ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ରେ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକ ତଥା ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ସହ ଜଡିତ ଥିବା ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି। ଆୟ ତୁଳନାରେ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଯାଞ୍ଚ ପ୍ରକ୍ରିୟା ଚାଲିଛି। ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (Addl SP), ୪ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP), ୧୩ ଜଣ ଇନ୍ସପେକ୍ଟର ଏବଂ ୫ ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି। 

ବର୍ତ୍ତମାନ ଭୁବନେଶ୍ୱର, ସୁନ୍ଦରଗଡ଼ ଏବଂ କଟକର ବିଭିନ୍ନ ସ୍ଥାନରେ ଥିବା ପ୍ରସନ୍ନ କୁମାର ପାତ୍ରଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଖୋଳତାଡ଼ କରାଯାଉଛି। ଯେଉଁ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି, ସେଗୁଡ଼ିକ ହେଲା:
* ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ ଶ୍ରାବଣୀ ରେସିଡେନ୍ସିର ଦ୍ୱିତୀୟ ମହଲାରେ ଥିବା ଫ୍ଲାଟ୍ ନମ୍ବର-୮।
* ଭୁବନେଶ୍ୱରର ମଞ୍ଚନାଥ ଭିଲ୍ଲାର ଫେଜ୍ -୨ରେ ଥିବା ତାଙ୍କର ଦୁଇଟି ଦୁଇମହଲା କୋଠା 
* ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତହସିଲ ଅନ୍ତର୍ଗତ ପୈତୃକ ସମ୍ପତ୍ତିରେ ଥିବା ଏକ ଦ୍ୱିତଳ ବାସଭବନ 
* ସୁନ୍ଦରଗଡ଼ ସ୍ଥିତ ମୃତ୍ତିକା ସଂରକ୍ଷଣ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ।
* ସୁନ୍ଦରଗଡ଼ ଟାଉନରେ ଅଫିସ୍ ସମ୍ମୁଖରେ ଥିବା ତାଙ୍କର ସରକାରୀ ବାସଭବନ।
* କଟକ ଜିଲ୍ଲା ବାଙ୍କୀର ଚର୍ଚ୍ଚିକା ଗ୍ରାମରେ ଥିବା ତାଙ୍କର ଶ୍ୱଶୁର ଘର।

ବର୍ତ୍ତମାନ ସୁଦ୍ଧା ଚଢ଼ାଉ ପ୍ରକ୍ରିୟା ଜାରି ରହିଛି ଏବଂ ସମ୍ପତ୍ତିର ପୁଙ୍ଖାନୁପୁଙ୍ଖ ଆକଳନ କରାଯାଉଛି। ଚଢ଼ାଉ ସରିବା ପରେ କେତେ ପରିମାଣର ନଗଦ ଟଙ୍କା, ସୁନାଗହଣା ଏବଂ ସ୍ଥାବର-ଅସ୍ଥାବର ସମ୍ପତ୍ତି ଠାବ ହୋଇଛି, ସେ ନେଇ ଭିଜିଲାନ୍ସ ପକ୍ଷରୁ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

About The Author: Madhusudan Das