ଏବେ ବଢ଼଼ି ବଢ଼଼ି ଚାଲିଛି ଦୁନିଆର ଲୋକସଂଖ୍ୟା। ଦ୍ରୁତ ସହରୀକରଣ ହେତୁ ସୀମିତ ପରିସୀମା ମଧ୍ୟରେ ବାସ କରିବାରେ ଲାଗିଛନ୍ତି ସଂଖ୍ୟାଧିକ ଲୋକ। ତେବେ ବିରୋଧାତ୍ମକ ମନେ ହେଲେ ହେଁ ସେଥିସହିତ ବଢ଼଼ିଚାଲିଛି ନିଃସଂଗତା। କାରଣ ପରିବାରବର୍ଗ ଏବଂ ପଡ଼ୋଶୀ ବା ସମ୍ପର୍କୀୟଙ୍କ ମଧ୍ୟରେ ଏକଦା ଥିବା ଭାବପ୍ରବଣତା ରଜ୍ଜୁରେ ବନ୍ଧା ସମ୍ପର୍କ ଏବେ ଶିଥିଳ ହେବାରେ ଲାଗିଛି। କେହି କାହାରି ଭଲ ମନ୍ଦ ସହିତ ଆନ୍ତରିକତାର ସହ ସାମିଲ ହେଉ ନାହାନ୍ତି। ଫଳରେ ଜନସମୁଦ୍ର ମଧ୍ୟରେ ନିଃସଂଗ ହୋଇ ପଡ଼ିଛି ମଣିଷ। ଏହା ଏବେ ସୃଷ୍ଟିକଲାଣି ଏପରି ସାମାଜିକ ସମସ୍ୟା, ଯାହା ଜୀବନକୁ ଯନ୍ତ୍ରଣାମୟ କରୁଛି। ବିଶେଷକରି ପରିବାର ଏବଂ ସମାଜ ଦ୍ୱାରା ଉପେକ୍ଷିତ ବୟସ୍କଲୋକେ ଏହିନ ନିଃସଙ୍ଗ ପ୍ରବଣତା ଅଧିକ ଉପଲବ୍ଧି କଲେ ହେଁ ଯୁବବର୍ଗ ମଧ୍ୟରେ ବି ତାହା କମ୍ ଅନୁଭୂତ ହେଉନାହିଁ।
ମନସ୍ତତ୍ତ୍ୱବିତ୍ମାନଙ୍କ ମତରେ ନିଃସଂଗତା ବିବିଧ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟା। ବୋଧଶକ୍ତିର ଅପଚୟ ଏବଂ ଅକାଳ ମୃତ୍ୟୁର ଅଗ୍ରଦୂତ ରୂପେ ଏବେ ଏହା ଦୁନିଆ ସମ୍ମୁଖରେ ଉଭା ହୋଇଛି। ଏହା ଧୂମପାନ, ପୁଷ୍ଟିହୀନତା ଅଥବା ଅନ୍ୟକିଛି ଜୀବନଚର୍ଯ୍ୟାଜନିତ ରୋଗ ଭଳି କ୍ଷତିକାରକ ସାବ୍ୟସ୍ତ ହେଉଛି।
ଆମେ ଅନେକ ସମୟରେ ନିଃସଂଗତା ଓ ବିଜନତାକୁ ଏକ ବୋଲି ବିଚାର କରୁ। ତେବେ ତାହା ଠିକ୍ ନୁହେଁ, ଯଦିଓ ଏ ଉଭୟ ଶବ୍ଦର ଅର୍ଥ ଏକାପ୍ରକାର- ଆମ ନିକଟରେ ଅନ୍ୟ ଲୋକଙ୍କର ଅନୁପସ୍ଥିତି। କାରଣ ମୁନି, ଋଷି, କବି ଓ ଦାର୍ଶନିକମାନେ ବିଜନତାକୁ ସ୍ୱଇଚ୍ଛାରେ ଆଦରି ନେଇଥା’ନ୍ତି, ଜନପଦରୁ ଦୂରରେ ରହି ମନକୁ ସାଂସାରିକ ଚାପରୁ ସମ୍ପୂର୍ଣ୍ଣ ମୁକ୍ତ ରଖିବା ପାଇଁ ଏବଂ ତାହାକୁ ଗୋଟିଏ ନିର୍ଦ୍ଦିଷ୍ଟ ମାର୍ଗରେ ପରିଚାଳିତ କରିବାକୁ। ହେଲେ ନିଃସଂଗତା ଆମ ଉପରେ ଲଦି ଦିଆଯାଇଥାଏ। ଏହା ସାଧାରଣତଃ ଘଟିଥାଏ ସମ୍ପର୍କରେ ସଂକଟ ହେତୁ ଏବଂ ପ୍ରିୟ ପରିଜନ ବା ବନ୍ଧୁମାନଙ୍କଠାରୁ ମାନସିକ ସ୍ତରରେ ଦୂରେଇ ଯିବା ଫଳରେ। ଅତଏବ ଏହା ମନକୁ ଭାରାକ୍ରାନ୍ତ କରେ। ଏ ଉଭୟ ପରିବେଶ ମସ୍ତିଷ୍କକୁ ଭିନ୍ନ ଭିନ୍ନ ଭାବେ କାର୍ଯ୍ୟକ୍ଷମ ହେବାକୁ ପରିଚାଳିତ କରନ୍ତି।
ନିଃସଂଗତା ଗୋଟିଏ ଦିଗରେ ସାମାଜିକ ନିରାପତ୍ତାକୁ କ୍ଷୁଣ୍ଣ କରେ ଏବଂ ଅନ୍ୟ ଦିଗରେ ପ୍ରତ୍ୟେକଙ୍କଠାରେ ଭିନ୍ନ ଭିନ୍ନ ଭାବେ ବଦଳାଇଦିଏ ଦୁନିଆକୁ ଦେଖିବାର ଦୃଷ୍ଟିଭଙ୍ଗୀ। କାରଣ ଏହା ଆମ ମସ୍ତିଷ୍କର କାମ କରିବାର ଢଙ୍ଗରେ ଆଣେ ଅଲଗା ଅଲଗା ପ୍ରକାର ପରିବର୍ତ୍ତନ। ପ୍ରତ୍ୟେକ ନିଃସଂଗ ଲୋକ କ୍ଷେତ୍ରରେ ତାହା ଗୋଟିଏ ନିର୍ଦ୍ଦିଷ୍ଟ ସୂଚନାକୁ ଭିନ୍ନ ଭିନ୍ନ ଭାବେ ପ୍ରକ୍ରିୟାକରଣ କରିବାରୁ ଏପରି ଘଟେ ବୋଲି ବୈଜ୍ଞାନିକମାନଙ୍କ ମତ।
ଏକଥା ମନକୁ ଆଣିଥାଏ ସର୍ବକାଳୀନ ମହାନ ଦାର୍ଶନିକ ଲିଓ ଟଲଷ୍ଟୟଙ୍କ ସୁପ୍ରସିଦ୍ଧ ଗ୍ରନ୍ଥ ‘ଆନା କାରେନିନା’ରେ ସୂଚୀତ କରିଥିବା ଏକ ଉକ୍ତି- ‘ସବୁ ସୁଖୀ ପରିବାର ଏକପ୍ରକାର, କିନ୍ତୁ ଅସୁଖୀ ପରିବାରଗୁଡ଼ିକ ତାଙ୍କ ନିଜ ନିଜ ଢଙ୍ଗରେ ଅସୁଖୀ’। ଅତଏବ ନିଃସଂଗତା ଅନୁଭବ ନ କରୁଥିବା ଏବଂ ଶ୍ରଦ୍ଧାବାନ ପରିବାରବର୍ଗ ଓ ପଡ଼ୋଶୀଙ୍କ ମଧ୍ୟରେ ସୁଖରେ ବାସ କରୁଥିବା ସଭିଙ୍କର ମସ୍ତିଷ୍କ ଗୋଟିଏ ସୂଚନାକୁ ଗୋଟିଏ ଢଙ୍ଗରେ ପ୍ରକ୍ରିୟାକରଣ କଲା ବେଳେ ନିଃସଂଗ ଲୋକଙ୍କଠାରେ ତାହା ନିଜ ନିଜର ବ୍ୟକ୍ତିଗତ ପ୍ରକୃତି ଅନୁସାରେ ହୁଏ।
