ବିବାଦ ଘେରରେ ଶିଶୁଖାଦ୍ୟ ବଜାର

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଶିଶୁଖାଦ୍ୟ ପ୍ୟାକେଟ୍‌‌ ପ୍ରସ୍ତୁତକାରୀ ଏକ ଅଗ୍ରଣୀ କମ୍ପାନୀ ଏହାର ସ୍ୱାସ୍ଥ୍ୟକାରୀ ଉତ୍ପାଦ ରୂପେ ବହୁଳ ଭାବେ ପ୍ରଚାରିତ ଓ ପ୍ରସାରିତ ନାମକରା ଉତ୍ପାଦ୍‌‌କୁ ନେଇ ଏବେ ବିବାଦର ଘେରରେ। ସମ୍ପୃକ୍ତ କମ୍ପାନୀ ଉକ୍ତ ଉତ୍ପାଦ ବିଭିନ୍ନ ଦେଶ ପାଇଁ ପ୍ରସ୍ତୁତ କରୁଛି ଭିନ୍ନ ଭିନ୍ନ ଉପାଦନ ସହିତ। ଏଣୁ ଭାରତ ସମେତ ଦକ୍ଷିଣ ଏସିଆ, ଆଫ୍ରିକା ଏବଂ ଲାଟିନ୍‌‌ ଆମେରିକା ଆଦି ବିକାଶଶୀଳ ଦେଶମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶିଶୁଖାଦ୍ୟରେ ଅଧିକ ପରିମାଣ ଚିନି […]

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଶିଶୁଖାଦ୍ୟ ପ୍ୟାକେଟ୍‌‌ ପ୍ରସ୍ତୁତକାରୀ ଏକ ଅଗ୍ରଣୀ କମ୍ପାନୀ ଏହାର ସ୍ୱାସ୍ଥ୍ୟକାରୀ ଉତ୍ପାଦ ରୂପେ ବହୁଳ ଭାବେ ପ୍ରଚାରିତ ଓ ପ୍ରସାରିତ ନାମକରା ଉତ୍ପାଦ୍‌‌କୁ ନେଇ ଏବେ ବିବାଦର ଘେରରେ। ସମ୍ପୃକ୍ତ କମ୍ପାନୀ ଉକ୍ତ ଉତ୍ପାଦ ବିଭିନ୍ନ ଦେଶ ପାଇଁ ପ୍ରସ୍ତୁତ କରୁଛି ଭିନ୍ନ ଭିନ୍ନ ଉପାଦନ ସହିତ। ଏଣୁ ଭାରତ ସମେତ ଦକ୍ଷିଣ ଏସିଆ, ଆଫ୍ରିକା ଏବଂ ଲାଟିନ୍‌‌ ଆମେରିକା ଆଦି ବିକାଶଶୀଳ ଦେଶମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଶିଶୁଖାଦ୍ୟରେ ଅଧିକ ପରିମାଣ ଚିନି (ଶର୍କରା) ମିଶା ଯାଉଥିଲା ବେଳେ ଇଂଲଣ୍ଡ, ଜର୍ମାନୀ ଆଦି ଦେଶରେ ବିକ୍ରୟ ହେଉଥିବା ନମୁନାରେ ଏହା ଚିନିର ଉପସ୍ଥିତି ନଥିବାର ଜଣାପଡ଼ିଛି। ସୁଇଜରଲ୍ୟାଣ୍ଡର ସ୍ୱେଚ୍ଛାସେବୀ ସଂଗଠନ ‘ପବ୍ଲିକ୍‌‌ ଆଇ ଏଣ୍ଡ ଇଣ୍ଟରନ୍ୟାସନାଲ୍‌‌ ବେବିଫୁଡ୍‌‌ ଆକ୍ସନ ନେଟ୍‌‌ୱାର୍କ’ ବା ସଂକ୍ଷେପରେ ‘ଆଇବିଏଫ୍‌‌ଏଏନ୍‌‌’ର ଅପ୍ରେଲ୍‌‌ ୨୦୨୪ ରିପୋର୍ଟରୁ। ଏହି ରିପୋର୍ଟ ଅନୁଯାୟୀ ଫିଲିପାଇନ୍‌‌ସରେ ବିକ୍ରୟ ହେଉଥିବା ସମ୍ପୃକ୍ତ କମ୍ପାନୀର ଉକ୍ତ ଶିଶୁଖାଦ୍ୟ ଉତ୍ପାଦକୁ ଶିଶୁମାନେ ଥରକେ ଖାଉଥିବା ପରିମାଣରେ ଚିନି ଉପାଦାନ ପ୍ରାୟ ୭.୩ ଗ୍ରାମ, ଥାଇଲ୍ୟାଣ୍ଡରେ ୬ ଗ୍ରାମ, ଇଥୋପିଆରେ ୫.୨ ଗ୍ରାମ, ଦକ୍ଷିଣ ଆଫ୍ରିକାରେ ୪ ଗ୍ରାମ, ପାକିସ୍ତାନ ଓ ଭାରତରେ ୨.୭ ଗ୍ରାମ, ବାଂଲାଦେଶରେ ୧.୬ ଗ୍ରାମ ହେଲାବେଳେ ଇଂଲଣ୍ଡ ଓ ଜର୍ମାନୀରେ ଆଦୌ ନାହିଁ। ଏହି କମ୍ପାନୀର ୧୫୦ଟି ଶିଶୁ ଖାଦ୍ୟ ଉତ୍ପାଦ ଏବଂ ଅନ୍ୟାନ୍ୟ ଶିଶୁଖାଦ୍ୟ ନମୁନାରେ ଏହାର ପରିମାଣ ହାରାହାରି ୨.୭ ଗ୍ରାମ ବୋଲି ଜଣାପଡ଼ିଛି ବେଲଜିୟମର ବିଜ୍ଞାନଗାରରେ ହୋଇଥିବା ଏକ ବିଶ୍ଲେଷଣରୁ। ଆନ୍ତର୍ଜାତିକ ଖାଦ୍ୟ ନିରାପତ୍ତା ମାନଠାରୁ ଏହା ଅଧିକ। ଏହା ଜାଣିଲାପରେ ‘ଫୁଡ୍‌‌ ସେଫ୍‌‌ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍‌‌ ଅଥରିଟି ଅଫ୍‌‌ ଇଣ୍ଡିଆ’ (ଏଫ୍‌‌ଏସ୍‌‌ଏସ୍‌‌ଏଆଇ) ଏହା ଉପରେ ଅନୁଧ୍ୟାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ଉକ୍ତ କମ୍ପାନୀ ଭାରତ ଶାଖା ଇତିମଧ୍ୟରେ ଏଗୁଡ଼ିକରେ ଚିନି ମିଶାଇବା ୩୦ ଶତାଂଶ କମ୍‌‌ କରିଦେଇଥିବାର ଦାବି କରିଛି।

