ସହରୀ ଗଛର ବେସାହାରା ଜୀବନ

ଭାରତ ସମେତ ସାରା ବିଶ୍ବରେ ସହରୀକରଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ପୃଥିବୀର ମୋଟ ଲୋକସଂଖ୍ୟାର ୫୦ ପ୍ରତିଶତ ଏବେ ସହରାଞ୍ଚଳରେ ବସବାସ କରୁଛନ୍ତି। ଆକଳନ ମୁତାବକ, ୨୦୫୦ ବେଳକୁ ସହରୀ ଲୋକଙ୍କ ସଂଖ୍ୟା ୭୦ ପ୍ରତିଶତକୁ ବୃଦ୍ଧି ପାଇପାରେ। ୨୦୧୧ ଜନଗଣନା ଅନୁସାରେ, ଆମ ଦେଶରେ ସହର ସଂଖ୍ୟା ଥିଲା ୭,୯୪୫। ୧୯୦୧ ଗଣନା ଅନୁସାରେ, ଦେଶର ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୦.୮୪ ଥିବା ବେଳେ ସର୍ବଶେଷ ୨୦୧୧ ଜନଗଣନା […]

ଭାରତ ସମେତ ସାରା ବିଶ୍ବରେ ସହରୀକରଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ପୃଥିବୀର ମୋଟ ଲୋକସଂଖ୍ୟାର ୫୦ ପ୍ରତିଶତ ଏବେ ସହରାଞ୍ଚଳରେ ବସବାସ କରୁଛନ୍ତି। ଆକଳନ ମୁତାବକ, ୨୦୫୦ ବେଳକୁ ସହରୀ ଲୋକଙ୍କ ସଂଖ୍ୟା ୭୦ ପ୍ରତିଶତକୁ ବୃଦ୍ଧି ପାଇପାରେ। ୨୦୧୧ ଜନଗଣନା ଅନୁସାରେ, ଆମ ଦେଶରେ ସହର ସଂଖ୍ୟା ଥିଲା ୭,୯୪୫। ୧୯୦୧ ଗଣନା ଅନୁସାରେ, ଦେଶର ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୦.୮୪ ଥିବା ବେଳେ ସର୍ବଶେଷ ୨୦୧୧ ଜନଗଣନା ଅନୁଯାୟୀ ଏହି ସଂଖ୍ୟା ୩୨.୨ ପ୍ରତିଶତକୁ ବୃଦ୍ଧି ପାଇଛି। ସହରବାସୀଙ୍କ ସଂଖ୍ୟା ସେବେ ଥିଲା ୩୭.୭ କୋଟି। ଏବେ ଏହି ସଂଖ୍ୟା ୫୦ କୋଟି ପାର କରି ସାରିବଣି। ସହର ସଂଖ୍ୟା ମଧ୍ୟ ୪୦୦୦ରୁ ଅଧିକ ହେଲାଣି। ଆପାତତଃ ଦେଶରେ ସହରୀକରଣର ହାର ୨୦୦୧ରେ ୨୭.୭ ପ୍ରତିଶତ ଥିଲାବେଳେ, ୨୦୧୧ ବେଳକୁ ୩୧.୧ ପ୍ରତିଶତକୁ ବୃଦ୍ଧି ପାଇଛି।

ବିଗତ ଦୁଇବର୍ଷ ହେଲା ‘ସହରୀ ଦ୍ବୀପ ଉତ୍ତପ୍ତୀକରଣ ପ୍ରଭାବ (ହିଟ୍‌ ଆଇଲ୍ୟାଣ୍ଡ ସିଣ୍ଡ୍ରୋମ) ଅନେକ ପ୍ରମୁଖ ସହରାଞ୍ଚଳରେ ଦେଖୀବାକୁ ମିଳୁଛି। ସହରର ତାପମାତ୍ରା ଗ୍ରୀଷ୍ମ ଋତୁରେ ୪୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ ରହୁଛି। ହିଟ୍‌ ଆଇଲ୍ୟାଣ୍ଡ ଉପସର୍ଗ ହେଉଛି, ସହରାଞ୍ଚଳ ଏକ ଛୋଟ ଜଙ୍ଗଳ ବା ଗ୍ରାମାଞ୍ଚଳ। ଗ୍ରୀଷ୍ମ ଋତୁରେ ବାହାରର ତାପମାତ୍ରା ତୁଳନାରେ ସହରର ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଣ୍ଟିଗ୍ରେଡ ଅଧିକ ଅନୁଭୂତ ହୋଇଥାଏ। ଆମ ରାଜ୍ୟରେ ମଧ୍ୟ ଗତ ଗ୍ରୀଷ୍ମଋତୁରେ ଏହି ପ୍ରଭାବ ଝାରସୁଗୁଡ଼ା, ଟିଟିଲାଗଡ଼, ବଲାଙ୍ଗୀର, ଅନୁଗୁଳ-ତାଳଚେର ଓ ଭୁବନେଶ୍ବରରେ ଦେଖୀବାକୁ ମିଳିଛି, ଯେଉଁଠି ତାପମାତ୍ରା ବେଳେବେଳେ ୪୫ ଡିଗ୍ରୀକୁ ଟପିଯାଏ।

