ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ବଲପୁର CADA ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାଡା (CADA) ନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କର ଏକାଧିକ ଠିକଣା ଉପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ଆୟର ଉତ୍ସଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ବିଭାଗର ଏହି ଟିମ୍ରେ ୪ ଜଣ ଡିଏସପି (DSP), ୧୩ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ (ASI) ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।
ସୂଚନା ଅନୁଯାୟୀ, ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ନାୟକଙ୍କ ସମ୍ବଲପୁର ଧନୁପାଲି ସ୍ଥିତ ଭଡ଼ା ଘର, କଟକ ବିଦ୍ୟାଧରପୁରରେ ଥିବା ତିନି ମହଲା କୋଠା ଏବଂ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ମୁଖଲିସରେ ଥିବା ଦୁଇ ମହଲା ବିଶିଷ୍ଟ କୋଠାରେ ଯାଞ୍ଚ କରୁଛନ୍ତି। ଏହା ସହିତ ସମ୍ବଲପୁର ଧନୁପାଲିରେ ଥିବା ତାଙ୍କ ଅଫିସ କକ୍ଷକୁ ମଧ୍ୟ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।
କେବଳ ପଦ୍ମଲୋଚନ ନାୟକ ନୁହଁନ୍ତି, ବରଂ ତାଙ୍କର ସହଯୋଗୀମାନଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। କଟକ ସହରରେ ଥିବା ତାଙ୍କ ସହଯୋଗୀଙ୍କ ଦୁଇଟି ସ୍ଥାନ ଏବଂ ମାଲକାନଗିରି ଜିଲ୍ଲା କାଲିମେଳା ଠାରେ ଥିବା ଅନ୍ୟ ଜଣେ ସହଯୋଗୀଙ୍କ ସମ୍ପତ୍ତି ଉପରେ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଚାଲିଛି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ସମ୍ପତ୍ତିର ପ୍ରକୃତ ଆକଳନ ନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସର ଏହି କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରାଯାଇଛି।