ଭାରତ ସମେତ ଅନ୍ୟ ଦେଶରେ କୃଷକ ସଂଘମାନେ ବିଭିନ୍ନ ଆନ୍ଦୋଳନର ପନ୍ଥା ଧରି ଦାବି ବାଢ଼ିବାରେ ବ୍ୟସ୍ତ। ଏହାଦ୍ୱାରା ଅର୍ଥନୈତିକ ବିକାଶରେ ଦେଶ ପଛରେ ପଡ଼ିଯାଏ। କିନ୍ତୁ ଜାପାନ ଓ ଦକ୍ଷିଣ କୋରିଆର କୃଷିସେବା ସମିତିମାନଙ୍କ ପରି ତାଇୱାନ୍ର ୨୦୦ କୃଷକ ସଂଘ ବିଭିନ୍ନ କୃଷିଋଣ ଗ୍ରହଣ କରି ଯଥେଷ୍ଟ ଉତ୍ପାଦନ ବଢ଼଼ାଇପାରିଛନ୍ତି। ଫଳରେ ୧୯୬୩ରୁ ୧୯୭୯ ମସିହା ମଧ୍ୟରେ ତାଇୱାନ୍ ଅଧିବାସୀମାନଙ୍କ ହାରାହାରି ବ୍ୟକ୍ତିଗତ ଆୟ ୭ ଗୁଣା ବଢ଼଼ିଛି। ଅର୍ଥାତ୍ ଜାପାନ ପଛକୁ ତାଇୱାନ୍ ଆର୍ଥିକ ପଦ୍ଧତିରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।
ତାଇୱାନ୍ ଦ୍ୱୀପ ଚୀନ୍ର ମୂଳ ଭୂଖଣ୍ଡ ଠାରୁ ୧୬୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ। ୧୯୫୩ ମସିହାରେ ସେଠାରେ ଆଶୁ ଭୂ-ସଂସ୍କାର ପ୍ରବର୍ତ୍ତନ ଆରମ୍ଭ ହୋଇ ୧୯୬୨ ମସିହା ସୁଦ୍ଧା ଚାଷୀମାନଙ୍କ ଭିତରେ ଜମିବଣ୍ଟନ ତଥା ରୟତ ସତ୍ତ୍ୱ ପ୍ରଦାନ କରାଗଲା। ଉକ୍ତ ଭୂ-ସଂସ୍କାର ନୀତିକୁ ସଫଳ ରୂପାୟନ ଦେବାରେ ତାଇୱାନ୍ର ଭୂମି ବ୍ୟାଙ୍କ ଓ ତା’ର ୨୯ଟି ଶାଖା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସରକାରଙ୍କ ବିନା ଅର୍ଥ ବିନିଯୋଗରେ ଭୂମି ବଣ୍ଟନ କାର୍ଯ୍ୟ ଅଳ୍ପ ସମୟରେ ସୁରୁଖୁରୁରେ ସମାପିତ ହୋଇଥିଲା। ଉକ୍ତ ବ୍ୟାଙ୍କ ଜମିଦାରମାନଙ୍କୁ କ୍ଷତିପୂରଣ ବାବଦରେ ଭୂମିଋଣ ପତ୍ର ପ୍ରଦାନ କରି ସେମାନଙ୍କ ଜମି କ୍ରୟ କରିଥିଲେ। ଜମିଦାରଙ୍କ କ୍ଷତିପୂରଣ ପୈଠ କରିବା ପାଇଁଁ ଚାଷୀମାନଙ୍କଠାରୁ ଶସ୍ୟ ଅମଳ ପରେ କିସ୍ତିରେ ସେଠାକାର ଫସଲ ଧାନ କିମ୍ବା