ସାଂସଦ ମହୁଆ ମୈତ୍ରଙ୍କ ସଦାଚାର ପ୍ରସଙ୍ଗ: ସଂସଦ ଓ ସାଂସଦଙ୍କ ଗରିମା ସର୍ବୋପରି

ଯାହା ଅନୁମାନ କରାଯାଉଥିଲା ଶେଷରେ ତାହା ହିଁ ହେଲା। ଜଣେ ବ୍ୟବସାୟୀଙ୍କଠାରୁ ଅନୁଚିତ ଉପହାର ଓ ଅନୁଗ୍ରହ ପାଇ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରଶ୍ନ ପଚାରିବା ଅଭିଯୋଗରେ ସଂସଦୀୟ ସଦାଚାର (ନୀତି) କମିଟି ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ତୃଣମୂଳ କଂଗ୍ରେସ ଲୋକସଭା ସଦସ୍ୟା ମହୁଆ ମୈତ୍ରଙ୍କୁ ଶୁକ୍ରବାର ବାଚନିକ ଭୋଟ୍‌‌ରେ ଲୋକସଭା ସଭ୍ୟ ପଦରୁ ହଟାଇ ଦିଆଯାଇଛି। ଏହାକୁ ସୁଶ୍ରୀ ମୈତ୍ର ନିନ୍ଦା କରିବା ସହ ଏହା ଶାସକଦଳ ଓ ସରକାରର ଷଡ଼ଯନ୍ତ୍ରର ପରିଣାମ ବୋଲି […]

ଯାହା ଅନୁମାନ କରାଯାଉଥିଲା ଶେଷରେ ତାହା ହିଁ ହେଲା। ଜଣେ ବ୍ୟବସାୟୀଙ୍କଠାରୁ ଅନୁଚିତ ଉପହାର ଓ ଅନୁଗ୍ରହ ପାଇ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରଶ୍ନ ପଚାରିବା ଅଭିଯୋଗରେ ସଂସଦୀୟ ସଦାଚାର (ନୀତି) କମିଟି ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ତୃଣମୂଳ କଂଗ୍ରେସ ଲୋକସଭା ସଦସ୍ୟା ମହୁଆ ମୈତ୍ରଙ୍କୁ ଶୁକ୍ରବାର ବାଚନିକ ଭୋଟ୍‌‌ରେ ଲୋକସଭା ସଭ୍ୟ ପଦରୁ ହଟାଇ ଦିଆଯାଇଛି। ଏହାକୁ ସୁଶ୍ରୀ ମୈତ୍ର ନିନ୍ଦା କରିବା ସହ ଏହା ଶାସକଦଳ ଓ ସରକାରର ଷଡ଼ଯନ୍ତ୍ରର ପରିଣାମ ବୋଲି କହିଛନ୍ତି। ବହୁମତରେ ଶକ୍ତି ପ୍ରଦର୍ଶନ କରାଯାଇ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ସଭ୍ୟପଦରୁ ହଟାଇ ଦିଆଯାଇଥିବା ଏବଂ ତାଙ୍କୁ ସଂସଦରେ ନିଜ ସପକ୍ଷରେ ସ୍ପଷ୍ଟୀକରଣ ଦେବାକୁ ସୁଯୋଗ ଦିଆଯାଇ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସେ ମଧ୍ୟ ସଦାଚାର କମିଟିକୁ ଏକ ‘କଙ୍ଗାରୁ କୋର୍ଟ’ ସହ ତୁଳନା କରି ଏହାର କାର୍ଯ୍ୟଧାରାକୁ ତୀବ୍ର ସମାଲୋଚନା କରିଛନ୍ତି। ମହୁଆଙ୍କ ବିରୋଧରେ ସଂସଦରେ ଭୋଟ୍‌‌ ନିଆଯିବାବେଳେ ବିରୋଧୀ ପକ୍ଷ ଏହାର କକ୍ଷ ତ୍ୟାଗ କରିଥିଲା।