‘ଆଇବିଏଫ୍‌‌ଏଏନ୍‌‌’ର ସୂଚନା ଅନୁସାରେ ୨୦୨୨ ମସିହାରେ ଆମ ଦେଶରେ ଉକ୍ତ ଉତ୍ପାଦର କାରବାର ପହଞ୍ଚିଥିଲା ୨୫୦ ନିୟୁତ ଡଲାରରେ। ଏହାର ପ୍ୟାକେଟ୍‌‌ ଉପରେ ଭିଟାମିନ୍‌‌, ଧାତବଲବଣ ତଥା ଅନ୍ୟାନ୍ୟ ପୌଷ୍ଟିକ୍‌‌ ଉପାଦାନ କଥା ସୁଦୃଶ୍ୟ ଭାବେ ଦିଆଗଲା ବେଳେ ଏଥିରେ ମିଶାଯାଉଥିବା ଚିନି ସମ୍ପର୍କରେ ସୂଚନା ଥିଲା ଅସ୍ପଷ୍ଟ। ବଜାରରେ ମିଳୁଥିବା ଅନ୍ୟାନ୍ୟ ବହୁ ଶିଶୁଖାଦ୍ୟ ଏବଂ ତଥାକଥିତ ସ୍ୱାସ୍ଥ୍ୟକର ଖାଦ୍ୟର କମ୍ପାନୀମାନେ ମଧ୍ୟ ଏପରି କରିଥା’ନ୍ତି। ସେମାନେ ତାଙ୍କ ଉତ୍ପାଦଗୁଡ଼ିକରେ ଥିବା ଉତ୍ତମ ଉପାଦାନଗୁଡ଼ିକର ପୌଷ୍ଟିକ୍‌‌ତତ୍ତ୍ୱ ସମ୍ପର୍କରେ ସ୍ପଷ୍ଟ ସୂଚନା ପ୍ୟାକେଟ୍‌‌ ଉପରେ ଲିପିବଦ୍ଧ କଲାବେଳେ ଅପକାରୀ ଉପାଦାନଗୁଡ଼ିକୁ ଅସ୍ପଷ୍ଟ କିମ୍ବା ଅବୋଧ୍ୟ ରୂପେ ସୂଚୀତ କରୁଛନ୍ତି।