କନ୍ଦମୂଳ ଆଦାୟ ହୋଇ ତାହା ଖାଦ୍ୟ ନିଗମକୁ ବିକ୍ରୟ କରି ମୂଲ୍ୟବାବଦ ଅର୍ଥ ବ୍ୟାଙ୍କରେ ଜମାହୁଏ। ବ୍ୟାଙ୍କ ଉକ୍ତ ଜମାରୁ ଭୂମିଋଣ ପତ୍ର ଭଙ୍ଗାଇ ଜମିଦାରମାନଙ୍କୁ ତାଇୱାନ୍ ଡଲାର ଦିଏ। ଉକ୍ତ ବ୍ୟାଙ୍କ ସରକାରୀ କୃଷି ଫାର୍ମ ନିଜ ଦାୟିତ୍ୱରେ କିମ୍ବା ଚାଷୀମାନଙ୍କ ସାହାଯ୍ୟରେ ଆତ୍ମନିର୍ଭରଶୀଳ ପନ୍ଥାରେ ସୁଚାରୁ ରୂପେ ପରିଚାଳନା କରି ୧୪୬୪୭ ହେକ୍ଟର ଜମିକୁ ଉନ୍ନତ କରିପାରିଛି। ବ୍ୟାଙ୍କର ପୁଞ୍ଜି ବିନିଯୋଗରେ ସହର ଜମି ତଥା ଶିଳ୍ପନଗରୀ ଜମିଗୁଡ଼ିକର ଉନ୍ନତି ହୋଇପାରିଛି। ବ୍ୟାଙ୍କର ସମୁଦାୟ ଋଣର ଶତକଡ଼ା ୫୦.୬୧ଭାଗ କୃଷକ ସଂଘମାନଙ୍କ ଜରିଆରେ କୃଷି ଉତ୍ପାଦନ, ଫସଲ ବିକାକିଣା, ମତ୍ସ୍ୟଚାଷ, ଜଳସେଚନରେ ବିନିଯୋଗ ଇତ୍ୟାଦି କରାଯାଇଛି। ଶତକଡ଼ା ୩୭.୨୦ଭାଗ ଅର୍ଥ ଗୃହ ନିର୍ମାଣରେ ବିନିଯୋଗ କରାଯାଇଛି। ୧୧.୦୮ ଭାଗ ଅର୍ଥ ଜମି କିଣା, ଜମି ସମୀକରଣ, ଗ୍ରାମ, ସହର ତଥା ଶିଳ୍ପନଗରୀ ଜମିର ଉନ୍ନତିରେ ବିନିଯୋଗ କରାଯାଇଛି।
ଭୂ-ସଂସ୍କାର ବ୍ୟବସ୍ଥା ତଦାରଖ କରିବା ପାଇଁ ତାଇୱାନ୍ ସରକାର ଗୋଟିଏ ରୟତ କମିଟି ନିଯୁକ୍ତ କରିଛନ୍ତି। ଉକ୍ତ କମିଟିରେ ୫ ଜଣ ରୟତ, ୨ ଜଣ ଭୂମି ମାଲିକ, ୨ ଜଣ ଜମିଦାର ଓ ୨ ଜଣ ସରକାରୀ କର୍ମଚାରୀ ଅଛନ୍ତି। କମିଟି ଜମିଦାର ଓ ରୟତମାନଙ୍କ ଭିତରେ ଉପୁଜୁଥିବା ବିବାଦକୁ ଆପୋସ ବୁଝାମଣାରେ ତୁଟାଇଥା’ନ୍ତି। ଉକ୍ତ କମିଟି ବାର୍ଷିକ ଉତ୍ପାଦିତ ଫସଲର ବଜାର ଦର ନିରୂପଣ ତଥା ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀର ଫସଲ ନଷ୍ଟ ପାଇଁ ରାଜସ୍ୱ ଛାଡ଼ କରିବାକୁ ସୁପାରିସ ଦାୟିତ୍ୱ ମଧ୍ୟ ଗ୍ରହଣ କରିଛି। ଭୂ-ସଂସ୍କାର ପ୍ରଥମ ପଦକ୍ଷେପ ସ୍ୱରୂପ ଯେଉଁ ଚାଷୀମାନେ ସରକାରୀ ଜମି ଚାଷ କରୁଥିଲେ ସେମାନେ ପଟ୍ଟା ପାଇଲେ। ଜମିଦାରମାନଙ୍କୁ ରୟତମାନେ ଉତ୍ପାଦିତ ଫସଲର ଶତକଡ଼ା ୫୦ ଭାଗରୁ ୭୦ ଭାଗ ପରିବର୍ତ୍ତେ ଶତକଡ଼ା ୩୭.୫ ଭାଗ ଫସଲ ରାଜସ୍ୱ ଆକାରରେ ଦେଲେ।
ସେହିପରି ଲଙ୍ଗଳ ଯାହାର ଜମି ତା’ର ନୀତି ଅନୁଯାୟୀ ଭୂମି ବ୍ୟାଙ୍କ ଜମିଦାରଙ୍କ ଅଧୀନରେ ଥିବା ରୟତମାନଙ୍କ ଜମିକିଣି ପୁଣି ସେହିମାନଙ୍କୁ ବିକ୍ରି କରି କ୍ଷତିପୂରଣ ବାବଦରେ ଶତକଡ଼ା ୭୦ ଭାଗ ଭୂମି ଋଣପତ୍ର ପ୍ରଦାନ କରି ଅବଶିଷ୍ଟ ୩୦ ଭାଗ ୪ଟି ସରକାରୀ ଶିଳ୍ପୋଦ୍ୟୋଗରେ ଅଂଶ ଭାବେ ବିନିଯୋଗ କରିବାରୁ ଜମିଦାରମାନେ ଥଇଥାନ ହୋଇ ବିଶେଷ ଲାଭବାନ୍ ହୋଇପାରିଛନ୍ତି। ଜମିଦାରମାନେ ଜମିର ବାର୍ଷିକ ଉତ୍ପାଦିତ ଫସଲର ବଜାର ଦରରେ ୨୧/୨ ଗୁଣ କ୍ଷତିପୂରଣ ପାଇଲେ। ତାଇୱାନ୍ରେ ଜଳସେଚିତ ଜମିରେ ବର୍ଷକୁ ଦୁଇଥର ଫସଲ ଅମଳ ହୁଏ ଏବଂ ଅନ୍ୟ ଜମିରେ ପ୍ରଧାନତଃ କନ୍ଦମୂଳ ଚାଷ ହୁଏ। ଏଣୁ ଚାଷୀମାନେ ଜମିଦାରମାନଙ୍କ କ୍ଷତିପୂରଣ ବାବଦରେ ଧାନ କିମ୍ବା କନ୍ଦମୂଳ ଅମଳ ପରେ ବାର୍ଷିକ ୨ଟି କିସ୍ତି ହିସାବରେ ଶତକଡ଼ା ୪ ଟଙ୍କା ସୁଧରେ ୧୦ ବର୍ଷରେ ମୋଟ ୨୦ଟି କିସ୍ତିରେ ଉତ୍ପାଦିତ ଫସଲର ଶତକଡ଼ା ୩୭.୫ ଭାଗ ଖାଦ୍ୟନିଗମ ଜରିଆରେ ଭୂମି ବ୍ୟାଙ୍କରେ ଦାଖଲ ଦେଇଥିଲେ। ମୁଦ୍ରାର ମୂଲ୍ୟରେ ହ୍ରାସବୃଦ୍ଧିକୁ ରୋକିବାକୁ ସରକାର ଜମିଦାରମାନଙ୍କୁ କ୍ଷତିପୂରଣ ଦେବାକୁ ଧାନ ଓ କନ୍ଦମୂଳ ବଦଳରେ ଭୂମିଋଣ ପତ୍ର ଦେବାରେ ବ୍ୟବସ୍ଥା କଲେ। ଅବଶ୍ୟ ତାଇୱାନ୍ର ଅର୍ଥନୀତି ସୁଦୃଢ଼ ଥିବାରୁ ତାଇୱାନ୍ ଡଲାର ମୂଲ୍ୟର ବିନିମୟ ହାରରେ କ୍ୱଚିତ୍ ପରିବର୍ତ୍ତନ ଘଟେ।
