ପୃଥିବୀରେ ମଣିଷର ଅସ୍ତିତ୍ୱ ଆଉ କେତେଦିନ?

ଆଜିକୁ ଆନୁମାନିକ ୩୪୦ କୋଟି ବର୍ଷ ପୂର୍ବେ ପୃଥିବୀରେ ଜୀବସତ୍ତା ସୃଷ୍ଟି ହୋଇଥିଲା। ଇତିମଧ୍ୟରେ ସେଥିରୁ ୯୦ ଶତାଂଶରୁ ଅଧିକ ପ୍ରଜାତି ନିଶ୍ଚିହ୍ନ ହୋଇଯାଇଛନ୍ତି। ପ୍ରାୟ ୨ ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ଜନ୍ମ ନେଇଥିବା ମଣିଷ କିନ୍ତୁ ପୂର୍ବର ସବୁ ପ୍ରଜାତିଠାରୁ ଭିନ୍ନ। ମଣିଷ ଆତ୍ମସଚେତନ ଓ ବୁଦ୍ଧିମାନ ହୋଇଥିବା କାରଣରୁ ନିଜର ଅବଧାରିତ ମୃତ୍ୟୁକୁ ଯଥା ସମ୍ଭବ ବାଧା ଦେବା ପାଇଁ ସମର୍ଥ। ପୃଥିବୀର ପ୍ରାକୃତିକ ଇତିହାସ ଭୂତାତ୍ତ୍ୱିକ ସମୟର କେତୋଟି ବିଶାଳ ଅଂଶରେ […]

ଆଜିକୁ ଆନୁମାନିକ ୩୪୦ କୋଟି ବର୍ଷ ପୂର୍ବେ ପୃଥିବୀରେ ଜୀବସତ୍ତା ସୃଷ୍ଟି ହୋଇଥିଲା। ଇତିମଧ୍ୟରେ ସେଥିରୁ ୯୦ ଶତାଂଶରୁ ଅଧିକ ପ୍ରଜାତି ନିଶ୍ଚିହ୍ନ ହୋଇଯାଇଛନ୍ତି। ପ୍ରାୟ ୨ ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ଜନ୍ମ ନେଇଥିବା ମଣିଷ କିନ୍ତୁ ପୂର୍ବର ସବୁ ପ୍ରଜାତିଠାରୁ ଭିନ୍ନ। ମଣିଷ ଆତ୍ମସଚେତନ ଓ ବୁଦ୍ଧିମାନ ହୋଇଥିବା କାରଣରୁ ନିଜର ଅବଧାରିତ ମୃତ୍ୟୁକୁ ଯଥା ସମ୍ଭବ ବାଧା ଦେବା ପାଇଁ ସମର୍ଥ।

