‘ଦ୍ୱିତୀୟ ବୁଦ୍ଧ’ ପଦ୍ମସମ୍ଭବ ଓଡ଼ିଶାର !

ତିବ୍ଦତୀୟ ବୌଦ୍ଧଧର୍ମର ସଂସ୍ଥାପକ, ପ୍ରବର୍ତ୍ତକ, ପ୍ରଚାରକ ଓ ପ୍ରସାରକ ହେଉଛନ୍ତି ଆଚାର୍ଯ୍ୟ ପଦ୍ମସମ୍ଭବ। ଏହି ଧର୍ମ ‘ଲାମାଧର୍ମ’ ଭାବେ ପରିଚିତ। ତିବ୍ଦତ ବ୍ୟତୀତ ତାହାର ଚାରିପାଖରେ ଥିବା ସିକ୍କିମ, ଭୁଟାନ୍, ଅରୁଣାଚଳ ପ୍ରଦେଶ, ଲଦାଖ, ନେପାଳ, ମଙ୍ଗୋଲିଆ, ମାଞ୍ଚୁରିଆ ଏପରିକି ଚୀନ୍ର କିଛି ଅଂଶରେ ମଧ୍ୟ ଏହି ଲାମାଧର୍ମ ଏକ ମହାନ ଧର୍ମ ଭାବେ ପ୍ରତିଷ୍ଠିତ, ପ୍ରସାରିତ ଓ ଗୃହୀତ ହୋଇଛି। ଏହି ତିବ୍ଦତୀୟ ବୌଦ୍ଧଧର୍ମ ପ୍ରତିଷ୍ଠିତ ଦେଶ ଓ ଅଞ୍ଚଳମାନଙ୍କରେ ଆଚାର୍ଯ୍ୟ ପଦ୍ମସମ୍ଭବ କେତେଗୋଟି ଅନ୍ୟ […]