ଏହି ଘଟଣାର ବିଭିନ୍ନ ଦିଗ ଉପରେ ବିଶେଷଜ୍ଞ ଓ ସମାଲୋଚକ ମତ ଦେବା ସ୍ୱାଭାବିକ। ପ୍ରଥମତଃ, ଏକ ଆଞ୍ଚଳିକ ଦଳର ଜଣେ ମହିଳା ସାଂସଦଙ୍କୁ ଉପହାର ଗ୍ରହଣ ବିନିମୟରେ ସଂସଦରେ ପ୍ରଶ୍ନ କରିବା ଅଭିଯୋଗରେ ବରଖାସ୍ତ କରାଯାଇଛି ଏବଂ ତାଙ୍କୁ ପକ୍ଷ ରଖିବାକୁ ଉପଯୁକ୍ତ ସୁଯୋଗ ଦିଆଯାଇନାହିଁ। ମହୁଆ ନିଜେ କହିଛନ୍ତି ଯେ ତାଙ୍କ ବିରୋଧରେ ଲାଞ୍ଚ ଗ୍ରହଣ ଅଭିଯୋଗ ପ୍ରମାଣିତ ହୋଇନାହିଁ। ଅଭିଯୋଗ କରିଥିବା ବ୍ୟବସାୟୀଙ୍କୁ ମଧ୍ୟ ସଦାଚାର କମିଟି ଡାକି ଜେରା କରିନାହିଁ; ବରଂ ତାଙ୍କ ସତ୍ୟପାଠ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଦାନୀ ଶିଳ୍ପଗୋଷ୍ଠୀ ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କ ଘେନି ସେ ସଂସଦରେ ପ୍ରଶ୍ନ ପଚାରିବାରୁ ତାଙ୍କୁ ଚୁପ୍‌‌ କରିବାକୁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଉଦ୍ଦେଶ୍ୟମୂଳକ ଭାବେ ଗ୍ରହଣ କରାଯାଇଛି। ସଦାଚାର କମିଟିରେ ଶାସକଦଳର ଅଧ୍ୟକ୍ଷଙ୍କ ସହିତ ସଂଖ୍ୟାଧିକ ସଦସ୍ୟ ଶାସକମେଣ୍ଟର। ଏଥିରେ ବିରୋଧୀ ଦଳର ସଦସ୍ୟଙ୍କ ସଂଖ୍ୟା ମାତ୍ର ୨। ତେଣୁ ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜ ହୋଇଛି। ସେ ଆହୁରି ମଧ୍ୟ ଆପତ୍ତି ଉଠାଇଛନ୍ତି ଯେ ସଦାଚାର କମିଟିର କାମ ହେଲା ଅଭିଯୁକ୍ତ ସାଂସଦ ପ୍ରକୃତରେ ଦୋଷୀ କି ନିର୍ଦ୍ଦୋଷ ତାହା ନିର୍ଦ୍ଧାରଣ କରିବା। ତାଙ୍କୁ ଗୃହର ସଦସ୍ୟ ପଦରୁ ବହିଷ୍କାର କରାଯିବ କି ନାହିଁ, ତାହା ସୁପାରିସ କରିବାର ଅଧିକାର ସଦାଚାର କମିଟିର ନାହିଁ। ଏ ଅଧିକାର ସମ୍ପୃକ୍ତ ସଦନର। ଏ କ୍ଷେତ୍ରରେ କିନ୍ତୁ ତାଙ୍କୁ ସଭ୍ୟପଦରୁ ବରଖାସ୍ତ କରିବାକୁ କମିଟି ସୁପାରିସ କରିଥିଲା।