ପୃଥିବୀର ପ୍ରାକୃତିକ ଇତିହାସ ଭୂତାତ୍ତ୍ୱିକ ସମୟର କେତୋଟି ବିଶାଳ ଅଂଶରେ ବିଭକ୍ତ। ‘ଇୟନ’ ବା ‘ଯୁଗଯୁଗାନ୍ତ’ ନାମକ ସବୁଠାରୁ ବିଶାଳ ଅଂଶଗୁଡ଼ିକ ପ୍ରତ୍ୟେକେ ପ୍ରାୟ ୧୦୦ କୋଟି ବର୍ଷ ଦୀର୍ଘ। ସେଗୁଡ଼ିକ ଯେଉଁ ସବୁ ଛୋଟ ଛୋଟ ଅଂଶରେ ବିଭକ୍ତ, ସେଗୁଡ଼ିକୁ କୁହାଯାଏ ‘ଇପୋକ୍‌‌’ ବା ‘ଯୁଗ’। ଏଯାବତ୍‌‌ ପୃଥିବୀ ତିନିଟି ‘ଇୟନ୍‌‌’ ପାର ହୋଇ ଚତୁର୍ଥରେ ଉପନୀତ। ଆଉ ଯେଉଁମାନେ ଏବକାର ଯୁଗରେ ବାସ କରୁଛନ୍ତି, ସେମାନଙ୍କୁ କୁହାଯାଉଛି ‘ଆନ୍ଥ୍ରୋପୋସିନ୍‌‌’ ବା ‘ନୂତନ ମନୁଷ୍ୟ’। ବିଶିଷ୍ଟ ଆମେରିକୀୟ ଜ୍ୟୋତିଃଜୀବବିଜ୍ଞାନୀ ଡେଭିଡ୍‌‌ ଗ୍ରୀନ୍‌‌ସ୍ପୁନ ମନେ କରନ୍ତି, ଆନ୍ଥ୍ରୋପୋସିନ୍‌‌ ପଞ୍ଚମ ଇୟନ ହେଉଛି ବିଜ୍ଞ ଜୀବନର ସମୟ। ଏହା ଉତ୍ତରଣର ସୂଚକ, ଯେଉଁଠି ମନୁଷ୍ୟର ଚିନ୍ତା, କାର୍ଯ୍ୟ ଓ ସୃଷ୍ଟି ପୃଥିବୀକୁ ତାତ୍ପର୍ଯ୍ୟମୟ ରୂପ ଦେଇପାରେ। ଅବଶ୍ୟ ଗୋଟିଏ ଯୁଗକୁ ଗୋଟିଏ ‘ଇୟନ’ ହେବାକୁ ହେଲେ ସୁଦୀର୍ଘ ସମୟ ଅତିବାହିତ କରିବା ପାଇଁ ହୁଏ। ମଣିଷ ଜାତି କ’ଣ ସେତେଦିନ ବଞ୍ଚିରହି ପାରିବ?

ମଣିଷ ଜାତି ପୃଥିବୀରେ ତିଷ୍ଠି ରହିବା ନିର୍ଭର କରେ ବେଶ୍‌‌ କେତୋଟି ସ୍ୱଳ୍ପସ୍ଥାୟୀ ଓ ଦୀର୍ଘସ୍ଥାୟୀ ଅସ୍ତିତ୍ୱଗତ ଆଶଙ୍କା ବା ବିପଦ ଅତିକ୍ରମ କରିପାରିବାର ସାମର୍ଥ୍ୟ ଭିତରେ। ସେଥିମଧ୍ୟରୁ କେତୋଟି ମଣିଷର ସ୍ୱ-ଆରୋପିତ, ଅନ୍ୟ କେତେକ ପ୍ରାକୃତିକ। ପ୍ରଥମରେ ବିଚାର କରାଯାଉ ବେଲୁନ ଭଳି ଫୁଲିଫୁଲି ଯାଉଥିବା ଜନସଂଖ୍ୟାର କଥା। ଗତ ୧୦ ହଜାର ବର୍ଷରେ କିମ୍ବା ଶେଷ ତୁଷାର ଯୁଗଠାରୁ ମଣିଷ ଜାତି ଧୀର ଅଥଚ ସ୍ଥିର ଭାବରେ ଜ୍ଞାନ ଓ ପ୍ରଯୁକ୍ତିରେ କ୍ରମଶଃ ସମୃଦ୍ଧ ହୋଇଚାଲିଛି। ଅବଶ୍ୟ ରୋମ ସାମ୍ରାଜ୍ୟର ପତନ ପରେ ବା ମଧ୍ୟଯୁଗରେ (୪୭୬ ଖ୍ରୀଷ୍ଟାବ୍ଦଠାରୁ ରେନେସା (୧୪ରୁ ୧୬ ଶତାବ୍ଦୀ) ପର୍ଯ୍ୟନ୍ତ) କିଛି ବିପର୍ଯ୍ୟୟ ବା ବିପତ୍ତି କାରଣରୁ ସେହି ଅଗ୍ରଗତି ବାଧାପ୍ରାପ୍ତ ହୋଇଛି। କିନ୍ତୁ ପୃଥିବୀର ଜନସଂଖ୍ୟାକୁ ଖୁଆଇ, ପିନ୍ଧେଇ, ବଞ୍ଚେଇ ରଖିବାର ମଣିଷର ପ୍ରଯୁକ୍ତିଗତ ସାମର୍ଥ୍ୟର ପରିମାଣ ୧୪୦୦ ଶତକରେ ଇଉରୋପରେ ‘ବ୍ଲାକ୍‌‌ଡେଥ୍‌‌’(ପ୍ଲେଗ୍‌‌) ଭଳି କିଛି ସାଂଘାତିକ ମହାମାରୀ ବ୍ୟତୀତ ମୋଟାମୋଟି ସ୍ଥିର ଭାବରେ ବଢ଼଼ିଛି। ଗତ ୨୦୦ ବର୍ଷରେ ପୃଥିବୀର ଜନସଂଖ୍ୟା ୧୦୦ କୋଟିରୁ ଲମ୍ଫ ଦେଇ ଦେଇ ୭୮୦ କୋଟି ଅତିକ୍ରମ କରିଗଲାଣି। ‘କାର୍ବନ ଡାଇଅକ୍ସାଇଡ୍‌‌ ଇନ୍‌‌ଫରମେସନ ଆନାଲାଇଜର ସେଣ୍ଟର’ର ହିସାବ ଅନୁଯାୟୀ ମଣିଷର ମୁଣ୍ଡପିଛା କାର୍ବନ ନିର୍ଗମନର ବୃଦ୍ଧି ସଂଗେ ସଂଗେ ବଢ଼଼ିଛି ଜନସଂଖ୍ୟାର ହାର ମଧ୍ୟ। ଗତ ୧୦୦ ବର୍ଷରେ ଚାରିଗୁଣ ବୃଦ୍ଧିପାଇଛି ଜନସଂଖ୍ୟା। ଏହି ଧାରା ଜାରି ରହିଲେ ୨୬୦୦ ମସିହା ବେଳକୁ ବିଶ୍ୱ ଜନସଂଖ୍ୟା ଏତେ ବଢ଼଼ିଯିବ ଯେ ଖାଦ୍ୟ ଓ ଅନ୍ୟାନ୍ୟ ସମସ୍ୟା ସଂଗେ ସଂଗେ ବିରାଟ ସମସ୍ୟା ରୂପେ ଉଭା ହୋଇପଡ଼ିବ ବିଦ୍ୟୁତର ବ୍ୟବହାର।

