ବର୍ତ୍ତମାନ ଅବସର ଘୋଷଣା ପାଇଁ ଉପଯୁକ୍ତ ସମୟ, କିନ୍ତୁ… ମୋ ପ୍ରଶଂସକଙ୍କ ପାଇଁ ମୁଁ ଆଉ ଏକ ସିଜିନ୍ ଖେଳିବି

ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ୨୦୨୩ ଟାଇଟଲ୍ ଜିତିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଡିଏଲ୍‌ଏସ୍ ମେଥଡରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟକୁ ପାଞ୍ଚ ୱିକେଟରେ ପରାସ୍ତ କରିଥିଲା ଧୋନୀଙ୍କ ଚେନ୍ନାଇ। ତେବେ ଚେନ୍ନାଇର ବିଜୟ ପରେ ଗତ କିଛି ଦିନ ଧରି ଲାଗି ରହିଥିବା ଧୋନୀଙ୍କ ଅବସର ସସପେନ୍ସ ଉପରୁ ମଧ୍ୟ ପରଦା ଉଠିଛି। ଗତକାଲି ଚେନ୍ନାଇ ସୁପରକିଙ୍ଗ୍‌ସ ପଞ୍ଚମ ଥର ପାଇଁ ଆଇପିଏଲ ଚାମ୍ପିୟନ ହେବା ପରେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିବା ଧୋନି ଅବସର […]

ଅହମ୍ମଦାବାଦ: ଚେନ୍ନାଇ ସୁପର କିଙ୍ଗସ୍ ଆଇପିଏଲ୍ ୨୦୨୩ ଟାଇଟଲ୍ ଜିତିଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଡିଏଲ୍‌ଏସ୍ ମେଥଡରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟକୁ ପାଞ୍ଚ ୱିକେଟରେ ପରାସ୍ତ କରିଥିଲା ଧୋନୀଙ୍କ ଚେନ୍ନାଇ। ତେବେ ଚେନ୍ନାଇର ବିଜୟ ପରେ ଗତ କିଛି ଦିନ ଧରି ଲାଗି ରହିଥିବା ଧୋନୀଙ୍କ ଅବସର ସସପେନ୍ସ ଉପରୁ ମଧ୍ୟ ପରଦା ଉଠିଛି। ଗତକାଲି ଚେନ୍ନାଇ ସୁପରକିଙ୍ଗ୍‌ସ ପଞ୍ଚମ ଥର ପାଇଁ ଆଇପିଏଲ ଚାମ୍ପିୟନ ହେବା ପରେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିବା ଧୋନି ଅବସର ନେବେ ନାହିଁ ବୋଲି କହିଛନ୍ତି। ସେ ଆଇପିଏଲର ଆସନ୍ତା ସିଜିନ ଖେଳିବାକୁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି। ଏହା ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଉପହାର ହେବ ବୋଲି ଧୋନି କହିଛନ୍ତି।

ଗତକାଲି ମ୍ୟାଚପରେ ଭାରତୀୟ ଉପସ୍ଥାପକ ହର୍ସ ଭୋଗଲେ ଧୋନୀଙ୍କୁ ଏହା ତାଙ୍କର ଶେଷ ସିଜନ୍ କି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ଧୋନୀ କହିଥିଲେ ପରିସ୍ଥିତିକୁ ଦେଖି ମୋର ଅବସର ଘୋଷଣା କରିବାର ଏହା ହେଉଛି ସର୍ବୋତ୍ତମ ସମୟ । କିନ୍ତୁ ମୋ ପ୍ରଶଂସକଙ୍କ ପାଇଁ ଏହା କଷ୍ଟଦାୟକ। ମୁଁ ବର୍ତ୍ତମାନ ବିଦାୟ ନେଉଛି ବୋଲି କହିବା ମୋ ପାଇଁ ବହୁତ ସହଜ। ଲୋକମାନେ ତାଙ୍କୁ ଯେଉଁ ଭଲ ପାଇବା ଦେଇଛନ୍ତି, ସେଥିପାଇଁ ଧନ୍ୟବାଦ କହିବା ସହଜ। କିନ୍ତୁ ୯ ମାସ ପୁଣି ପରିଶ୍ରମ କରି ଟିମ୍‌କୁ ଫେରିବା ଓ ଅତିକମ୍‌ରେ ଆଇପିଏଲର ଆଉ ଏକ ସିଜିନ ଖେଳିବା ତାଙ୍କ ପାଇଁ ବହୁତ କଷ୍ଟକର। ତଥାପି ସେ ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏହା କରିବାକୁ ପ୍ରସ୍ତୁତ। ଏହା ସେମାନଙ୍କ ପାଇଁ ତାଙ୍କ ତରଫରୁ ଏକ ଉପହାର ହେବ। ସେ ସତରେ ଏଭଳି କରିବାକୁ ଚାହୁଁଛନ୍ତି। କିନ୍ତୁ ଏହା ତାଙ୍କ ଶରୀରର ଫିଟନେସ ଉପରେ ନିର୍ଭର କରେ। ଏହା ଉପରେ ନିଷ୍ପତ୍ତି ନେବା ପାଇଁ ୬/୭ ମାସ ଲାଗିଯିବ ବୋଲି ଧୋନୀ କହିଛନ୍ତି।