ପ୍ରବୀର କୁମାର ପଟ୍ଟନାୟକ ବୌଦ୍ଧସଂସ୍କୃତି ଗବେଷକ ଭୁବନେଶ୍ୱର, ମୋ: ୭୨୦୫୦୨୨୭୯୦

ତିବ୍ଦତୀୟ ବୌଦ୍ଧଧର୍ମର ସଂସ୍ଥାପକ, ପ୍ରବର୍ତ୍ତକ, ପ୍ରଚାରକ ଓ ପ୍ରସାରକ ହେଉଛନ୍ତି ଆଚାର୍ଯ୍ୟ ପଦ୍ମସମ୍ଭବ। ଏହି ଧର୍ମ ‘ଲାମାଧର୍ମ’ ଭାବେ ପରିଚିତ। ତିବ୍ଦତ ବ୍ୟତୀତ ତାହାର ଚାରିପାଖରେ ଥିବା ସିକ୍କିମ, ଭୁଟାନ୍, ଅରୁଣାଚଳ ପ୍ରଦେଶ, ଲଦାଖ, ନେପାଳ, ମଙ୍ଗୋଲିଆ, ମାଞ୍ଚୁରିଆ ଏପରିକି ଚୀନ୍ର କିଛି ଅଂଶରେ ମଧ୍ୟ ଏହି ଲାମାଧର୍ମ ଏକ ମହାନ ଧର୍ମ ଭାବେ ପ୍ରତିଷ୍ଠିତ, ପ୍ରସାରିତ ଓ ଗୃହୀତ ହୋଇଛି। ଏହି ତିବ୍ଦତୀୟ ବୌଦ୍ଧଧର୍ମ ପ୍ରତିଷ୍ଠିତ ଦେଶ ଓ ଅଞ୍ଚଳମାନଙ୍କରେ ଆଚାର୍ଯ୍ୟ ପଦ୍ମସମ୍ଭବ କେତେଗୋଟି ଅନ୍ୟ ନାମରେ ମଧ୍ୟ ପରିଚିତ। ସେଥିମଧ୍ୟରୁ ସେ ଉଡ୍ଡୀଆନରେ ଜନ୍ମିତ ଯୋଗୁଁ ‘ଉଡ୍ଡୀଆନ ଗୁରୁ’ ନାମରେ ଅଧିକ ପରିଚିତ। ଜଣେ ମହାନ ଧର୍ମ ଗୁରୁଭାବେ ପ୍ରତିଷ୍ଠିତ ହେବା ସହ ସେ ‘ଦ୍ୱିତୀୟ ବୁଦ୍ଧ’ ଭାବରେ ପରିଚିତ ଓ ସମ୍ମାନିତ। ତାଙ୍କ ପ୍ରତିଷ୍ଠିତ ଲାମାଧର୍ମ ବ୍ୟବସ୍ଥାରେ ତାଙ୍କଠାରେ ଦେବତ୍ୱ ଆରୋପ କରାଯାଇଛି ଓ ସେ ପ୍ରଭୁ ଭାବରେ ମଧ୍ୟ ପୂଜିତ। ଏପରିକି ତିବ୍ଦତୀୟ ବୌଦ୍ଧଧର୍ମ ପ୍ରତିଷ୍ଠିତ ଅଞ୍ଚଳରେ ସେ ବୁଦ୍ଧଙ୍କଠାରୁ ଅଧିକ ସମ୍ମାନିତ। ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ଦିଗରେ ବିଶାଳ ଓ ମହାନ୍ ଯୋଗଦାନ ପାଇଁ ଆଚାର୍ଯ୍ୟ ପଦ୍ମସମ୍ଭବ “ଦ୍ଵିତୀୟ ବୁଦ୍ଧ” ନାମରେ ସୁପରିଚିତ ଥିଲେ!

ଏହି ମହାନ୍ ଧର୍ମ ଗୁରୁ ଆମ ଦେଶ ଭାରତରେ ତଥା ଆମ ରାଜ୍ୟ ଓଡ଼ିଶାରେ ଅଷ୍ଟମ ଶତାବ୍ଦୀରେ ଜନ୍ମିତ। ପ୍ରାଚୀନ ଓଡ଼ିଶା ହିଁ ‘ଉଡ୍ଡୀଆନ’ ଭାବେ ପରିଚିତ ଥିଲା। ଏହି ଉଡ୍ଡୀଆନ ସେହି ପ୍ରାଚୀନ କାଳରେ ଉଭୟ ବୌଦ୍ଧତନ୍ତ୍ର ଓ ହିନ୍ଦୁତନ୍ତ୍ରର ପ୍ରଧାନ ତଥା ପ୍ରଥମ ପୀଠ ରୂପେ ପ୍ରତିଷ୍ଠିତ ଥିଲା ଓ ଉଭୟ ତନ୍ତ୍ରର ଏହା ଆଦିଭୂମି ଥିଲା। ଏହା ହିଁ ଭାରତର ଆଦି ତନ୍ତ୍ରପୀଠ।

