ସ୍ୱାଗତଂ ତୃତୀୟ ପାଳି ମୋଦୀ ସରକାର

ସଂସଦୀୟ ଗଣତନ୍ତ୍ରରେ ନିର୍ବାଚନୀ ଜନାଦେଶକୁ ସମ୍ମାନ ଦେଇ ଶାସନ କ୍ଷମତା ସ୍ଥାପନ ଏକ ରାଜନୀତିକ ବାସ୍ତବତା।ଯାହାକୁ ଯେତେ ଆସନ ମିଳିଲା, ତାହାକୁ ଆଶ୍ରା କରି ସରକାର ଗଠନ କରିବା ସହିତ ଦେଶକୁ ଆଗେଇ ନେବା ମଧ୍ୟ ଏକ ବାଧ୍ୟବାଧକତା। ସେ ଦୃଷ୍ଟିରୁ ଦେଖିଲେ ମୋଦୀ-୩.୦ ଏହି ରାଜନୀତିକ ବାସ୍ତବତାକୁ ଗ୍ରହଣ କରି ପୁଣି ଏକ ମିଳିତ ସରକାର ଗଠନ କରିଛି। କିନ୍ତୁ ଏଥର ନିରଙ୍କୁଶ ବହୁମତ ଅଭାବରେ ମୋଦୀ ଏନ୍‌ଡିଏର ମିତ୍ରଦଳଙ୍କ ଉପରେ ନିର୍ଭର କରିବାକୁ କେବଳ […]

ସଂସଦୀୟ ଗଣତନ୍ତ୍ରରେ ନିର୍ବାଚନୀ ଜନାଦେଶକୁ ସମ୍ମାନ ଦେଇ ଶାସନ କ୍ଷମତା ସ୍ଥାପନ ଏକ ରାଜନୀତିକ ବାସ୍ତବତା।ଯାହାକୁ ଯେତେ ଆସନ ମିଳିଲା, ତାହାକୁ ଆଶ୍ରା କରି ସରକାର ଗଠନ କରିବା ସହିତ ଦେଶକୁ ଆଗେଇ ନେବା ମଧ୍ୟ ଏକ ବାଧ୍ୟବାଧକତା। ସେ ଦୃଷ୍ଟିରୁ ଦେଖିଲେ ମୋଦୀ-୩.୦ ଏହି ରାଜନୀତିକ ବାସ୍ତବତାକୁ ଗ୍ରହଣ କରି ପୁଣି ଏକ ମିଳିତ ସରକାର ଗଠନ କରିଛି। କିନ୍ତୁ ଏଥର ନିରଙ୍କୁଶ ବହୁମତ ଅଭାବରେ ମୋଦୀ ଏନ୍‌ଡିଏର ମିତ୍ରଦଳଙ୍କ ଉପରେ ନିର୍ଭର କରିବାକୁ କେବଳ ବାଧ୍ୟ ହୋଇନାହାନ୍ତି, ବରଂ ସେମାନଙ୍କର ଦାବିକୁ ମଧ୍ୟ ଅନେକାଂଶରେ ସ୍ୱୀକାର କରିଛନ୍ତି। ସୁତରାଂ ଗତ ରବିବାର ସନ୍ଧ୍ୟାରେ ୭୨ ସଦସ୍ୟ ବିଶିଷ୍ଟ ଏକ ବିରାଟ ମନ୍ତ୍ରିମଣ୍ଡଳ ଗଠନ କରିବା ଛଡ଼ା ଅନ୍ୟ ବାଟ ନଥିଲା। ତଥାପି ଏନ୍‌ସିପି (ଅଜିତ୍) ଭଳି ସହଯୋଗୀ ଦଳ କ୍ୟାବିନେଟ୍ ପଦ ନପାଇବାରୁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନାହାନ୍ତି। ତେବେ ମୋଦୀ ମିତ୍ରଦଳଙ୍କ ଆଗରେ ସମ୍ପୂର୍ଣ୍ଣ ନତମସ୍ତକ ହୋଇନାହାନ୍ତି। ବିଜେପିର ବହୁ ଓଜନିଆ ଓ ଯୋଗ୍ୟ ସଦସ୍ୟ ପୁନର୍ବାର ମନ୍ତ୍ରୀସଭାକୁ ଫେରିଥିବାବେଳେ ସବୁ ଅଞ୍ଚଳ, ବର୍ଗ, ଜାତି ଓ ଧର୍ମକୁ ମନ୍ତ୍ରିମଣ୍ଡଳର ପ୍ରତିନିଧିତ୍ୱ ଦେବାକୁ ଉଦ୍ୟମ କରାଯାଇଛି। କେବଳ ମୁସଲମାନ ସଭ୍ୟ ଏନ୍‌ଡିଏରେ ନଥିବାରୁ ଏହି ଧର୍ମରୁ କାହାକୁ ପ୍ରତିନିଧିତ୍ୱ ମିଳିନାହିଁ। ଆଉ ଏକ ବଡ଼ କଥା ହେଉଛି ଶିବରାଜ୍ ସିଂହ ଚୌହାନ, ବାସବରାଜ ବୋମାଇ, ମନୋହର ଲାଲ ଖଟ୍ଟର, ଏଚ୍‌ଡି କୁମାରସ୍ୱାମୀ ଓ ସର୍ବାନନ୍ଦ ସୋନୋୱାଲଙ୍କ ଭଳି ପୂର୍ବତନ ଅଭିଜ୍ଞ ମୁଖ୍ୟମନ୍ତ୍ରୀଗଣ କ୍ୟାବିନେଟ୍ ମନ୍ତ୍ରୀ ପଦ ପାଇଛନ୍ତି । ଉଭୟ ମୋଦୀ ଓ ରାଜନାଥ ସିଂହ ମଧ୍ୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ବିପୁଳ ଅଭିଜ୍ଞତା ହାସଲ କରିସାରିଛନ୍ତି।