ଆହୁରି ମଧ୍ୟ ଆଶଙ୍କା କରାଯାଉଛି ଯେ ପୃଥିବୀର ଉଷ୍ଣାୟନ କାରଣରୁ ଉତ୍ତରମେରୁ ଓ ଦକ୍ଷିଣମେରୁରେ ବରଫ ଆସ୍ତରଣ ତରଳିବା ଫଳରେ ମହାଶୂନ୍ୟରେ ସୂର୍ଯ୍ୟରଶ୍ମିର ଆଂଶିକ ପ୍ରତିଫଳନ ହୋଇ ପୃଥିବୀର ଉଷ୍ଣତା ଆହୁରି ବଢ଼଼ିଯାଇପାରେ। ଜଳବାୟୁର ପରିବର୍ତ୍ତନ ଆମାଜନ୍‌‌ ଓ ଅନ୍ୟ ଘନ ବର୍ଷାର ବନାଞ୍ଚଳକୁ ଧ୍ୱଂସ କରିଦେଇପାରେ ଏବଂ ଏହିପରି ଭାବରେ ବାୟୁମଣ୍ଡଳର ଅଙ୍ଗାରକାମ୍ଳ ପରିମାଣ ହ୍ରାସ କରିବାର ଏକ ପଥ ବନ୍ଦ ହୋଇଯାଇପାରେ। ସମୁଦ୍ର ଜଳର ଉଷ୍ଣତା ବଢ଼଼ିଲେ ନିର୍ଗତ ହୋଇପାରେ ପ୍ରଚୁର ଅଙ୍ଗାରକାମ୍ଳ। ଏଥÒଯୋଗୁଁ ଉଷ୍ଣାୟନର ମାତ୍ରା ବଢ଼଼ି ବଢ଼଼ି ଏକ ସମୟରେ ହୁଏତ ଶୁକ୍ରଗ୍ରହର ଜଳବାୟୁ ଭଳି ପୃଥିବୀର ଜଳବାୟୁ ରୂପ ନେଇପାରେ, ଯେଉଁଠି ୨୫୦ ଡିଗ୍ରୀ ସେଲସିୟସ ଉଷ୍ଣତାରେ ହୋଇଥାଏ ଉତ୍ତପ୍ତ ସିଲଫ୍ୟୁରିକ୍‌‌ ଏସିଡ୍‌‌ର ବୃଷ୍ଟି।

