ଇସ୍ରାଏଲ୍‌‌-ହମାସ ଯୁଦ୍ଧକୁ ଦୁଇମାସ: ହମାସ ଆତଙ୍କବାଦର ମୂଳପୋଛ ସଂକଳ୍ପ

ଇସ୍ରାଏଲର ଗାଜା ପଟି ଆକ୍ରମଣକୁ ଦୁଇମାସ ଅତିକ୍ରମ କରିଛି। ପ୍ରଥମେ ଇସ୍ରାଏଲ୍‌‌ ଉପରେ ହମାସ ଆତଙ୍କବାଦୀଙ୍କ ଅତର୍କିତ ଓ ଭୟଙ୍କର ଆକ୍ରମଣ ପରେ ଇସ୍ରାଏଲ୍‌‌ ପକ୍ଷରୁ ନିର୍ଣ୍ଣାୟକ ଯୁଦ୍ଧ ଘୋଷଣା କରାଯାଇଛି। ହମାସ ଆତଙ୍କବାଦୀଙ୍କୁ ଗାଜା ପଟିରୁ ସମୂଳେ ବିନାଶ ନ କରିବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଜାରି ରହିବ ବୋଲି ଇସ୍ରାଏଲ୍‌‌ ଘୋଷଣା କରିଛି। ତେଣୁ ଯୁଦ୍ଧ କ୍ରମଶଃ ଅଧିକ ବିଧ୍ୱଂସକାରୀ ହେବାରେ ଲାଗିଛି। ଆତଙ୍କବାଦୀ ହମାସ୍‌‌ ଗୋଷ୍ଠୀ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣରେ ଇସ୍ରାଏଲୀ […]

ଇସ୍ରାଏଲର ଗାଜା ପଟି ଆକ୍ରମଣକୁ ଦୁଇମାସ ଅତିକ୍ରମ କରିଛି। ପ୍ରଥମେ ଇସ୍ରାଏଲ୍‌‌ ଉପରେ ହମାସ ଆତଙ୍କବାଦୀଙ୍କ ଅତର୍କିତ ଓ ଭୟଙ୍କର ଆକ୍ରମଣ ପରେ ଇସ୍ରାଏଲ୍‌‌ ପକ୍ଷରୁ ନିର୍ଣ୍ଣାୟକ ଯୁଦ୍ଧ ଘୋଷଣା କରାଯାଇଛି। ହମାସ ଆତଙ୍କବାଦୀଙ୍କୁ ଗାଜା ପଟିରୁ ସମୂଳେ ବିନାଶ ନ କରିବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଜାରି ରହିବ ବୋଲି ଇସ୍ରାଏଲ୍‌‌ ଘୋଷଣା କରିଛି। ତେଣୁ ଯୁଦ୍ଧ କ୍ରମଶଃ ଅଧିକ ବିଧ୍ୱଂସକାରୀ ହେବାରେ ଲାଗିଛି।

ଆତଙ୍କବାଦୀ ହମାସ୍‌‌ ଗୋଷ୍ଠୀ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣରେ ଇସ୍ରାଏଲୀ ନାଗରିକଙ୍କୁ ବର୍ବର ହତ୍ୟା ଓ ପ୍ରାୟ ଦୁଇଶହ ଚାଳିଶଙ୍କୁ ଅପହରଣ କରି ଗାଜା ପଟିରେ ପଣବନ୍ଦୀ କରି ରଖିଛି। ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ମଧ୍ୟ ରହିଥିôବାର କୁହାଯାଉଛି। ପ୍ରତିଶୋଧ ପରାୟଣ ଇସ୍ରାଏଲ୍‌‌ର ରକେଟ ଆକ୍ରମଣରେ ଗାଜା ପଟି ଏପକ୍ରାର ଧ୍ୱଂସ ସ୍ତୂପରେ ପରିଣତ ହୋଇଗଲାଣି। ରକେଟ୍‌‌ ମାଡ଼ରୁ ଡାକ୍ତରଖାନା ଓ ସ୍କୁଲ୍‌‌ ମଧ୍ୟ ବର୍ତ୍ତିପାରୁନାହିଁ। ଆତଙ୍କବାଦୀମାନେ ଇସ୍ରାଏଲ୍‌‌ ଆକ୍ରମଣରୁ ବର୍ତ୍ତିବା ପାଇଁ ଡାକ୍ତରଖାନା ଓ ସ୍କୁଲ୍‌‌ରେ ଆଶୟ ନେଇଥିôବାରୁ ଏହି ଆକ୍ରମଣ ଜରୁରୀ ବୋଲି ଇସ୍ରାଏଲ୍‌‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପ୍ରାୟ ୧୪ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି। ସେହିପରି ଆହତଙ୍କ ସଂଖ୍ୟା ଅଗଣିତ। ମୃତାହତଙ୍କ ମଧ୍ୟରେ ଶିଶୁ ଓ ମହିଳା ଅନ୍ତର୍ଭୁକ୍ତ। ଆକ୍ରମଣରୁ ସାମ୍ୱାଦିକମାନେ ବାଦ୍‌‌ ପଡ଼ୁନାହାନ୍ତି। ଏପରିକି ଶରଣାର୍ଥୀ ଶିବିରରେ ଥିବା ଶରଣାର୍ଥୀ ଓ ଜାତିସଂଘ କର୍ମଚାରୀ ବି ମୃତାହତ ହେବାର କୁହାଯାଉଛି। ଗାଜା ପଟିର ୩୫ଟି ହସ୍ପିଟାଲରୁ ପ୍ରାୟ ୨୨ଟିରେ ରୋଗୀ ସେବା ବ୍ୟାହତ। ସବୁଠାରୁ ବଡ଼ ‘ଅଲ୍‌‌-ଶିଫା’ ହସ୍ପିଟାଲ୍‌‌ ମୁଖପାତ୍ରଙ୍କ ସୂଚନା ଅନୁସାରେ ିଜୁଳି, ଜାଳେଣି ଓ ଆବଶ୍ୟକୀୟ ଚିକିତ୍ସା ଅଭାବରୁ ପ୍ରାୟ ୧୮୦ ରୋଗୀ ଯୁଦ୍ଧ ଆକ୍ରମଣରେ ମୃତ୍ୟୁବରଣ କଲେଣି। ଇନ୍‌‌କ୍ୟୁବେଟରରେ ଥିବା ନବଜାତକମାନେ ମଧ୍ୟ ଏହି ମୃତକଙ୍କ ମଧ୍ୟରେ ଅଛନ୍ତି। ଇସ୍ରାଏଲର ଦାବି କରିଛି ଯେ ଏଇ ହସ୍ପିଟାଲ ତଳେ ହମାସ୍‌‌ର ଭୂତଳ କମାଣ୍ଡ ସେଣ୍ଟର୍‌‌ ରହିଛି। ଏହାଛଡ଼ା ସ୍କୁଲ୍‌‌, ମସଜିଦ ଆଦି ସାର୍ବଜନିନ ସ୍ଥାନରେ ମଧ୍ୟ ହମାସ୍‌‌ ତା’ର ଭୂତଳ ଶିବିରରୁ ଯୁଦ୍ଧ ଜାରି ରଖିଛି। ପ୍ରମାଣ ସ୍ୱରୂପ ଏ ସଂକ୍ରାନ୍ତୀୟ କଛି ଭିଡିଓ ବି ଇସ୍ରାଏଲ୍‌‌ ପକ୍ଷରୁ ଜାରି କରାଯାଇଛି। ପଶ୍ଚିମ ଗାଜାପଟିକୁ ସମ୍ପୂର୍ଣ୍ଣ ଅକ୍ତିଆରକୁ ନେଇଥିôବା ଇସ୍ରାଏଲ୍‌‌ ସାମରିକ ବାହିନୀ ପକ୍ଷରୁ ଘୋଷଣା କରାଯାଇଛି।