ନୂଆ ମନ୍ତ୍ରିମଣ୍ଡଳକୁ ଦେଖିଲେ ଏଥିରେ ଅଭିଜ୍ଞତା, ରାଜନୀତିକ ପ୍ରତ୍ୟୁତ୍ପନ୍ନମତିତା, ଜାତିଗତ ସମୀକରଣ ଓ ଆଞ୍ଚଳିକ ବାସ୍ତବତା ମଧ୍ୟରେ ଉପଯୁକ୍ତ ଭାରସାମ୍ୟ ରଖାଯାଇଛି। ମୋଟ ୩୦ କ୍ୟାବିନେଟ୍, ପାଞ୍ଚ ସ୍ୱାଧୀନ ରାଜ୍ୟପାହ୍ୟା ଓ ୩୬ ରାଷ୍ଟ୍ରମନ୍ତ୍ରୀଙ୍କୁ ମୋଦୀ ସରକାରରେ ନେଇ ନିଜକୁ ମିଶାଇ ଏହାର ସଂଖ୍ୟା ୭୨ରେ ପହଞ୍ଚାଇଛନ୍ତି। ଭାରତୀୟ ରାଜନୀତିରେ ଜାତି, ଧର୍ମ ଓ ଆଞ୍ଚଳିକବାଦ ଏକ ବାସ୍ତବତା। ଭାରତରେ ରାଜନୀତିକ ଆନୁଗତ୍ୟ କେବଳ ପରିଚୟବାଦିତାରେ ସୀମିତ ନୁହେଁ। ଏହାର ପ୍ରତିଫଳନ ଆନ୍ତଃ-ଜାତି, ଆନ୍ତଃ-ଧର୍ମ ସମ୍ପର୍କ ଓ ପରିଚୟ ପ୍ରତିଷ୍ଠାରେ ଘଟେ। ସମସ୍ତେ ରାଜନୀତିକ ପିଠାରୁ ଭାଗ ଚାହାନ୍ତି। ସମସ୍ତଙ୍କୁ ତୋଷ କରି ମନ୍ତ୍ରିମଣ୍ଡଳ ଗଢ଼ିବା ଏଥର ଏକ ଦୁରୂହ କାର୍ଯ୍ୟ ହୋଇଥିଲେ ମଧ୍ୟ ମୋଦୀ ତାହାକୁ ସଫଳତାର ସହ ସମ୍ପନ୍ନ କରିଛନ୍ତି ବୋଲି କହିବାକୁ ହେବ। ବିଶେଷତଃ ଦୁଇ ପ୍ରମୁଖ ତଥା ଚପଳ ସହଯୋଗୀ ଚନ୍ଦ୍ରବାବୁ ଏବଂ ନୀତିଶ କୁମାରଙ୍କୁ ସାଙ୍ଗରେ ରଖିବାକୁ ଅନେକ ତ୍ୟାଗ ସ୍ୱୀକାର କରିଛନ୍ତି ମୋଦୀ। ଏସବୁ ପଛରେ ରହିଛି ଜାତୀୟ ଅଭିବୃଦ୍ଧି ନୀତି, ବୃହତ୍ ସଂସ୍କାର ଅଭିଯାନ ବଜାୟ ରଖିବାର କସରତ ତଥା ଆର୍ଥିକ ଅଭିବୃଦ୍ଧିର ଶପଥ। ଆସନ୍ତା କେଇବର୍ଷରେ ଭାରତକୁ ଯେପରି ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି ସ୍ତରରେ ପହଞ୍ଚାଇବାକୁ ହେବ ! ଗତ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ େମାଦୀ ମନ୍ତ୍ରିମଣ୍ଡଳର ସଭ୍ୟମାନଙ୍କୁ ବିଭାଗ ଆବଣ୍ଟନ କରିଛନ୍ତି। ଯେଉଁଥିରେ ଅଭିଜ୍ଞ ଓ ବରିଷ୍ଠ ପୁରୁଣା ମନ୍ତ୍ରୀମାନଙ୍କର ମନ୍ତ୍ରଣାଳୟଗୁଡ଼ିକ ପ୍ରାୟ ପୂର୍ବଭଳି ରହିଛି।