ବୌଦ୍ଧଧର୍ମର ମହାଯାନ ଶାଖାରେ ବହୁ ଶତାବ୍ଦୀଧରି ଗୁପ୍ତଭାବେ ଗୁରୁ ଶିଷ୍ୟ ପରମ୍ପରାରେ ପ୍ରଚଳିତ ତାନ୍ତ୍ରିକ ପଦ୍ଧତି କ୍ରମେ ୫ମ-୬ଷ୍ଠ ଶତାବ୍ଦୀ ବେଳକୁ ଖୋଲାଖୋଲିଭାବେ ପ୍ରଚଳିତ ହୋଇଥିଲା। ମାତ୍ର ୮ମ ଶତାବ୍ଦୀରେ ଉଡ୍ଡୀଆନ୍ ଅଞ୍ଚଳର “ସମ୍ଭଳ” ରାଜ୍ୟର ରାଜା ତଥା ବୌଦ୍ଧ ସିଦ୍ଧ ଇନ୍ଦ୍ରଭୂତି ବ୍ୟବସ୍ଥିତ ରୂପରେ ଏହି ବୌଦ୍ଧ ତାନ୍ତ୍ରିକ ଧର୍ମକୁ ‘ବଜ୍ରଯାନ’ ନାମରେ ପ୍ରବର୍ତ୍ତନ କରିଥିଲେ। ସେ ହେଲେ ବଜ୍ରଯାନର ଆଦି ପ୍ରବର୍ତ୍ତକ। ଏହି ବଜ୍ରଯାନରୁ କ୍ରମଶଃ ବୌଦ୍ଧଧର୍ମର ଅନ୍ୟ ଦୁଇଟି ତାନ୍ତ୍ରିକ ଶାଖା ‘ସହଜ ଯାନ’ ଓ ‘କାଳଚକ୍ରଯାନ’ର ମଧ୍ୟ ଉତ୍ପତ୍ତି ଘଟିଥିଲା। ସହଜଯାନର ପ୍ରବର୍ତ୍ତନ କରିଥିଲେ ଇନ୍ଦ୍ରଭୂତିଙ୍କର ଭଗିନୀ ସିଦ୍ଧ ଲକ୍ଷ୍ମୀଙ୍କରା ଓ କାଳଚକ୍ରଯାନର ପ୍ରବର୍ତ୍ତକ ଥିଲେ ଆଚାର୍ଯ୍ୟ ପିତୋପାଦ। ବୌଦ୍ଧ ତାନ୍ତ୍ରିକ ଧର୍ମର ତିନୋଟିଯାନ ଶାଖା ଏହି ଓଡ଼ିଶା ରାଜ୍ୟରେ ହିଁ ସୃଷ୍ଟି ହୋଇଥିଲା। ବଜ୍ରଯାନର ପ୍ରବର୍ତ୍ତକ ରାଜା ତଥା ସିଦ୍ଧ ଇନ୍ଦ୍ରଭୂତିଙ୍କର ପୁତ୍ର(ପାଳିତ) ହେଲେ ଗୁରୁ ପଦ୍ମସମ୍ଭବ। ଇନ୍ଦ୍ରଭୂତିଙ୍କ ରାଜ୍ୟ ସମ୍ଭଳ ହେଲା ଓଡ଼ିଶାର ସମ୍ବଲପୁର ଓ ତାଙ୍କ ଭଗିନୀ ଭଗବତୀ ଲକ୍ଷ୍ମୀଙ୍କରା ଥିଲେ ନିକଟବର୍ତ୍ତୀ ସୋନପୁର ରାଜ୍ୟର କୁଳବଧୁ।

