ଦାସତ୍ୱ ମାନସିକତାର ଅନ୍ତ କେବେ?

ନିକଟରେ ‘ଆମେରିକା ଦମ୍ପତିଙ୍କୁ ୩୬୫ ବର୍ଷ ଜେଲଦଣ୍ଡ’ ଶୀର୍ଷକ ଏକ ସମ୍ୱାଦ ଖବରକାଗଜର ପୃଷ୍ଠା ମଣ୍ଡନ କରିଥିଲା, ଯାହାଥିଲା ଆମେରିକା ଇତିହାସର ସବୁଠାରୁ ଅଧିକ ବର୍ଷ ଜେଲଦଣ୍ଡ। ମଣିଷର ଆୟୁଠାରୁ ଅଧିକ ବର୍ଷ ଜେଲ ଦଣ୍ଡାଦେଶ ଯେତିକି କୌତୂହଳପ୍ରଦ, ଦଣ୍ଡାଦେଶର ପ୍ରଚ୍ଛଦପଟ୍ଟରେ ଥିବା କାହାଣୀ ତା’ଠାରୁ ଢେରଗୁଣ ଅଧିକ ହୃଦୟବିଦାରକ। ଏକବିଂଶ ଶତାବ୍ଦୀରେ ଆମେରିକା ପରି ବିକଶିତ ରାଷ୍ଟ୍ରରେ ବର୍ଣ୍ଣବୈଷମ୍ୟ ଭେଦଭାବ ମାନସିକତା ସମ୍ପନ୍ନ ଦମ୍ପତି ପାଞ୍ଚଜଣ କୃଷ୍ଣକାୟ ଶିଶୁଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରି ସମାଜରେ […]

ନିକଟରେ ‘ଆମେରିକା ଦମ୍ପତିଙ୍କୁ ୩୬୫ ବର୍ଷ ଜେଲଦଣ୍ଡ’ ଶୀର୍ଷକ ଏକ ସମ୍ୱାଦ ଖବରକାଗଜର ପୃଷ୍ଠା ମଣ୍ଡନ କରିଥିଲା, ଯାହାଥିଲା ଆମେରିକା ଇତିହାସର ସବୁଠାରୁ ଅଧିକ ବର୍ଷ ଜେଲଦଣ୍ଡ। ମଣିଷର ଆୟୁଠାରୁ ଅଧିକ ବର୍ଷ ଜେଲ ଦଣ୍ଡାଦେଶ ଯେତିକି କୌତୂହଳପ୍ରଦ, ଦଣ୍ଡାଦେଶର ପ୍ରଚ୍ଛଦପଟ୍ଟରେ ଥିବା କାହାଣୀ ତା’ଠାରୁ ଢେରଗୁଣ ଅଧିକ ହୃଦୟବିଦାରକ। ଏକବିଂଶ ଶତାବ୍ଦୀରେ ଆମେରିକା ପରି ବିକଶିତ ରାଷ୍ଟ୍ରରେ ବର୍ଣ୍ଣବୈଷମ୍ୟ ଭେଦଭାବ ମାନସିକତା ସମ୍ପନ୍ନ ଦମ୍ପତି ପାଞ୍ଚଜଣ କୃଷ୍ଣକାୟ ଶିଶୁଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରି ସମାଜରେ ଉଚ୍ଚ ସମ୍ମାନ ଲାଭ କରିଥିବା ବେଳେ ସମସ୍ତଙ୍କ ଅଗୋଚରରେ ସେମାନଙ୍କୁ ଗୋଲାମ ଭାବରେ ରଖି ଅକଥନୀୟ ଅତ୍ୟାଚାର କରୁଥିବାର ପରେ ଜଣା ପଡ଼ିଥିଲା। ସେମାନେ ସେହି ନିଷ୍ପାପ ଶିଶୁମାନଙ୍କୁ ଯନ୍ତା ଭଳି ଏକ କ୍ଷୁଦ୍ର ପ୍ରକୋଷ୍ଠରେ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ରଖି