‘ଯେଉଁ ଉତ୍କଳ ଜନନୀ ମୋତେ ଜନ୍ମ ଦେଇଛନ୍ତି ତାଙ୍କ ସକାଶେ ଏହି ସଭାରେ ମୁଁ ପ୍ରତିଜ୍ଞା କରୁଛି ଯେ ପ୍ରତିଦିନ ପାଞ୍ଚ ମିନିଟ୍ ସମୟ ଦେଶର କଥା ଭାବିବି ଏବଂ ସମ୍ମିଳନୀ ସକାଶେ, ଉତ୍କଳ ନିମନ୍ତେ ଏବଂ ଭାରତ ନିମନ୍ତେ ଅନ୍ତତଃ ପାଞ୍ଚ ମିନିଟ୍ ସମୟ ବ୍ୟୟ କରିବି।’ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ନିଜେ କୁଳବୃଦ୍ଧ ମଧୁସୂଦନ ଦାସ ଉପସ୍ଥିତ ସମସ୍ତଙ୍କୁ ଏହି ଶପଥପାଠ କରାଇଥିଲେ। ଖଣ୍ଡବିଖଣ୍ଡିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ସ୍ୱତନ୍ତ୍ର ପ୍ରଦେଶ ଗଠନ ଲାଗି ଯେଉଁମାନେ ୧୯୦୩ ମସିହାର ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଏହି ବଜ୍ରଶପଥ ନେଇଥିଲେ ସେମାନଙ୍କ ନିରନ୍ତର ଉଦ୍ୟମର ଫଳସ୍ୱରୂପ ୧୯୩୬ ଏପ୍ରିଲ ପହିଲାରେ ଗଠିତ ହେଲା ସ୍ୱତନ୍ତ ଓଡ଼ିଶା ପ୍ରଦେଶ। ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନକୁ ଶହେ ବର୍ଷ ପୂରିବାକୁ ଯାଉଥିବା ବେଳେ ସେତେବେଳକୁ ଆମ ରାଜ୍ୟ କେତେ ସମୃଦ୍ଧ ହୋଇଥିବ ସେ ସଂକ୍ରାନ୍ତରେ ଯଦି ଓଡ଼ିଆମାନେ ଏବେଠାରୁ ସ୍ୱପ୍ନ ନ ଦେଖିବେ, ଚିନ୍ତା ନ କରିବେ ଏବଂ କେଉଁ କ୍ଷେତ୍ରରେ ଆମେ କେତେ ଆଗେଇଛୁ ଓ କେତେ ପଛେଇଛୁ ତାହାର ସମୀକ୍ଷା କରି ପ୍ରଗତିର ପ୍ରଶସ୍ତ ରାଜପଥ ନ ଖୋଜିବେ ତେବେ ସୁନାର ଓଡ଼ିଶା କେବଳ ସ୍ୱପ୍ନ ହୋଇ ରହିଯିବ। ୧୯୩୬ରେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା କୋରାପୁଟ, ଗଞ୍ଜାମ, ପୁରୀ, କଟକ, ବାଲେଶ୍ୱର ଓ ସମ୍ବଲପୁର ଭଳି ଛଅଟି ଅବିଭକ୍ତ ଜିଲ୍ଲାକୁ ନେଇ। ସ୍ୱାଧୀନତା ପରେ ଗଡ଼଼ଜାତ ମିଶ୍ରଣ ହେବାରୁ ଓଡ଼ିଶାର ଜିଲ୍ଲା ସଂଖ୍ୟା ପ୍ରଥମେ ୧୨ ଓ ପରେ ୧୩କୁ ବୃଦ୍ଧି ପାଇଲା। ୧୯୯୦ ଦଶକରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଆମ ରାଜ୍ୟର ଜିଲ୍ଲା ସଂଖ୍ୟା ବଢ଼଼ି ୩୦ ହେଲା।