ସପ୍ତମ ଶତାବ୍ଦୀରେ ତିବ୍ଦତରେ ବୌଦ୍ଧଧର୍ମ ପ୍ରବେଶ କରିଥିଲା; ମାତ୍ର ପରବର୍ତ୍ତୀ ଏକ ଶହ ବର୍ଷଧରି ଏହାର ବିଶେଷ ପ୍ରଗତି ଘଟିଲା ନାହିଁ। ଅଷ୍ଟମ ଶତାବ୍ଦୀରେ ତତ୍କାଳୀନ ରାଜା ଖ୍ରୀ ସ୍ରଙ୍ଗ ବୌଦ୍ଧଧର୍ମ ପ୍ରତି ଅତ୍ୟନ୍ତ ଆଗ୍ରହୀ ହୋଇ ନାଳନ୍ଦାରୁ ଆଚାର୍ଯ୍ୟ ଶାନ୍ତରକ୍ଷିତଙ୍କୁ ନିମନ୍ତ୍ରିତ କରି ଧର୍ମର ପ୍ରଚାର ପ୍ରସାର ପାଇଁ ତିବ୍ଦତକୁ ନେଲେ। ମାତ୍ର ସ୍ଥାନୀୟ ବନ୍ଧର୍ମର ପୁରୋଧାମାନଙ୍କର ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହେବାରୁ ଶାନ୍ତରକ୍ଷିତ ତାଙ୍କ କାର୍ଯ୍ୟରେ ସଫଳତା ପାଇପାରିଲେ ନାହିଁ। ଏହି କାର୍ଯ୍ୟ ପାଇଁ ଯୋଗ୍ୟତମ ବ୍ୟକ୍ତି ଭାବେ ତାଙ୍କ ଭଗ୍ନୀପତି ନାଳନ୍ଦାର ବିଶିଷ୍ଟ ତନ୍ତ୍ରାଚାର୍ଯ୍ୟ ପଦ୍ମସମ୍ଭବଙ୍କୁ ତିବ୍ଦତ ଡକାଇବାକୁ ରାଜାଙ୍କୁ ପରାମର୍ଶ ଦେଇ ନିଜେ କିଛିକାଳ ନେପାଳରେ ରହିଗଲେ।

ରାଜାଙ୍କ ନିମନ୍ତ୍ରଣ କ୍ରମେ ଗୁରୁ ପଦ୍ମସମ୍ଭବ ଖ୍ରୀ ୭୪୬ରେ ତିବ୍ଦତରେ ପହଞ୍ଚିଥିଲେ। ସେ ନିଜର ବଜ୍ରଯାନ ସହ ସ୍ଥାନୀୟ ବନ୍ଧର୍ମର ଆଚାର ବିଚାରରୁ କିଛି ମିଶାଇ ‘ଲାମାଧର୍ମ’କୁ ସେଠାରେ ପ୍ରତିଷ୍ଠିତ କଲେ। ଏହା ଯୋଗୁଁ ବନ୍ଧର୍ମର ପୁରୋଧାମାନେ ଆଉ ବିରୋଧ କରି ପାରିଲେ ନାହିଁ। ତିବ୍ଦତରେ ଏହି ଧର୍ମର ବ୍ୟାପକ ପ୍ରଚାର ପ୍ରସାର କରାଇବା ସହ ପ୍ରଥମ ବୌଦ୍ଧ ବିହାର ‘ସମୟେ’ର ନିର୍ମାଣ କାର୍ଯ୍ୟ ମଗଧର ବିଖ୍ୟାତ ବୌଦ୍ଧବିହାର ଓ ଦନ୍ତପୁରୀ ଶୈଳୀରେ ଆରମ୍ଭ କରାଇଲେ। ପୁଣି ଶାନ୍ତରକ୍ଷିତଙ୍କୁ ନେପାଳରୁ ଫେରାଇ ଆଣି ଏହି ବିହାରର ପ୍ରତିଷ୍ଠା ସହ ପ୍ରଥମ ବୌଦ୍ଧ ସଂଘର ସ୍ଥାପନା କଲେ। ଭାରତରୁ ବହୁ ଧର୍ମଗ୍ରନ୍ଥ ଓ ଅନ୍ୟ ଶାସ୍ତ୍ରମାନ ଅଣାଇ ତାହାର ଅନୁବାଦ କାର୍ଯ୍ୟ ମଧ୍ୟ କରାଇଲେ। ତାଙ୍କର ଏହି ସବୁ ଉଦ୍ୟମ ଫଳରେ ତିବ୍ଦତରେ ସର୍ବତ୍ର ଶାନ୍ତି ପ୍ରତିଷ୍ଠା ହେବା ସହ ତିବ୍ଦତରେ ସଭ୍ୟତା ଓ ସଂସ୍କୃତିର ବ୍ୟାପକ ପରିବର୍ତ୍ତନ ଘଟିପାରିଥିଲା। ସମଗ୍ର ତିବ୍ଦତ ସହ ତାହାର ଚାରିପାଖରେ ଥିବା ହିମାଳୟ ଅଞ୍ଚଳର ବିଭିନ୍ନ ଦେଶ ଓ ରାଜ୍ୟମାନଙ୍କରେ ମଧ୍ୟ ସେ ଏହି ଲାମାଧର୍ମ ପ୍ରତିଷ୍ଠା କରାଇବା ସହ ପ୍ରଚାର ପ୍ରସାର କରାଇଲେ। ତାଙ୍କ ପ୍ରତିଷ୍ଠିତ ଧର୍ମୀୟ ଶାଖା ‘ନିଙ୍ଗ୍ମା’ ନାମରେ ପରିଚିତ ଓ ପରବର୍ତ୍ତୀ କାଳରେ ତାଙ୍କ ଧର୍ମ ବିଭିନ୍ନ ଶାଖା ପ୍ରଶାଖାରେ ଭାଗ ଭାଗ ହେବା ପରେ ମଧ୍ୟ ଗୁରୁ ପଦ୍ମସମ୍ଭବଙ୍କ ପ୍ରତିଷ୍ଠିତ ମୂଳ ଶାଖା ଭାବେ ‘ନିଙ୍ଗମା’ ସମସ୍ତଙ୍କ ଦ୍ୱାରା ଆଦୃତ ଓ ସମ୍ମାନିତ।