ମହୁଆ ଜଣେ ମହିଳା ଏବଂ ସେ ବିରୋଧୀ ପକ୍ଷର। ଜଣେ ମହିଳା ସାଂସଦଙ୍କୁ ଯେଭଳି ଭାବେ ଗୃହର ସଦସ୍ୟ ପଦରୁ ବହିଷ୍କାର କରାଗଲା ତାହାକୁ ଅନେକ ମାତ୍ରାଧିକ ଦଣ୍ଡ ଭାବେ ବିବେଚନା କରୁଛନ୍ତି। କେତେକ ପର୍ଯ୍ୟବେକ୍ଷକଙ୍କ ମତରେ ଶାସକଦଳ ଓ ବାଚସ୍ପତି ଯଦି ଏ କ୍ଷେତ୍ରରେ ସାମାନ୍ୟ ଉଦାରତା ଦେଖାଇଥା’ନ୍ତେ ଓ ଅନ୍ତିମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥା’ନ୍ତେ, ତା’ହେଲେ ସରକାର, ଶାସକଦଳ ଓ ସଂସଦର ଗରିମା ବରଂ ବଢ଼଼ିଥା’ନ୍ତା। ମହୁଆ ମୈତ୍ରଙ୍କ ଅଭିଯୋଗ ଯେ ବିଜେପି ସାଂସଦ ବିଧୁରି ଏସ୍‌‌ପି ସାଂସଦ ଡାନିସ୍‌‌ ଅଲ୍ଲିଙ୍କୁ ଯେଉଁ ଭାଷାରେ ଗାଳି ଦେଇଥିଲେ ତାହା ଅତ୍ୟନ୍ତ ଆପତ୍ତିଜନକ ହୋଇଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବୋଧହୁଏ ସେ ଶାସକ ଦଳର ହୋଇଥିବାରୁ ତାଙ୍କୁ ଦଣ୍ଡିତ କରାଯାଇନାହିଁ। ତେବେ ସେ ଯା’ହେଉ ସଂସଦର ସ୍ୱାଧୀକାର କେଉଁଠି ଆରମ୍ଭ ହୋଇ କେଉଁଠି ସରେ ତାହା ଜାଣିବା ମୁସ୍କିଲ। ତଥାପି ମାନ୍ୟବର ସାଂସଦମାନଙ୍କ ପାଇଁ ଏକ ସଦାଚାର ନୀତି ଓ ଏହାର ବିଚାର କରିବାକୁ ଏକ କମିଟି ରହିଛି। ବାଚସ୍ପତିଙ୍କ କ୍ଷମତା ଓ ଅଧିକାର ମଧ୍ୟ ଅନେକ ସମୟରେ ପ୍ରଶ୍ନାତୀତ। ତେଣୁ ସରକାରୀ ଦଳ ବହୁମତ ବଳରେ ବିରୋଧୀମାନଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହଜ ହୋଇପାରେ। କିନ୍ତୁ ସଂସଦୀୟ ନିୟମ ଓ ଅନୁଶାସନ ସୀମା ଭିତରେ ରହିବା ବାଧ୍ୟତାମୂଳକ।

ମହୁଆଙ୍କ କ୍ଷେତ୍ରରେ ଯାହା ଘଟିଲା ତାହା ଆମ ସଂସଦୀୟ ଇତିହାସରେ ପ୍ରଥମ ଘଟଣା ନୁହେଁ। ୨୦୦୫ରେ କଂଗ୍ରେସ ଶାସନ କାଳରେ କୋବ୍ରା ଦୁର୍ନୀତି ସମ୍ପର୍କରେ ଗୃହରେ ପ୍ରଶ୍ନ ପଚାରି ଏବଂ ଏଥିପାଇଁ ପ୍ରାୟୋଜିତ ପକ୍ଷଙ୍କଠାରୁ ଅର୍ଥନେବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଲୋକସଭାର ୧୦ ଏବଂ ରାଜ୍ୟସଭାର ଜଣେ ସାଂସଦ ଅନୁରୂପ ଢଙ୍ଗରେ ବହିଷ୍କୃତ ହୋଇଥିଲେ। ସେଥିରେ ବିଜେପିର ୬ଜଣ ସାଂସଦ ଥିଲେ। ସେତେବେଳେ ବିରୋଧୀଦଳ ନେତା ଲାଲକୃଷ୍ଣ ଆଡଭାନୀ ମଧ୍ୟ ସଦାଚାର କମିଟିକୁ ‘କଙ୍ଗାରୁ କୋର୍ଟ’ ବୋଲି କହିଥିଲେ। ତେବେ ସେ ବହିଷ୍କୃତ ସଦସ୍ୟମାନଙ୍କ ଆଚରଣକୁ ସେତେବେଳେ ନିନ୍ଦା କରିବା ସହ ସାଂସଦମାନେ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ନ ହେବାକୁ ପରାମର୍ଶ ଦେଇଥିଲେ। ଇତିହାସର ପୁନରାବୃତ୍ତି ୧୮ ବର୍ଷ ପରେ ଘଟିଛି। ଉଭୟ ଘଟଣାରେ ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଟାର୍ଗେଟରେ ଥିଲେ। ମହୁଆ ନିର୍ଦ୍ଦୋଷ ହୋଇପାରନ୍ତି; କିନ୍ତୁ ତାଙ୍କର ବାରମ୍ବାର ବିଦେଶ ଯାତ୍ରା, ବିଦେଶରେ ରହୁଥିବା ଜଣେ ବ୍ୟବସାୟୀଙ୍କ ସହିତ ସମ୍ପର୍କ, ତାଙ୍କ ଆତିଥ୍ୟ ଗ୍ରହଣ, ତାଙ୍କର ସଂସଦୀୟ ପୋର୍ଟାଲକୁ ସେହି ବ୍ୟବସାୟୀ ବ୍ୟବହାର କରିବା ଆଦି ଘଟଣାର ସେ ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି; ବରଂ ପରୋକ୍ଷରେ ଏହିଭଳି କେତେକ ଲାଭ ଏହି ପ୍ରସଙ୍ଗରେ ପାଇଛନ୍ତି ବୋଲି ପୂର୍ବରୁ ଗଣମାଧ୍ୟମରେ ବିବୃତି ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ଆଣିବାବେଳେ ପ୍ରଥମେ ନିଜକୁ ସ୍ୱଚ୍ଛ ଓ ସନ୍ଦେହମୁକ୍ତ ରଖିବାକୁ ପଡ଼ିବ। ତା’ନହେଲେ ଏହା ବୁମେରାଂ ହୋଇ ଅଭିଯୋଗକାରୀ ରାଜନୈତିକ ପ୍ରତିହିଂସା ଓ ପ୍ରତିଶୋଧର ସମ୍ମୁଖୀନ ହେବା ଏକ ସାଧାରଣ କଥା।