ଭାଷାଭିତ୍ତିରେ ପ୍ରଦେଶ ଗଠନ ପାଇଁ ଓଡ଼ିଶାରୁ ଯେଉଁ ଦାବି ଉଠୁଥିଲା ସେଥିରେ ସାମିଲ ହୋଇଥିଲେ ଜାତିର ଜନକ ମହାମାନବ ମହାତ୍ମା ଗାନ୍ଧୀ। ୧୯୨୦ ଫେବୃୟାରୀ ୧୮ର ‘ୟଙ୍ଗ୍ ଇଣ୍ଡିଆ’ରେ ‘ଏ କ୍ରାଏ ଫ୍ରମ ଉତ୍କଳ’ ଶୀର୍ଷକରେ ଗାନ୍ଧିଜୀଙ୍କର ଏକ ଆଲେଖ୍ୟ ପ୍ରକାଶ ପାଇଥିଲା। ଅନ୍ୟତମ ଜାତିପ୍ରାଣ ନେତା ବାବୁ ବ୍ରଜସୁନ୍ଦର ଦାସ ତାଙ୍କ ପାଖକୁ ପଠାଇଥିବା ଏକ ପରିପତ୍ରର ସାରାଂଶ ପ୍ରକାଶ କରିବା ସହିତ ‘ୟଙ୍ଗ୍ ଇଣ୍ଡିଆ’ରେ ଗାନ୍ଧିଜୀ ଭାଷାସୂତ୍ରରେ ପ୍ରଦେଶ ପୁନର୍ଗଠନ ଦାବିକୁ ସମର୍ଥନ ଜଣାଇ ଲେଖିଥିଲେ, ‘ଯଦି ଏହି ଗୌରବୋଜ୍ଜ୍ୱଳ ଜାତି କୌଣସି ଉଚିତ୍ କାରଣ ନଥାଇ ଚାରିଭାଗରେ ବିଖଣ୍ଡିତ ହୋଇ ରହିବ, ତେବେ ତାହା କଦାପି ନିଜର ସ୍ୱାଭାବିକ ପ୍ରଗତି କରିପାରିବ ନାହିଁ। ଲୋକେ ଓଡ଼ିଆ ଆନ୍ଦୋଳନକୁ ସହାନଭୂତିପୂର୍ଣ୍ଣ ଭାବରେ ବୁଝିବେ ଓ ଦେଖିବେ ବୋଲି ମୋର ବିଶ୍ୱାସ।’ ଏଠାରେ ଉଲ୍ଲେଖନୀୟ ଯେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରାୟ ୧୫ବର୍ଷ ପୂର୍ବରୁ ଓଡ଼ିଶାକୁ ଜାତୀୟସ୍ତରରେ ସ୍ୱୀକୃତି ଦେଇ ଗାନ୍ଧିଜୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅଧ୍ୟକ୍ଷତାରେ ଗଠନ କରିଥିଲେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି। ବିହାର, ମାନ୍ଦ୍ରାଜ, ବଙ୍ଗଳା ଓ ମଧ୍ୟପ୍ରଦେଶ ଅଧୀନରେ ଓଡ଼ିଆମାନଙ୍କୁ ଖଣ୍ଡବିଖଣ୍ଡିତ କରି ରଖାଯାଇଥିବା ଘେନି ଚିନ୍ତାବ୍ୟକ୍ତ କରିବା ସହ ସେତେବେଳେ ଗାନ୍ଧିଜୀ କହିଥିଲେ, ‘ଭାରତର କୌଣସି ଅଂଶର ପ୍ରଗତି ବାଧାପ୍ରାପ୍ତ ହେଲେ ସମଗ୍ର ଦେଶର ପ୍ରଗତି ହୋଇପାରିବ ନାହିଁ…।’ ‘ନୂତନ ଭାରତ ରାଷ୍ଟ୍ର ଓଡ଼ିଶା ଭଳି ଗୋଟିଏ ପ୍ରାଚୀନ ଜାତିର ଭସ୍ମାବଶେଷ ଉପରେ ଗଢ଼ାଯାଇ ନପାରେ’ ବୋଲି ମହାତ୍ମାଙ୍କର ସେ ଶହେବର୍ଷ ତଳର ଚେତାବନୀ ଏବେ ଅଧିକ ପ୍ରାସଙ୍ଗିକ ମନେହୁଏ। ଏ ପରିପ୍ରେକ୍ଷୀରେ ୧୯୨୦ର ନାଗପୁର କଂଗ୍ରେସ ଅଧିବେଶନ ପରେ ପରେ ଚକ୍ରଧରପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଅଧିବେଶନରେ ନିଷ୍ପତ୍ତି ନିଆଯାଇଥିଲା ଜାତୀୟ ମହାସ୍ରୋତରେ ସାମିଲ ହେବା ପାଇଁ। ପାରଳା ଗଜପତି କୃଷ୍ଣଚନ୍ଦ୍ର ଗଜପତି, ଖଲ୍ଲିକୋଟ ମହାରାଜା ହରିହର ମର୍ଦ୍ଦରାଜ ଦେବ, ବାମଣ୍ଡା ରାଜା ସୁଢ଼ଳ ଦେବ, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବ୍ୟାସକବି ଫକୀରମୋହନ, କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ, ପଲ୍ଲୀକବି ନନ୍ଦକିଶୋର ବଳ, ଭାଷାକୋଷର ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜ, ବିଶିଷ୍ଟ ଓକିଲ ଗୋକୁଳାନନ୍ଦ ଚୌଧୁରୀ, ଉତ୍କଳମଣି ଗୋପବନ୍ଧୁ ଦାସ, ଶ୍ରୀପତି ମିଶ୍ର, ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ଅଗ୍ରଣୀ ଓଡ଼ିଆପ୍ରେମୀଙ୍କ ନିରବଚ୍ଛିନ୍ନ ସାଧନାର ଫଳସ୍ୱରୂପ ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଜନ୍ମ ନେଲା। ଏଥିପାଇଁ ମଧୁବାବୁଙ୍କ ସମେତ ଏହି ସଂଗ୍ରାମର ସମସ୍ତ ଯୋଦ୍ଧାଙ୍କ ନିକଟରେ ଓଡ଼ିଆ ଜାତି ଅନନ୍ତକାଳ ପାଇଁ କୃତଜ୍ଞ ହୋଇ ରହିବ।
ଏକଦା କଳା, ସ୍ଥାପତ୍ୟ, ବାଣିଜ୍ୟ ବ୍ୟବସାୟ, ବୀରତ୍ୱ, କୃଷି ଆଦି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଏ ଜାତିର ଦ୍ରୁତ ପତନ ଘଟିଲା ଇଂରେଜ ରାଜତ୍ୱ କାଳରେ। ତେବେ ଏହା ବିରୁଦ୍ଧରେ ଓଡ଼ିଆମାନଙ୍କ ପ୍ରତିବାଦର ସ୍ୱର ସ୍ୱାଧୀନତା ଆନ୍ଦୋଳନର ବହୁପୂର୍ବରୁ ଉଠିଥିଲା। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, କୃତିବାସ ପାଟ୍ଟଶାଣୀ, ପିଣ୍ଡିକି ବାହୁବଳେନ୍ଦ୍ର, ତାମା ଡୋରା, କଷ୍ଟି ଡାକୁଆ, ଦୋରା ବିଷୋୟୀ, ଚକରା ବିଷୋୟୀ, ନିର୍ମଳ ମୁଣ୍ଡାଙ୍କଠାରୁ ଲକ୍ଷ୍ମଣ ନାଏକଙ୍କ ପର୍ଯ୍ୟନ୍ତ ବହୁ ସଂଗ୍ରାମୀ ଇଂରେଜଙ୍କ ବିରୁଦ୍ଧରେ ଲଢ଼ି ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଗଲେ। ବୀର ସୁରେନ୍ଦ୍ର ସାଏ, ଉଦନ୍ତ ସାଏ, ଘେଁସ ଜମିଦାର ପରିବାର ଆଦିଙ୍କ ବଳିଦାନ ଏବେ ବି ରୋମାଞ୍ଚ ସୃଷ୍ଟି କରେ। ପାରଳା, ଘୁମୁସର, କେନ୍ଦୁଝର ପ୍ରଜାମେଳି ଠାରୁ ଆରମ୍ଭ କରି ପାଇକ ବିଦ୍ରୋହ, ସିପାହୀ ବିଦ୍ରୋହ ଆଦି ସମୟରେ ଓଡ଼ିଶାର ବୀରମାନେ ଅବିସ୍ମରଣୀୟ ସ୍ମାରକୀ ଛାଡ଼ି ଯାଇଛନ୍ତି। ପ୍ରଜାମଣ୍ଡଳ ଆନ୍ଦୋଳନରେ ବାସୁ ସେଠୀ, ବିସୁନି ମଢୁଆଳ, ରଘୁନାଥ ମହାନ୍ତି, ଦିବାକର ପରିଡ଼ା, ମୂଷା ମଲ୍ଲିକ, ବାଜି ରାଉତ ଆଦିଙ୍କ ବଳିଦାନ ଜାତି ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।