ଆମେରିକାର ଡୋର୍ଣ୍ଣସିଫ୍ କଲେଜ୍ ଅଫ୍ ଲେଟରସ୍, ଆଟର୍ସ ଆଣ୍ଡ ସାଇନ୍ସର ମନସ୍ତତ୍ତ୍ୱ ବିଭାଗର ଗବେଷକମାନଙ୍କ ମତରେ ନିଃସଂଗତା ସଦାସର୍ବଦା ଦେହ ଓ ମନର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତାହା ଆଣିଥାଏ ଆତ୍ମ-ଅବଗତି ଅନୁଭବ, ଯାହା ଅନ୍ୟମାନଙ୍କ ବୋଧଗମ୍ୟ ହୁଏ ନାହିଁ। ସାରା ଦୁନିଆରେ ଏ ଅବସ୍ଥା ଭୋଗୁଥିବା ଲୋକଙ୍କର ଏ ଯନ୍ତ୍ରଣା ବଢ଼଼ି ବଢ଼଼ି ଚାଲିଥିବା ଦୃଷ୍ଟିରୁ ସେ ଦେଶର ସର୍ଜନ ଜେନେରାଲ୍ ଏହାକୁ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ରୂପେ ଅଭିହିତ କରିଛନ୍ତି। ପୁନଶ୍ଚ ଡୋର୍ଣ୍ଣସିଫ୍ର ମନସ୍ତତ୍ତ୍ୱ ବିଭାଗର ପ୍ରଫେସର ଏଲିସା ବ୍ୟାକ୍ ଏବଂ ତାଙ୍କ ସହ ଯୋଗୀମାନେ ଏହା ଉପରେ ଜାରି ରଖିଥିବା ଅଧ୍ୟୟନରେ ୮ ରୁ ୨୦ ବର୍ଷ ବୟସ୍କ ୬୬ଜଣ ଛାତ୍ରଛାତ୍ରୀଙ୍କୁ କେତେକ ଭିଡିଓ ଦେଖାଇବା ଅବସ୍ଥାରେ ‘ଫଙ୍କସନାଲ୍ ମାଗ୍ନେଟିକ୍ ରେଜୋନାନ୍ସ ଇମେଜିଂ’ ବ୍ୟବସ୍ଥା ସାହାଯ୍ୟରେ ସେମାନଙ୍କ ମସ୍ତିସ୍କର ସ୍ନାୟୁଚିତ୍ର ଉତ୍ତୋଳନ କରିଥିଲେ। ଏହି ବିବିଧ ବିଷୟର ଭିଡିଓମାନଙ୍କ ମଧ୍ୟରେ ଥିଲା ଭାବପ୍ରବଣ ସଙ୍ଗୀତଠାରୁ ଆରମ୍ଭ କରି ଖେଳକୁଦ ପର୍ଯ୍ୟନ୍ତ। ବିଶ୍ଳେଷଣ ପାଇଁ ଏହା ସେମାନଙ୍କ ମସ୍ତିଷ୍କକୁ ଭିନ୍ନ ଭିନ୍ନ ପ୍ରକାର ଦୃଶ୍ୟମାନ ଯୋଗାଇଥିଲା। ଏ ପରୀକ୍ଷା କରାଯାଏ ଲୋକଙ୍କର ନିଃସଂଗତାପଣ ଏବଂ ସାମାଜିକ ବିଚ୍ଛେଦତାର ମାପ କରିବାକୁ।
