ବନ୍ଧୁକ ଦେଖାଇ ମସଲା ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

କଟକ: ବାଦାମବାଡ଼ି ଥାନା ବିକାଶନଗରର ଏକ ଆପାର୍ଟମେଣ୍ଟରୁ ୫ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଆପାର୍ଟମେଣ୍ଟରେ ରହୁଥିବା ମାଲଗୋଦାମର ଜଣେ ମସଲା ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ଲୁଟ୍‌ କରିଛନ୍ତି। ଗତ ରାତି ପ୍ରାୟ ୮ଟା ୪୫ରେ ବାଇକ୍‌ରେ ପିଛା କରି ଦୁର୍ବତ୍ତମାନେ ଆପାର୍ଟମେଣ୍ଟ୍‌ରେ ପହଞ୍ଚି ଏଭଳି କାଣ୍ଡ ଭିଆଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାଁ ନିରଞ୍ଜନ ଗୋଏଙ୍କା(୬୮)। ତାଙ୍କ ଡ୍ରାଇଭର୍‌କୁ ମଧ୍ୟ ମାଡ଼ ମରାଯାଇଛି। ଉଭୟଙ୍କୁ ଉଦ୍ଧାର କରି ବାଦାମବାଡ଼ି ଥାନା […]

କଟକ: ବାଦାମବାଡ଼ି ଥାନା ବିକାଶନଗରର ଏକ ଆପାର୍ଟମେଣ୍ଟରୁ ୫ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ଆପାର୍ଟମେଣ୍ଟରେ ରହୁଥିବା ମାଲଗୋଦାମର ଜଣେ ମସଲା ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ମାଡ଼ ମାରିବା ସହ ଲୁଟ୍‌ କରିଛନ୍ତି। ଗତ ରାତି ପ୍ରାୟ ୮ଟା ୪୫ରେ ବାଇକ୍‌ରେ ପିଛା କରି ଦୁର୍ବତ୍ତମାନେ ଆପାର୍ଟମେଣ୍ଟ୍‌ରେ ପହଞ୍ଚି ଏଭଳି କାଣ୍ଡ ଭିଆଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାଁ ନିରଞ୍ଜନ ଗୋଏଙ୍କା(୬୮)। ତାଙ୍କ ଡ୍ରାଇଭର୍‌କୁ ମଧ୍ୟ ମାଡ଼ ମରାଯାଇଛି। ଉଭୟଙ୍କୁ ଉଦ୍ଧାର କରି ବାଦାମବାଡ଼ି ଥାନା ପୁଲିସ୍‌ ସିଟି ହସ୍ପିଟାଲ୍‌କୁ ପଠାଇଛି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଛାନଭିନ୍‌ କରିଛି। ସିସିଟିଭି ଫୁଟେଜ୍‌ ଜବତ କରିବା ସହ ଘଟଣାସ୍ଥଳରେ ଥିବା ସିକ୍ୟୁରିଟି ଗାର୍ଡ ଓ ଅନ୍ୟ ୨ଜଣ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିଛି। ଦୁର୍ବୃତ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରିବା ପାଇଁ ଏକ ସ୍ପେଶାଲ୍‌ ଟିମ୍‌ ନିୟୋଜିତ କରାଯାଇଛି।