ପୃଥିବୀରୁ ଅଙ୍ଗାରକାମ୍ଳକୁ ଯଥାସମ୍ଭବ ନିର୍ମୂଳ କରିବା ପାଇଁ ବିଜ୍ଞାନୀ ଓ ସାଧାରଣ ମଣିଷର ଆବେଦନକୁ ବଡ଼ ବଡ଼ ରାଷ୍ଟ୍ରର କର୍ଣ୍ଣଧାରମାନେ କ୍ରମାଗତ ଭାବରେ ଉପେକ୍ଷା କରି ଚାଲିଛନ୍ତି। ନିଜ କାର୍ଯ୍ୟର ପରିଣାମରେ ପୃଥିବୀରୁ ମଣିଷର ଅବଲୁପ୍ତି ଅବଶ୍ୟମ୍ଭାବୀ ହୋଇପାରେ। କାହିଁକି ନା ବିଜ୍ଞାନୀମାନଙ୍କର ଆଶଙ୍କା ଯେ ୨୦୫୦ ମସିହା ମଧ୍ୟରେ ପୃଥିବୀର ଉଷ୍ଣତା ୫.୪ ଡିଗ୍ରୀ ଫାରେନ୍‌‌ହିଟ୍‌‌ (୩ ଡିଗ୍ରୀ ସେଣ୍ଟିଗ୍ରେଡ୍‌‌) ବଢ଼଼ିଯାଇପାରେ। ସେହି ଅବସ୍ଥାରେ ଅଦୃଶ୍ୟ ହୋଇଯିବ ପୃଥିବୀର ବରଫ ଆସ୍ତରଣ। ଚରମ ଖରାରେ ଆମାଜନ ଭଳି ବୃଷ୍ଟିଅରଣ୍ୟର ଅନେକ ଗଛଲତା ମରିଯିବ। ଗ୍ରୀଷ୍ମମଣ୍ଡଳୀୟ ଅଞ୍ଚଳରେ ଜଳବାୟୁର ନୂତନ ଚରମ ମାତ୍ରା ସେଠାକାର ଚାଷବାସକୁ ଧ୍ୱଂସ କରି ଲକ୍ଷ ଲକ୍ଷ ଲୋକଙ୍କୁ ବାସଚ୍ୟୁତ କରିଦେବ।