ଏହି ପରିପ୍ରେକ୍ଷୀରେ ମିଳିତ ଜାତିସଂଘର ହାବିଟାଟ ପ୍ରେସକ୍ରିପସନ୍‌ ହେଉଛି ୩-୩୦.-୩୦୦, ଯାହା ଅତ୍ୟନ୍ତ ଉପଯୋଗୀ। ଏହାର ଅର୍ଥ ହେଲା, ପ୍ରତ୍ୟେକ ବାସଗୃହ, କାର୍ଯ୍ୟସ୍ଥଳୀ, ସ୍କୁଲ ହତା ନିକଟରେ ଅତିକମରେ ତିନୋଟି ପ୍ରାପ୍ତ ବୟସ୍କ ଗଛ ଦେଖୀବାକୁ ମିଳୁଥିବ, ଚତୁଃପାର୍ଶ୍ବରେ ୩୦ଟି ବଡ଼ ଗଛ ଶୋଭା ପାଉଥିବ। ସେହିପରି ପ୍ରତ୍ୟେକ ୱାର୍ଡରେ ୩୦୦ ମିଟର ଚାଲିକରି ବା ସାଇକେଲ୍‌ରେ ଗଲେ ଅଧ ହେକ୍ଟରରୁ ଏକ ଏକର ଆୟତନର ପାର୍କ ବା ସବୁଜ ପ୍ରାନ୍ତରଟିଏ ଥିବ। ମିଳିତ ଜାତିସଂଘ ତରଫରୁ ଘୋଷଣା ହୋଇଥିବା ଏହି ୩-୩୦-୩୦୦ ନୀତି କିପରି ପାଳନ ହେବ ତାହା ବିଚାର୍ଯ୍ୟ। କିଛିବର୍ଷ ପୂର୍ବରୁ ସହରାଞ୍ଚଳରେ ବାସଗୃହଟିଏ ନିର୍ମାଣ କଲେ ଭୁବନେଶ୍ବରର ଉନ୍ନୟନ କର୍ତ୍ତୃପକ୍ଷ ପ୍ଲାନ୍‌ ଅନୁମୋଦନ କରୁଥିଲେ। ଅନୁମୋଦନ ପତ୍ରରେ ନିର୍ଦ୍ଦିଷ୍ଟ ଥିଲା, ଗୃହ ନିର୍ମାଣ କଲାବେଳେ ଆଗରେ ଦଶଫୁଟ ଏବଂ ପଛପଟେ ଓ ଅନ୍ୟ ଦୁଇପଟେ ପାଞ୍ଚ ଫୁଟ ଲେଖାଏଁ ଯାଗା ଛାଡ଼ିବା ଉଚିତ। ଏବେ ସେ ନିୟମ ବଦଳି ଗଲାଣି। ଆଗରେ ପୂର୍ବଭଳି ଦଶଫୁଟ ଛାଡ଼ିବାର ବ୍ୟବସ୍ଥା ଥିଲାବେଳେ ଅନ୍ୟ ତିନିପଟେ ପାଞ୍ଚଫୁଟ ଛାଡ଼ିବା ନିୟମଟା କମିଯାଇ ତିନିଫୁଟ କରାଯାଇଛି। ସେଥିରୁ ଫୁଟେ ପାଚେରୀ ଚାଲିଗଲେ ଆଉ ରହିବ ମାତ୍ର ଦୁଇଫୁଟ। କହିଲେ ଦୁଇଫୁଟରେ କେଉଁ ବଡ଼ ଗଛ ଲଗାଯାଇପାରିବ, ଯାହା ଭବିଷ୍ୟତରେ ପାଖ ପାଚେରିରୁ ଫଟାଇବ ନାହିଁ?