ରକ୍ତତୀର୍ଥ ଇରମ, ଆମ୍କୋ ସିମ୍କୋ, ଲୁଣିଆ, ମାଥିଲି, ପାପଡ଼ାହାଣ୍ଡି, ନିମାପଡ଼ା, ତୁଡ଼ିଗଡ଼଼ିଆ, ଖଇରାଡିହି, କାଇପଡ଼ା, କଳାମାଟିଆର ମାଟି ଚିପୁଡ଼ି ଦେଲେ ସେଥିରୁ ସତେଯେମିତି ଅମର ସହିଦମାନଙ୍କ ରକ୍ତବୁନ୍ଦା ଝରିପଡ଼େ। ସ୍ୱାଧୀନତା ଆନ୍ଦୋଳନ କାଳରେ ଦେଢ଼ ଶହରୁ ଅଧିକ ଓଡ଼ିଆ ସହିଦ ହୋଇଥିବା ବେଳେ ହଜାର ହଜାର ସତ୍ୟାଗ୍ରହୀ ନିର୍ଯାତନା ଓ କାରାବରଣ କରିଥିଲେ। ସେମାନଙ୍କ ସଂଗ୍ରାମ ଓ ବଳିଦାନର ପୃଷ୍ଠଭୂମିରେ ପ୍ରଥମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା ଓ ପରେ ଆମ ଦେଶମାତୃକା ବିଟ୍ରିଶ ଶୃଙ୍ଖଳରୁ ମୁକ୍ତ ହେଲା। ଏହି ପୂର୍ବସୂରୀମାନଙ୍କର ଉପଯୁକ୍ତ ଦାୟାଦ ଭାବେ ଆମେ ଆମର ପରମ୍ପରା ଓ ଇତିହାସକୁ ସୁରକ୍ଷିତ ରଖି ବର୍ତ୍ତମାନର ମୂଳଦୁଆ ଉପରେ ସମୃଦ୍ଧ ଓଡ଼ିଶାର ସୌଧ ଗଢ଼ିବା ପାଇଁ କେତେଦୂର ସଫଳ ହେବା, ତାହା ଆମମାନଙ୍କ ସଙ୍କଳ୍ପବଦ୍ଧ ମନ ଉପରେ ନିର୍ଭର କରେ।
ଇତିମଧ୍ୟରେ ଓଡ଼ିଆ ଭାଷା ଓ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇସାରିଛି। ଆମ ଜାତିର ସବୁଠାରୁ ବଡ଼ ପୁଞ୍ଜି ହେଉଛି ଆମର ଭାଷା, ସାହିତ୍ୟ, ସଂସ୍କୃତି, ଶୃଙ୍ଖଳା ଓ ସମଷ୍ଟିଗତ କର୍ମପ୍ରବଣତା। ଏହା ଦୁର୍ବଳ ହୋଇଗଲେ ଏବଂ ନିଃସ୍ୱାର୍ଥ ସେବା ପରବର୍ତ୍ତେ ସ୍ୱାର୍ଥଲିପ୍ସା ବଢ଼଼ି ଚାଲିଲେ ଜାତିର ମୂଳଦୂଆ ଦୁର୍ବଳ ହୋଇଯିବ। ଗୋଟିଏ ଜାତିର ସବୁଠାରୁ ବଡ଼ ସମ୍ପଦ ହେଉଛି ତାହାର ସୁଶୃଙ୍ଖଳ ଓ ସଶକ୍ତ ଯୁବଗୋଷ୍ଠୀ। ଯଦି ଯୁବ ସମାଜ ପଥଭ୍ରଷ୍ଟ ହେବ, ନିଶା ଓ ହିଂସାରେ ମାତିବା ସହ ବିଶୃଙ୍ଖଳିତ ଆଚରଣ କରି ଆଳସ୍ୟରେ ବୁଡ଼ି ରହିବ, ତାହା ହେବ ଜାତି ପାଇଁ ବଡ଼ ବିପଦ। ସ୍ୱାଭିମାନ ଓ ସ୍ୱାବଲମ୍ବନକୁ ଜୀବନର ଗୁରୁମନ୍ତ୍ର ଭାବେ ଗ୍ରହଣ କଲେ ବ୍ୟକ୍ତି, ପରିବାର, ସମାଜ ଓ ଜାତୀୟ ଜୀବନ ପୁଲ୍ଲକିତ ହେବ। ଏଥିଲାଗି ପ୍ରଦୂଷଣମୁକ୍ତ ପରିବେଶରେ କିଭଳି ପ୍ରତି ସବଳ ହାତକୁ କାମ ଓ ପ୍ରତି କ୍ଷେତକୁ ପାଣି ମିଳିପାରିବ ଏବଂ ପ୍ରତି ଗାଁ ସ୍ୱାବଲମ୍ବୀ ହେବ ତାହା ଆମ ପାଇଁ ବଡ଼ ଆହ୍ୱାନ। ବେକାରୀ ଓ ବେରୋଜଗାରୀ ବ୍ୟାଧିରୁ ମୁକ୍ତ ହେବା ଲାଗି ଆମକୁ ଠିକଣା ମାର୍ଗ ଖୋଜିବାକୁ ପଡ଼ିବ। ଆମ ଜନସଂଖ୍ୟାର ପ୍ରାୟ ଅଧା ମହିଳା ଥିବାରୁ ମାତୃଜାତିର ସଶକ୍ତୀକରଣ ହିଁ ରାଜ୍ୟ ପ୍ରଗତିର ମାନଦଣ୍ଡ ହୋଇପାରିବ। ପ୍ରଗତିର ଶିଖରକୁ ସ୍ପର୍ଶ କରିବା ଲାଗି ଦୀର୍ଘବର୍ଷ ଧରି ଯେଉଁ ଅଭିଯାନ ଚାଲିଛି ସେଥିରେ ଜାତି, ଧର୍ମ, ବର୍ଣ୍ଣ, ଦଳ ନିର୍ବିଶେଷରେ ପ୍ରତିଟି ଓଡ଼ିଆ ସାମିଲ ହେଲେ ବହୁ ସମସ୍ୟାର ସହଜ ସମାଧାନ ହୋଇପାରିବ। ଗାଁର କଳହ ଗାଁରେ ତୁଟିଲେ ଏବଂ ସାମାଜିକ ଓ ପାରିବାରିକ ବ୍ୟବସ୍ଥା ଆଧ୍ୟାତ୍ମିକ ଓ ସଂସ୍କୃତି ସମ୍ପନ୍ନ ହେଲେ, ଚରିତ୍ର ଗଠନ ସହ ସ୍ୱାଭିମାନୀ ଓ ସ୍ୱାବଲମ୍ବୀ ହେବା ଲାଗି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଗଲେ ଓଡ଼ିଶା ଉପରେ ଆଉ ୨୦ଲକ୍ଷ ମାମଲାର ଚାପ ରହିବ ନାହିଁ। ଏ ପରିପ୍ରେକ୍ଷୀରେ ପ୍ରତି ଗାଁକୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱତନ୍ତ୍ର ନକ୍ସା ତିଆରି କରିବାକୁ ପଡ଼ିବ। ହିଂସା ଓ ନିଶାଠାରୁ ଆମକୁ ଦୂରରେ ରହିବାକୁ ହେବ। ଓଡ଼ିଶାରେ ଭରି ରହିଥିବା ପ୍ରାକୃତିକ ସମ୍ପଦ ଓ ପରିବେଶର ସୁରକ୍ଷା ସହିତ ତାହାର ଆବଶ୍ୟକତାଭିତ୍ତିକ ବିନିଯୋଗ କରିବାକୁ ପଡ଼ିବ। ତେଲ, ଲୁଣଠାରୁ କପଡ଼ା, ଖାଦ୍ୟ ପଦାର୍ଥ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯେଭଳି ଓଡ଼ିଆଲୋକେ ଉତ୍ପାଦନ କରି ରାଜ୍ୟର ଚାହିଦା ମେଣ୍ଟାଇବା ସହ ବିଦେଶକୁ ଓ ଅନ୍ୟ ରାଜ୍ୟକୁ ରପ୍ତାନି କରିବେ ତା’ ଉପରେ ଦୃଷ୍ଟି ଦେବାକୁ ହେବ। ରାଜ୍ୟକୁ ସମାବେଶୀ ବିକାଶ ପଥରେ ଆଗେଇ ନେବା ବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଆଦିର ଆହୁରି ଅଧିକ ବିକାଶ ସହିତ ଆଧୁନିକ ଜ୍ଞାନକୌଶଳର ଉପଯୋଗ ପାଇଁ ଆମ ଯୁବଶକ୍ତିକୁ ପ୍ରଶିକ୍ଷିତ କରିବାକୁ ପଡ଼ିବ। ଓଡ଼ିଆମାନେ ଏବେ ଦେଶ ବିଦେଶରେ ବିଜ୍ଞାନ, ବୈଷୟିକ, କଳା, ସ୍ଥାପତ୍ୟ, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା, ଆଧ୍ୟାତ୍ମିକତା ଆଦି କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଆସୁଛନ୍ତି। ଏହାକୁ ଆହୁରି ଆଗକୁ ନେବାପାଇଁ ମଧ୍ୟ ଦୃଷ୍ଟି ଦେବାକୁ ହେବ।