ଉକ୍ତ ଋଣପତ୍ର କେବଳ ଜମିଦାରମାନଙ୍କ କ୍ଷତିପୂରଣ ପାଇଁ ଉଦ୍ଦିଷ୍ଟ ଥିବାରୁ ସେମାନେ ବଜାରରେ ତାହାକୁ ଭଙ୍ଗାଇ ପାରୁନଥିଲେ। ଅବଶ୍ୟ ରୟତକୁ ଜମିଦେବା ଆଇନ ଅନୁଯାୟୀ ତାଇୱାନ ଟ୍ରେଜେରୀ ଉକ୍ତ ଋଣପତ୍ର ବିନିମୟକୁ ଅଙ୍ଗୀକାରବଦ୍ଧ ଥିବାରୁ ଏହା ରୟତ ଜମି କିଣିବା ଧନରେ ସୁରକ୍ଷିତ ଥିଲେ ମଧ୍ୟ ଜମିଦାରମାନେ ଉକ୍ତ ଋଣପତ୍ର ବନ୍ଧକୀ ଦେବକୁ ଅନୁମତି ପାଇଥିଲେ। ଦୈବୀ ଦୁର୍ବିପାକରେ ଫସଲ ନଷ୍ଟ ହେଲେ ଚାଷୀ କିସ୍ତି ଦେବାରେ ଅକ୍ଷମ ହେଉଥିବାରୁ ସରକାର ଗୋଟିଏ ‘ଭୂମି ଋଣପତ୍ର ମୁକ୍ତି ଅଙ୍ଗୀକାର ପାଣ୍ଠି’ ସୃଷ୍ଟି କରି ଚାଷୀମାନଙ୍କ କିସ୍ତି ଭୂମି ବ୍ୟାଙ୍କରେ ଦାଖଲ ଦେବାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଚାଷୀମାନେ କ୍ୱଚିତ୍ କିସ୍ତି ଖିଲାଫ କରିବାର ଦେଖାଯାଏ। ଉକ୍ତ ଋଣପତ୍ର ଷ୍ଟାମ୍ପକର, ଆୟକର ଓ ଘର ଟିକସରୁ ମୁକ୍ତ ଅଟେ। ୫୦, ୧୦୦, ୫୦୦, ୧୦୦୦, ୫୦୦୦, ୧୦୦୦୦ କି.ଗ୍ରା. ଧାନ ପରିମାଣର ୬ଟି ପ୍ରକାର ଋଣପତ୍ର ଏବଂ ୧୦୦, ୫୦୦, ୫୦୦୦, ୧୦୦୦୦, ୩୦୦୦୦ କି.ଗ୍ରା. କନ୍ଦମୂଳ ପରିମାଣର ୫ ପ୍ରକାର ଋଣପତ୍ର ଜମିଦାରମାନଙ୍କୁ ଦିଆଯାଉଛି।
୧୯୫୩ ମସିହାରେ ଜମିଦାରମାନେ ଅବଶିଷ୍ଟ ୩୦ ଭଗ କ୍ଷତିପୂରଣ ବାବଦ ଅର୍ଥ ସିମେଣ୍ଟ୍, କାଗଜ, କୃଷି, ଜଙ୍ଗଲ, ଶିଳ୍ପ ଓ ଖଣିଜ ପ୍ରଭୃତି ଚାରୋଟି ସରକାରୀ ନିଗମକୁ ସର୍ବମୋଟ ୬ କୋଟି ୬୦ ଲକ୍ଷ ତାଇୱାନ୍ ଡଲାର୍ ଅଂଶରେ କିଣିନେଇ ବିଶେଷ ଲାଭବାନ୍ ହୋଇଛନ୍ତି। ଉକ୍ତ ଜମିଦାରମାନଙ୍କ ଜମି ମୂଲ୍ୟ ବାବଦରେ ଚାଷୀମାନେ ଚାଉଳ ଓ କନ୍ଦମୂଳ ଖାଦ୍ୟ ନିଗମ ଜରିଆରେ ଭୂମି