ଖାଇବାକୁ ନ ଦେଇ ଘରୋଇ କାମ କରିବାକୁ ବାଧ୍ୟ କରିବା ଭଳି ବିଭିନ୍ନ ଭାବରେ ଅତ୍ୟାଚାର ଓ ଶୋଷଣ କରୁଥିଲେ। ସେମାନଙ୍କର ଅସଲ ସ୍ୱରୂପ ବାହାରକୁ ଆସିବା ପରେ ସମଗ୍ର ପୃଥିବୀରେ ଆଲୋଡ଼ନ ଖେଳିଯାଇଛି। ଆଇନଗତ ଭାବରେ ଦାସତ୍ୱ ପ୍ରଥା ଉଚ୍ଛେଦ ହୋଇଥିଲେ ମଧ୍ୟ ଏବେ ବି ଏହି ମାନସିକତା ବଳବତ୍ତର ରହିଛି, ଉପରୋକ୍ତ ଘଟଣା ତା’ର ଜ୍ୱଳନ୍ତ ଉଦାହରଣ।

୧୮୬୫ ମସିହା ଡିସେମ୍ୱର ୧୮ ତାରିଖରେ ବିଧିବଦ୍ଧ ଭାବରେ ଆମେରିକାରେ ଦାସତ୍ୱପ୍ରଥାର ଅନ୍ତ ଘଟିଥିଲା। ଦୀର୍ଘବର୍ଷର ସଂଘର୍ଷ ପରେ ଆଫ୍ରିକାର ନିଗ୍ରୋମାନଙ୍କୁ ଦିଆଯାଉଥିବା ଅକଥନୀୟ ଅତ୍ୟାଚାରରୁ ସେମାନଙ୍କୁ ମୁକ୍ତି ମିଳିଥିଲା। ଗୋଡ଼ରେ ବେଡ଼ି ଓ ହାତରେ କଡ଼ି ଲଗାଇ ରଖିବା, ସାମାନ୍ୟ ଦୋଷତ୍ରୁଟି ପାଇଁ ‘ମାଡ଼ଘର’କୁ ପଠାଇ ଚାବୁକ ପ୍ରହାର କରାଇବା, ମାଲିକ ନିଜର ଋଣରୁ ମୁକ୍ତି ପାଇଁ ପଣ୍ୟଦ୍ରବ୍ୟ ଭଳି ସେମାନଙ୍କୁ ବିକ୍ରୟ ବା ହାଟରେ ନିଲାମ କରିବା, ସେମାନଙ୍କର ପୁତ୍ରକନ୍ୟା, ଭାଇଭଉଣୀ ଆଦି ପ୍ରିୟଜନଙ୍କୁ ତାଙ୍କଠାରୁ ଅଲଗା କରି ଅନ୍ୟତ୍ର ବିକ୍ରୟ କରିଦେବା, ଆବଶ୍ୟକ ପରିମାଣ ଖାଦ୍ୟ ନ ଦେବା, ଅପରିଷ୍କାର ପରିବେଶରେ ରଖି ପଶୁ ଭଳି ବ୍ୟବହାର କରିବା, ସକାଳରୁ ରାତ୍ରି ପର୍ଯ୍ୟନ୍ତ ପଶୁଭଳି ଖଟାଇବା ଆଦି ଲୋମଟାଙ୍କୁରା କାହାଣୀ ପ୍ରତ୍ୟେକ ଦାସଙ୍କର ଭାଗ୍ୟଲିଖନ ହୋଇଯାଇଥିଲା, ଯାହା ଶୁଣିଲେ ଆଜି ବି ହୃଦୟ କାନ୍ଦିଉଠେ। ଆମେରିକାରୁ ଦାସତ୍ୱପ୍ରଥା ଉଚ୍ଛେଦ ନିମିତ୍ତ ଏଚ୍‌‌ ବି ଷ୍ଟୋଙ୍କର ‘ଅଙ୍କଲ ଟମସ କ୍ୟାବିନ’ର ଭୂମିକା ସମସ୍ତଙ୍କୁ ଜଣା। ଏହି ଉପନ୍ୟାସ ଏପରି ମାନସିକ ଆବେଗ ସୃଷ୍ଟି କରିଥିଲା ଯେ ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକା ମଧ୍ୟରେ ଦୀର୍ଘ ପାଞ୍ଚବର୍ଷ ଧରି ଗୃହଯୁଦ୍ଧ ଚାଲିଥିଲା ଏବଂ ତତ୍କାଳୀନ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନଙ୍କ ଦ୍ୱାରା ଏହି ଅଲୋଡ଼ା ଇତିହାସର ପରିସମାପ୍ତି ଘଟିପାରିଥିଲା।