ବିଗତ ୧୦ ବର୍ଷ ଧରି ମୋଦୀ ସରକାର ବିପୁଳ ସଂଖ୍ୟା ଗରିଷ୍ଠତା ସତ୍ତ୍ବେ ନିଯୁକ୍ତି ସୃଷ୍ଟି ଓ ଦରଦାମ ନିୟନ୍ତ୍ରଣ କ୍ଷେତ୍ରରେ ବିଶେଷ ସଫଳ ହୋଇପାରିନାହିଁ। ଚାଷୀ ଅସନ୍ତୋଷ, ଅଗ୍ନିବୀର ଯୋଜନା ବିବାଦ, ମଧ୍ୟବିତ୍ତଙ୍କ ପ୍ରତି ଉଦାସିନତା ପ୍ରସଙ୍ଗ ଓ ବ୍ୟାପକ ବେକାରୀ ଶାସକ ବିଜେପି ଦଳକୁ ଏକକ ବହୁମତରୁ ବଞ୍ଚିତ କରିଛି। ମିତ୍ରଦଳଙ୍କୁ ସାଥିରେ ନେଇ ଏସବୁ ପ୍ରସଙ୍ଗ ଉପରେ ହିଁ ତାଙ୍କୁ ଆଗକୁ ବଢ଼଼ିବାକୁ ପଡ଼ିବ। ଅର୍ଥନୀତିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ହେବ। ଓଡ଼ିଶା, ଆନ୍ଧ୍ର ଓ ବିହାର ଭଳି ରାଜ୍ୟ, ଯେଉଁମାନେ ସମ୍ବଳ ଅଭାବରୁ ଆଗେଇ ପାରୁନାହାନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର କେନ୍ଦ୍ରୀୟ ପାଣ୍ଠି ବ୍ୟବସ୍ଥା କରିବାକୁ ପଡ଼ିବ। ସବୁ ରାଜ୍ୟ ଅଭିବୃଦ୍ଧିର ଲାଭ ସମାନ ଭାବେ ପାଉନାହାନ୍ତି। ଏହା ଉପରେ ମୋଦୀ ୩.୦କୁ ନଜର ଦେବାକୁ ପଡ଼ିବ। ଏବେ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ତେବେ ଆଉ ପାଞ୍ଚବର୍ଷ ପରେ ଦେଶର ଏହି ୮୦ ଭାଗ ଜନତାଙ୍କ ଅର୍ଥନୀତିକ ସ୍ଥିତିର କିପରି ଉନ୍ନତି ଆସିବ, ସେଥିପାଇଁ ଆଗୁଆ ଯୋଜନା ଦରକାର। ତା’ଛଡ଼ା ମଧ୍ୟବିତ୍ତଙ୍କ ଜୀବନ କିପରି ସୁଖମୟ, ନିରାମୟ ହେବ ତାହା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ। ଦେଶର ୮୦ ଲକ୍ଷ ଇପିଏଫ୍ ପେନ୍‌ସନ୍‌ ଭୋଗୀ ଏବେ ମାମୁଲି ପେନ୍‌ସନ୍‌ରେ ବଞ୍ଚୁଛନ୍ତି ଓ ସେମାନଙ୍କ ପରିବାରକୁ ଅନ୍ୟ କୌଣସି ସରକାରୀ ସୁବିଧା ମିଳୁନାହିଁ। ସେମାନଙ୍କ ଦାବିକୁ ବିଚାରକୁ ନେବାକୁ ପଡ଼ିବ।

ଉଲ୍ଲେଖନୀୟ ଯେ ଅପେକ୍ଷାକୃତ କମ୍ ସାଂସଦ ସରକାରୀ ଦଳକୁ ପଠାଇଥିବା ରାଜ୍ୟମାନେ ଏଥର ଅଧିକ ମନ୍ତ୍ରୀ ପାଇଛନ୍ତି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର, ବିହାର ସେ ଦୃଷ୍ଟିରୁ ପ୍ରଥମରୁ ଚତୁର୍ଥ ସ୍ଥାନରେ ଅଛନ୍ତି। ଓଡ଼ିଶା ୨୦ ସାଂସଦ (ବିଜେପି) ପଠାଇଛି ଓ ରାଜ୍ୟରେ ପ୍ରଥମଥର ବିଜେପିକୁ ସରକାର ଗଢ଼ିବାକୁ ଜନାଦେଶ ଦେଇଛି। ମାତ୍ର ଆମ ରାଜ୍ୟ ଭାଗରେ ମାତ୍ର ଦୁଇଜଣ କ୍ୟାବିନେଟ୍ ମନ୍ତ୍ରୀ! ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାର ବୋଲି ଗଣିବା ଠିକ୍ ନୁହେଁ । ସେ ରାଜସ୍ଥାନ ଲୋକ। ତେଣୁ ଆମେ ନିଶ୍ଚୟ କହିବୁ ଯେ ଓଡ଼ିଶାକୁ ନ୍ୟାୟସଂଗତ ପ୍ରତିନିଧିତ୍ବ ମିଳିନାହିଁ। ଆଗକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ବିସ୍ତାରରେ ଓଡ଼ିଶାକୁ ଅଗ୍ରାଧିକାର ମିଳିବ ବୋଲି ବିଶ୍ୱାସ।

ଆମେ ବୁଝୁଛୁ ଯେ ମୋଦୀ ନିଜ ମନ୍ତ୍ରିସଭାର ଆଭ୍ୟନ୍ତରୀଣ ଶକ୍ତି ବଢ଼଼ାଇବାକୁ ଏହାକୁ ଅଧିକ ସମାବେଶୀ କରିବାକୁ ଚେଷ୍ଟା କରିଛନ୍ତି। ଆଗକୁ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ହରିୟାଣା ବିଧାନସଭା ନିର୍ବାଚନ ଥିବାରୁ ସେ ରାଜ୍ୟଙ୍କୁ ମନ୍ତ୍ରିସଭାରେ ଅଧିକ ପ୍ରତିନିଧିତ୍ୱ ମିଳିଛି। ଆମେ କିନ୍ତୁ ଦେଖୁଛୁ ଯେ ଯେଉଁ ସବୁ ରାଜ୍ୟରେ ମୋଦୀ ହାଇକମାଣ୍ଡ ଅଧିକାର ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ଚୟନ କରି ନୂଆ ଚେହେରା ର ପରୀକ୍ଷାନିରୀକ୍ଷା କରିଥିଲେ, ସଦ୍ୟ ନିର୍ବାଚନରେ ତାହାର ଫଳାଫଳ ଦଳ ପାଇଁ ଭଲ ହୋଇନାହିଁ। ରାଜସ୍ଥାନ ତାହାର ଏକ ବଡ଼ ଉଦାହରଣ। ମଧ୍ୟପ୍ରଦେଶର ବାସ୍ତବତା ଅବଶ୍ୟ ଭିନ୍ନ। ଓଡ଼ିଶାରେ ଏଥର ସେଭଳି ଉପରୁ ମୁଖ୍ୟମନ୍ତ୍ରୀ ଚୟନ ହେଲେ ଦଳ ପାଇଁ ହିତକର ନ’ହୋଇପାରେ। ପୂର୍ବରୁ କଂଗ୍ରେସ ସେଭଳି ହାଇକମାଣ୍ଡ ସଂସ୍କୃତି ଜାହିର କରିକରି ଗତ ୨୫ ବର୍ଷ ଧରି ଓଡ଼ିଶାରେ ଶାସନ କ୍ଷମତା ପରିଧିର ବାହାରେ ରହିଛି!

ବିଜେଡି ମୁଖ୍ୟ ନବୀନବାବୁ ଏବେ ମଧ୍ୟ ରାଜନୀତିକ ଦୃଷ୍ଟିରୁ ସକ୍ରିୟ ଅଛନ୍ତି। ଓଡ଼ିଶାର ବିକାଶଧାରା ଆହୁରି ତୀବ୍ରତର ହେଉ ତାହା ସେ ଚାହୁଁଛନ୍ତି ଏବଂ ଏ କ୍ଷେତ୍ରରେ କେନ୍ଦ୍ରର ବିଶେଷ ସହଯୋଗ ଚାହାନ୍ତି। ସେଥିପାଇଁ ସେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ଓଡ଼ିଶାର ବିଶେଷ ଆବଶ୍ୟକତା କଥା ବୋଧହୁଏ ପ୍ରକାରାନ୍ତରେ ମନେ ପକାଇ ଦେଇଛନ୍ତି। ଆମେ ଆଶା କରିବା, ମୋଦୀ ୩.୦ ତା’ର ଲକ୍ଷ୍ୟ ପଥରେ ଆଗେଇବ ଏବଂ ଓଡ଼ିଶାର ବିକାଶଧାରା ନୂଆ ବିଜେପି ସରକାର ମାଧ୍ୟମରେ ତ୍ୱରାନ୍ୱିତ ହେବ।

About The Author: The Sakala