ଏହି ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବା ବା ଇସ୍ରାଏଲ୍‌‌ ଅଧିକରୁ ଅଧିକ ରକ୍ତମୁଖା ହେବା ପଛରେ ରହିଛି ଆତଙ୍କବାଦୀଙ୍କ ବର୍ବରୋଚିତ ଆଭିମୁଖ୍ୟ। ଏବେ ଇସ୍ରାଏଲ୍‌‌ ବିରୋଧରେ ହମାସ୍‌‌ ଆତଙ୍କବାଦୀ ସଂଗଠନ ସହିତ ହିଜବୁଲ୍ଲା ଓ ହୁତି ଆତଙ୍କବାଦୀ ସଂଗଠନ ମଧ୍ୟ ଯୋଗ ଦେଇଛନ୍ତି। ଇରାନ ଓ ଲେବାନନର ପ୍ରତ୍ୟକ୍ଷ ସହଯୋଗ ଓ ସମର୍ଥନ ଏମାନଙ୍କ ପଛରେ ରହିଛି। ରୁଷିଆ ଓ ଚୀନ ମଧ୍ୟ ହମାସ୍‌‌ ସପକ୍ଷରେ ବୟାନ ଦେବା ବିଶ୍ୱ ଶାନ୍ତି ପାଇଁ ଏକ ଘୋର ବିଲକ୍ଷଣ। ଅନ୍ୟ ଇସଲାମିକ ରାଷ୍ଟ୍ରଗୁଡ଼ିକ ଆଶ୍ଚର୍ଯ୍ୟଜନକ ଭାବରେ ଚୁପ୍‌‌ ରହିଛନ୍ତି। ଆମେରିକା ଓ ବ୍ରିଟେନ୍‌‌ ଇସ୍ରାଏଲ୍‌‌ର ପକ୍ଷ ନେଉଥିବା ବେଳେ ଅନ୍ୟ ରାଷ୍ଟ୍ରଗୁଡ଼ିକ ଏ ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ ନିରବତା ଅବଲମ୍ବନ କରି ଆସିଛନ୍ତି।

ସବୁଠାରୁ ଉଦ୍‌‌ବେଗଜନକ ହେଉଛି ସବୁଥର ପରି ଏଥର ମଧ୍ୟ ଜାତିସଂଘ ଏହି ପ୍ରସଙ୍ଗରେ ନିରୁପାୟ ଓ ଅସହାୟ। ଏହି ଯୁଦ୍ଧର କେବଳ ମାନବାଧିକାର ସୁରକ୍ଷା ଉପରେ ଜାତିସଂଘ ଏକ ଚିଠା ପ୍ରସ୍ତାବ ଆଗତ କରିଛି ଯାହା ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନ ଲାଭ କରିଛି। ଏହାଛଡ଼ା ଯୁଦ୍ଧ ବନ୍ଦ କରିବା ପାଇଁ ଶାନ୍ତି ଆଲୋଚନା ଆୟୋଜନ କରିବାରେ ଜାତିସଂଘ ସମ୍ପୂର୍ଣ୍ଣ ବିଫଳ ହୋଇପଡ଼ିଛି। ୨୪ ଅକ୍ଟୋବର ୧୯୪୫ ରେ ଜାତିସଂଘ ଗଠନ ହେଲା ପରେ ପାଲେଷ୍ଟାଇନ- ଇହୁଦୀ ସମସ୍ୟା ହିଁ ପ୍ରଥମ ପଞ୍ଜୀକୃତ ଆବେଦନ ଥିଲା, ଯାହାର ସମାଧାନ ଏ ପର୍ଯ୍ୟନ୍ତ ହୋଇନାହିଁ। ମାନବିକତାର ଦ୍ୱାହିରେ ଇସ୍ରାଏଲ – ହମାସ୍‌‌ ଯୁଦ୍ଧରେ ଯୁଦ୍ଧବିରତି ହେଉ ବା ଗାଜାର ସାର୍ବଜନୀନ ସ୍ଥାନ ବା ନିରୀହ ଜନତା ଉପରେ ରକେଟ ମାଡ଼ ନ କରିବାକୁ ଶାନ୍ତିପ୍ରିୟ ଜାତିସଂଘର ସଦସ୍ୟ ଦେଶଗୁଡ଼ିକର ସଂଖ୍ୟାଗରିଷ୍ଠ ଭୋଟ ମାଧ୍ୟମରେ ବାରମ୍ୱାର ତାଗିଦ୍‌‌ କଲେ ମଧ୍ୟ ଇସ୍ରାଏଲ ଶୁଣୁ ନାହିଁ। ଇସ୍ରାଏଲ୍‌‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌‌ ନେତାନ୍ୟାହୁଙ୍କ ମତରେ ଏହା ପୃଥିବୀର ସଂଖ୍ୟାଲଘୁ ଇହୁଦୀମାନଙ୍କ ଅସ୍ତିତ୍ୱର