ସମ୍ମାନୀୟ ବାପା,
ମୋ’ର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବ। କ’ଣ କହିବି, କେମିତି ଅଛି ବୋଲି! ମୁଁ ଏଠାରେ ଭଲ ନାହିଁ। ଜୀବନଟା ଆଜି ଦୁର୍ବିସହ ହୋଇପଡ଼ିଛି। ଗୋଟିଏ ପାଖରେ ସ୍ତ୍ରୀର ନିର୍ଯାତନା ଆଉ ଗୋଟିଏ ପାଖରେ କାର୍ଯ୍ୟାଳୟର ଚାପ। ଦୁଇଦୁଇ ଥର ଆତ୍ମହତ୍ୟା କରିବାକୁ ଯାଇ କେମିତି ମୃତ୍ୟୁମୁଖରୁ ଫେରି ଆସିଛି! ନା ଚାକିରି ଛାଡ଼ିପାରୁଛି, ନା ଘର। କିଛି ଭୁଲ କରିବା ଆଗରୁ ବୋଉ, ଭଉଣୀ ଓ ପୁଅର ମୁହଁ ଦେଖାଯାଉଛି। ସେମାନଙ୍କ ପ୍ରତି ଥିବା ଦାୟିତ୍ୱବୋଧତା ଓ କର୍ତ୍ତବ୍ୟ କୌଣସି ଏକ ନକାରାତ୍ମକ ପଦକ୍ଷେପ ନେବା ନିମନ୍ତେ ମୋର ବିବେକ ଓ ମନକୁ ବାଧା ଦେଉଛି। କଣ୍ଟକିତ ପରିସ୍ଥିତି ଓ ଜର୍ଜରିତ ଜୀବନକୁ ସାମନା କରି, ମୁଁ ଥକି ପଡୁଛି। ସବୁ ଥାଇ, ପୁଣି ବେଳେବେଳେ କିଛି ନ ଥିଲା ପରି ଲାଗୁଛି। କାରଣ ତୁମର ଶାରୀରିକ ଉପସ୍ଥିତି ଆଜି ମୋ ପାଖରେ ନାହିଁ। ଯାହା ସମସ୍ତେ କୁହନ୍ତି ‘ବାପା ଥିଲା ପୁଅ ସଭାରେ କେବେ ହାରେ ନାହିଁ।’
ତୁମେ ମୋତେ ଛାଡ଼ି ଚାଲିଯିବା ପାଖାପାଖି ଦୁଇ ବର୍ଷ ହୋଇଗଲାଣି। ତୁମେ ଗଲା ପରେ ମୁଁ ସମ୍ପୂର୍ଣ୍ଣ ମୁରବି ବିହୀନ ଓ ଅସହାୟ ହୋଇପଡ଼ିଛି। ତୁମ ହୃଦୟର ଛାଇ ତଳେ ମୁଁ ସୁରକ୍ଷିତ ଏବଂ ଆଶୀର୍ବାଦର ଛାତ ତଳେ ନିରାପଦ ଥିଲି। କିଛି ଗୋଟେ ବିପଦ ଆସିଲେ, ତୁମ ଉପସ୍ଥିତି ମୋତେ ବଡ଼ ସାହସ ପରି ଲାଗୁଥିଲା। ‘ମୋ ବାପା ଅଛନ୍ତି’ କହି ମୁଁ ସବୁ ବିପଦର ବନ୍ଧକୁ ଡେଇଁ ଆଗକୁ ମାଡ଼ି ଚାଲୁଥିଲି। କୌଣସି ଭୁଲ କରିବା ଆଗରୁ ତୁମର ନବୀହୁଡ଼ା ବେତ ପାହାର କଥା ମନେ ପଡୁଥିଲା। ତାହା ମୋତେ ଭୁଲ ଓ ଠିକ୍ର ଜ୍ଞାନ ପ୍ରଦାନ କରୁଥିଲା। ରାତିରେ ଘରକୁ ଫେରିବା ବିଳମ୍ୱ ହେଲେ, ତୁମେ ୧୦ ଥର ଦୁଆରବନ୍ଧ ପାଖକୁ ଆସି ପୁଣି ମୁହଁ ଶୁଖେଇ ଘରକୁ ଚାଲି ଯାଉଥିଲ। ଘରେ ପହଞ୍ଚିବା କ୍ଷଣି ମୋତେ ଗାଳି ଦେଉଥିଲ। ଏଥର କିନ୍ତୁ ବିଳମ୍ୱରେ ଆସିଲେ ୧୦ ଥର ମୋତେ ଦାଣ୍ଡ କବାଟ ବାଡ଼େଇବାକୁ ପଡୁଛି ଘରକୁ ଯିବା ପାଇଁ। ମୋ’ ବାଟ ଜଗିବାକୁ, ମୋ’ ଭୁଲ କାମକୁ ପରଖିବାକୁ, ମୋତେ ସୁପଥ ଦେଖେଇବାକୁ ଆଉ କେହି ନାହାନ୍ତି।
ଆଜିର ଏହି ଆଧୁନିକ ସମୟରେ, କୁପଥର ପଥିକ ଓ ବାଟବଣା ହେବାକୁ ଅନେକ ସୁଯୋଗ ମୋ ହାତରେ। ମନଇଚ୍ଛା ରାତିରେ ଘରକୁ ଫେରିଲେ ମଧ୍ୟ କେହି ନାହିଁ ଆକଟ କରିବାକୁ। ବ୍ୟକ୍ତିଗତ ଦୁଃଖ ଭୁଲିବାକୁ ଅନେକ ଖରାପ ନିଶା ମୋତେ ତା’ଆଡ଼କୁ ଆକୃଷ୍ଟ କରୁଛି। କୁସଙ୍ଗ ମୋତେ ଘେରି ଯାଉଛନ୍ତି। କିନ୍ତୁ ତୁମେ ଜାଣିଛ। ତୁମଠାରୁ ଲାଭ କରିଥିବା ସୁଶିକ୍ଷା, ଆଦର୍ଶ ଓ ସଂସ୍କାର ମୋତେ ଖରାପ କାର୍ଯ୍ୟରୁ ନିବୃତ ରଖୁଛି। ତୁମେ ଦେଇଥିବା ସାହସ ଓ ଶକ୍ତିର ଜ୍ଞାନ ମାଧ୍ୟମରେ ମୁଁ ମୋ ନିଜ ପାଇଁ ନହେଲେ ମଧ୍ୟ ମୋ ଉପରେ ନିର୍ଭର କରୁଥିବା ଅନ୍ୟ ସମସ୍ତଙ୍କ ପାଇଁ ନୂଆ କରି ବଞ୍ଚିବାକୁ ସାହସ ଏକାଠି କରିପାରୁଛି। ତୁମେ ସର୍ବଦା କହୁଥିବା କଥାକୁ ଅନୁସରଣ କରି, ଅଳ୍ପ ରୋଜଗାର ହେଉ ପଛକେ, ସତ୍ମାର୍ଗରେ ଧନ ଉପାର୍ଜନ କରି ଆତ୍ମସମ୍ମାନ ଓ ସ୍ୱାଭିମାନର ସହ ମୁଁ ଜୀବନ ନିର୍ବାହ କରୁଛି। ତୁମେ ପ୍ରଦାନ କରିଥିବା ଉପଦେଶ ଅନୁସାରେ ‘ମୁଁ ସମାଜରେ ବଡ଼ ମଣିଷ ନୁହେଁ, ଭଲ ମଣିଷ ହେବାକୁ ପ୍ରୟାସ ଜାରି ରଖିଛି’। ସେଥିରେ ମୋତେ ଅନେକ ଆତ୍ମସନ୍ତୋଷ ମିଳୁଛି।
ମୁଁ ଭାଙ୍ଗି ପଡ଼ିନି ବାପା, କି ମୋ ପରିସ୍ଥିତି ମୋତେ ଭାଙ୍ଗି ପାରିନାହିଁ। ଜୀବନର ସବୁ ଘାତ-ପ୍ରତିଘାତକୁ ଧୈର୍ଯ୍ୟର ସହ ସାମନା କରି କରି ମୁଁ ଆଜି ଅତୀତ ଅପେକ୍ଷା ଅନେକ ଦୃଢ଼ ଓ ସବଳ ହୋଇପାରିଛି। ତୁମ ବେତ ପାହାରର ଅନୁଭବ ମୋତେ ସଠିକ ମାର୍ଗରେ ଚାଲିବାକୁ ବାଟ କଢ଼େଇ ନେଉଛି।