ଆଚାର୍ଯ୍ୟ ଶାନ୍ତରକ୍ଷିତ ବୌଦ୍ଧ ସଂଘକୁ ସୁଦୃଢ଼ ତଥା ପ୍ରସାରିତ କଲେ ଓ ସେ “ସମୟେ” ବୌଦ୍ଧ ବିହାରର ପ୍ରଧାନାଚାର୍ଯ୍ୟ ଥାଇ ୧୩ ବର୍ଷ ତିବ୍ଦତରେ କଟାଇ, ଏକ ଦୁର୍ଘଟଣାରେ ସେଠାରେ ହିଁ ପ୍ରାଣତ୍ୟାଗ କରିଥିଲେ। ମାତ୍ର ଆଚାର୍ଯ୍ୟ ପଦ୍ମସମ୍ଭବ ତାଙ୍କ ପ୍ରତିଷ୍ଠିତ ଧର୍ମକୁ ସୁଦୃଢ଼ ଭାବେ ପ୍ରତିଷ୍ଠା କରାଇ ତିବ୍ଦତୀୟ ସୂତ୍ର ମୁତାବକ ଖ୍ରୀ ୮୦୨ରେ ଭାରତ ଫେରିଥିଲେ।

ତତ୍କାଳୀନ ସମ୍ଭଳର (ସମ୍ବଲପୁର) ରାଜା ଇନ୍ଦ୍ରଭୂତି ପୂର୍ବରୁ ନିଜର ଏକମାତ୍ର ସନ୍ତାନକୁ ହରାଇଥିଲେ। ଏହାପରେ ପଦ୍ମସମ୍ଭବ ୮ ବର୍ଷର ବାଳକ ଥିବା ଅବସ୍ଥାରେ ଇନ୍ଦ୍ରଭୂତିଙ୍କ ମନ୍ତ୍ରୀ ତାଙ୍କୁ ରାଜପ୍ରାସାଦ ନିକଟସ୍ଥ ଧନକୋଷ ହ୍ରଦ ମଧ୍ୟରେ ଫୁଟନ୍ତା ପଦ୍ମଫୁଲ ଉପରେ ବସିଥିବା ଅବସ୍ଥାରେ ପାଇଥିଲେ । ତାଙ୍କଠାରେ ଅନେକ ମହାପୁରୁଷଙ୍କ ଲକ୍ଷଣ ଥିବା ଦେଖି ସେ ରାଜାଙ୍କୁ ଜଣାଇଲେ ଓ ରାଜା ଆସି ମନ୍ତ୍ରୀ ଓ ଅନ୍ୟମାନଙ୍କ ସହ ଆଲୋଚନାକ୍ରମେ ବାଳକ ପଦ୍ମସମ୍ଭବ ଙ୍କୁ ରାଜ ପ୍ରାସାଦକୁ ନେଇ ପୋଷ୍ୟପୁତ୍ର ଭାବେ ଗ୍ରହଣ କଲେ। ପରେ ତାଙ୍କର ଶିକ୍ଷା ବ୍ୟବସ୍ଥା କରି ତାଙ୍କୁ ଯୁବରାଜଭାବେ ଅଭିଷିକ୍ତ କଲେ। ପଦ୍ମସମ୍ଭବଙ୍କଠାରେ ସନ୍ନ୍ୟାସୀ ଲକ୍ଷଣ ଦେଖି