ସଶକ୍ତ ଓ ସମୃଦ୍ଧ ଓଡ଼ିଶା ପାଇଁ ଆମକୁ ଅହିଂସା, ସତ୍ୟ, ଅଚୌର୍ଯ୍ୟ, ବ୍ରହ୍ମଚର୍ଯ୍ୟ, ମିତବ୍ୟୟିତା, ଶରୀରଶ୍ରମ, ନିର୍ଭୀକତା, ଭାଇଚାରା, ସେବା, ତ୍ୟାଗ ଆଦିକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବାକୁ ହେବ। ୧, ୫୫, ୭୦୭ ବର୍ଗକିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଆମ ରାଜ୍ୟର ପ୍ରତି ଇଞ୍ଚ ଜମିର ସୁରକ୍ଷା ଓ ବିକାଶ ପାଇଁ ଆମକୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସଙ୍କଳ୍ପବଦ୍ଧ ଓ ସମର୍ପିତ ଉଦ୍ୟମ କରିବାକୁ ପଡ଼ିବ। ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନର ମଣ୍ଡପରେ ଲେଖାଯାଇଥିବା ବହୁ ସଦୁକ୍ତି ମଧ୍ୟରେ ଅନ୍ୟତମ ଥିଲା ‘ସବୁ ଭୁଲ୍ ମୋର।’ ସଫଳତା ପାଇଁ ଗର୍ବରେ ଉତ୍ଫୁଲିତ ନ ହୋଇ ଓ ବିଫଳତାରେ ଭାଙ୍ଗି ପଡ଼ି ଅନ୍ୟକୁ ଦୋଷ ଦେବା ପରିବର୍ତ୍ତେ ଭୁଲ୍ ସ୍ୱୀକାର କରି ଆମକୁ ଆଗେଇବାକୁ ପଡ଼ିବ। ଏ ପରିପ୍ରେକ୍ଷୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଗୋଟିଏ ପ୍ରେରଣାଦାୟୀ ବକ୍ତବ୍ୟ ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ। ଦାସେ ଆପଣେ କହୁଥିଲେ ଯେ ଘଣ୍ଟୁଆ ଯେତେବେଳେ ଘଣ୍ଟ ବଜାଏ ତାହାର ଘଣ୍ଟଧ୍ୱନି କାହା କାନରେ ପଡ଼ିବ କି ନ ପଡ଼ିବ ସେଥିପାଇଁ ଅପେକ୍ଷା କରେ ନାହିଁ। ସେମିତି ଫଳାଫଳକୁ ଅପେକ୍ଷା ନକରି ଆମେ ସଙ୍କଳ୍ପବଦ୍ଧ ଭାବେ କାମକରି ଚାଲିଲେ ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେବର୍ଷ ପୂର୍ତ୍ତି ବେଳକୁ ଦେଶବିଦେଶରେ ଆମ ସମୃଦ୍ଧି ଚର୍ଚ୍ଚାର ବିଷୟ ହୋଇଥିବ। ଏଥିଲାଗି ଧନ ଅପେକ୍ଷା ଅଧିକ ଲୋଡ଼ା ଅଛି ସଙ୍କଳ୍ପବଦ୍ଧ ସାଧକ ମନର।
ପ୍ରହଲ୍ଲାଦ କୁମାର ସିଂହ
ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