ଲକ୍ଷ ଲକ୍ଷ ବର୍ଷ ଧରି ପୃଥିବୀ ହିମାୟନ ଓ ଉଷ୍ଣାୟନର ପ୍ରାକୃତିକ ଚକ୍ରରେ ଘୂରି ଚାଲିଛି। ମଣିଷ ଦ୍ୱାରା ସଂଘଟିତ ଉଷ୍ଣାୟନ ତୁଳନାରେ ସେହି ଉଷ୍ଣାୟନର ମାତ୍ରା ଅପରିମେୟ ଭାବରେ ଅଧିକ। ଆମେ ଏବେ ଉଷ୍ଣାୟନର ଯୁଗରେ ବାସ କରୁଛେ ଏବଂ ଧୀରେ ଧୀରେ ଆଗେଇ ଚାଲିଛେ ହିମାୟନ ଯୁଗ ଦିଗରେ। ଡେଭିଡ୍‌‌ ଗ୍ରୀନ୍‌‌ସ୍ଫୁନ୍‌‌ ହିସାବ କରି ଦେଖିଛନ୍ତି, ଆଉ ଗୋଟିଏ ହିମ ଯୁଗ ସମସ୍ତ ଚାଷବାସ ଓ ତାହା ସଂଗେ ମାନବ ସଭ୍ୟତାକୁ ନିଶ୍ଚିହ୍ନ କରି ଦେଇପାରେ। ଗ୍ରହ ବା ଉପଗ୍ରହର ନିଜସ୍ୱ ଛନ୍ଦରେ ଚାଲିବା ଉପରେ ହସ୍ତକ୍ଷେପ କରି ପୃଥିବୀର ଜଳବାୟୁକୁ ନିଜ ନିୟନ୍ତ୍ରଣରେ ରଖିପାରିବାର ଚେଷ୍ଟା ତ ଦୂରର କଥା, ସେ ବିଷୟରେ ବ୍ୟାବହାରିକ ଜ୍ଞାନ ହାସଲ ମଧ୍ୟ ଏ’ଯାବତ୍‌‌ କରିପାରିନି ମଣିଷ।

ବିଶ୍ୱ ପ୍ରକୃତି ଏକ ଭୟଙ୍କର ସ୍ଥାନ। ନକ୍ଷତ୍ରମାନ ଆଚ୍ଛନ୍ନ କରି ରହିଛନ୍ତି ଗ୍ରହ-ଉପଗ୍ରହଗୁଡ଼ିକୁ। ସୁପରନୋଭା ମହାଶୂନ୍ୟରେ ଅଜାଡ଼ି ଚାଲିଛି ମାରାତ୍ମକ ପ୍ରାଣଘାତୀ ରଶ୍ମି। ଛାୟାପଥର ଆମ ଅଂଶରେ ହୋଇଚାଲିଛି ଗାମାରଶ୍ମିର ବିସ୍ଫୋରଣ। ବ୍ଲାକ୍‌‌ହୋଲ୍‌‌ ବା କୃଷ୍ଣଗହ୍ୱରଗୁଡ଼ିକ ପରସ୍ପରର ସଂଗେ ଧକ୍କା ଖାଉଛି। ଆଉ ଗ୍ରହାଣୁପୁଞ୍ଜ ପ୍ରତି ସେକେଣ୍ଡରେ କେଇ ଶହ ମାଇଲ୍‌‌ ବେଗରେ ଉଲ୍‌‌କା ଭଳି ଚତୁର୍ଦ୍ଦିଗରେ ଧାବିତ। ଗ୍ରହାଣୁର ସଂଘର୍ଷରେ ଏପରି କିଛି ହୋଇପାରେ ଯାହା ବିରୋଧରେ ମଣିଷର କୌଣସି ପ୍ରତିରୋଧ ବା ସୁରକ୍ଷା ନାହିଁ। ପ୍ରାୟ ୬ କୋଟି ୬୦ ଲକ୍ଷ ବର୍ଷ ପୂର୍ବେ ପୃଥିବୀ ସହ ୧୦ କିଲୋମିଟର ଭଳି ପ୍ରଶସ୍ତ ଗ୍ରହାଣୁର ଏହି ପ୍ରକାରର ଶେଷ ବଡ଼ ସଂଘର୍ଷ ହେବା ଫଳରେ ଡାଇନୋସର ବଂଶ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲା। ସେହି ପ୍ରକାରର ଘଟଣା ଭବିଷ୍ୟତରେ ଆଉ ଯେ ଘଟିବନି, ତାହା କେହି ଦୃଢ଼ଭାବରେ କହିପାରିବେନି।