ରାଜା ସମୟ ପୂର୍ବରୁ ସିଙ୍ଗଳ ରାଜଜେମା ଭାସଧାରାଙ୍କ ସହ ତାଙ୍କର ବିବାହ କରାଇଦେଲେ। ଏକ ଅନିଚ୍ଛାକୃତ ତଥା ଆକସ୍ମିକ କାର୍ଯ୍ୟ ଫଳରେ ମନ୍ତ୍ରୀଙ୍କ ପୁଅର ମୃତ୍ୟୁ ହୋଇଯିବାରୁ ପ୍ରବଳ ଜଳ ଅସନ୍ତୋଷ ହେତୁ ରାଜା ପଦ୍ମସମ୍ଭବଙ୍କୁ ନିର୍ବାସିତ କରିଥିଲେ।

ଦେଶାନ୍ତର ସମୟରେ ପଦ୍ମସମ୍ଭବ ସମଗ୍ର ଭାରତର ମୁଖ୍ୟ ଧର୍ମକେନ୍ଦ୍ର ଓ ଶିକ୍ଷାକେନ୍ଦ୍ରମାନଙ୍କୁ ଯାଇ ବିଭିନ୍ନ ଶାସ୍ତ୍ର ଓ ଧର୍ମଶାସ୍ତ୍ର ଅଧ୍ୟୟନ କଲେ ଓ ସମଗ୍ର ଭାରତବର୍ଷ ପରିଭ୍ରମଣ କଲେ। ଜାହୋର ରାଜକନ୍ୟା ମନ୍ଦରଭାଙ୍କୁ (ଶାନ୍ତରକ୍ଷିତଙ୍କ ଭଗିନୀ) ବିବାହ କଲେ। ମନ୍ଦରଭା ସାରା ଜୀବନ ଧର୍ମପତ୍ନୀ ଓ ସାଧନାସଙ୍ଗିନୀ ହୋଇ ତାଙ୍କ ସହ ରହିଲେ। ପଦ୍ମସମ୍ଭବ ବିକ୍ରମଶିଳା ଓ ନାଳନ୍ଦା ମହାବିହାରରେ ଅଧ୍ୟାପନା କାର୍ଯ୍ୟ କରିଥିଲେ। ତିବ୍ଦତ ଯିବାବେଳକୁ ସେ ନାଳନ୍ଦାରେ ଆଚାର୍ଯ୍ୟ କାର୍ଯ୍ୟ ତୁଲାଉ ଥିଲେ।

ଗୁରୁ ପଦ୍ମସମ୍ଭବଙ୍କ ଆବିର୍ଭାବ ଦିବସ ହେଲା ତିବ୍ଦତୀୟ ବର୍ଷର ସପ୍ତମ ମାସର ଦଶମ ଦିବସ। ଭୁବନେଶ୍ୱର ସ୍ଥିତ ମହାବୋଧି ସୋସାଇଟି ଏହାକୁ ଗଣନା କରି ଜୁଲାଇ ମାସର ୯ ତାରିଖ ବୋଲି ଧାର୍ଯ୍ୟ କରି ୨୦୨୨ରେ ଏହି ଜନ୍ମ ତିଥିକୁ ମହାସମାରୋହରେ ପାଳନ କରିଥିଲେ।

