ଦୁବାଇ ଜଳବାୟୁ ଶିଖର ସମ୍ମିଳନୀ ଉପରେ ସବୁରି ଆଖି

ଦୁବାଇରେ ଜାତିସଂଘ ଦ୍ବାରା ଆୟୋଜିତ ୨୮ତମ ଜଳବାୟୁ ଶିଖର ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। କୋପ୍ ୨୮ ନାମରେ ପରିଚିତ ବିଶ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଶ୍ୱର ପ୍ରାୟ ୧୯୦ ଦେଶରୁ ପାଖାପାଖି ୯୮ ହଜାର ପ୍ରତିନିଧି ଭାଗ ନେବେ। ପ୍ରତିନିଧିତ୍ୱ ଓ ପ୍ରସଙ୍ଗ ଦୃଷ୍ଟିରୁ ଏହା ବିଶ୍ୱର ସର୍ବବୃହତ୍ ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ। ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହେଲା ବିଶ୍ୱର ତାପମାତ୍ରା […]

ଦୁବାଇରେ ଜାତିସଂଘ ଦ୍ବାରା ଆୟୋଜିତ ୨୮ତମ ଜଳବାୟୁ ଶିଖର ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। କୋପ୍ ୨୮ ନାମରେ ପରିଚିତ ବିଶ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଶ୍ୱର ପ୍ରାୟ ୧୯୦ ଦେଶରୁ ପାଖାପାଖି ୯୮ ହଜାର ପ୍ରତିନିଧି ଭାଗ ନେବେ। ପ୍ରତିନିଧିତ୍ୱ ଓ ପ୍ରସଙ୍ଗ ଦୃଷ୍ଟିରୁ ଏହା ବିଶ୍ୱର ସର୍ବବୃହତ୍ ତଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ। ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ହେଲା ବିଶ୍ୱର ତାପମାତ୍ରା ବୃଦ୍ଧିକୁ ଶିଳ୍ପ ବିପ୍ଳବ ସମୟର ସ୍ଥିତିଠାରୁ ୧.୫ ଡିଗ୍ରୀ ସେଲ୍‌ସିୟସ ଅଧିକ ମଧ୍ୟରେ ସୀମିତ ରଖିବା। ସେଥିପାଇଁ ପାରମ୍ପରିକ ଜୀବାଶ୍ମ ଇନ୍ଧନର ବ୍ୟବହାର କମାଇ ଅଣପ୍ରଦୂଷଣକାରୀ ସ୍ୱଚ୍ଛ ତଥା ଅକ୍ଷୟଶକ୍ତି ବ୍ୟବହାରକୁ ବଢ଼଼ାଇବା ନିମନ୍ତେ ବିଶ୍ବସ୍ତରୀୟ ଚୁକ୍ତି ସ୍ୱାକ୍ଷର କରିବା।

ପ୍ରସଙ୍ଗ ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ଖାଲି ରାଜିନାମା କରିଦେଲେ ତାପମାତ୍ରା ବୃଦ୍ଧି ସମସ୍ୟାକୁ ନିୟନ୍ତ୍ରଣ କରିହେବ ନାହିଁ। ଅର୍ଥନୈତିକ ବିକାଶ ପାଇଁ ସବୁ ବିକାଶଶୀଳ ଓ ବିକଶିତ ଦେଶ ଏବେ କୋଇଲା ଓ ପେଟ୍ରୋଲିୟମ ଭଳି ଜୀବାଶ୍ମ ଇନ୍ଧନକୁ ପ୍ରଚୁର ପରିମାଣରେ ବ୍ୟବହାର କରୁଛନ୍ତି। ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ଏବେ ପରିବେଶ ଏବଂ ଜୀବଜଗତ ପାଇଁ ଘୋର ବିପଦ ସୃଷ୍ଟି କରିଛି। ପ୍ରାୟ ଦୁଇଶହ ବର୍ଷ ଧରି ଏହି ଇନ୍ଧନ ବ୍ୟବହାର ପ୍ରଥମ ଶିଳ୍ପ ବିପ୍ଳବ ପରଠାରୁ ଚାଲିଛି ଯେ ସେଥିରେ ଲଗାମ ଲାଗିପାରୁ ନାହିଁ। ତେଣୁ ବିଶ୍ୱର ତାପମାତ୍ରା ଅଙ୍ଗାରକାମ୍ଳ ସ୍ତର ବୃଦ୍ଧି ଯୋଗୁଁ ବଢ଼଼ିଛି ଏବଂ ଏହା ଜଳବାୟୁ ପରିବର୍ତ୍ତନ ଓ ପରିବେଶ ବିପର୍ଯ୍ୟୟର ମୁଖ୍ୟ କାରଣ। ଏହି କାରଣରୁ ଏବେ ସୁଦ୍ଧା ବିଶ୍ୱର ତାପମାତ୍ରା ଏହି ୨୦୦ ବର୍ଷ ମଧ୍ୟରେ ଏକ ଡିଗ୍ରୀ ସେଲସିୟସରୁ ଅଧିକ ବଢ଼଼ି ସାରିଛି। ୨୦୫୦ ସୁଦ୍ଧା ଏହା ୧.୫ ଡିଗ୍ରୀ ଓ ୨୧୦୦ ମସିହା ସୁଦ୍ଧା ୩.୬ ରୁ ୭.୨ ଡିଗ୍ରୀ ସେଲ୍‌ସିୟସକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସୁତରାଂ ଏହି ତାପମାତ୍ରା ବୃଦ୍ଧିକୁ ଶିଳ୍ପ ବିପ୍ଳବ ସମୟଠାରୁ ସର୍ବାଧିକ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ସୀମିତ ରଖିବାକୁ ଜାତିସଂଘ ଗୁରୁତ୍ୱ ଦେଉଛି।

ଏହି ରାଜିନାମାର ସଫଳତା ବିକଳ୍ପ ସ୍ୱଚ୍ଛ ଇନ୍ଧନ ଉତ୍ସ ଉପରେ ନିର୍ଭର କରେ। ସୌର, ଜଳ ଓ ପବନ ସହିତ ଅନ୍ୟାନ୍ୟ ଅଣପାରମ୍ପରିକ ଅକ୍ଷୟ ଶକ୍ତିକୁ ସେଥିପାଇଁ ବିନିଯୋଗ କରିବାକୁ ହେବ। ଏହା ପ୍ରୟାସ ମଧ୍ୟ ସହଜ ନୁହେଁ। ଏଭଳି ବିକଳ୍ପ ଶକ୍ତି ଉତ୍ପାଦନ ପାଇଁ ପ୍ରଚୁର ସମ୍ବଳ ତଥା ଉନ୍ନତ ଜ୍ଞାନକୌଶଳ ଲୋଡ଼ା। ସବୁ ବିକାଶଶୀଳ ରାଷ୍ଟ୍ର ତାହାକୁ କାର୍ଯ୍ୟକାରୀ କରିବାକୁ ଅର୍ଥବଳ ଏବଂ ଯନ୍ତ୍ରବଳ ପାଇବେ ନାହିଁ। ଦ୍ୱିତୀୟ ପ୍ରସଙ୍ଗ ହେଉଛି ଉନ୍ନତ ଓ ସମ୍ବଳସମୃଦ୍ଧ ଦେଶମାନେ ଏବେ ବିଶ୍ୱର ପ୍ରମୁଖ ପ୍ରଦୂଷଣକାରୀ। ଏ କ୍ଷେତ୍ରରେ ଚୀନ୍, ଆମେରିକା, ଭାରତ, ରୁଷିଆ, ଜାପାନ, ଜର୍ମାନୀ, ଇରାନ, ଦକ୍ଷିଣ କୋରିଆ, ସାଉଦୀ ଆରବ ଓ ଇଣ୍ଡୋନେସିଆ କ୍ରମନ୍ୱୟରେ ୧ରୁ ୧୦ମ ସ୍ଥାନରେ ରହିଛନ୍ତି। ସର୍ବାଧିକ ପ୍ରଦୂଷଣକାରୀ ଚୀନ୍ ବର୍ଷକୁ ୧୦,୦୬୫ ନିୟୁତ ଟନ୍ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳକୁ ନିର୍ଗତ କରୁଥିବାବେଳେ ଆମେରିକା ୫୪୧୬ ନିୟୁତ ଟନ୍, ଭାରତ ୨୬୫୪ ନିୟୁତ ଟନ୍, ରୁଷିଆ ୧୭୧୧ ନିୟୁତ ଟନ୍, ଜାପାନ ୧୧୬୨ ନିୟୁତ ଟନ୍ ଅଙ୍ଗାରକାମ୍ଳ ନିଷ୍କାସନ କରୁଛନ୍ତି। ତେବେ ଏଠି ଭାରତ ପ୍ରସଙ୍ଗରେ ପ୍ରଶ୍ନ ଉଠୁଛି ଯେ ମୁଣ୍ଡପିଛା ହିସାବରେ ଭାରତର ଅଙ୍ଗାରକାମ୍ଳ ନିର୍ଗମନ ୧.୭୮ ମେଟ୍ରିକ୍‌ ଟନ୍ ଥିବାବେଳେ ବିଶ୍ୱରେ ଏହି ହାର ୪.୪୪ ମେଟ୍ରିକ୍ ଟନ୍। ତେଣୁ ଆମେରିକା ସମେତ ପାଶ୍ଚାତ୍ୟ ବିକଶିତ ଧନୀ ରାଷ୍ଟ୍ର ଏବଂ ଅନ୍ୟ ଶିଳ୍ପୋନ୍ନତ ଦେଶଙ୍କର ମୁଣ୍ଡପିଛା ଅଙ୍ଗାରକାମ୍ଳ ନିର୍ଗମନ ଭାରତ ତୁଳନାରେ ଢେର ଅଧିକ।