ନିକଟ ଅତୀତରେ ଆଇ.ଆଇ.ଟି ଭୁବନେଶ୍ବର, ‘ସହରୀ ଦ୍ବୀପ ଉତ୍ତପ୍ତୀକରଣ’ ସନ୍ଦର୍ଭରେ ଭୁବନେଶ୍ବର ଉପରେ ଏକ ଅଧ୍ୟୟନ କରିଥିଲେ। ସେମାନଙ୍କ ଅନୁଶୀଳନର ନିଷ୍କର୍ଷ ଥିଲା – ନିକଟସ୍ଥ ଗ୍ରାମାଞ୍ଚଳ ତୁଳନାରେ ଭୁବନେଶ୍ବର ସହର ଅଧିକ ଉତ୍ତପ୍ତ ହେବାର କାରଣଗୁଡ଼ିକ ହେଲା, ଦ୍ରୁତ ସହରୀକରଣ ଫଳରେ ଗୃହନିର୍ମାଣ ସ୍ଥାନର ବ୍ୟାପକ ବୃଦ୍ଧି, ସହରର ସବୁଜିମା ବା ସବୁଜ ବଳୟ ହ୍ରାସ, ଖୋଲାସ୍ଥାନ କମିଯିବା ଏବଂ ଆର୍ଦ୍ରଭୂମି , ନଦୀ, ନାଳର ପରିସୀମା ସଂକୁଚିତ ହେବା ଇତ୍ୟାଦି। ସହରର ମୁଖ୍ୟ ରାସ୍ତାରୁ ବାହାରିଥିବା ଗଳି ରାସ୍ତାଗୁଡ଼ିକ ସିମେଣ୍ଟ କଂକ୍ରିଟ ବା ପିଚୁ କରିଦେବା ଫଳରେ ଏହା ସୂର୍ଯ୍ୟାଲୋକରୁ ଉତ୍ତାପ ଆହରଣ କରୁଛି। କିନ୍ତୁ ବିକିରିତ ଉତ୍ତାପ ସହରର କୋଠାବାଡ଼ି ଓ ବହୁତଳ ପ୍ରାସାଦ ଭିତରେ ବନ୍ଦୀ ହୋଇ ରହିଯାଉଛି। ବାଷ୍ପୀକରଣ ପ୍ରକ୍ରିୟାରେ ଏହା ବାହାରକୁ ଯାଇପାରୁନାହିଁ। ଗତ ୧୫ ବର୍ଷ ଭିତରେ ଭୁବନେଶ୍ବରର ସହରୀକରଣ ୮୩ ପ୍ରତିଶତ ବୃଦ୍ଧି ପାଇଛି। ସେହି ପରିମାଣରେ ଅର୍ଥାତ୍‌ ୮୦ ପ୍ରତିଶତ ସବୁଜିମା ହ୍ରାସ ପାଇଛି। ଆର୍ଦ୍ରଭୂମି ୨ ପ୍ରତିଶତ ଏବଂ ସହର ଚତୁଃପାର୍ଶ୍ବରେ ଥିବା ଚାଷଜମିର ଆୟତନ ମଧ୍ୟ ୮୩ ପ୍ରତିଶତ ହ୍ରାସ ପାଇଛି।