‘ବ୍ରେଷ୍ଟ ଫିଡିଂ ପ୍ରମୋସନ୍‌‌ ନେଟ୍‌‌ୱାର୍କ ଅଫ୍‌‌ ଇଣ୍ଡିଆ’ (ବିପିଏନ୍‌‌ଆଇ) ତଥା ‘ନିଉଟ୍ରିସନ ଆଡଭୋକାସି ଫର ପବ୍ଲିକ୍‌‌ ଇଣ୍ଟେରେଷ୍ଟ’ର ଆବାହକ ଡ. ତରୁଣ ଗୁପ୍ତାଙ୍କ ମତରେ ଉକ୍ତ ଉତ୍ପାଦରେ ଅଧିକ ଚିନି ମିଶାଇବାର ସମ୍ଭାବ୍ୟ କାରଣ ହେଲା ଏହାର ସ୍ୱାଦ ବୃଦ୍ଧି କରିବା। ଫଳରେ ଶିଶୁମାନେ ତାହା ଅଧିକ ଖାଇବାକୁ ଆଗ୍ରହୀ ହେବେ ଏବଂ ତଦନୁଯାୟୀ ବିକ୍ରି ଅଧିକ ହେବ।

ଖାଦ୍ୟରେ ଏପରି ଚିନି ମିଶାଇବାକୁ ବିରୋଧକରେ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା, ବିଶେଷକରି, ୨ ବର୍ଷରୁ କମ୍‌‌ ଶିଶୁମାନଙ୍କ ପାଇଁ। କାରଣ ଏହା ଯେକୌଣସି ନିଶାକାରୀ ଦ୍ରବ୍ୟ ଭଳି ଅଭ୍ୟାସ ସୃଷ୍ଟିକାରୀ। ଏଣୁ ବୟସ ବଢ଼଼ିବା ସଂଗେ ସଂଗେ ସେମାନେ ଏହା ଅଧିକରୁ ଅଧିକ ଖାଇବାକୁ ଚାହାନ୍ତି ଏବଂ ପରବର୍ତ୍ତୀ ଜୀବନ କାଳରେ ପୃଥୁଳତା, ଟାଇପ୍‌‌-୨ ମଧୁମେହ, ହୃଦ୍‌‌ରୋଗ ଏବଂ କେତେକ ପ୍ରକାର କର୍କଟରୋଗର ଆଶଙ୍କା ବଢ଼େ। ଡକ୍ଟର ଗୁପ୍ତାଙ୍କ ମତରେ ଆମ ଦେଶରେ ଏସବୁ ଜୀବନଶୈଳୀ ଜନିତ ରୋଗଗୁଡ଼ିକର ପ୍ରାର୍ଦୁଭାବ ବଢ଼଼ିବାର ଏହା ଅନ୍ୟତମ କାରଣ। ଏଥିଯୋଗୁଁ ଏହାର ୫ରୁ ୧୯ ବର୍ଷ ବୟସ୍କ ପିଲାଙ୍କ ମଧ୍ୟରୁ ଅର୍ଦ୍ଧେକ ଚୟାପୟନ(ମେଟାବୋଲିଜିମ୍‌‌) ଜନିତ ତ୍ରୁଟି ପ୍ରଦର୍ଶନ କରନ୍ତି। କାରଣ ଏହା ଆମ ମସ୍ତିସ୍କର ‘ପୁରସ୍କାର ଓ ଆନନ୍ଦ’ ଅନୁଭବ ନିୟନ୍ତ୍ରିତକାରୀ କେନ୍ଦ୍ରଗୁଡ଼ିକୁ ପ୍ରଭାବିତ କରୁଥିବା ସ୍ନାୟୁ ସଞ୍ଚରକ ‘ଡୋପାମିନ୍‌‌’ର କ୍ଷରଣ ବୃଦ୍ଧିକରେ। ଫଳରେ ସୁମିଷ୍ଟ ଖାଦ୍ୟ ପ୍ରତି ଆସକ୍ତି ବଢ଼େ, ଯେପରି ଘଟେ କୋକେନ୍‌‌ ବା ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ କଲେ। ଏଣୁ ଆମେ ଏହା ଯେତେ ଅଧିକ ଖାଉ ତାହା ଆହୁରି ସେତେ ଅଧିକ ଖାଇବା ପାଇଁ ମନ ବଳେ।