ଭାରତ ଭଳି ବିକାଶଶୀଳ ରାଷ୍ଟ୍ରକୁ ଏହି ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଦାୟୀ କରାଯାଇ ନପାରେ। ତଥାପି ସ୍ୱତଃପ୍ରବୃତ୍ତ ଭାବେ ଭାରତ ପାରମ୍ପରିକ ଶକ୍ତି ଉତ୍ପାଦନ ଏବଂ ବିନିଯୋଗ ହ୍ରାସ କରି ସବୁଜ / ଅକ୍ଷୟ ଊର୍ଜା ଉପରେ ଗୁରୁତ୍ୱ ଦେଉଛି। ୨୦୩୦ ସୁଦ୍ଧା ଭାରତ ତାହାର ମୋଟ୍ ବିଦ୍ୟୁତ୍ ଉତ୍ପାଦନର ୫୦% ଅଣପାରମ୍ପରିକ ଉତ୍ସରୁ ଉତ୍ପାଦନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିବାବେଳେ ୨୦୭୦ ସୁଦ୍ଧା ଅଙ୍ଗାରକାମ୍ଳ ନିଷ୍କାସନ ହାରକୁ ଶୂନ୍ୟ ସ୍ତରରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛି। ଆନ୍ତର୍ଜାତୀୟ ସୌରଶକ୍ତିମେଣ୍ଟ ସମେତ ଗ୍ରୀନ୍ ହାଇଡ୍ରୋଜେନ୍ ଓ ଅନ୍ୟାନ୍ୟ ସବୁଜ ଇନ୍ଧନ ଉତ୍ପାଦନ ପାଇଁ ଭାରତ ଯେଉଁ ବ୍ୟାପକ ଅଭିଯାନ ଆରମ୍ଭ କରିଛି, ସେଥିରେ ଆମ ଦେଶର ଉଦ୍ଦେଶ୍ୟ ଓ ପ୍ରତିଶ୍ରୁତିକୁ ପ୍ରଶ୍ନ କରାଯାଇ ନପାରେ। ଏବେ ପ୍ରଶ୍ନ ଉଠୁଛି ଦୁବାଇରେ ହେବାକୁ ଥିବା ପ୍ରସ୍ତାବିତ ଚୁକ୍ତିରେ ଆମେରିକା, ଚୀନ୍ ଓ ଅନ୍ୟାନ୍ୟ ଶିଳ୍ପୋନ୍ନତ ରାଷ୍ଟ୍ର ସ୍ୱାକ୍ଷର କରିବେ ତ? ବଡ଼ କଥା ହେଉଛି ପାରସ୍ପରିକ ପ୍ରତିଯୋଗିତା। ଯାହା ପାଖରେ କୋଇଲା ଓ ତୈଳ ଅଛି ସେମାନେ ଏହାକୁ ଇନ୍ଧନ କରି ନିଜର ଶିଳ୍ପ ଓ ଅର୍ଥନୀତିକୁ ସମୃଦ୍ଧ କରୁଛନ୍ତି। ବିଶ୍ୱ ଜଳବାୟୁ ଚିନ୍ତା କେବଳ ଏକ ଧୂଆଁ ବାଣ। ଆମେରିକା ଓ ରୁଷିଆ ରାଷ୍ଟ୍ରପତି ଏହି ସମ୍ମିଳନୀରେ ଯୋଗ ଦେଉନାହାନ୍ତି। ଚୀନ୍ ରାଷ୍ଟ୍ରପତିଙ୍କ ଯୋଗଦେବା ସ୍ପଷ୍ଟ ହୋଇନାହିଁ। ତେଣେ ଏହି ସମ୍ମିଳନୀ ଅବସରରେ ନିଜର ତୈଳ ସଂପଦର ବିକ୍ରି ବୃଦ୍ଧି ପାଇଁ ଆୟୋଜକ ସଂପୃକ୍ତ ଆରବ ଏମିରେଟ୍ସର ଶାସନ ମୁଖ୍ୟ ବିଭିନ୍ନ ଦେଶର ନେତାମାନଙ୍କ ସହ ଗୁପ୍ତ ଆଲୋଚନା କରିବାର କାର୍ଯ୍ୟ ସୂଚୀ ରଖିଥିବା କଥା ପ୍ରଘଟ ହେବା ପରେ ବିବାଦ ସୃଷ୍ଟି ହୋଇଛି।