କେତୋଟି ଉଦାହରଣ ଏଠି ଦିଆଯାଇପାରେ। ଭୁବନେଶ୍ବର ଦକ୍ଷିଣ ପଟକୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଯାଇଥିବା ରାଜରାସ୍ତାର ଉଭୟ ପାର୍ଶ୍ବରେ ଥିବା ଚାଷ ଜମିରେ ଘର, ଦୋକାନ, ବଜାର ଆଦି ଗଢ଼ି ଉଠିଲାଣି। ପଶ୍ଚିମ ପଟେ ଚନ୍ଦକା ପର୍ଯ୍ୟନ୍ତ ଥିବା ଜଙ୍ଗଲ କଟାଯାଇ ବସତି ସ୍ଥାପିତ ହୋଇଛି। ସହର ଭିତରେ ଯାଇଥିବା ରାସ୍ତା ପ୍ରଶସ୍ତକରଣ ନିମନ୍ତେ ପଥପାର୍ଶ୍ବ ବନୀକରଣରେ ଲାଗିଥିବା ଗଛଗୁଡ଼ିକୁ ବାରମ୍ବାର କଟାଯାଉଛି। ପୂର୍ବେ ଭୁବନେଶ୍ବରରୁ ବର୍ଷାଜଳ ଓ ଆବର୍ଜନା ନିଷ୍କାସନ ନିମନ୍ତେ ସାତ/ଆଠଟି ପ୍ରାକୃତିକ ଜଳ ନିଷ୍କାସନ ପ୍ରଣାଳୀ ଥିଲା। ସେଗୁଡ଼ିକ ଏବେ ପୋତି ହୋଇ ତା’ ଉପରେ କୋଠାବାଡ଼ି ନିର୍ମାଣ ହେଲାଣି, ଯାହା ସହରରୁ ଜଳ ନିଷ୍କାସନ ହେବାରେ ଅବରୋଧ ସୃଷ୍ଟି କରୁଛି।
ପ୍ରତିବର୍ଷ ସହରର ମୁଖ୍ୟ ରାସ୍ତାରେ ଥିବା ମଧ୍ୟବର୍ତ୍ତୀ ଅଞ୍ଚଳରେ ଏବଂ ଗଳି ରାସ୍ତାର ଦୁଇପାର୍ଶ୍ବରେ ନିମ୍ବ, କରଞ୍ଜ, ଶାଗୁଆନ, ବଉଳ, ଚମ୍ପା ଆଦି ଚିରସବୁଜ ବୃକ୍ଷରୋପଣ କରାଯାଉଛି। କିଛିବର୍ଷ ଖାଲିଥିବା ପ୍ଲଟ୍‌ରେ କେହି ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ, ସାମ୍ନାରେ ଥିବା ଗଛଗୁଡ଼ିକୁ କାଟି ଦିଅନ୍ତି। କଥାରେ ଅଛି, ‘ଅରକ୍ଷିତକୁ ଦଇବ ସାହା’। କିନ୍ତୁ ଏଠି ରାସ୍ତାକଡ଼ରେ ଲଗାଯାଇଥିବା ଗଛର ସାହା, ଭରସା କେହି ନାହାନ୍ତି। ସେଗୁଡ଼ିକ ସଂପୂର୍ଣ୍ଣ ରୂପେ ବେସାହାର।

କେହି ସଚେତନ ନାଗରିକ ଚାହିଁଲେ ବି କିଛି ଫଳ ମିଳେନା। ଧରନ୍ତୁ ଗଛଟିଏ କିଏ କାଟିଦେଲା ଏବଂ ଆପଣ ପୁଲିସକୁ ଫୋନ କରି ଏକଥା ଜଣାଇଲେ। ସେମାନଙ୍କଠାରୁ ଉତ୍ତର ଆସିବ, ଆପଣ ବନବିଭାଗକୁ ଜଣାନ୍ତୁ। ନିକଟସ୍ଥ ବନଖଣ୍ଡ ଅଧିକାରୀଙ୍କୁ ଫୋନ କଲେ, ସେ ମହାଶୟ ସବୁକଥା ଶୁଣିସାରିଲା ପରେ କହିବେ, ବନ ଉନ୍ନୟନ ନିଗମକୁ ରାସ୍ତା କଡ଼ରେ ଗଛ ଲଗାଇବାର ଦାୟିତ୍ବ ଦିଆଯାଇଥିଲା। ସେମାନଙ୍କୁ ଅବଗତ କରାନ୍ତୁ। ବନ ନିଗମର ଡିଭିଜନାଲ ମ୍ୟାନେଜରଙ୍କୁ ଜଣାଇଲେ ସେ କହିବେ, ଆମେ ଗଛ ଲଗାଇବାର ତିନିବର୍ଷ ପରେ ସେଗୁଡ଼ିକୁ ମହାନଗର ନିଗମକୁ ହସ୍ତାନ୍ତର କରିଦେଉ। ତେଣୁ ଏବେ ସେମାନେ ହିଁ ଗଛର ମାଲିକ। ମହାନଗର ନିଗମର କ୍ଷେତ୍ର ଅଧିକାରୀଙ୍କୁ ଜଣାଇଲେ ସେ କୁହନ୍ତି, ଗଛ ପାଇଁ ଏଫ.ଆଇ.ଆର୍‌ ଦାଖଲ ହୋଇ ପାରିବ କି ନାହିଁ ମୋତେ ଜଣାନାହିଁ। ଆପଣ ସମସ୍ତ ବିଷୟ ଲେଖୀ ଦରଖାସ୍ତଟିଏ ଦିଅନ୍ତୁ। ଆମେ ବିଚାର କରି ନିଷ୍ପତ୍ତି ନେବୁ। କଥା ସେଇଠି ରହିଯାଏ।
ରାସ୍ତା କଡ଼ରେ ଲଗାଯାଇଥିବା ଗଛର ରକ୍ଷଣାବେକ୍ଷଣା ପାଇଁ, ଏପରି ସମସ୍ୟା ସୃଷ୍ଟି ହେବାର ମୂଳ କାରଣ ହେଲା, ଭୁବନେଶ୍ବର ବା ଅନ୍ୟ ସହର ପାଇଁ ଓଡ଼ିଶାରେ ’ଟ୍ରି-ଆକ୍ଟ’ ଟିଏ ନାହିଁ। ଅଥଚ ଦିଲ୍ଲୀ, ଚେନ୍ନେଇ, ମୁମ୍ବାଇ ଓ ବେଙ୍ଗାଲୁରୁ ସହରରେ ‘ଟ୍ରି ପ୍ରୋଟେକସନ ବା ପ୍ରିଜରଭେସନ ଆକ୍ଟ’ ରହିଛି। େ ସବୁ ସହରରେ ରାସ୍ତାକଡ଼ରୁ ଗଛକୁ ଅନିୟମିତ ଭାବେ କାଟିବା ବା କ୍ଷତି ପହଞ୍ଚାଇବା ଦଣ୍ଡନୀୟ।