ସର୍ବେକ୍ଷଣର ଫଳାଫଳ ଉପରେ ଭିତ୍ତିକରି ଗବେଷକମାନେ ଅଂଶଗ୍ରହଣକାରୀମାନଙ୍କୁ ନିଃସଂଗତା ଅନୁଭବ କରିଥିବା ଏବଂ ତାହା କରି ନଥିବା ଦୁଇଟି ଦଳରେ ବିଭକ୍ତ କଲେ। ସେମାନଙ୍କୁ ପୁନର୍ବାର ଭିଡିଓ ଦେଖିବାକୁ ଦେଇ ସେହି ସମୟରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ମସ୍ତିଷ୍କକୁ ‘ଫଙ୍କସନାଲ୍ ମ୍ୟାଗ୍ନେଟିକ୍ ରେଜୋନାନ୍ସ ଇମେଜିଂ’ ଦ୍ୱାରା ସ୍କାନ୍ କରିବାକୁ ଲାଗିଲେ। ଏହି ଚିତ୍ରଗୁଡ଼ିକର ତଥ୍ୟାବଳୀ ମଧ୍ୟରେ ତୁଳନା କରିବାରୁ ଜଣାପଡ଼ିଲା ଯେ ନିଃସଂଗ ଲୋକଙ୍କର ମସ୍ତିଷ୍କର ପ୍ରକ୍ରିୟାକରଣ କରିବା ଭଂଗୀ ପରସ୍ପରଠାରୁ ବେଶ୍ ଭିନ୍ନ ଏବଂ ବ୍ୟକ୍ତିଭିତ୍ତିକ। ବିଭିନ୍ନ ଲୋକଙ୍କ ମସ୍ତିଷ୍କର କାର୍ଯ୍ୟ କରିବା ଭଙ୍ଗୀ ସୂଚାଉଥିବା ସ୍ନାୟବିକ ବ୍ୟବସ୍ଥା ସେମାନେ ଦୁନିଆ ବିଷୟରେ ଲାଭ କରୁଥିବା ବୋଧଗମ୍ୟତା ସହିତ କିପରି ସମ୍ପୃକ୍ତ ତାହା ଏଥିରୁ ଜାଣିବାକୁ ମିଳିଲା। ଏହି ବୋଧଗମ୍ୟତା ସାମାଜିକ ସମ୍ପୃକ୍ତି ପ୍ରତିଷ୍ଠା ଲାଗି ଗୁରୁତ୍ୱପୂର୍ଣ୍ଣ। ନିଃସଂଗ ଲୋକମାନଙ୍କଠାରେ କେବଳ ଯେ ଦୁନିଆ ବିଷୟରେ ଲାଭ କରୁଥିବା ଅନୁଭୂତିକୁ ପ୍ରକ୍ରିୟାକରଣ କରିବାର ସମାନତା କମ୍ ତା’ ନୁହେଁ, ବରଂ ସେ ପ୍ରତ୍ୟେକଙ୍କର ତାହା ସ୍ୱତନ୍ତ୍ର। ଏହି ଅନନ୍ୟତା ସମ୍ଭବତଃ ଏକାକୀପଣର ଅନୁଭୂତି ସମୂହ ଏବଂ କମ୍ ସାମାଜିକ ସମ୍ପୃକ୍ତିକୁ ପ୍ରଭାବିତ କରେ।
