ପହଲ୍ଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ‘ଅପରେସନ୍ ସିନ୍ଦୂର’ର ପ୍ରତିକ୍ରିୟାରେ ଭାରତ ଉପରେ ପାକିସ୍ତାନର ଆକ୍ରମଣ ଏବଂ ତତ୍ପରବର୍ତ୍ତୀ ଅସ୍ତ୍ରବିରତି ପ୍ରେକ୍ଷାପଟ୍ଟରେ କୂଟନୈତିକ କସରତର ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଏ ସମ୍ପୂର୍ଣ୍ଣ ଘଟଣାରେ ପାକିସ୍ତାନର ଭୂମିକାକୁ ଅନ୍ତତଃ ବିଶ୍ୱବ୍ୟାପୀ ନିନ୍ଦା କରାଯିବାର ଯଥାର୍ଥତା ଥିଲେ ମଧ୍ୟ ଆନ୍ତର୍ଜାତିକସ୍ତରରୁ ଆଶାନୁରୂପ ପ୍ରତିକ୍ରିୟା ପରିଲକ୍ଷିତ ହୋଇନାହିଁ। କିଏ ଏହାକୁ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ପ୍ରସଙ୍ଗ କହି ଏଡ଼ାଇଗଲାଣି ତ ଅନ୍ୟ କିଏ ପୃଷ୍ଠଭୂମିରୁ ନିଜର ସ୍ୱାର୍ଥସାଧନ କରିବାର ସୁଯୋଗ ହାତଛଡ଼ା କରୁନାହିଁ। ଏ କ୍ଷେତ୍ରରେ ସାହାଯ୍ୟ ଓ ସମର୍ଥନ ଦୁଇଟି ଭିନ୍ନ ଦିଗ। ଭାରତ ସାହାଯ୍ୟ ଅପେକ୍ଷା ନିରଙ୍କୁଶ ସମର୍ଥନ ବିଭିନ୍ନ ବନ୍ଧୁ ରାଷ୍ଟ୍ରଙ୍କଠାରୁ ଆଶା କରିବା ସ୍ୱାଭାବିକ।
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରେ ପରିବର୍ତ୍ତିତ ରାଜନୈତିକ ଓ ବାଣିଜ୍ୟିକ ଦୃଶ୍ୟପଟ୍ଟରେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସମସ୍ତେ ନିଜ ନିଜର ସ୍ୱାର୍ଥ ସୁରକ୍ଷିତ ରଖିବାରେ ବ୍ୟସ୍ତ। କୂଟନୈତିକ ସ୍ତରରେ ଯାହା ବି ବିଚାରବିମର୍ଶ ରହିଛି, ତାହା ସବୁ ଆମେରିକା କେନ୍ଦ୍ରିତ। ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତିର ଘନଘଟା ମଧ୍ୟରେ ବିଶ୍ୱର ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚିତ ନୂଆ ସରକାର କ୍ଷମତାସୀନ ହୋଇଥିବାର ଖବର ଗୌଣ ହୋଇଯାଇଛି। ଜର୍ମାନୀ ପରେ କାନାଡ଼ା ନିର୍ବାଚନ ଫଳ ପ୍ରକାଶ ପାଇଛି। କାନାଡ଼ାରେ ଜଷ୍ଟିନ ଟ୍ରୁଡୋଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଖାଲିସ୍ତାନ ଆତଙ୍କବାଦୀଙ୍କ ପ୍ରସଙ୍ଗ ନେଇ ଭାରତ ସହ ଯେଉଁ ବିବାଦ ଉପୁଜିଥିଲା, ତାହା କେବଳ ଦ୍ୱିପାକ୍ଷିକ ନୁହେଁ, କୂଟନୈତିକ ସମ୍ପର୍କକୁ ମଧ୍ୟ କ୍ଷୁଣ୍ଣ କରିଥିଲା। ସେଠାରେ ଲିବରାଲ୍ ପାର୍ଟି ପୁନର୍ବାର କ୍ଷମତାକୁ ଆସିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣେଙ୍କ ସହ ସମ୍ପର୍କର ରଜ୍ଜୁ ସୁଦୃଢ଼ କରିବା ସକାଶେ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦୀଙ୍କ କଥାବର୍ତ୍ତା ବେଶ ଉତ୍ସାହପ୍ରଦ।
ଗତ ଜାନୁଆରୀ ମାସରେ ଟ୍ରୁଡୋ କ୍ଷମତାରୁ ଓହରିଯିବାରୁ ଲିବରାଲ୍ ପାର୍ଟି ପକ୍ଷରୁ ମାର୍କ କାର୍ନେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ହିଁ ଏପ୍ରିଲ ମାସରେ ହୋଇଥିବା ନିର୍ବାଚନ ଲିବରାଲ୍ ପାର୍ଟିକୁ ବହୁମତ ଦେଇ ନ ଥିଲେ ମଧ୍ୟ ପ୍ରତିନିଧି ସଭାର ବୃହତ୍ତମ ଦଳର ନେତା ଭାବେ ସେ ପୁନର୍ବାର ପ୍ରଧନାମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ କି ଲିବେରାଲ ପାର୍ଟି ୨୦୧୫ରୁ କ୍ରମାଗତ ଭାବେ କ୍ଷମତାରେ ରହିଆସିଛି। ପ୍ରତିନିଧି ସଭାର ମୋଟ ୩୪୩ ଆସନ ମଧ୍ୟରୁ କାର୍ନେଙ୍କ ଦଳ ୧୬୯ ଆସନରେ ବିଜୟୀ ହୋଇଛି। ସଂଖ୍ୟାଗରିଷ୍ଠତା ହାସଲ ପାଇଁ ନିଅଣ୍ଟ ପଡୁଥିବା ୩ଟି ଆସନ ସରକାର ପରିଚାଳନାରେ ସେଭଳି ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ। ଟ୍ରୁଡୋଙ୍କ ନେତୃତ୍ୱରେ ଗଠିତ ସରକାର ନୂତନ ଗଣତାନ୍ତ୍ରିକ ଦଳ (ଏନ୍ଡିପି)ର ସମର୍ଥନ ଉପରେ ନିର୍ଭର କରୁଥିବାରୁ ନୀତିଗତ ନିଷ୍ପତ୍ତିରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଗତ ସରକାରରେ ଅଂଶୀଦାରର ଭୂମିକା ନିର୍ବାହ କରୁଥିବା ଏହି ଦଳର ଆସନ ସଂଖ୍ୟା ୨୪ରୁ ଏବେ ୭କୁ ହ୍ରାସ ପାଇଛି। ଏନ୍ଡିପି ନେତା ଜଗପିତ ସିଂହ ମଧ୍ୟ ନିର୍ବାଚନରେ ପରାଜିତ ହୋଇଛନ୍ତି। କାନାଡ଼ା ନାଗରିକତ୍ୱ ହାସଲ କରିଥିବା ଖାଲିସ୍ତାନ ନେତା ହରଦୀପ ସିଂହ ନିଜ୍ଜାରଙ୍କ ହତ୍ୟା ଘଟଣାରେ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଭାରତର ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ଉଲ୍ଲେଖ କରି ଦ୍ୱିପାକ୍ଷିକ ସମ୍ପର୍କକୁ ଅସଜଡ଼ା କରିଦେଇଥିଲେ। ଉଲ୍ଲେଖଯୋଗ୍ୟ କି ଖାଲିସ୍ତାନ ସଂଗଠନକୁ କାନାଡାରୁ ପୃଷ୍ଠପୋଷକତା ମିଳିବା ଏବଂ ସେଠାରେ ଆତଙ୍କବାଦୀଙ୍କୁ ନିରାପଦ ଆଶ୍ରୟ ପ୍ରଦାନ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଭାରତ କ୍ଷୁବ୍ଧ। ଏକଥା ସତ ଯେ ଏବେ ସ୍ଥିତି ବଦଳିଛି। କାନାଡ଼ାରେ ବସବାସ କରୁଥିବା ଶିଖ ସମ୍ପ୍ରଦାୟଙ୍କ ଏନ୍ଡିପିରେ ପ୍ରାଧାନ୍ୟ ଦୃଷ୍ଟିରୁ ଟ୍ରୁଡୋ ସରକାରରେ ସେମାନେ ସୁରକ୍ଷିତ ଥିଲେ।
ମାର୍କ କାର୍ନେ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଓ ବ୍ୟାଙ୍କ ଅଫ୍ କାନାଡ଼ାର ମୁଖ୍ୟ ରୂପେ ଦାୟିତ୍ୱ ତୁଲାଇ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ଜଣେ ଅର୍ଥନୀତି ବିଶାରଦ ଓ ଦକ୍ଷ ନୀତି ନିର୍ଦ୍ଧାରକ ହୋଇଥିବାରୁ ଟ୍ରମ୍ପଙ୍କ ଆହ୍ୱାନର ସେ ଉଚିତ ମୁକାବିଲା କରିପାରିବେ। ଏହି ଆଶା ରଖି କାନାଡ଼ାବାସୀ ତାଙ୍କ ଲିବରାଲ ପାର୍ଟିକୁ ଚଳିତ ନିର୍ବାଚନରେ ସମର୍ଥନ ଦେଇଛନ୍ତି। ଅଥଚ ପ୍ରାକ୍ନିର୍ବାଚନ ସର୍ଭେ ରିପୋର୍ଟ କନ୍ଜରଭେଟିଭ୍ (ରକ୍ଷଣଶୀଳ) ପାର୍ଟି ନେତା ପିଏରେ ପୋଲେଭେରେଙ୍କ ନେତୃତ୍ୱ ସଫଳତା ହାସଲ କରିବ ବୋଲି ଆଗୁଆ ସୂଚନା ଦେଇଥିଲା। ପରିବର୍ତ୍ତନ ପ୍ରୟାସୀଙ୍କ ପାଇଁ ସେ ହିଁ ଥିଲେ ପ୍ରଥମ ପସନ୍ଦ। ଟ୍ରମ୍ପଙ୍କ ବାଣିଜ୍ୟ ଶୁଳ୍କ ଚଢ଼ଉ, ଏପରିକି କାନାଡ଼ାକୁ ଆମେରିକାର ୫୧ତମ ପ୍ରଦେଶର ମାନ୍ୟତା ଦିଆଯିବା ଘୋଷଣା ରାଷ୍ଟ୍ରର ସାର୍ବଭୌମତା ଏବଂ ଆର୍ଥିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା। ଏହି ଅସୁରକ୍ଷିତ ବାତାବରଣ ମଧ୍ୟରେ କାର୍ନେଙ୍କ ଯୋଗ୍ୟତାକୁ କାନାଡ଼ାବାସୀ ପ୍ରାଧାନ୍ୟ ଦେଲେ। ଏସବୁ ସତ୍ତ୍ବେ କନ୍ଜରଭେଟିଭ୍ ପାର୍ଟି ୧୪୪ ଆସନ ହାସଲ କରିଛି। ଦଳର ନେତା ମଧ୍ୟ ନିଜ ପ୍ରୟାସରୁ ପରାଜିତ ହୋଇଛନ୍ତି।
