ଭୂମିକମ୍ପ ଏକ ପ୍ରାକୃତିକ ବିପର୍ଯ୍ୟୟ, ଯାହାକି ମୁଖ୍ୟତଃ ଭୂପୃଷ୍ଠର ନିମ୍ନସ୍ତରରେ ହେଉଥିବା କଠିନ ଭୂଖଣ୍ଡ ସଞ୍ଚାଳନର ଏକ ପ୍ରତିଫଳନ। ତେଣୁ ଏହା ସାଧାରଣତଃ କଠିନ ଭୂଖଣ୍ଡଗୁଡ଼ିକର ସୀମା ନିକଟରେ ହିଁ ସୃଷ୍ଟି ହୋଇଥାଏ। କିନ୍ତୁ ଏହାର ପ୍ରଭାବ କେବଳ ସେହିସ୍ଥାନରେ ହିଁ ସୀମିତ ହୋଇନଥାଏ। ଭୂମିକମ୍ପରୁ ସୃଷ୍ଟ ଓ ବିକୀର୍ଣ୍ଣ ହେଉଥିବା ଶକ୍ତି ଭୂପୃଷ୍ଠରେ ତରଙ୍ଗାୟିତ କମ୍ପନ ରୂପରେ ଗତି କରିଥାଏ। ତେବେ ସୃଷ୍ଟ ସ୍ଥାନରେ ଏହାର ପ୍ରଭାବ ସବୁଠାରୁ ଅଧିକ ହୋଇଥାଏ। ଏହିପରି ଏକ ବିପର୍ଯ୍ୟୟ ଘଟିଥିଲା ଫେବୃଆରୀ ୬ ତାରିଖ ଭାରତୀୟ ସମୟ ଭୋର୍ ୪ ବାଜି ୧୭ ମିନିଟ୍ ସମୟରେ ତୁର୍କୀର ଗଜିଆନଟେପ୍ଠାରେ। ଭୂମିକମ୍ପର ତୀବ୍ରତା ଥିଲା ରିକ୍ଟର ସ୍କେଲରେ ୭.୮ ଏବଂ କମ୍ପନର ଅବଧି ଥିଲା ପାଖାପାଖି ୨ ମିନିଟ୍। ଭୋର୍ ସମୟରେ କେହି କିଛି ଭାବିବା ପୂର୍ବରୁ ହିଁ ଆରମ୍ଭ ହୋଇଯାଇଥିଲା ଭୂକମ୍ପର ତାଣ୍ଡବ। ବିରାଟ ଅଟ୍ଟାଳିକା, ବ୍ରିଜ ଏବଂ ଅନ୍ୟାନ୍ୟ କଂକ୍ରିଟ ନିର୍ମିତ ଢାଞ୍ଚା ତଳେ ଫସିଯାଇଥିଲେ ଅନେକ ଲୋକ। ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିବା ବେଳେ ନିକଟସ୍ଥ(୭୦କିମି) ଆଉ ଏକ ସ୍ଥାନ କହରାମନମାରସରେ ସୃଷ୍ଟି ହେଲା ଆଉ ଏକ ଭୂକମ୍ପ। ଏହାର ତୀବ୍ରତା ଥିଲା ରିକ୍ଟର ସ୍କେଲ୍ରେ ୭.୫। ଏହି ଦୁଇ ଭୂକମ୍ପର ପ୍ରଭାବ ଏତେ ଥିଲା ଯେ ଉଦ୍ଧାରକାରୀ ଦଳର ଅନେକ ସଦସ୍ୟ ସ୍ତୂପ ତଳେ ଚାପି ହୋଇ ରହିଯାଇଥିଲେ।
ବିଶ୍ୱ ଇତିହାସରେ ଏହାଠାରୁ ବଡ଼ ଭୂକମ୍ପର ମଧ୍ୟ ଉଦାହରଣ ରହିଛି। ଭାରତରେ ଏଯାବତ୍ ତଥ୍ୟଭିତ୍ତିକ ସବୁଠାରୁ ଅଧିକ ହୃଦୟ ବିଦାରକ ଭୂମିକମ୍ପର ଉଦାହରଣ ହେଉଛି ୧୯୫୦ ମସିହାରେ ଆସାମରେ ହୋଇଥିବା ୮.୬ ତୀବ୍ରତା ଯୁକ୍ତ ଭୂମିକମ୍ପ। ଏଥିରେ ଜୀବନହାନିର ଆକଳନ ଥିଲା ୩୦୦୦।୨୦୦୫ ମସିହାରେ ହୋଇଥିବା କାଶ୍ମୀର ଭୂକମ୍ପରେ ଜୀବନହାନିର ପରିମାଣ ଥିଲା ୮୭୦୦୦। କିନ୍ତୁୁ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ଥିଲା ୭.୬। ଭୂମିକମ୍ପ ସୃଷ୍ଟି ହୋଇଥିବା ସ୍ଥାନର ଭୂତାତ୍ତ୍ୱିକ ସଂରଚନା, ଭୌଗୋଳିକ ସ୍ଥିତି, ଜନସଂଖ୍ୟା ଏବଂ ସେଠାରେ ନିର୍ମିତ କୋଠାବାଡ଼ି ଓ ବ୍ରିଜ୍ଗୁଡ଼ିକର ଆକାର ଓ ପ୍ରତିରୋଧକ ଶକ୍ତି ଉପରେ ଏହାର କ୍ଷୟକ୍ଷତିର ଭୟାବହତା ନିର୍ଭର କରେ।
ଭୌଗୋଳିକ ଦୃଷ୍ଟିରୁ ଭାରତରେ କେବଳ ଉତ୍ତରରେ ଥିବା ହିମାଳୟ ପାର୍ବତ୍ୟାଞ୍ଚଳ ଓ ଗାଙ୍ଗେୟ ଉପତ୍ୟକାକୁ ଛାଡ଼ିଦେଲେ ମଧ୍ୟଭାରତ ଏବଂ ଦକ୍ଷିଣଭାରତରେ ଭୂମିକମ୍ପ ଜନିତ ବିପଦର ଆଶଙ୍କା କମ୍ ରହିଛି। ତେବେ ବର୍ତ୍ତମାନ ସମସ୍ୟା ହେଉଛି ମନୁଷ୍ୟକୃତ ବିପର୍ଯ୍ୟୟର। ଭୂମିକମ୍ପ କିମ୍ୱା ଅନ୍ୟ ବିପର୍ଯ୍ୟୟ କେବଳ ପ୍ରାକୃତିକ ଉପାୟରେ ଯେ ସୃଷ୍ଟି ହୁଏ ତା’ ନୁହେଁ। ଯେକୌଣସି ଏକ ବୃହତ୍ ଯୋଜନା କରିବା ପୂର୍ବରୁ ଆମେ ପ୍ରଥମେ ସେଥିରୁ ଉପୁଜିବାର ଆଶଙ୍କା ଥିବା ବିପର୍ଯ୍ୟୟଗୁଡ଼ିକ ଉପରେ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ। ଏହାର ଏକ ବଡ଼ ଉଦାହରଣ ହେଉଛି ମହାରାଷ୍ଟ୍ରରେ ହୋଇଥିବା କୋଏନା ବନ୍ଧ ଜନିତ ମନୁଷ୍ୟକୃତ ବିପର୍ଯ୍ୟୟ। ୧୯୬୭ ରେ ହୋଇଥିବା ଏହି ବିପର୍ଯ୍ୟୟର କାରଣ ଥିଲା ବନ୍ଧ ନିର୍ମାଣ ଯୋଗୁଁ ସୃଷ୍ଟି ହୋଇଥିବା ୬.୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ। ଏହିପରି ମନୁଷ୍ୟକୃତ ବୃହତ୍ ଯୋଜନା ହେତୁ ଘଟିଥିବା ବିପର୍ଯ୍ୟୟର ଅନେକ ଉଦାହରଣ ରହିଛି। ତେବେ ସମ୍ପ୍ରତି ଓଡ଼ିଶା ପରିପ୍ରେକ୍ଷୀରେ ଆଲୋଚନା କଲେ ଆମେ ଦେଖିପାରିବା ଯେ ବର୍ତ୍ତମାନ ଅନେକ ବଡ଼ ବଡ଼ ଯୋଜନା ବା ନିର୍ମାଣ କାର୍ଯ୍ୟ ହେଉଛି। ସେଥିମଧ୍ୟରୁ କେତେକ ଯୋଜନା ନଦୀ ପାର୍ଶ୍ବରେ ଦୁର୍ବଳ ଭିତ୍ତି ରହିଥିବା ଭୂମି ଉପରେ ହେଉଥିବା ଦେଖାଯାଉଛି। ଏଡ଼େ ବୃହତ୍ ଯୋଜନାର ସଠିକ ଭୂମିକମ୍ପ ପ୍ରତିରୋଧକ ଆକଳନ କରାଯାଇଛି କି ନାହିଁ ତାହା ଉପରେ ଅଞ୍ଚଳବାସୀଙ୍କ ସନ୍ଦେହ ରହୁଛି। କାରଣ ଯୋଶୀମଠରେ ଏବେ ଯେଉଁ ସ୍ଥିତି ଦେଖାଦେଇଛି ତାହା ମଧ୍ୟ ବେଆଇନ ନିର୍ମାଣ କାର୍ଯ୍ୟ ଯୋଗୁଁ ହିଁ ହୋଇଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଦେଖିବାକୁ ଗଲେ ଭାରତରେ ସବୁ ସ୍ଥାନରେ ଯେକୌଣସି ଏକ ବୃହତ୍ ଯୋଜନାର ଆରମ୍ଭ ପୂର୍ବରୁ ସେଠାର ମୃତ୍ତିକା, ଭୌଗୋଳିକ ସ୍ଥିତି ଓ ଭୂତାତ୍ତ୍ୱିକ ସଂରଚନାକୁ ଯାଞ୍ଚ କରାଯାଇ ଉପଯୁକ୍ତ କୋଡ୍ ପ୍ରଚଳନ କରାଯାଇଥାଏ। ତେବେ ଅନେକ ସ୍ଥାନରେ ଏହା ମଧ୍ୟ ଦେଖିବାକୁ ମିଳିଥାଏ ଯେ କେତେକ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଏହାକୁ ହେୟଜ୍ଞାନ କରି କେବଳ ନିଜସ୍ୱ ଲାଭର ଆକଳନ କରି ଯୋଜନାକୁ ବଳପୂର୍ବକ ସମ୍ପାଦନା କରାଇଥା’ନ୍ତି। ତେବେ ଏହା ଯେ ଭବିଷ୍ୟତରେ ଅଞ୍ଚଳ ପାଇଁ କ୍ଷତି ସାଧନ କରିବ ଏହା ଆମେ ବିପର୍ଯ୍ୟୟ ଘଟିବା ପରେ ହିଁ ହେଜିଥାଉ।
ତେଣୁ କୌଣସି ଯୋଜନାକୁ ପ୍ରାଥମିକ ଅନୁମତି ଦେବା ପୂର୍ବରୁ ବ୍ୟକ୍ତିଗତ କିମ୍ବା ସ୍ୱଳ୍ପମିଆଦୀ ଲାଭ ଚିନ୍ତାକୁ ପରିତ୍ୟାଗ କରି ସମାଜର ଓ ପରିବେଶର ଦୀର୍ଘମିଆଦୀ ସୁରକ୍ଷା କଥା ଚିନ୍ତା କରିବା ଦରକାର। ଏହାଦ୍ୱାରା ଆଗାମୀ ଦିନରେ ଘଟିବାକୁ ଥିବା ମନୁଷ୍ୟକୃତ ଦୁର୍ବିପାକକୁ ବହୁମାତ୍ରାରେ ଏଡ଼ାଇ ଦିଆଯାଇପାରିବ।
ସମ୍ବିତ ସାହୁ
ରାଉରକେଲା