ପ୍ରଶ୍ନ। ହମାସ୍‌‌ର ସମୂଳ ନିପାତ କରିବା ପାଇଁ ଇସ୍ରାଏଲ୍‌‌ ବଦ୍ଧପରିକର। ଏଥିପାଇଁ ଯେ କୌଣସି ମୂଲ୍ୟ ଦେବା ପାଇଁ ଇସ୍ରାଏଲ୍‌‌ବାସୀ ପ୍ରସ୍ତୁତ। ଭାରତ ଯଥାର୍ଥରେ ନୀତିଗତ ଦୃଷ୍ଟିରୁ ଇସ୍ରାଏଲକୁ ସମର୍ଥନ କଲେ ମଧ୍ୟ ପାଲେଷ୍ଟିନୀୟ ସମସ୍ୟା ପ୍ରତି ସମ୍ୱେଦନଶୀଳ ବୋଲି ଜଣେଇ ଦେଇଛି। ତେବେ ଏ ବିବାଦର ଅସଲି କାରଣ ହେଉଛି – ପାଲେଷ୍ଟିନୀୟମାନଙ୍କ ପାଇଁ ଇସ୍ରାଏଲ କବଜାରେ ଥିବା ମୂଳ ଭୂଖଣ୍ଡ, ଇହୁଦୀମାନଙ୍କ ପାଇଁ ଈଶ୍ୱର ପ୍ରଦତ୍ତ ଆଦିଭୂମି। ପୁଣି ଜେରୁଜେଲମ ହେଉଛି ଇହୁଦୀ, ଖ୍ରୀଷ୍ଟ୍ରିୟାନ ଓ ମୁସଲମାନ ଧର୍ମ ଅଭ୍ୟୁଦୟର ମୂଳ ସନ୍ତକ ବହନ କରୁଥିବା ପବିତ୍ର ସ୍ଥଳ।

ଯୁଦ୍ଧର ରୂପ ଯେତେ ଭୟାନକ ହେଉ ନା କାହିଁକି ହମାସ୍‌‌ ଭଳି ଆତଙ୍କବାଦୀଙ୍କ ଅମାନବୀୟ, ବର୍ବର, ଘୃଣ୍ୟ, ହିଂସାତ୍ମକ, ଧର୍ମବିରୋଧୀ କାର୍ଯ୍ୟକଳାପ ଆଜିର ସଭ୍ୟ ସମାଜରେ କଦାପି ଗ୍ରହଣୀୟ ବା ସମର୍ଥନ ଯୋଗ୍ୟ ନୁହେଁ। ହମାସ୍‌‌ ଛତ୍ରଭଙ୍ଗ ଦେଇ ସମ୍ପୂର୍ଣ୍ଣ ନିର୍ମୁଳନ ନ ହେବା ଯାଏଁ ମାନବିକତା ନାଁ ରେ ଅସ୍ତ୍ରବିରତି କୌଣସି ସମାଧାନର ପନ୍ଥା ନୁହେଁ ଏ ସମ୍ୱନ୍ଧରେ ଦୁଇଟି ଘଟଣାର ଅବତାରଣା ବିଶେଷ ମହତ୍ତ୍ୱ ରଖେ। ପ୍ରଥମ ଘଟଣାଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର। ଯେତେବେଳେ ଜାପାନ ଅସ୍ତ୍ରତ୍ୟାଗ ବା ଆତ୍ମସମର୍ପଣ ପାଇଁ ଯୁକ୍ତରାଷ୍ଟ୍ରର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା, ତତ୍କାଳୀନ ରାଷ୍ଟ୍ରପତି ହେରି ଟ୍ରୁମ୍ୟାନ୍‌‌ଙ୍କ ନିର୍ଦ୍ଦେଶରେ ହିରୋସିମା ଓ ନାଗାସାକି ଉପରେ ଯଥାକ୍ରମେ ୧୯୪୫ ଅଗଷ୍ଟ ଛଅ ଓ ନଅ ତାରିଖରେ ଆଣବିକ ବୋମାମାଡ଼ ହେଲା। ହିରୋସୀମାର ସତୁରି ହଜାର ଓ ନାଗାସାକିର ଚାଳିଶ ହଜାର ନିରୀହ ଜନସାଧାରଣ ମୃତ୍ୟୁବରଣ କଲେ। ତାହାଠୁ ଆହୁରି ଅନେକ ପୋଡ଼ା ଜଳା, କ୍ଷତ ବିକ୍ଷତ ଓ ତେଜଷ୍କ୍ରିୟ ବିକିରଣରେ ଆକ୍ରାନ୍ତ ହେଲେ। ପରିଣାମ ସ୍ୱରୂପ ଅଗଷ୍ଟ ୧୦, ୧୯୪୫ ରେ ଜାପାନ ସରକାର ମିତ୍ର ଶକ୍ତି ଆଗରେ ଆତ୍ମସମର୍ପଣ କଲା। ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବସାନ ଘଟିଲା। ପରମାଣୁ ବୋମାର ବିଧ୍ୱଂସକାରୀ ଲୀଳା ଏମିତି ଭୟାନକ ଥିଲା ଯେ ଆଜି ପର୍ଯ୍ୟନ୍ତ, ଅନେକ ଯୁଦ୍ଧ ହେଲେ ମଧ୍ୟ ଏହାର ପ୍ରୟୋଗ ନକରିବା ପାଇଁ ପରମାଣୁ ନିରସ୍ତ୍ରୀକରଣ ସନ୍ଧି ସ୍ୱାକ୍ଷରିତ ହୋଇଛି। ଦ୍ୱିତୀୟ ଘଟଣାଟି ଆମ ଭାରତର। ଭାରତ-ପାକ୍‌‌ ବିଭାଜନ ଓ ସ୍ୱାଧୀନତା ଠିକ୍‌‌ ପରେ ପରେ ୨୨ ଅକ୍ଟୋବର ୧୯୪୭ ରେ ପାକ୍‌‌ ସେନା ସ୍ଥାନୀୟ ଆଦିବାସୀଙ୍କ ସହିତ ଛଦ୍ମବେଶରେ କାଶ୍ମୀର ଉପରେ ଆକ୍ରମଣ କଲେ। ତତ୍କାଳୀନ କାଶ୍ମୀରର ରାଜା ହରି ସିଂହ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଓ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହିତ ପରାମର୍ଶ କରି ‘ଇନଷ୍ଟ୍ରୁମେଣ୍ଟ ଅଫ ଏସେସନ୍‌‌’ ସନ୍ଧି ସ୍ୱାକ୍ଷର କରି ଭାରତ ସହିତ ଜାମ୍ମୁ-କାଶ୍ମୀରର ମିଶ୍ରଣ ଚୂଡ଼ାନ୍ତ କଲେ। ଭାରତୀୟ ସେନା ତତକ୍ଷଣାତ୍‌‌ ଶ୍ରୀନଗର ପହଞ୍ଚି ଛଦ୍ମବେଶୀ ପାକ୍‌‌ ସେନା ଉପରେ ପ୍ରଚଣ୍ଡ ପ୍ରତି-ଆକ୍ରମଣ କଲେ। ଦୁର୍ବଳ ପାକ୍‌‌ ସେନା ଛତ୍ରଭଙ୍ଗ ଦେଇ ପଛକୁ ହଟିବାକୁ ଲାଗିଲା। ଭାରତୀୟ ସେନା ଆଗକୁ ମାଡ଼ି ଚାଲିଲା।ଏମିତି ଏକ ନିର୍ଣ୍ଣାୟକ ମୋଡ଼ରେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଯୁଦ୍ଧ ବିରତି ଘୋଷଣା କରି ଏହି ଦ୍ୱିପାକ୍ଷିକ ବିବାଦକୁ ଅନାବଶ୍ୟକ ଭାବରେ ଜାତିସଂଘକୁ ନେଇଯାଇ ଥିବାରୁ ଭାରତ-ପାକ୍‌‌ ବିବାଦ ଅଦ୍ୟାବଧି ପ୍ରଲମ୍ୱିତ। ଫଳସ୍ୱରୂପ ଆଜି ପର୍ଯ୍ୟନ୍ତ ଏହା ଅସମାହିତ, ସୀମା ପାର୍‌‌ ଆତଙ୍କବାଦୀ ଉଜ୍ଜୀବିତ, କାଶ୍ମୀର ଘାଟିର ଲକ୍ଷ ଲକ୍ଷ ସଂଖ୍ୟାଲଘୁ ହିନ୍ଦୁ ବିସ୍ଥାପିତ, ଜିହାଦ ନାଁରେ ବିଭ୍ରାନ୍ତ ଧର୍ମାନ୍ଧ ଗୋଷ୍ଠୀର ନରସଂହାର ଅବ୍ୟାହତ। ପାକ୍‌‌ ଅଧିକୃତ କାଶ୍ମୀରରେ ବି ଅବସ୍ଥା ତଦ୍ରୂପ ଓ ବିଭିନ୍ନ ସମସ୍ୟା ଜର୍ଜରିତ।

