକ୍‌‌ ଷ୍ଟାଡିୟମରେ ଗୁଜରାଟ କୌଣସି ମ୍ୟାଚ୍‌‌ ଖେଳିନାହିଁ। କିନ୍ତୁ ଲିଗ ପର୍ଯ୍ୟାୟରେ ଉଭୟ ଦଳ ମଧ୍ୟରେ ୩ଥର ମୁକାବିଲା ହୋଇଛି। ଏ ସମସ୍ତ ମୁକାବିଲାରେ ଗୁଜରାଟ ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାଇକୁ ପରାସ୍ତ କରିଛି। ଏଠାରେ ଦୁଇ ପୂର୍ବ ଚାମ୍ପିଅନ ଦଳ ପରସ୍ପରକୁ ପ୍ରଥମଥର ପାଇଁ ଭେଟିବେ। ଅନ୍ୟପଟେ ଚେନ୍ନାଇ କେବଳ ଦୁଇଥର ୨୦୨୦ ଓ ୨୦୨୨ରେ ପ୍ଲେ- ଅଫ୍‌‌ରେ ପ୍ରବେଶ କରିପାରି ନଥିଲା। ଏହି ଦୁଇଟି ସଂସ୍କରଣରେ ଚେନ୍ନାଇ ସେକେଣ୍ଡ ଲାଷ୍ଟ ସ୍ଥାନରେ ରହିଥିଲା। ପ୍ଲେ ଅଫ୍‌‌ରେ ଚେନ୍ନାଇ ମୋଟ୍‌‌ ଉପରେ ୨୪ଟି ମ୍ୟାଚ୍‌‌ ଖେଳି ୧୫ଟିରେ ବିଜୟୀ ହୋଇଥିବା ବେଳେ ୯ଟିରେ ପରାଜୟ ବରଣ କରିଛି। ଅର୍ଥାତ ଚେନ୍ନାଇ ପ୍ଲେ ଅଫ୍‌‌ରେ ୬୨.୫ ପ୍ରତିଶତ ମ୍ୟାଚ୍‌‌ ଜିତିଛି। ଏହି ଦଳ ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ ଚାମ୍ପିଅନ ହୋଇଥିଲା। ସେହିପରି ୨୦୦୮, ୨୦୧୨, ୨୦୧୩ ଓ ୨୦୧୫ରେ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ ହୋଇଥିଲା। ୨୦୧୧ରେ ପ୍ରଥମଥର ପାଇଁ ପ୍ଲେ- ଅଫ୍‌‌ ପ୍ରଣାଳୀ ଲାଗୁ ହୋଇଥିଲା।


ଗିଲ୍‌‌, ଋତୁରାଜଙ୍କ ଉପରେ ନଜର
ଲିଗ୍‌‌ ପର୍ଯ୍ୟାୟରେ ଦମ୍‌‌ଦାର ପ୍ରଦର୍ଶନ କରି ଉଭୟ ଦଳ ଏହି ନିର୍ଣ୍ଣାୟକ ମ୍ୟାଚ୍‌‌ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ସୂଚନା ଦେଇଛନ୍ତି। ଉଭୟ ଦଳରେ ଦକ୍ଷ ଓ ପ୍ରତିଭାସମ୍ପର୍ଣ୍ଣ ଖେଳାଳିମାନେ ରହିଛନ୍ତି। ଘରୋଇ ପରିବେଶରୁ ଦର୍ଶକଙ୍କ ସମର୍ଥନ ପାଇ ଚେନ୍ନାଇ ନିଶ୍ଚିତ ଭାବେ ଫାଇଦାରେ ରହିବ। ଧୋନିଙ୍କ ବିଚକ୍ଷଣ ନେତୃତ୍ୱ ଓ ପାଣ୍ଡ୍ୟାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିବ। ଗୁଜରାଟ ଯୁବ ଓପନର ଶୁବମାନ ଗିଲ୍‌‌ ଜବରଦସ୍ତ ଫର୍ମରେ ରହିଥିବାରୁ ଧୋନି ନିଶ୍ଚିତଭାବେ ଚିନ୍ତିତ ଥିବେ। ତେଣୁ ଗିଲଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଚେନ୍ନାଇ ପାଇଁ ଅଧିନାୟକ ଧୋନିଙ୍କ ସମେତ ଡେଭନ କନୱେ, ଋତୁରାଜ ଗାଏକ୍ୱାଡ ଓ ଶିବମ ଦୁବେଙ୍କ ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ବୋଲିଂରେ ମାଥିସା ପତିରାଣା ଓ ତୁଷାର ଦେଶପାଣ୍ଡେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ନିଜ ପ୍ରଦର୍ଶନ ବଳରେ ମ୍ୟାଚ୍‌‌ ନିଜ ସପକ୍ଷରେ ନେଇପାରିବେ। ଅନ୍ୟପଟେ ଗୁଜରାଟ ପାଇଁ ବ୍ୟାଟିଂରେ ଗିଲଙ୍କ ସମେତ ପାଣ୍ଡ୍ୟା ମ୍ୟାଚ୍‌‌ ବିଜୟୀ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ସେହିପରି ବୋଲିଂରେ ମହମ୍ମଦ ସାମି ଓ ରସିଦ ଖାନ ଗୁଜରାଟ ପାଇଁ ପୁଣିଥରେ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ଟସ୍‌‌ ବଜୟୀ ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେବ ଓ ରନ ଚେଜ୍‌‌ କରିବାକୁ ପସନ୍ଦ କରିବ। ମୋଟାମୋଟି ଉପରେ ଏହି ମ୍ୟାଚ୍‌‌ରେ ସଂଘର୍ଷ ଦେଖିବାକୁ ମିଳିବ ଓ କ୍ରିକେଟ ପ୍ରଶଂସକ ମନୋରଞ୍ଜନ ଜବରଦସ୍ତ ଖୋରାକ ପାଇବେ ବୋଲି ଆଶା କରାଯାଉଛି।

About The Author: The Sakala