ଧୋନୀ କହିଛନ୍ତି  ଶରୀର ଉପରେ ଅନେକ କିଛି ନିର୍ଭର କରେ। ମୋର ନିଷ୍ପତ୍ତି ନେବାକୁ ୬ ରୁ ୭ ମାସ ଅଛି। ଏହା ମୋ ପକ୍ଷରୁ ମୋ ପ୍ରଶଂସକଙ୍କ ପାଇଁ ଉପହାର ପରି ହେବ। ଏହା ମୋ ପାଇଁ ସହଜ ନୁହେଁ, କିନ୍ତୁ ପ୍ରଶଂସକଙ୍କ ପାଇଁ ଏହା ଏକ ଉପହାର। ସେ ଯେପରି ତାଙ୍କର ପ୍ରେମ ଏବଂ ସ୍ନେହ ଦେଖାଇଛନ୍ତି, ମୁଁ ଅନୁଭବ କରୁଛି ଯେ ମୁଁ ତାଙ୍କ ପାଇଁ କିଛି କରିବା ଉଚିତ୍। ମୁଁ ଭାବପ୍ରବଣ କାରଣ ଏହା ମୋର କ୍ୟାରିୟରର ଶେଷ ଅଂଶ। ସବୁକିଛି ଏଠାରୁ ଆରମ୍ଭ ହୋଇଥିଲା। ଯେତେବେଳେ ମୁଁ ଚଳିତ ସିଜିନ୍‌ର ପ୍ରଥମ ମ୍ୟାଚ୍ ରେ ଗ୍ରାଉଣ୍ଡକୁ ଆସିଲି, ସମସ୍ତ ପ୍ରଶଂସକ ମୋ ନାଁ ଧରି ପାଟି କରୁଥିଲେ। ତା’ପରେ ମୋ ଆଖି ପାଣିରେ ଭରିଗଲା ଏବଂ ମୁଁ ସେଠାରେ କିଛି ସମୟ ପାଇଁ ଖୋଲା ସ୍ଥାନରେ ଠିଆ ହେଲି। ମୁଁ ଅନୁଭବ କଲି ଯେ ମୁଁ ଏହାକୁ ଉପଭୋଗ କରିବାକୁ ଚାହୁଁଛି। ଚେନ୍ନାଇରେ ଏହା ସମାନ ଅନୁଭବ ଥିଲା, ଏହା ମୋର ଶେଷ ମ୍ୟାଚ୍ ଥିଲା, କିନ୍ତୁ ମୁଁ ଫେରି ଆସିଲି ସେମାନଙ୍କ ପାଇଁ (ପ୍ରଶଂସକ) ଏବଂ ଖେଳିବାକୁ ଚାହେଁ । ମାଁ ଆଜି ଯାହାବି ହୋଇଛି, ମୋ ପ୍ରଶଂସକଙ୍କ ଭଲ ପାଇବା ଯୋଗୁଁ। ଏଣୁ ସେମାନଙ୍କ ପାଇଁ ମୁଁ ଚେଷ୍ଟା କରିବି ଆଉ ଗୋଟେ ସିଜିନ ଖେଳିବା ପାଇଁ । ମୁଁ ଫେରିବି ଓ ଯେତେ ଦୂର ସମ୍ଭବ ଖେଳିବାକୁ ଚେଷ୍ଟା କରିବି ବୋଲି ଧୋନୀ କହିଛନ୍ତି।