ସମଗ୍ର ବୌଦ୍ଧ ସଂସ୍କୃତିକୁ ଓଡ଼ିଶାର ସର୍ବଶ୍ରେଷ୍ଠ ଅବଦାନ ହେଉଛନ୍ତି ଗୁରୁ ପଦ୍ମସମ୍ଭବ। ସମଗ୍ର ବିଶ୍ୱର ଏକ ବିଶାଳ ଅଞ୍ଚଳର ବିଶାଳ ଜନସମୁଦାୟଙ୍କର ଧର୍ମଗୁରୁ ଏହି ମହାନ୍ ବୌଦ୍ଧ ଆଚାର୍ଯ୍ୟଙ୍କ ପାଇଁ ସାରା ଭାରତ ବର୍ଷ ତଥା ବିଶେଷ ଭାବେ ଓଡ଼ିଶାରେ ଜନ୍ମିତ ଯୋଗୁଁ ଓଡ଼ିଶାବାସୀ ଗର୍ବିତ। ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ ତାଙ୍କ ସଂପର୍କରେ ଆମ ଦେଶର ବା ରାଜ୍ୟର ଇତିହାସରେ ନା ସାହିତ୍ୟରେ କେଉଁଠି ମଧ୍ୟ ସେପରି ଭାବେ ଉଲ୍ଲେଖ ନାହିଁ। ଆମ ରାଜ୍ୟରେ ମଧ୍ୟ ତାଙ୍କର ପରିଚୟ ସ୍ୱଳ୍ପ । ୨୦୧୦ରେ ଦଲାଇଲାମାଙ୍କ ଓଡ଼ିଶା ପରିଦର୍ଶନ ପରେ ଦ୍ଵିତୀୟ ବୁଦ୍ଧ ପଦ୍ମସମ୍ଭବଙ୍କ ସ୍ମୃତିର ସାମାନ୍ୟ ପୁନଃଜାଗରଣ ହୋଇଛି।
ପରିତାପର ବିଷୟ ଯେ କେତେକ ଭାରତୀୟ ତଥା ବିଦେଶୀ ଗବେଷକ, ପଦ୍ମସମ୍ଭବଙ୍କର ଜନ୍ମସ୍ଥାନ ପ୍ରାଚୀନ ଗାନ୍ଧାର (ପାକିସ୍ଥାନ-ଆଫଗାନିସ୍ଥାନ ସୀମା) ଦେଶର “ଉଦ୍ୟାନ ନଗରୀ” ବୋଲି ଉପସ୍ଥାପନ କରୁଛନ୍ତି। ଏହି ଭ୍ରମାତ୍ମକ ତଥ୍ୟର ଦୃଢ଼ ଖଣ୍ଡନ ସହ ପଦ୍ମସମ୍ଭବ ଓଡ଼ିଶାରେ ଜନ୍ମିତ ଓ ତିବ୍ଦତୀୟ ଅଞ୍ଚଳରେ ତାଙ୍କ ମହାନ କାର୍ଯ୍ୟ ସଂପର୍କରେ ରାଜ୍ୟ ଭିତରେ, ଦେଶ ଭିତରେ ଓ ଆନ୍ତର୍ଜାତୀୟ ସ୍ତରରେ ଅଧିକ ପ୍ରଚାର ପ୍ରସାର ସହ ତାଙ୍କର ସ୍ମୃତିରକ୍ଷା ନିମନ୍ତେ ଉଚିତ ନିଷ୍ଠାପର ଉଦ୍ୟମ ଆବଶ୍ୟକ।

About The Author: The Sakala