ଆମେ ସମସ୍ତେ ଜାଣିଛେ, ସହରାଞ୍ଚଳରେ ପ୍ରଚୁର ପରିମାଣରେ ବୃକ୍ଷରୋପଣ କେତେ ଜରୁରୀ। ହିଟ୍‌ ଆଇଲ୍ୟାଣ୍ଡ ପ୍ରଭାବକୁ ରୋକିବା ସହିତ ଏହା ପରିବେଶକୁ ବିଶୁଦ୍ଧ ରଖେ। ଛାୟା ପ୍ରଦାନ କରି ବାତାବରଣକୁ ସୁଶୀତଳ ରଖେ। ବାୟୁରୁ ଧୂଳିକଣା, ସୂକ୍ଷ୍ମ କଣିକାମାନ ଛାଣିନେଇ ପ୍ରଦୂଷଣ ମୁକ୍ତ କରେ। ବୃଷ୍ଟିଜଳକୁ ସଂରକ୍ଷଣ କରି ଭୂତଳ ଜଳସ୍ତର ବୃଦ୍ଧି କରିବାରେ ସହାୟକ ହୁଏ। ଯାନବାହନ ଚଳାଚଳ କରୁଥିବା ସହରର ରାଜରାସ୍ତାର ଦୁଇପଟେ ୧୦ ମିଟର ଓସାରରେ ଗଛ ଲାଗିଥିଲେ ଶବ୍ଦ ପ୍ରଦୂଷଣ ପାଞ୍ଚ ଡେସିମେଲ୍ ପର୍ଯ୍ୟନ୍ତ କମିଯାଏ। ସହର ଭିତର ଉତ୍ତାପ ଅପେକ୍ଷାକୃତ କମ୍‌ ରହିବା କାରଣରୁ ଏୟାରକଣ୍ଡିସନ ବ୍ୟବହାର କମିଯାଏ ଏବଂ ବାୟୁମଣ୍ଡଳକୁ ସବୁଜ ଗୃହ ବାଷ୍ପ ନିର୍ଗମନ ହ୍ରାସ ପାଏ। ଶକ୍ତି ସଂଚୟ ହୁଏ। ଏହା ଏକ ଚକ୍ରୀୟ ପ୍ରକ୍ରିୟା। ତେଣୁ ଆମ ସହରରେ ‘ବେସାହାରା’ ଭାବେ ବଢୁଥିବା ଗଛଗୁଡ଼ିକୁ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ ‘ଟ୍ରି-ପ୍ରିଜରଭେସନ ଆକ୍ଟ’ ପ୍ରଣୟନ ଏକାନ୍ତ ଜରୁରୀ।

ଡ. ବିଜୟ କେତନ ପଟ୍ଟନାୟକ

(ପ୍ରାକ୍ତନ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ)
ଭୁବନେଶ୍ବର, ମୋ: ୯୪୩୭୦୦୦୯୦୪

About The Author: The Sakala