ଆଇପିଏଲରେ ପ୍ରଥମ ଖେଳାଳି ଭାବେ ୨୫୦ ମ୍ୟାଚ ଖେଳିଲେ ଧୋନୀ

ଆଇପିଏଲ ଇତିହାସରେ ଏମଏସ ଧୋନୀ ପ୍ରଥମ ଖେଳାଳି ହେବେ ଯିଏ ଆଇପିଏଲରେ ୨୫୦ଟି ମ୍ୟାଚ ଖେଳିଛନ୍ତି। ଆଇପିଏଲରେ ୨୫୦ଟି ମ୍ୟାଚ୍‌ ଖେଳିବାରେ ସେ ହେଉଛନ୍ତି ଏକମାତ୍ର ଖେଳାଳି। ତା’ମଧ୍ୟରୁ ୨୨୬ଟି ମ୍ୟାଚ୍‌ରେ ସେ ନେତୃତ୍ୱ ନେଇଛନ୍ତି। ଆଉ ଏହା ମଧ୍ୟ ଏକ ରେକର୍ଡ। ଆଇପିଏଲରେ ସର୍ବାଧିକ ମ୍ୟାଚ୍ ଖେଳିବାରେ ଧୋନିଙ୍କ ପଛରେ ରହିଛନ୍ତି ରୋହିତ ଶର୍ମା। ସେ ୨୪୩ଟି ମ୍ୟାଚ୍ ଖେଳିଥିବା ବେଳେ ଦୀନେଶ କାର୍ତ୍ତିକ ୨୪୨, ବିରାଟ କୋହଲି ୨୩୭ ଓ ରବୀନ୍ଦ୍ର ଜାଡ଼େଜା ୨୨୬ଟି ମ୍ୟାଚ୍ ଖେଳିଛନ୍ତି। ଧୋନି ଆଇପିଏଲରେ ଦୁଇଟି ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି। ୨୦୧୬ ଓ ୨୦୧୭ ସିଜିନରେ ସେ ରାଇଜିଂ ପୁନେ ସୁପର ଜାଏଣ୍ଟସ ପକ୍ଷରୁ ଖେଳିଥିବା ବେଳେ ବାକି ସବୁ ସିଜିନ ଚେନ୍ନାଇ ସୁପରକିଙ୍ଗସ ତରଫରୁ ଖେଳିଛନ୍ତି।

ଧୋନୀ ଏପର୍ଯ୍ୟନ୍ତ ୨୫୦ ଆଇପିଏଲ ମ୍ୟାଚ ଖେଳିଥିବା ବେଳେ ୨୧୮ ଇନିଂସରେ ୩୯.୦୯ ହାରରେ ୫ ହଜାର ୮୨ ରନ୍‌ ସଂଗ୍ରହ କରିଛନ୍ତି। ୨୧୮ ଇନିଂସରେ ଧୋନୀଙ୍କ ୨୪ ଅର୍ଦ୍ଧଶତକ ସାମିଲ ରହିଛି। । ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଧୋନୀ ୨୨୦ ମ୍ୟାଚ ଖେଳିଛନ୍ତି। ୧୯୧ ଇନିଂସରେ୨୨ଟି ଅର୍ଦ୍ଧଶତକ ଧୋନୀ ୪୫୦୮ ରନ୍ ସଂଗ୍ରହ କରିଛନ୍ତି। ଯେତେବେଳେ କି, ରାଇଜିଂ ପୁଣେ ସୁପରଜିଆଣ୍ଟସ୍ ପାଇଁ ଧୋନୀ ୨୦୧୬-୧୭ରେ ୩୦ଟି ମ୍ୟାଚ୍ ଖେଳିଛନ୍ତି। ଏହି ଦୁଇ ବର୍ଷରେ ୨୭ ଇନିଂସ ଖେଳି ୫୭୪ ରନ୍‌ ସଂଗ୍ରହ କରିଛନ୍ତି।

ଅଧିନାୟକ ଭାବରେ ଧୋନୀଙ୍କ ରେକର୍ଡ 

ଏମଏସ ଧୋନୀ ଆଇପିଏଲରେ ଅଧିନାୟକ ଭାବରେ ୨୨୬ ଟି ମ୍ୟାଚ ଖେଳିଛନ୍ତି। ଯାହାକି ଆଇପିଏଲ ଇତିହାସରେ କୌଣସି ଖେଳାଳିଙ୍କ ଦ୍ୱାରା ସର୍ବାଧିକ। ଅଧିନାୟକ ଭାବେ ଧୋନୀ ଆଇପିଏଲରେ ୧୩୩ଟି ମ୍ୟାଚ ଜିତିଥିବା ବେଳେ ୯୧ ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଥି ସହିତ ଧୋନୀ ଅଧିନାୟକ ଭାବେ ୫ ଟି ଆଇପିଏଲ ଟାଇଟଲ ଜିତିଛନ୍ତି। ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଦଳ ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧, ୨୦୨୩ ରେ ଚାମ୍ପିୟନ ହେବାରେ ସଫଳ ହୋଇଛି।

About The Author: The Sakala