ବାପା! ତୁମ କଥା ଆଜି ଭାରି ମନେପଡ଼େ। ମନେପଡ଼େ, ନିଜେ ଆମ୍ୱ ଟାକୁଆ ଖାଇ ମୋତେ ଆମ୍ୱ ରସ ଖୁଆଇବାର କଥା। ଫଟା ସାର୍ଟ ଓ ଛିଣ୍ଡା ଚପଲ ପିନ୍ଧି, ମୋ ପାଇଁ ଜିନ୍ସ ପୋଷାକ ଓ ବାଟା ଜୋତା କିଣିଦେବା ଏବଂ ନିଜେ ଭଙ୍ଗା ସ୍କୁଟର ଚଢ଼ି, ମୁଁ କିପରି କାର୍ ଚଢ଼ିବି ତା’ର ବନ୍ଦୋବସ୍ତ କରିବା କଥା। ଭବିଷ୍ୟତରେ ଯଦି ଆର୍ଥିକ ପରିସ୍ଥିତି ମୋର ଭଲ ନ’ରହେ, ତେବେ ମୁଁ କିପରି ଏକ ଭଲ ଜୀବନ ଅତିବାହିତ କରିପାରିବି, ସେକଥା। ପେଟ ଓ ପାଟିରୁ ମାରି, ସଞ୍ଚୟ କରି ମୋ ପାଇଁ ଆର୍ଥିକ ସୁରକ୍ଷାର ବ୍ୟବସ୍ଥା ଓ ସମ୍ପତ୍ତି ଛାଡ଼ିଯିବାର କଥା। ବହୁତ ମନେପଡ଼େ, କାନ୍ଧରେ ବସେଇ ମୋତେ ମେଲଣ ବୁଲେଇବା, ତୁମ ସହ ଦାଣ୍ଡପିଣ୍ଡାରେ ବସି ପଖାଳ, ଆଳୁ ଚଟଣି ଖାଇବା ଓ ବୋଉକୁ ଲୁଚେଇ ମୋତେ ହାତ ଖର୍ଚ୍ଚ ଟଙ୍କା ଦେବା କଥା। ମୁଁ ଭାବିବା ଆଗରୁ ମୋର ସବୁ ଇଚ୍ଛା ପୂରଣ କରିବାର କଥା।
ବାପା ହେଲା ପରେ ମୁଁ ଆଜି ବୁଝିପାରୁଛି ସନ୍ତାନର ପିତା ହେବା ଏତେ ସହଜ ନୁହେଁ। କଠୋର ବ୍ୟବହାର ଓ ଦୃଢ଼ ଅନୁଶାସନର ପରଦା ତଳେ ସୁନ୍ଦର ଓ କୋମଳ ଏକ ହୃଦୟ ଏବଂ ସେଥିମଧ୍ୟରେ ପ୍ରେମ, ସେନେହ ଓ ଯତ୍ନକୁ ଲୁଚାଇବା ସହଜ କଥା ନୁହେଁ। ଓଠରେ ହସ ରଖି, ନୀରବ ରହି, ଅନ୍ୟକୁ ସାନ୍ତ୍ୱନା ଦେଇ, ଲୁଚି ଲୁଚି ନିଜେ କାନ୍ଦିବା ସହଜ କାର୍ଯ୍ୟ ନୁହେଁ। ଗୋଟିଏ ସନ୍ତାନ ପାଇଁ ପିତା ଖାଲି ଏକ ପରିଚୟ ନୁହେଁ। ସେ ଅଦ୍ୱିତୀୟ ସାଧନା ଓ ବ୍ରତ। ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ପ୍ରତିଟି ଜନ୍ମରେ ତୁମେ ମୋର ବାପା ହୋଇ ଆସ। ଆଉ ମୁଁ ତୁମର କୋଳରେ ଜନ୍ମ ନେବାର ସୌଭାଗ୍ୟ ଲାଭ କରେ। ମୋର ପତ୍ରରେ ତ୍ରୁଟି ଥିଲେ ମୋତେ କ୍ଷମା କରିବ। ରହୁଛି। ଇତି, ତୁମର…
ରାକେଶ ପଣ୍ଡା
ବନ୍ଦାଳୋ(କଟକ), ମୋ: ୯୩୩୭୮୯୭୬୫୦