ବୈଜ୍ଞାନିକମାନଙ୍କ ମତରେ କୌଣସି ଲକ୍ଷ୍ୟଟିଏ ରଖି କାର୍ଯ୍ୟ କରିବାର ପ୍ରୟାସ ନିଃସଂଗତାର ପ୍ରଭାବରୁ ମୁକ୍ତି ଦେଇପାରେ। ଆସ୍ପେନ୍ ଇନ୍ଷ୍ଟିଚ୍ୟୁଟ୍ ରିପୋର୍ଟ-୨୦୨୨ ଅନୁସାରେ ଭାରତରେ ୨୦୦୪ ମସିହାରେ ପ୍ରାୟ ୫ ନିୟୁତ ଲୋକ ଏକାକୀ ବାସ କରୁଥିଲେ ଏବଂ ନିଃସଂଗତା ଅନୁଭବ କରୁଥିଲେ। ତତ୍ପରେ ୨୦୧୭ ବେଳକୁ ଏ ସଂଖ୍ୟା ପହଞ୍ଚିଥିଲା ପ୍ରାୟ ୭ ନିୟୁତରେ। ଏପରିକି ଯୁବଗୋଷ୍ଠୀ ମଧ୍ୟ ଏହାର ଶିକାର ହେଉଥିବାର ସେଥିରୁ ସ୍ପଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୧୨ ଶତାଂଶ ଚାପଗ୍ରସ୍ତ ଥିବା ବେଳେ ୮ ଶତାଂଶ ନିଃସଂଗତା ଅନୁଭବ କରୁଥିଲେ। ବୟସ୍କମାନଙ୍କ ମଧ୍ୟରେ ଏହା ଥିଲା ଯଥାକ୍ରମେ ୩୭ ଏବଂ ୧୮ ଶତାଂଶ।
ଆମେରିକାରୁ ପ୍ରକାଶିତ ଗବେଷଣା ପତ୍ରିକା ‘ଦି ଜର୍ଣ୍ଣାଲ ଅଫ୍ ବିହାବିହେରାଲ୍ ମେଡିସିନ୍’ରେ ୨୦୧୦ ମସିହାରେ ପ୍ରକାଶିତ ଏକ ନିବନ୍ଧରେ ନିଃସଂଗତାକୁ ମାନସିକଚାପ ଏବଂ ତଦ୍ଜନିତ ମାନସିକ ତଥା ଶାରୀରିକ ଅସଂଗତିର ଏକ ମୁଖ୍ୟ କାରଣ ରୂପେ ଅଭିହିତ କରାଯାଇଛି। ଅନ୍ୟପକ୍ଷରେ ନିକଟରେ ଏହା ଉପରେ ଏକ ଅଧ୍ୟୟନ କରିଛନ୍ତି ସେଣ୍ଟ ଲୁଇସ୍ ସ୍ଥିତ ୱାଶିଂଟନ୍ ବିଶ୍ୱବିଦ୍ୟାଳୟ ଏବଂ ନେଦରଲ୍ୟାଣ୍ଡସ୍ର ଟିଲ୍ବର୍ଗ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱବିତ୍ମାନେ। ଏଥିରେ ସେମାନେ ସ୍ୱିଜରଲ୍ୟାଣ୍ଡର ୨୩୦୦ରୁ ଅଧିକ ନିଃସଂଗ ଲୋକଙ୍କୁ ପରୀକ୍ଷାରେ ଅନ୍ତର୍ଭୁକ୍ତ କରିଥିଲେ। ତହିଁରୁ ଜଣାପଡ଼ିଲା ଯେ ବୟସ ନିର୍ବିଶେଷରେ ଯୁବକ-ଯୁବତୀ ଏବଂ ବୟସ୍କ ସଭିଙ୍କ କ୍ଷେତ୍ରରେ ସାଧାରଣତଃ ଯେଉଁମାନଙ୍କର ଜୀବନ କିଛିଟା ଲକ୍ଷ୍ୟଭିତ୍ତିକ ଥିଲା, ସେମାନେ ନିଃସଂଗତା କମ୍ ଅନୁଭବ କରୁଥିଲେ।