ବ୍ୟକ୍ତିଗତ ସ୍ୱାର୍ଥ କିନ୍ତୁ ସାମୂହିକ ସ୍ୱାର୍ଥର ପରିପନ୍ଥୀ। ୨୦୨୩ ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ ହେବାର ରେକର୍ଡ ସ୍ଥାପନ କରିବାକୁ ଯାଉଛି। ପ୍ରତିଶ୍ରୁତି ସତ୍ତ୍ବେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ବନ୍ଦ ହେଉନାହିଁ। ନିର୍ଗମନହାର ୯ ଶତାଂଶ ବରଂ ବଢ଼଼ିଛି। ପୃଥିବୀକୁ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଜନିତ ବିପଦରୁ ରକ୍ଷା କରିବାକୁ ହେଲେ ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନ ହାରକୁ ୪୩% ହ୍ରାସ କରିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଯୁଦ୍ଧ ବିଗ୍ରହ, ଅଶାନ୍ତି, ଅର୍ଥନୈତିକ ମାନ୍ଦାବସ୍ଥା, ପ୍ରାକୃତିକ ବିପତ୍ତି ଓ ଖାଦ୍ୟାଭାବ ଭଳି ଗୁରୁତର ସଂକଟ ଦେଇ ସମଗ୍ର ବିଶ୍ୱ ଏବେ ଗତି କରୁଛି। ଏଭଳି ସମୟରେ ଆୟୋଜିତ କୋପ୍ ୨୮ ଶିଖର ସମ୍ମିଳନୀରେ ଯଥାର୍ଥ ଆଲୋଚନା ହୋଇ ଜଳବାୟୁ ପରିବର୍ତ୍ତନ ଭଳି ପ୍ରମୁଖ ପ୍ରସଙ୍ଗରେ କି ପ୍ରକାର ରାଜିନାମା ସ୍ୱାକ୍ଷରିତ ହେବ, ତାହା ଦେଖିବାକୁ ସମଗ୍ର ବିଶ୍ୱ ଉତ୍କଣ୍ଠିତ। ଆଶା କରିବା ଏହି ସମ୍ମିଳନୀରେ ଚଷୁକୁଟା କାମ ନ ହୋଇ କିଛି ବାସ୍ତବ ସମାଧାନ ସୂତ୍ର ବାହାରିବ। ପୃଥିବୀ ଆମ ସମସ୍ତଙ୍କ ଘର ! ଏହାର ସୁରକ୍ଷା ଏସବୁ ଦେଶ ମାନଙ୍କର ପ୍ରାଥମିକ କର୍ତ୍ତବ୍ୟ ! ଦୁବାଇ ଶିଖର ସମ୍ମିଳନୀ ରେ ବୁଝାମଣା ନହୋଇ ପାରିଲେ ଆମ ପୃଥିବୀର ଭବିଷ୍ୟତ ଅନ୍ଧକାରମୟ !

About The Author: The Sakala