ଆଜିକାଲି ହାପି(ଖୁସି) ଥାଆନ୍ତୁ ନ ଥାନ୍ତୁ ‘ହାପି’ କହିବାରେ ପ୍ରାବଲ୍ୟତା କାହିଁରେ କ’ଣ। ଏହା ଅବଶ୍ୟ ସତ ଯେ ସଭିଏଁ ଖୁସି ରହିବା ଆଜିର ଦିନରେ ଜରୁରୀ ଏବଂ ହସଖୁସି ରହିବା ବର୍ତ୍ତମାନ ସମୟର ସବୁଠୁ ବଡ଼ ଆବଶ୍ୟକତା। ହସ ଖୁସି ରହିବା ସମୟର ଆହ୍ୱାନ ମଧ୍ୟ। ଯିଏ ଯେତେ ହସଖୁସିରେ ରହିପାରନ୍ତି, ସିଏ ସେତେ ଚାପମୁକ୍ତ ହୁଅନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖାଯାଏ ଅନେକ ଲୋକ ନାନା କାରଣରୁ ଚାପମୁକ୍ତ ନଥା’ନ୍ତି, ଯଦ୍ଦ୍ୱାରା ଚାପ ଭାରରେ ମାନସିକ ବିଷାଦଗ୍ରସ୍ତ ରହନ୍ତି। ତା’ର ସ୍ପଷ୍ଟ ଚିତ୍ର ମୁଖମଣ୍ଡଳରେ ଦୃଶ୍ୟମାନ ହୁଏ। ମୁହଁରେ ମନ ଭାବାବେଗର ପରିପ୍ରକାଶ ଘଟେ। ଯିଏ ଦୁଃସ୍ଥିତି ଭିତରେ ଥାଇ ମଧ୍ୟ ଚାପକୁ ଏଡ଼ାଇ ପାରେ ଏବଂ ଚାପକୁ ଭ୍ରୂକ୍ଷେପ ନ କରି ସଦାସର୍ବଦା ହସଖୁସିରେ ରହିପାରେ ସେ ହିଁ ବାସ୍ତବ ସୁଖୀ। ‘ଡୋଣ୍ଟ ଓରି ବି ହାପି’ ତତ୍ତ୍ୱକୁ ଯିଏ ଯେତେ ଆପଣେଇ ପାରନ୍ତି, ତାଙ୍କ ଜୀବନରେ ଦୁଃଖର ପ୍ରବେଶ କେବେ ନଥାଏ। ଯାହା ଯେତେ ଅଘଟଣ ଆସେ, ସେସବୁରେ ଆଦୌ ବ୍ୟସ୍ତବିବ୍ରତ ନ ହୋଇ ବିଭିନ୍ନ ସମସ୍ୟା /ବିପଦ ରୂପକ ଜୁଆରକୁ ମୁକାବିଲା କରିବାରେ ପ୍ରକାଶ ପାଏ ପୁରୁଷାର୍ଥ ବା ପୁରୁଷପଣିଆ।
ତଥାପି ଦେଖାଯାଏ ହସଖୁସିରେ ଆଦୌ ରହିପାରୁ ନଥିବା ଲୋକ ବି ଏଠି କହେ ଅନ୍ୟ ଉଦ୍ଦେଶ୍ୟରେ ହାପି ସନ୍ଡେ, ହାପି ମନ୍ଡେ, ହାପି ଫ୍ରାଇଡେ ଆଦି। ସେସବୁ କହିବାକୁ ବି ସଙ୍କୋଚବୋଧ କରେନି। କାରଣ ସମସ୍ତଙ୍କ ପାଇଁ ଆଜି ଯେମିତି ହୋଇଯାଇଛି ଏକ ସହଜ ସର୍ବଗ୍ରହଣୀୟ ଶବ୍ଦ ‘ହାପି’। ‘ହାପି ବାର୍ଥ ଡେ ‘, ‘ହାପି ମ୍ୟାରେଜ ଆନିଭରସାରୀ’, ହାପି ଅମୁକ ଡେ, ହାପି ସମୁକ ଡେ ଇତ୍ୟାଦି ଇତ୍ୟାଦି କହିବାର ଓ ସେମ୍ ଟୁ ୟୁ କହିବାର ଏକ ଅଲିଖିତ ଔପଚାରିକତା ଏବେ ସମାଜର ଅଙ୍ଗ ହୋଇଗଲାଣି, ଯାହାକୁ ଏଡ଼ାଇବା ପ୍ରାୟତଃ ସମ୍ଭବ ହେଉନାହିଁ। ତେବେ ‘ହାପି’ କହିବା ଯେମିତି ସହଜ ହୋଇଛି/ହେଉଛି, ‘ହାପି’ ରହିବା ସେତିକି ସହଜ ହେଉନାହିଁ ବା ହେଇପାରୁନାହିଁ। କିଏ ସମସ୍ୟା ଘେରରେ ଘେରାବନ୍ଦୀ ତ କିଏ କେଉଁ ଚାପରେ ଆକ୍ତାମାକ୍ତା। କିଏ ଧନ ନଥାଇ ଦୁଃଖୀ, କିଏ ରୋଗୀ ହୋଇ ଦୁଃଖୀ। କିଏ ସମ୍ପର୍କହାନି ଯୋଗୁଁଁ ଦୁଃଖୀ, ଆଉ କିଏ ଧନ ଥାଇ ଏଠି ଦୁଃଖୀ।