ଲକ୍ଷ୍ୟଭିତ୍ତିକ ଜୀବନଧାରା ହେଉଛି ଏକ ସାଧାରଣ ଅବରୋଧ, ଯାହାକି ଆମକୁ ଗୋଟିଏ ଦିନରୁ ଆଉ ଗୋଟିଏ ଦିନକୁ ପରିଚାଳିତ କରିଥାଏ। ଏହାର ଅନ୍ତର୍ଭୁକ୍ତ ହେଲା କ୍ଲବ୍ରେ ଯୋଗଦେବା, ବଗିଚା କାମ କରିବା, ଲେଖାପଢ଼଼ାରେ ନିୟୋଜିତ ରହିବା, ସ୍ୱେଚ୍ଛାସେବୀ ରୂପେ ଅନ୍ୟକୁ ସାହାଯ୍ୟ କରିବା କିମ୍ବା ନିୟମିତ ଖେଳାଖେଳି କରିବା। ସାଧାରଣତଃ ଜୀବନରେ ଲକ୍ଷ୍ୟ ରଖିଥିବା ବ୍ୟକ୍ତି ସାମାଜିକ ସହଯୋଗ ପାଇଥା’ନ୍ତି। ଏପରିକି ବୟସ ୭୦/୭୫ ଅତିକ୍ରମ କଲାପରେ ମଧ୍ୟ ଏହା ତାଙ୍କର ଉତ୍ସାହକୁ ଉତ୍ତୋଜିତ କରେ। ଅତଏବ ସେମାନେ ନିଃସଂଗତା ଅନୁଭବ କରନ୍ତି ନାହିଁ। ଜର୍ମାନୀର ବୟସ୍କ ଲୋକେ ଆପଣାଉଥିବା ଏକ ଜୀବନଶୈଳୀର ସୂଚନା ଏଠାରେ ପ୍ରଣିଧାନଯୋଗ୍ୟ। କର୍ମକ୍ଷେତ୍ରରୁ ଅବସର ନେଲାପରେ ସେମାନେ ଆରମ୍ଭ କରୁଛନ୍ତି ନୂଆ ନୂଆ ବିଦେଶୀ ଭାଷା ଶିକ୍ଷା କରିବା। ସ୍ନାୟୁବିଜ୍ଞାନୀମାନଙ୍କ ମତରେ ଏ ପ୍ରକାର କାର୍ଯ୍ୟ ମସ୍ତିଷ୍କ ଉପରୁ ନିଃସଂଗତାର ନକାରାତ୍ମକ ପ୍ରଭାବ ଦୂର କରେ। ଏପରିକି ଦୁର୍ବଳ ହୋଇ ପଡ଼ିଥିବା ସ୍ନାୟୁଗୁଡ଼ିକୁ ସକ୍ରିୟ କରି ସ୍ମରଣଶକ୍ତି ଫେରାଇ ଆଣିବାରେ ମଧ୍ୟ ସହାୟକ ହୁଏ। ସେମାନଙ୍କ କ୍ଷେତ୍ରରେ ତାହା ହିଁ ଘଟିବାର ଦେଖାଯାଉଛି।
ଏଣୁ ଚାଲନ୍ତୁ ଶାରୀରିକ ସ୍ୱାସ୍ଥ୍ୟ ଅନୁମତି ଦେଲା ପର୍ଯ୍ୟନ୍ତ ଆମେ ଏକ ଲକ୍ଷ୍ୟ ସ୍ଥିର କରି ସେଥିପାଇଁ କାର୍ଯ୍ୟବ୍ୟସ୍ତ ରହିବା। ତାହା ଆମ ମାନସିକ ଶକ୍ତିକୁ ଉତ୍ତୋଳିତ କରିବା ସହିତ ଅନ୍ୟମାନଙ୍କ ସହ ଭାବର ବିନିମୟର ସୁଯୋଗ ଦେବ। ଅତଏବ ନିଃସଂଗତାର ଘାତକ ପ୍ରଭାବରୁ ଆମେ ବି ମୁକ୍ତ ରହିପାରିବା।
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
ଭୁବନେଶ୍ୱର, ମୋ: ୯୯୩୭୩୦୧୪୬୦