ମନେକରାଯାଏ ଯେ ସମ୍ଭବତଃ ୬ଷ୍ଠ ଶତାବ୍ଦୀ ବେଳୁ ଆମ ଦେଶରେ ଦାନାଦାର ଚିନିର ପ୍ରଚଳନ ଆରମ୍ଭ ହୋଇଥିଲା। ବିଶେଷକରି ପର୍ବପର୍ବାଣୀ ଉପଲକ୍ଷେ ଖାଦ୍ୟକୁ ସୁସ୍ୱାଦୁ କରିବା ପାଇଁ ତାହା ଉପଯୋଗ କରାଯାଉଥିଲା ଏବଂ ସମାଜର ଉଚ୍ଚବର୍ଗର ଲୋକେ ଥିଲେ ତାହାର ସର୍ବାଧିକ ଉପଭୋକ୍ତା। ଏଣୁ ଚିନି ସହିତ ଆମର ପାରମ୍ପରିକ ସମ୍ପର୍କ ଅତି ପୁରାତନ। ସେହିକାଳରୁ ଆର୍ଥିକ ସ୍ୱଚ୍ଛଳତା ଅର୍ଥ ଅଧିକ ମଧୁର ଖାଦ୍ୟ ପାଇଁ ସାମର୍ଥ୍ୟ ଏବଂ କାହାରିକୁ ଏହା ଖାଇବାକୁ ଦେବା ଅର୍ଥ ଭଲ ପାଇବା ରୂପେ ପରିଗଣିତ ହୋଇଆସୁଛି। ଏପରିକି ଦେବାଦେବୀଙ୍କୁ ପ୍ରସାଦ ରୂପେ ମୁଖ୍ୟତଃ ଏହା ଅର୍ପଣ କରାଯାଉଛି। କିନ୍ତୁ ମଣିଷର ଶରୀର ଅତି ସାମାନ୍ୟ ପରିମାଣରେ ଚିନି ବା ଶର୍କରା ଆବଶ୍ୟକ କରେ। ଅନ୍ୟପକ୍ଷରେ ସୁମିଷ୍ଟ ଖାଦ୍ୟ ପ୍ରତି ଆସକ୍ତ ଲୋକେ ବର୍ଷକୁ ଏଥିରୁ ୨୫ / ୩୦ କିଲୋଗ୍ରାମ ବା ଅଧିକ ଖାଇବାର ଦୃଷ୍ଟାନ୍ତମାନ ରହିଛି। ଏବେ ବିଶ୍ୱରେ ମଧୁମେହ ରୋଗର ରାଜଧାନୀ ବୋଲାଉଥିବା ଆମ ଦେଶରେ ମୁଣ୍ଡପିଛା ଏହାର ବ୍ୟବହାର ସର୍ବାଧିକ। ବିଗତ ଶତାବ୍ଦୀରେ ଆମେରିକା ଓ ପଶ୍ଚିମ ୟୁରୋପରେ ଏହା ଥିଲା ୪୦ ରୁ ୫୦ କିଲୋଗ୍ରାମ। ତେବେ ଏହାର ସ୍ୱାସ୍ଥ୍ୟପ୍ରତି ବିପତ୍ତି କଥା ଜଣାପଡ଼ିଲା ପରେ ସେ ସବୁ ସ୍ଥାନରେ ଏହା ନିରାପଦ ମାତ୍ରାକୁ ହ୍ରାସ କରାଗଲାଣି।

ଅନେକ ଦେଶ ପୃଥୁଳତା ଓ ମଧୁମେହ ରୋଗରେ ସୁମିଷ୍ଟ ଖାଦ୍ୟର ଭୂମିକା ବିଚାରକୁ ନେଇ ଏହା ଉତ୍ପାଦନ କରୁଥିବା ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ଅଧିକ କର ଧାର୍ଯ୍ୟ କରିବା ସହିତ ଅନ୍ୟାନ୍ୟ କଟକଣା ଲାଗୁ କଲେଣି। ଉଦାହରଣ ସ୍ୱରୂପ, ଚିଲି ସମସ୍ତ ଅଧିକ ଚିନି ବା ଶର୍କରା ଯୁକ୍ତ ଅପପୁଷ୍ଟିକର ଖାଦ୍ୟ (ଜଂକ୍‌‌ ଫୁଡ୍‌‌)ର ବିଜ୍ଞାପନ ନିଷିଦ୍ଧ କଲାପରେ ମାତ୍ର ୧୮ମାସ ମଧ୍ୟରେ ଏହାର ବିକ୍ରୟ ୨୫% ହ୍ରାସ ପାଇଥିଲା। ଇସ୍ରାଏଲ୍‌‌ ଏବଂ ସିଙ୍ଗାପୁର ମଧ୍ୟ ଏତାଦୃଶ ପଦକ୍ଷେପମାନ ନେଇଛନ୍ତି। ତେଣୁ ସେ ସବୁ ଦେଶର ବିଭିନ୍ନ ମୃଦୁପାନୀୟ ଓ ପ୍ୟାକେଟ୍‌‌ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀମାନେ ସେମାନଙ୍କ ଉତ୍ପାଦରେ ଚିନିର ମାତ୍ରା ବେଶ୍‌‌ କମ୍‌‌ କରି ଦେଇଛନ୍ତି।