ସଂସ୍କୃତରେ ଏକ ବହୁଳ ପ୍ରଚଳିତ ଲୋକନୀତି କହେ – ‘କଣ୍ଟକେନୈବ କଣ୍ଟକମ’। ଅର୍ଥାତ୍‌‌ କଣ୍ଟାରେ ହିଁ କଣ୍ଟା କଢ଼ା ଯାଏ। ଯେ ଯେପରି ବ୍ୟବହାର କରେ ତା’ ସହିତ ସେପରି ବ୍ୟବହାର ହିଁ ସମୀଚୀନ। ସମସ୍ୟାର ପୂର୍ଣ୍ଣ ସମାଧାନ ବା ଅନ୍ତ ନ କରି ମାନବିକତା ଆଳରେ ଯୁଦ୍ଧ-ବିରତି ଆଚରଣ ସାମୟିକ ଭାବରେ ଆଶ୍ୱସ୍ତିଜନକ ହେଲେ ମଧ୍ୟ ଦୀର୍ଘକାଳୀନ ଭିତ୍ତିରେ ଜନସାଧାରଣଙ୍କ ହିତରେ ନୁହଁ। ବରଂ ହମାସ୍‌‌ ଭଳିଆ ଆତଙ୍କବାଦୀଙ୍କୁ ଏହା ସୁହାଇବ ଓ ଅଧିକ ପରିପୁଷ୍ଟ କରିବ। ମନେ ରଖିବାକୁ ହେବ ଆତଙ୍କବାଦ ଏକ ବିଚାରଧାରା। ଏହାର ସମୂଳ ନିପାତ ଅସମ୍ଭବ ହେଲେ ମଧ୍ୟ ଏହାର ମୂଳରେ ଏମିତି ଶକ୍ତ କୁଠାରାଘାତ ଦରକାର, ଯେମିତି ଭବିଷ୍ୟତରେ ପୁଣି କୌଣସି ଶକ୍ତି ଏହାକୁ ଅନୁକୂଳ ବାତାବରଣ ଦେବାକୁ ସାହସ କରିବ ନାହିଁ କି ଅନ୍ୟ ଉପାୟରେ ବି ଆଉ ଉଧେଇ ପାରିବ ନାହିଁ।

ଇସ୍ରାଏଲ-ପାଲେଷ୍ଟାଇନ ବିବାଦର ଯଥାଶୀଘ୍ର ସମ୍ମାନଜନକ ସମାଧାନ ଉଭୟପକ୍ଷ ତଥା ବିଶ୍ୱଶାନ୍ତି ପାଇଁ ହିତକର। ବର୍ତ୍ତମାନ ପରିପ୍ରେକ୍ଷୀରେ ପାଲେଷ୍ଟିନୀୟମାନଙ୍କୁ ଇସ୍ରାଏଲ ରାଷ୍ଟ୍ରର ବାସ୍ତବତା ସ୍ୱୀକାର କରିବାକୁ ହେବ। ସେପରି ଇସ୍ରାଏଲ ମଧ୍ୟ ପାଲେଷ୍ଟିନୀୟମାନଙ୍କୁ ତାଙ୍କ ହକ୍‌‌ ଦେଇ ତାହାର ସାର୍ବଭୌମତ୍ୱ, ପୁନର୍ଗଠନ ଓ ସହାବସ୍ଥାନର ନିର୍ଭର ପ୍ରତିଶ୍ରୁତି ଦେଲେ ଦୀର୍ଘକାଳୀନ ଭିତ୍ତିରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହୋଇପାରିବ। ଅନ୍ୟଥା, ସମସ୍ୟା ଜାରି ରହିଲେ ନିରୀହ, ନିର୍ଦ୍ଦୋଷ ଜନସାଧାରଣ ହିଁ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଥିବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ।

About The Author: The Sakala