ଦୁଃଖରେ ଏମିତି ବିବିଧତା ଅନେକ। ଦୁଃଖରେ ନିତି ସନ୍ତୁଳି ହୁଏ ଜୀବନ। ଜୀବନରେ ନାହିଁ ଯେମିତି କାହାର ସନ୍ତୁଷ୍ଟି। ମଣିଷର ଦୁଃଖ ଭିତରୁ ଅନେକ ଥାଏ ଅର୍ଜିତ। ଦୁଃଖ ନ ଥାଏ ବିଶେଷ ବହିରାଗତ। ନିଜେ ନିଜ ଦୁଃଖର କାରଣ ସାଜି ନିଜ ଭିତରେ ସୁଖ ହଜାଇ ବାହାରେ ପୁଣି ଖୋଜିବସନ୍ତି ସେଇ ସୁଖକୁ ଅସହାୟ ହୋଇ। ସଭିଏଁ ଚାହିଁଲେ ହାପି ହୋଇପାରିବେ। ଚାପକୁ ଚାପ ମନେ ନ କଲେ, ନିଜ ଚାହିଦା କମ ରଖିଲେ, ସବୁ କଥା-କାମରୁ ଖୁସି ଓ ସୁଖ ସାଉଁଟିଲେ, ସନ୍ତୋଷ ଅନୁଭବ କଲେ ‘ହାପି’ ରହିପାରିବେ। ସବୁ ଥାଇ ‘ନାହିଁ ନାହିଁ‘ ହେଲେ ‘ହାପି’ ହେବେ କେମିତି? ଯାହାର ଯେତିକି ରହିଛି, ସେତିକିରେ ସନ୍ତୋଷ ଭାବ ରହିଲେ ଆପେ ‘ହାପି’ ରହିବେ।
ଆଜିକାଲି ଦେଖାଶିଖାରେ, ଅନେକ କଥା ପ୍ରସଙ୍ଗରେ ସଉକି ପରିଲକ୍ଷିତ ହେଉଛି। ମର୍ଣ୍ଣିଙ୍ଗ ୱାକ, ଇଭିନିଙ୍ଗ ୱାକ ଫେସନ ପାଲଟିଛି। ଚାଲିବା ଛାଡ଼ି କିଛି ଲୋକ ଏବେ ଦୌଡ଼ିଲେଣି। ଏଥିରେ କାମ କରୁଛି ‘ସେ ଯାଉଛି, ମୁଁ ବି ଯିବି’ ମନୋଭାବ। ଫଟା ପିନ୍ଧିବା ଏବର ସଉକି ସାଜିଛି। ପୋଡ଼ା ରନ୍ଧା ଖାଦ୍ୟରେ ଅନେକ ରଖିଲେଣି ରୁଚି। ସମୟ ଥିଲା, ପଖାଳ ଖାଇବା ରୁଚି ଅନେକଙ୍କ ନ ଥିଲା। ଏବେ ହୋଟେଲ, ଢାବାରେ ପଖାଳର ଚାହିଦା ଅଧିକ। ‘ମାଟିହାଣ୍ଡି ମଟନ’ର ସୁଆଦ କିମିଅାଁ କରୁଛି ଅନେକଙ୍କୁ। ଖାଇବା, ପିନ୍ଧିବା, ବୁଲିବା ସବୁକଥାରେ ଆଜିକାଲି ଲୋକଙ୍କ ଅଜବ ଅସମ୍ଭବ ସଉକି। ସଉକିରେ ବି ଲୋକେ ଏଠି ଧର୍ମ କଲେଣି। ସଉକିର ପୂର୍ତ୍ତି ପାଇଁ ବଣଭୋଜିକୁ ଗଲେଣି। ଗାଅାଁଗହଳରୁ ଲୋକେ ଗଲେଣି ପ୍ରୟାଗରାଜ ମହାକୁମ୍ଭମେଳାକୁ। ଗଙ୍ଗାରେ ବୁଡ଼ ପକାଇବାକୁ ଏବଂ ପୁଣ୍ୟ ଧର୍ମ ଅର୍ଜିବାକୁ।
ସେଇ ସଉକିରେ ଓ ଧର୍ମମାର୍ଗ ଧାରା ଧରିଲେଣି ବି ଆଜିକାଲି ଅନେକ। ସବୁଠି ଲୋକଙ୍କ ନାହିଁ ନଥିବା ଗହଳଚହଳ। ସକାଳ ହେଲେ ଗହଳ ଜମେ ସକାଳବୁଲା ରାସ୍ତାରେ ଓ ପାର୍କରେ। ବଜାରରେ ମଲରେ ନିତି ଗହଳି। ସଞ୍ଜ ହେଲେ ପାର୍କରେ ଗହଳି। କେଉଁଠି ଭୋଜି ହେଲେ ସେଠି ଗହଳି। ସବୁଠି ଉପସ୍ଥାନ ପକାଇବାରେ ଲୋକଙ୍କର ବି ରହିଥାଏ ସଉକି। ବିବାହ ଠାରୁ ନିର୍ବନ୍ଧ ପର୍ଯ୍ୟନ୍ତ ଆଗରୁ ଗହଳି ହେଉଥିଲା। ଏବେ ‘ପ୍ରି ୱେଡିଙ୍ଗ’, ‘ମେହେନ୍ଦି’ ପରି ନୂଆ ପ୍ରଥା ଆରମ୍ଭ ହୋଇଛି। ସବୁ ସେଇ ସଉକି ଆଧାରରେ। ସଉକି ଲୋକଙ୍କୁ କରୁଛି ବସଉଠ। ସଉକି ନାଅାଁରେ ଲୋକଙ୍କ ବ୍ୟସ୍ତତା ବ୍ୟଗ୍ରତା ବେଶ ବଢ଼଼ିବାରେ ଲାଗିଛି ଦିନକୁ ଦିନ।
ଧ୍ରୁବ ଚରଣ ଘିବେଲା
ବଉଦରାଜ(ବୌଦ୍ଧ),
ମୋ:୯୪୩୭୪୭୮୪୬୬