ଆଜିଠାରୁ ପ୍ରାୟ ୧୦୦ କୋଟି ବର୍ଷ ପରେ ଉଦ୍‌‌ଯାନ କମିଯିବା କାରଣରୁ ସୂର୍ଯ୍ୟର ଔଜ୍ଜଲ୍ୟ ଏତେ ବଢ଼଼ିଯାଇପାରେ ଯେ ତା’ ବାହାରର ସ୍ତରର ବର୍ଦ୍ଧିତ ତାପ ପୃଥିବୀର ସମସ୍ତ ସମୁଦ୍ରକୁ ବାଷ୍ପୀଭୂତ କରେଇ ଜଳଶୂନ୍ୟ କରିଦେବ। ସେହି ଅବସ୍ଥା ଉପନୀତ ହେବାର ଅନେକ ଆଗରୁ ପରିବେଶରେ ଅଙ୍ଗାରକାମ୍ଳ ପରିମାଣ ଏତେ ହ୍ରାସ ପାଇଯାଇଥିବ ଯେ ବୃକ୍ଷଲତା ବଞ୍ଚି ରହିବା ସମ୍ଭବ ହେବନି। ଏହାର ପରିଣାମରେ ଲୋପ ପାଇଯିବ ମଣିଷର ଜୀବନ ଧାରଣ ପାଇଁ ଖାଦ୍ୟର ଉତ୍ସ। ସେହି ଅବସ୍ଥାରେ ପୃଥିବୀରେ ମଣିଷକୁ ତିଷ୍ଠି ରହିବା ପାଇଁ ହେଲେ ସୂର୍ଯ୍ୟକୁ ଶୀତଳ କରେଇବାର କୌଣସି ଉପାୟ ବାହାର କରିବାକୁ ହେବ କିମ୍ବା ପୃଥିବୀକୁ ସୂର୍ଯ୍ୟଠାରୁ ଆହୁରି ଦୂରେଇ ନେବାକୁ ପଡ଼ିବ। ନୋହିଲେ ମଣିଷ ଜାତିକୁ ପୃଥିବୀରୁ ବିଦାୟ ନେବା ପାଇଁ ହେବ କିମ୍ବା ଏପରି କୌଣସି ଗ୍ରହ କିମ୍ବା ଉପଗ୍ରହରେ ଉପନିବେଶ ସ୍ଥାପନ କରିବାକୁ ହେବ ଯାହା ଅପେକ୍ଷାକୃତ କମ୍‌‌ ଉତ୍ତପ୍ତ ନକ୍ଷତ୍ରକୁ ପ୍ରଦକ୍ଷିଣ କରେ।

ଏଥିସହିତ ପରମାଣୁ ଯୁଦ୍ଧ ଆଶଙ୍କା ସମ୍ପ୍ରତି ମାନବଜାତିର ଧ୍ୱଂସର ସବୁଠାରୁ ବଡ଼ ବିପଦ। ପୃଥିବୀରେ ଯେତିକି ପରମାଣୁ ଅସ୍ତ୍ର ମହଜୁଦ ଅଛି, ତାହା ବେଶ୍‌‌ କେତେଥର ପୃଥିବୀକୁ ଧ୍ୱଂସ କରିଦେବା ପାଇଁ ଯଥେଷ୍ଟ। ଅତିମାତ୍ରାରେ ପ୍ରଯୁକ୍ତିଗତ ସାମର୍ଥ୍ୟର ଅଧିକାରୀ ସନ୍ତ୍ରାସବାଦୀମାନେ ଏପରି କିଛି ଭୂତାଣୁ, ଆଣ୍ଟିବାୟୋଟିକ୍‌‌ ପ୍ରତିରୋଧୀ ବ୍ୟାକ୍ଟେରିଆ ପ୍ରସାର କରିଦେଇ ପାରନ୍ତି, ଯାହା ଖୁବ୍‌‌ ଶୀଘ୍ର ସୃଷ୍ଟି କରିଦେଇପାରେ ମହାମାରୀ। ୧୯୧୮ ର ସ୍ପାନିଶ୍‌‌ ଫ୍ଲୁ, ୧୪୦୦ର ବ୍ଲାକ୍‌‌ଡେଥ୍‌‌, ୨୦୧୯ର କୋଭିଡ୍‌‌ -୧୯କୁ ଏହାର ଉଦାହରଣ ରୂପେ ନିଆଯାଇପାରେ। ଏହାଛଡ଼ା ଜୈବ ଇଞ୍ଜିନିୟରିଂ ପ୍ରଯୁକ୍ତି ମଣିଷ ସମାଜ ମଧ୍ୟରେ ଏପରି ଅଭୂତପୂର୍ବ ଅସାମ୍ୟ ସୃଷ୍ଟି କରିପାରେ, ଯାହା ଆମ୍ଭମାନଙ୍କର ପରିଚିତ ଜୀବନଧାରାକୁ ପରିବର୍ତ୍ତିତ କରି ଅକାମୀ କରିଦେଇପାରେ।

ଆମେରିକାର ପ୍ରିନ୍‌‌ସଟନ୍‌‌ ବିଶ୍ୱବିଦ୍ୟାଳୟର ଜ୍ୟୋତିଃ ପଦାର୍ଥ ବିଜ୍ଞାନୀ ଜେ. ରିଚାର୍ଡ ଗଟ୍‌‌ଙ୍କ ବିତର୍କିତ ବା ପୃଥିବୀର ଅନ୍ତସଂକ୍ରାନ୍ତ ଯୁକ୍ତିରେ କୁହାଯାଇଛି ପୃଥିବୀରେ ମଣିଷଜାତିର ସମ୍ଭାବ୍ୟ ସ୍ଥିତିକାଳର ପ୍ରାୟ ଅର୍ଦ୍ଧେକ ସମୟ ମଣିଷ ଇତିମଧ୍ୟରେ ବାସ କରିସାରିଲାଣି ଏବଂ ତା’ର ନିଶ୍ଚିହ୍ନ ହୋଇଯିବାର ୯୫ ଶତାଂଶ ଆଶଙ୍କା ଆଉ ୭୮, ୦୦, ୦୦୦ ବର୍ଷ ମଧ୍ୟରେ। ବ୍ରିଟେନ୍‌‌ର ଜ୍ୟୋତିର୍ବିଦ ତଥା ରୟାଲ ମହାବିଶ୍ୱତତ୍ତ୍ୱବିଦ୍‌‌ ମାର୍ଟିନ୍‌‌ ରିଜ୍‌‌ ୨୦୦୩ ମସିହାରେ ତାଙ୍କର ‘ଆୱାର ଫାଇନାଲ୍‌‌ ଆୱାରସ୍‌‌’(ଆମର ଅନ୍ତିମ ସମୟ) ପୁସ୍ତକରେ ମଣିଷ ଜାତି ନିଜକୁ ଧ୍ୱଂସ କରିବାରସମସ୍ତ ପଥ ବିଶ୍ଲେଷଣ କରି ଜଣାଇଛନ୍ତି, ଏକବିଂଶ ଶତାବ୍ଦୀରେ ମାନବ ସଭ୍ୟତା ତିଷ୍ଠି ରହିବାର ସମ୍ଭାବନା ୫୦:୫୦। ‘ଅନ୍‌‌ ଦ ଫ୍ୟୁଚର: ପ୍ରସପେକ୍ଟସ୍‌‌ ଫର ହ୍ୟୁମାନିଟି(ଭବିଷ୍ୟତ ସମ୍ବନ୍ଧରେ ମାନବଜାତିର ବିସ୍ତୃତ ଦୃଶ୍ୟପଟ)’ ଶୀର୍ଷକ ଅନ୍ୟ ଏକ ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି, ଯେ ଆଜି ଏବଂ ପରବର୍ତ୍ତୀ ଦୁଇ ଦଶକରେ ମଣିଷର ମନୋନୀତ ପଥ ପୃଥିବୀରେ ତା’ର ଅସ୍ତିତ୍ୱକୁ ସମ୍ଭାବନା ନିର୍ଦ୍ଧାରଣ କରିପାରେ।

ଡ. ନିତ୍ୟାନନ୍ଦ ସ୍ୱାଇଁ
କଟକ, ମୋ: ୯୪୩୭୭୬୬୧୧୭

About The Author: The Sakala