ମହୁଆଙ୍କ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଲା ଯେ ଗଣତନ୍ତ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଦୁର୍ନୀତି ପ୍ରସଙ୍ଗ ସଂସଦରେ ଉତ୍‌‌ଥାପନ କରିବା ବିପଜ୍ଜନକ ଓ ପାଲଟା କାର୍ଯ୍ୟାନୁଷ୍ଠାନର ଆଶଙ୍କା ଥାଏ ଯଦି ଅଭିଯୋଗକାରୀ ସାଂସଦ ନିଜେ ଆଇନ ଓ ନୀତି ନିୟମ ଭିତରେ ରହି ଏଭଳି ପ୍ରଶ୍ନ ଉଠାଇବେ। ବଡ଼ବଡ଼ିଆଙ୍କ ବିରୁଦ୍ଧରେ ପ୍ରଶ୍ନ ଉଠାଇବା ସାଂସଦଙ୍କ ମୌଳିକ ଅଧିକାର ହେଲେ ମଧ୍ୟ ଚାଲୁଣି ହୋଇ ଛୁଞ୍ଚିକୁ ଦୋଷାରୋପ କରିବା ମହଙ୍ଗା ସାବ୍ୟସ୍ତ ହୋଇପାରେ। ତେଣୁ ନୀତିନିଷ୍ଠ ଥିବା ଏବଂ କୌଣସି ସନ୍ଦିଗ୍ଧ କାର୍ଯ୍ୟରେ ଲିପ୍ତ ନଥିବା ସଦସ୍ୟ ହିଁ ତଥ୍ୟ ପ୍ରମାଣ ସହ ପ୍ରଶ୍ନ ଉତ୍‌‌ଥାପନ କରିବା ଆବଶ୍ୟକ। କାହା ବୁଦ୍ଧିରେ ପଡ଼ି କାହାଠାରୁ ଅନୁଗ୍ରହ ଓ ଆର୍ଥିକ ଲାଭ ପାଇ ପ୍ରଶ୍ନ ପଚାରିବା ଅର୍ଥ ନିଜେ କାଚଘର ମଧ୍ୟରେ ରହି ଅନ୍ୟକୁ ପଥର ମାରିବା ସଦୃଶ। ଆମର ମତ ହେଲା ଆମ ସଂସଦରେ ଗଣତାନ୍ତ୍ରିକ ଉଦାରତା ଓ ଶାଳୀନତା ଆହୁରି ଭଲ ହେବା ଉଚିତ। ଉଦ୍ଦେଶ୍ୟମୂଳକ ଆରୋପ ଓ ଉଦ୍ଦେଶ୍ୟମୂଳକ ପାଲଟା କାର୍ଯ୍ୟାନୁଷ୍ଠାନ ଏଥିରେ ଯେତେ କମ୍‌‌ ହେବ ସେତେ ଭଲ। ଏହି ଘଟଣାରେ କେଉଁପକ୍ଷର ବିଜୟ ଓ କାହାର ପରାଜୟ ବାସ୍ତବରେ ହେଲା, ତାହା ବଡ଼ କଥା ନୁହେଁ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସଂସଦୀୟ କାର୍ଯ୍ୟ ପରିଚାଳନା କ୍ଷେତ୍ରରେ ନୀତି, ନିୟମ, ସଦାଚାର ଓ ସାମ୍ବିଧାନିକ ନୈତିକତା ସର୍ବୋପରି ବୋଲି ପ୍ରମାଣିତ ହେଲା।

About The Author: The Sakala