କେବଳ ଆମ ଆଲୋଚ୍ୟ ଶିଶୁ ଖାଦ୍ୟ ଉତ୍ପାଦ ନୁହେଁ ଅତୀତରେ ବିଭିନ୍ନ ସମୟରେ ଅନେକ କମ୍ପାଦୀ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଶକ୍ତିବର୍ଦ୍ଧକ ଖାଦ୍ୟ ଉତ୍ପାଦ, ମୃଦୁପାନୀୟ, ନୁଡୁଲସ ଆଦିରେ ସ୍ୱାସ୍ଥ୍ୟହାନିକାରକ ଉପାଦନ ଥିବା କଥା ଜଣାପଡ଼ିଛି। ଅତଏବ କମ୍ପାନୀମାନଙ୍କର ଅତିରଞ୍ଜିତ ପ୍ରଚାର ଓ ବିଜ୍ଞାପନରେ ଥିବା ଅସାଧୁତା ଲୋକଲୋଚନର ଗୋଚରକୁ ଆସିଛି। ତେଣୁ ସେହିସବୁ ଉତ୍ପାଦ ପ୍ରସ୍ତୁତକାରୀ କମ୍ପାନୀମାନେ କିଛି ଉତ୍ପାଦର ଉପାଦାନରେ ପରିବର୍ତ୍ତନ ଆଣି ତାକୁ ପୁନର୍ବାର ବଜାରକୁ ଛାଡ଼ିଛନ୍ତି। ତେବେ, ଏହି ନୂତନ ଉପାଦାନଗୁଡ଼ିକ ଯେ ସମ୍ପୂର୍ଣ୍ଣ ନିରାପଦ ବା ପୁଷ୍ଟିକର ସେ କଥା କିଏ କହିବ? ଏପରିସ୍ଥଳେ ଆମ ସରକାର, ବିଶେଷକରି ଏହାର ‘ଏଫ୍‌‌ଏସ୍‌‌ଏସ୍‌‌ଏ ଆଇ’ ଏ ଦିଗରେ ଅଧିକ ସକ୍ରିୟ ଓ ସତର୍କ ହେବା ଦରକାର। ପୁନଶ୍ଚ ଏସବୁ ତଥାକଥିତ ସ୍ୱାସ୍ଥ୍ୟକର ପ୍ୟାକେଟ୍‌‌ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀମାନେ ମଧ୍ୟ ନୈତିକତା ଦୃଷ୍ଟିରୁ ସେମାନଙ୍କ ଉତ୍ପାଦ ଯେପରି ପ୍ରକୃତରେ ସ୍ୱାସ୍ଥ୍ୟହାନିକର ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବା ଦରକାର। ଅନ୍ୟପକ୍ଷରେ ଏଗୁଡ଼ିକର ବିଜ୍ଞାପନ ଉପରେ ସରକାରୀ କଟକଣା ରହିବା ଉଚିତ। ସର୍ବୋପରି ଲୋକେ ମିଥ୍ୟା ପ୍ରଚାରର ପ୍ରଭାବରେ ଭାସି ନ ଯାଇ ଯଥାସମ୍ଭବ ପ୍ରାକୃତିକ ଖାଦ୍ୟ ଉପରେ ନିର୍ଭରଶୀଳ ହେଲେ ଏ ସମସ୍ୟା ଅନେକାଂଶରେ ଲାଘବ ହୋଇପାରନ୍ତା।

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
ଭୁବନେଶ୍ୱର, ମୋ: ୯୯୩୭୩୦୧୪୬୦

About The Author: The Sakala