ବ୍ୟାଙ୍କରେ ଦାଖଲ ଦେଇଛନ୍ତି। ୧୯୬୨ ରୁ ୧୯୮୪ ମସିହା ଭିତରେ ଛୋଟ ଜମିକୁ ଏକତ୍ରୀକରଣ ମାଧ୍ୟମରେ ୧୨ ହେକ୍ଟର ବିଶିଷ୍ଟ ପ୍ଲଟ୍ମାନ କରାଯାଇଛି। କ୍ରମାନ୍ୱୟରେ ଜଳସେଚନର ସୁବିଧା ପାଇଁ ପ୍ରତ୍ୟେକ ପ୍ଲଟ୍କୁ ତିନୋଟି ଲେଖାଏଁ ଚଉଖୁଣ୍ଟିଆ ବ୍ଲକରେ ବିଭକ୍ତ କରାଯାଇଛି।
ତାଇୱନ୍ ଓ ଦକ୍ଷିଣ କୋରିଆର ଆର୍ଥିକ ପ୍ରଗତି ସହିତ ଆମ ଦେଶର ଆର୍ଥିକ ଅବସ୍ଥାକୁ ତୁଳନା କଲେ ଦୁଃଖ ଓ ହତାଶ ଭାବ ଜାଗ୍ରତ ହୁଏ। ଏପରିକି ତାଇୱାନ୍ ଗଣତନ୍ତ୍ର ଶାସନ ଜରିଆରେ ଜନ ସହଯୋଗ ପାଇବା ଫଳରେ ବ୍ୟାପକ ଉନ୍ନତି କରି କମ୍ୟୁନିଷ୍ଟ ଶାସନାଧୀନ ଚୀନ୍କୁ ବହୁ ପଛରେ ପକାଇଦେଇଛି। ପୃଥିବୀରେ ତାଇୱାନ୍ ଗବେଷଣାଗାରରେ ପ୍ରଥମେ ଅଧିକ ଉତ୍ପାଦନ କ୍ଷମ ଟାଇଚୁଙ୍ଗ୍ ଧାନ ଉଦ୍ଭାବନ ହେବା ଫଳରେ ଧାନ ଉତ୍ପାଦନ ହାର ବଢ଼଼ିଚାଲିଛି। ମୋଟାମୋଟି ଭାବରେ ତାଇୱାନ୍ ସରକାର ୧୯୫୩ ମସିହାରୁ ଜନସହଯୋଗରେ ଭୂସଂସ୍କାର ନୀତି ତଥା ଅନ୍ୟାନ୍ୟ ଆନୁସଙ୍ଗିକ କୃଷିଭିତ୍ତିକ ଉତ୍ପାଦନ କାର୍ଯ୍ୟକ୍ରମଗୁଡ଼ିକୁ ବ୍ୟାଙ୍କ ସହିତ ଜଡ଼ିତ କରାଇ ନିଷ୍ଠା ତଥା ଦୃଢ଼ ଭାବରେ କାର୍ଯ୍ୟକାରୀ କରିବାରୁ ଲୋକମାନଙ୍କର ଏପରି ବ୍ୟାପକ ଆର୍ଥିକ ପ୍ରଗତି ସମ୍ଭବ ହୋଇପାରିଛି।
ଓଡ଼ିଶା ସରକାର ତାଇୱାନ୍ ପରି ଭୂମିବ୍ୟାଙ୍କ ଓ ଭୂମି ସଂସ୍କାର ନୀତିକୁ ଆପଣାଇ ପାରିଲେ ଓଡ଼ିଶାର ଜନସାଧାରଣ ଏହାର ସୁଫଳ ପାଇପାରନ୍ତେ ଏବଂ ଚାଷୀମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରନ୍ତା। ଓଡ଼ିଶା ଭୂମି ସଂସ୍କାରରେ ଆଉ ପାଦେ ଆଗକୁ ଯାଇପାରନ୍ତା।
ପ୍ରତାପ ଚନ୍ଦ୍ର ସାମଲ
(ବରିଷ୍ଠ ସମବାୟବିତ୍)
କଟକ, ମୋ: ୯୦୯୦୩୨୫୮୦୨