ଦାସତ୍ୱ ଏକ ମାନସିକତା। ନିମ୍ନ ଆୟବର୍ଗର ମଣିଷଟିଏ ହେଉ କି ଖଟିଖିଆ ମୂଲିଆଟିଏ ହେଉ ଏବେ ମଧ୍ୟ ଜୀବିକାର୍ଜନ ପାଇଁ ଧନିକ ଶ୍ରେଣୀ ନିକଟରେ ହାତ ପତାଇବାକୁ କୁଣ୍ଠାବୋଧ କରୁନାହିଁ। ପ୍ରାପ୍ୟର ଅସଂଗତିକୁ ତର୍ଜମା କରିବାର ମାନସିକତା ନାହିଁ ତା’ ନିକଟରେ। ସେତିକିରେ ସନ୍ତୁଷ୍ଟ ହୋଇ ନିଜ ଭାଗ୍ୟକୁ ମାନି ନେଇ କୃତାର୍ଥ ମନେ କରୁଛି। କାରଣ ମୁହଁ ଖୋଲିଲେ କାଲି ସକାଳେ ହୁଏତ ପରିବାର ତୁଣ୍ଡରେ ଦି ମୁଠା ଅନ୍ନ ଯୋଗାଡ଼ କରିବା କଷ୍ଟକର ହେବ। ତେଣୁ ଯେତେ ଅନ୍ୟାୟ, ଅତ୍ୟାଚାର, ଅବିଚାର, ନିର୍ଯାତନା ପାଇ ଭିତରେ କୁହୁଳୁ ଥିଲେ ମଧ୍ୟ ନିରବ ରହିବା ଶ୍ରେୟସ୍କର ମନେ କରୁଛି। ଏହାର ସୁଯୋଗ ନେଇ ଧନିକ ଶ୍ରେଣୀଙ୍କ ନିକଟରେ ଦେଖାଦେଉଛି ଆଧୁନିକ ଦାସତ୍ୱପ୍ରଥା।

ଆଧୁନିକ ଦାସତ୍ୱ ଏକ ଗଭୀର ଚିନ୍ତାଜନକ ସମସ୍ୟା, ଯାହା ଆଇନଗତ କଟକଣା ସତ୍ତ୍ବେ ସାରା ବିଶ୍ୱରେ ବିଭିନ୍ନ ରୂପରେ ଜାରି ରହିଛି। ଏଥିରେ ବଳପୂର୍ବକ ଶ୍ରମିକ, ମାନବ ଚାଲାଣ, ଋଣ ବନ୍ଧନ, ଶିଶୁ ଶ୍ରମିକ, ବଳପୂର୍ବକ ବିବାହ, ଘରୋଇ ଦାସତ୍ୱ ଏବଂ ସାଇବର ଦାସତ୍ୱ ଭଳି କୁପ୍ରଥାଗୁଡ଼ିକ ଅନ୍ତର୍ଭୁକ୍ତ। ୨୦୨୩ ମସିହା ସୁଦ୍ଧା ବିଶ୍ୱବ୍ୟାପୀ ୫ କୋଟିରୁ ଅଧିକ ଲୋକ ଆଧୁନିକ ଦାସତ୍ୱ ପରିସ୍ଥିତିରେ ଜୀବନଯାପନ କରୁଛନ୍ତି। ‘ଆଣ୍ଟି-ସ୍ଲେଭରି ଇଣ୍ଟରନ୍ୟାସନାଲ’ ସଂସ୍ଥା ମତରେ ‘ଊନବିଂଶ ଶତାବ୍ଦୀରେ ଦାସତ୍ୱ ବିଲୋପ ସହିତ ଏହି ପ୍ରଥା ଶେଷ ହୋଇ ନ ଥିଲା। ଏହା ଆଜି ମଧ୍ୟ ଆମ ବିଶ୍ୱକୁ ଆଘାତ କରୁଛି।’ ଆଧୁକିକ ଦାସତ୍ୱର ଏହି ନବରୂପର ରାଶିରାଶି ଉଦାହରଣ ପୃଥିବୀର କୋଣେ ଅନୁକୋଣେ ପରିଦୃଶ୍ୟ। ଚୀନର ଜିନଜିଆଙ୍ଗ ପ୍ରଦେଶରେ କପା ଏବଂ ସୌର ପ୍ୟାନେଲ ଉତ୍ପାଦନ କ୍ଷେତ୍ରରେ ଉଇଘୁର କାହାଣୀ, କାନାଡ଼ାରେ ଆର. ବନାମ ହରକତ ମାମଲା ଲୋକଲୋଚନକୁ ଆଣିଥିବା ଦକ୍ଷିଣ-ପୂର୍ବ ଏସିଆର ମହିଳାମାନଙ୍କୁ ଘରୋଇ କାମର ଆଳ ଦେଖାଇ ଆଣି ସେମାନଙ୍କୁ ବାଧ୍ୟକରି କେବଳ ଯୌନ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଘଟଣା, ଭାରତରେ ଇଟା ଭାଟି ଏବଂ କାର୍ପେଟ କାରଖାନାମାନଙ୍କରେ ଥିବା ସମ୍ପୂର୍ଣ୍ଣ ପରିବାର ପିଢ଼ି ପରେ ପିଢ଼ି ଋଣ ବନ୍ଧନରେ ଏବେ ବି ଫସି ରହିଥିବା ଅଭିଯୋଗ, ପଶ୍ଚିମ ଆଫ୍ରିକାରେ ହଜାର ହଜାର ପିଲା କୋଟ୍‌‌ ଡି’ଆଇଭୋଇର୍‌‌ ଏବଂ ଘାନାରେ କୋକୋ ବଗିଚାରେ କାମ କରୁଥିବା ଦୃଶ୍ୟ, ୟୁକେରେ ୨୦୨୨ ମସିହାରେ ୧୩୦୦ରୁ ଅଧିକ ବଳପୂର୍ବକ ବିବାହ ମାମଲା ଆଦିକୁ ଏହାର ଉଦାହରଣ ରୂପେ ନିଆଯାଇପାରେ। ସେହିପରି ୫, ୦୦୦ ରୁ ଅଧିକ ଭାରତୀୟ ସାଇବର ଦାସତ୍ୱର ଶିକାର ହୋଇଥିବା ଜଣାପଡ଼ିଛି।

ଆଧୁନିକ ଦାସତ୍ୱ ମୁକାବିଲା କରିବା ନିମିତ୍ତ ଅନେକ ପ୍ରତିବନ୍ଧକ ଓ ଆହ୍ୱାନ ରହିଛି। ଏଥିନିମିତ୍ତ ଦୁର୍ବଳ ଶ୍ରମ ଆଇନ ଏବଂ ପ୍ରବର୍ତ୍ତନକୁ ପ୍ରମୁଖ କାରଣ ଭାବରେ ଗ୍ରହଣ କରାଯାଇପାରେ। କାରଣ ଏଥିରେ ଶ୍ରମିକଙ୍କ ଅଧିକାରକୁ ସୁରକ୍ଷା ଦେଉଥିବା ଆଇନଗତ ଢାଞ୍ଚା ଅପର୍ଯ୍ୟାପ୍ତ କିମ୍ୱା ସଠିକ ଭାବରେ କାର୍ଯ୍ୟକାରୀ ହେଉନାହିଁ, ଯାହା ଫଳରେ ଏହା ଶ୍ରମିକମାନଙ୍କ ପାଇଁ ସାମ୍ଭାବ୍ୟ ଶୋଷଣର ବାଟ ଖୋଲିଥାଏ ଏବଂ କ୍ଷତିକାରକ ହୋଇପାରେ। ଏଥିରେ ମଜୁରୀ, କାର୍ଯ୍ୟନିଘଣ୍ଟ, ସୁରକ୍ଷା ଏବଂ ନିଯୁକ୍ତିର ଅନ୍ୟାନ୍ୟ ଦିଗଗୁଡ଼ିକ ସମ୍ପର୍କରେ ପର୍ଯ୍ୟାପ୍ତ ନିୟମାବଳୀ ନାହିଁ। ଏଥିସହିତ ଆଇନ ଥିଲେ ମଧ୍ୟ ସେଗୁଡ଼ିକୁ ସକ୍ରିୟ ଭାବରେ ଯାଞ୍ଚ କିମ୍ୱା ପାଳନ କରାଯାଉନାହିଁ, ଯାହାଫଳରେ ଆଇନର ଉଲ୍ଲଙ୍ଘନ ଏବଂ ନିଯୁକ୍ତିଦାତାଙ୍କ ପାଇଁ ଉତ୍ତରଦାୟିତ୍ୱର ଅଭାବ ଦେଖାଯାଉଛି। ଅନେକ କ୍ଷେତ୍ରରେ କର୍ତ୍ତୃପକ୍ଷ ସ୍ୱୟଂ ଦୁର୍ନୀତିଗ୍ରସ୍ତ କିମ୍ୱା ଏଥିସହିତ ଜଡ଼ିତ ରହିବା ବା ସହଯୋଗ କରୁଥିବା ଦେଖାଯାଉଛି। ଅଳ୍ପ ପାରିଶ୍ରମିକରେ ଶ୍ରମିକ ପାଇବା ଏବଂ ଶସ୍ତା ଉତ୍ପାଦର ଚାହିଦା ମଧ୍ୟ ଏହାର ଅନ୍ୟତମ କାରଣ। ଶ୍ରମିକମାନଙ୍କର ସଚେତନତାର ଅଭାବ କିମ୍ୱା ପ୍ରତ୍ୟେକ ସ୍ତରରେ ଶୋଷଣମୂଳକ ପରିସ୍ଥିତିକୁ ଅଣଆନୁଷ୍ଠାନିକ ଭାବରେ ସ୍ୱୀକୃତି ପ୍ରଦାନ ଦାସତ୍ବ ପ୍ରଥାର ବିଲୋପସାଧନରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଏହାଛଡ଼ା ପୀଡ଼ିତକୁ ଚିହ୍ନଟ କରିବା ଏବଂ ସୁରକ୍ଷା ପ୍ରଦାନ କରିବା ସହିତ ତୁରନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ଦ୍ୱାରା ଏହି ସମସ୍ୟା ବୃଦ୍ଧି ପାଉଛି।

ଆଧୁନିକ ଦାସତ୍ୱ ମୁକାବିଲା କରିବା ପାଇଁ ଅନେକ ଦେଶରେ ଆଇନ ପ୍ରଣୟନ ହେବା ସହିତ ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରୟାସ ଜାରି ରହିଛି, ଯାହା ସ୍ୱାଗତଯୋଗ୍ୟ। ୟୁକେର ଆଧୁନିକ ଦାସତ୍ୱ ଆଇନ ଏବଂ କାଲିଫର୍ଣ୍ଣିଆର ଯୋଗାଣ ଶୃଙ୍ଖଳା ଆଇନ ଆଦି ଏ ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ସେହିପରି ଫ୍ରି ଦି ସ୍ଲେଭସ, ୱାକ୍‌‌ ଫ୍ରି ଫାଉଣ୍ଡେସନ୍‌‌ ଏବଂ ଆଇଜେଏମ ପରି ସ୍ବେଚ୍ଛାସେବୀ ସଂଗଠନଗୁଡ଼ିକ ଏଥିନିମିତ୍ତ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି। ଏହାଛଡ଼ା ନୈତିକ ସୋର୍ସିଂ ପାଇଁ ଉପଭୋକ୍ତା ସମର୍ଥନ ମାଧ୍ୟମରେ ସମ୍ପୂର୍ଣ୍ଣ ଉତ୍ପାଦନ ପ୍ରକ୍ରିୟାରେ ନିରପେକ୍ଷ ଶ୍ରମ ଅଭ୍ୟାସ, ନିରାପଦ କାର୍ଯ୍ୟ ପରିସ୍ଥିତି, ମାନବ ଅଧିକାର ପ୍ରତି ସମ୍ମାନ ଏବଂ ସର୍ବନିମ୍ନ ପରିବେଶଗତ ପ୍ରଭାବକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ପୁନଶ୍ଚ ୱାକ୍‌‌ ଫ୍ରି ଫାଉଣ୍ଡେସନ୍‌‌ ଦ୍ୱାରା ସୃଷ୍ଟି ହୋଇଥିବା ଗ୍ଲୋବାଲ୍‌‌ ସ୍ଲେଭରି ଇଣ୍ଡେକ୍ସ, ୧୬୭ଟି ଦେଶରେ ଆଧୁନିକ ଦାସତ୍ୱର ବ୍ୟାପକତା ଏବଂ ସରକାରୀ ପ୍ରତିକ୍ରିୟାକୁ ଆକଳନ କରୁଛି। ଏହା ସମସ୍ୟାର ଆକାର, ଦୁର୍ବଳତାର କାରଣ ଏବଂ ଆଧୁନିକ ଦାସତ୍ୱ, ଯେପରିକି ବଳପୂର୍ବକ ଶ୍ରମିକ ଏବଂ ମାନବ ଚାଲାଣ ବିରୋଧରେ ସରକାରୀସ୍ତରରେ ହେଉଥିବା ପ୍ରୟାସର ମୂଲ୍ୟାଙ୍କନ କରୁଛି।

ବିଶ୍ୱବ୍ୟାପୀ ଏତେ ଆଇନ, ଏତେ ଅନୁଷ୍ଠାନର କାର୍ଯ୍ୟକାରିତା ସତ୍ତ୍ବେ ଦାସତ୍ୱ ମାନସିକତା ଏକବିଂଶ ଶତାବ୍ଦୀରେ ବି ବଳବତ୍ତର ରହିବାଠାରୁ ଲଜ୍ୟାଜନକ କଥା ଆଉ କିଛି ନାହିଁ। ବିକାଶଶୀଳ, ବିକଶିତ ରାଷ୍ଟ୍ରର ମର୍ଯ୍ୟାଦା ବହନ କରୁଥିବା ତଥାକଥିତ ସଭ୍ୟ ସମାଜରେ ଏହି କଳଙ୍କ ଆଉ କେତେଦିନ ତା’ର କାୟା ବିସ୍ତାର କରି ରହିବ? କେବେ ଅନ୍ତ ହେବ ଏହି ନିର୍ଯାତନାର ହୃଦୟ ବିଦାରକ କାହାଣୀ? ସ୍ୱାର୍ଥ, ପ୍ରଭୁତ୍ୱ, କ୍ଷମତା, ପ୍ରତିପତ୍ତି, ଲାଳସା, ଲୋଭ, ମୋହ ସର୍ବୋପରି ଅମାନୁଷିକତା ହିଁ ଏହାର ପ୍ରମୁଖ କାରଣ ବୋଲି କୁହାଯାଇପାରେ। ଯଦି କ୍ଷଣକ ପାଇଁ ମଣିଷ ସ୍ୱାର୍ଥପରତାର ପରଦାକୁ ନିଜ ଆଖିରୁ ହଟେଇ ନେଇ ନିଜ ଅନ୍ତର୍ମନରେ ସଂଗୋପିତ ମଣିଷପଣିଆର ଶୁଦ୍ଧ ଫଲଗୁରେ ଅବଗାହନ କରି ନିଜର ଆତ୍ମାକୁ ଶୂଚୀବନ୍ତ କରିଦେବ, ଏ ସମସ୍ୟା ଆପେ ଆପେ ଦୂରୀଭୂତ ହୋଇଯିବ।

ଡ. ଉଷାରାଣୀ ଦାଶ
ଏମ୍ସ, ଭୁବନେଶ୍ୱର, ୯୪୩୮୧୩୩୬୧୨

About The Author: The Sakala