ଭାରତ ଓ କାନାଡ଼ା ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲେ ମଧ୍ୟ ଦ୍ୱିପାକ୍ଷିକ ବାଣିଜ୍ୟ ଅତୁଟ ରହିଥିଲା। ଖାଲିସ୍ତାନ ପ୍ରସଙ୍ଗ ଆଭ୍ୟନ୍ତରୀଣ ନିରାପତ୍ତା ଓ ପ୍ରବାସୀଙ୍କୁ ନେଇ ସୃଷ୍ଟ ବିବାଦ ଓ ମତଭେଦ କୂଟନୈତିକ ସମ୍ପର୍କକୁ ପ୍ରଭାବିତ କରିଥିଲା। ନିଜାର ହତ୍ୟା ଘଟଣାରେ ଦୁଇପକ୍ଷ ଯେଉଁ ଆରୋପ ଓ ପ୍ରତ୍ୟାରୋପ କରିଥିଲେ, ସେ ନେଇ କିଛି ତୁରନ୍ତ ନିଷ୍ପତ୍ତି ନୂଆ ପ୍ରଧାନମନ୍ତ୍ରୀ କାର୍ନେ ନେଇନଥିଲେ ମଧ୍ୟ ପାରସ୍ପରିକ ସମ୍ମାନ ଓ ମର୍ଯ୍ୟାଦା ରକ୍ଷା କରି ସମ୍ପର୍କକୁ ସୁଧାରିବାର ପ୍ରତିଶ୍ରୁତି ଦେଇଛନ୍ତି। ଛାତ୍ରଙ୍କ ସମେତ ୩୦ ଲକ୍ଷ ଭାରତୀୟ କାନାଡ଼ାରେ ବସବାସ କରୁଥିବାରୁ ସେମାନଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ଭାରତ ଚିନ୍ତାପ୍ରକଟ କରିବା ସ୍ୱାଭାବିକ। ୨୦୨୭ ସୁଦ୍ଧା ପ୍ରବାସୀଙ୍କ ସଂଖ୍ୟା କାନାଡ଼ା ମୂଳ ଅଧିବାସୀଙ୍କ ୫ ପ୍ରତିଶତରୁ ଅଧିକ ହେବାକୁ ଦିଆଯିବ ନାହିଁ ବୋଲି ଲିବେରାଲ ପାର୍ଟି ଇସ୍ତାହାରରେ ଘୋଷଣା କରାଯାଇଥିଲେ ମଧ୍ୟ ରାଷ୍ଟ୍ରର ଆର୍ଥିକ ପ୍ରଗତିରେ ବହିରାଗତ ଛାତ୍ର ଓ ସୁଦକ୍ଷ ପେସାଦାରଙ୍କ ଅବଦାନକୁ ଅଗ୍ରାହ୍ୟ କରିହେବ ନାହିଁ। ତେଣୁ ସମୟର ଆବଶ୍ୟକତା ଦୃଷ୍ଟିରୁ ଅର୍ଥନୀତିଜ୍ଞ ପ୍ରଧାନମନ୍ତ୍ରୀ କାର୍ନେ ଏହି ଦିଗପ୍ରତି ନିଶ୍ଚୟ ଦୃଷ୍ଟି ଦେବେ।
ଆମେରିକାକୁ ବାଦ ଦେଇ ଅନ୍ୟ ରାଷ୍ଟ୍ର ସହ କାନାଡ଼ା ଆଗକୁ ସମ୍ପର୍କ ସୁଦୃଢ଼ କରିବ। ପରିବର୍ତ୍ତିତ ଭୂ-ରାଜନୈତିକ ପରିସ୍ଥିତି ଦୃଷ୍ଟିରୁ କାର୍ନେ ଭାରତ ସହ ସମ୍ପର୍କ ସୁଦୃଢ଼ କରିବାର ସୂଚନା ଦେଇଛନ୍ତି। ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇରାଷ୍ଟ୍ର ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଦୃଷ୍ଟିରୁ ଆଇନର ଶାସକ ଓ ପାରସ୍ପରିକ ବୁଝାମଣା ସକାଶେ ପରାମର୍ଶ ଦେଇଛନ୍ତି। ତେଣୁ ଆଗାମୀ ଦିନରେ ଟ୍ରୁଡ଼ୋଙ୍କ ସମୟରେ ସୃଷ୍ଟି ହୋଇଥିବା ଅବିଶ୍ୱାସ ଓ ଅବୁଝାମଣା ଦୂର ହେବ ବୋଲି ଆଶା କରାଯାଇପାରେ।