ପୁଲିସ୍‌ ସୂତ୍ରରୁ ପ୍ରକାଶ, ବିକାଶନଗରର କୌସ୍ତୁଭ୍‌ ଆପାର୍ଟମେଣ୍ଟ୍‌ରେ ମସଲା ବ୍ୟବସାୟୀ ଶ୍ରୀ ଗୋଏଙ୍କା ରୁହନ୍ତି। ପ୍ରତିଦିନ ସେ ମାଲଗୋଦାମରୁ ଦୋକାନ ବନ୍ଦ କରି ରାତି ୯ଟାରୁ ୧୦ଭିତରେ ଘରେ ପହଞ୍ଚିଥାଆନ୍ତି। ତାଙ୍କୁ ତାଙ୍କ ଡ୍ରାଇଭର ଘରକୁ ନେବା ଆଣିବା କରିଥାଏ। କିଛି ଦିନ ହେବ, ନିୟମିତ ଭାବେ ଶ୍ରୀ ଗୋଏଙ୍କାଙ୍କୁ କିଛି ଦୁର୍ବୃତ୍ତ ପିଛା କରୁଥିଲେ। କିନ୍ତୁ ଏଥିପ୍ରତି ସେ ଆଦୌ ଗୁରୁତ୍ୱ ଦେଇନଥିଲେ। ଗତକାଲି ସେ ସନ୍ଧ୍ୟା ୭ଟା ୩୦ ସୁଦ୍ଧା ମସଲା ଗୋଦାମ ଏବଂ ଦୋକାନ ବନ୍ଦ କରି କର୍ମଚାରୀମାନଙ୍କୁ ଯିବା ପାଇଁ କହିଥିଲେ। ବ୍ୟବସାୟର ହିସାବପତ୍ର କରି ମୋଟ୍‌ ୫ଲକ୍ଷ ଟଙ୍କା ନିଜ ବ୍ୟାଗ୍‌ରେ ରଖି ଡ୍ରାଇଭରକୁ ଯିବା ପାଇଁ କହିଥିଲେ। ଡ୍ରାଇଭର୍‌ ତାଙ୍କୁ କାରରେ ଆଣି ଆପାର୍ଟମେଣ୍ଟ୍‌ ସମ୍ମୁଖରେ ପହଞ୍ଚିଥିଲେ। ପରେ ପାର୍କିଂରେ ଡ୍ରାଇଭର୍‌ ଗାଡି ରଖିବା ସମୟରେ ହଠାତ ୨ଟି ବାଇକ୍‌ରେ ୫ଜଣ ଯୁବକ ପହଞ୍ଚି ଶ୍ରୀ ଗୋଏଙ୍କାଙ୍କୁ ଶିଡ଼ି ଘର ନିକଟରେ ଅଟକାଇଥିଲେ। ଏହା ପରେ ସେ ଧରିଥିବା ଏକ କଳାରଙ୍ଗର ବ୍ୟାଗ୍‌କୁ ଛଡ଼ାଇବାକୁ ଉଦ୍ୟମ କଲା ବେଳେ ୩ଜଣ ଦୁର୍ବୃତ୍ତ ତାଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ଏହା ଭିତରେ କାର୍‌ ଡ୍ରାଇଭର୍‌ ପହଞ୍ଚି ଶ୍ରୀ ଗୋଏଙ୍କାଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କଲା ବେଳେ ସେ ତଳେ ପଡ଼ିଯାଇଥିଲେ। ୨ଜଣଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିବା ସହିତ ଶ୍ରୀ ଗୋଏଙ୍କାଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। ଶ୍ରୀ ଗୋଏଙ୍କା ଡରିଯିବା ସହ ତଳେ ପଡ଼ିଯାଇଥିଲେ। ଏହା ଭିତରେ ୫ଲକ୍ଷ ଟଙ୍କା ଲୁଟି ନେଇ ୫ଜଣ ଦୁର୍ବୃତ୍ତ ଫେରାର୍‌ ହୋଇଯାଇଥିଲେ।

ଏହା ଭିତରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ବାଦାମବାଡ଼ି ଥାନା ପୁଲିସକୁ ଖବର ଦେଇଥିଲା। ପୁଲିସ୍‌ ପହଞ୍ଚି ଉଭୟ ଡ୍ରାଇଭର ଓ ମାଲିକଙ୍କୁ ହସ୍ପିଟାଲ୍‌ ପଠାଇବା ସହ ଉକ୍ତ ଆପାର୍ଟମେଣ୍ଟ୍‌ ସିକ୍ୟୁରିଟି ଗାର୍ଡର ବୟାନ୍‌ ରେକର୍ଡ କରିଥିଲା। ବାଦାମବାଡ଼ି ଥାନାଠାରୁ ଅଳ୍ପ ବାଟ ଦୂରରେ ଥିବା ଏହି ଆପର୍ଟମେଣ୍ଟ୍‌ରେ ରାତି ୮ଟାରେ ବ୍ୟବସାୟୀଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଉଛନ୍ତି। ସହରରେ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି।

About The Author: The Sakala