ଭାରତର ପ୍ରଶାସନିକ ସ୍ତରରେ ବନ୍ୟଜନ୍ତୁ ସୁରକ୍ଷା ଏକ ଚର୍ଚ୍ଚିତ ପ୍ରସଙ୍ଗ ହେଲେ ମଧ୍ୟ ସମଗ୍ର ଦେଶରେ ମଣିଷ-ପଶୁ ଲଢ଼େଇ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ଜୀବନ, ଜୀବିକା ଓ ଧନହାନି ଘଟିବା ସହିତ ମଣିଷ-ପଶୁ ସହାବସ୍ଥାନର ସଂଜ୍ଞା ବଦଳି ଯାଇଛି। ଏହି ସମସ୍ୟାରେ ଅତିଷ୍ଠ ହୋଇ କେତେକ ସ୍ଥାନରେ ଲୋକମାନେ ଘରଦ୍ୱାର, ଜମିବାଡ଼ି ଓ ଭିଟାମାଟି ଛାଡ଼ି ଅନ୍ୟ ସ୍ଥାନମାନଙ୍କରେ ପ୍ରବାସୀ ଭାବେ ରହିବା ଆରମ୍ଭ କଲେଣି।
ମୁଖ୍ୟତଃ ପଶୁ-ମଣିଷ ଲଢ଼େଇ ହାତୀ, ବାଘ, ସିଂହ, ଭାଲୁ, ବାର୍ହା, ସମ୍ବର ଓ କୁମ୍ଭୀର ଆଦି ଜୀବଜୀନ୍ତୁମାନଙ୍କ କ୍ଷେତ୍ରରେ ଅଧିକ ଘଟୁଛି। ରିପୋର୍ଟ ଅନୁଯାୟୀ ଗତ ୮ ବର୍ଷ (୨୦୧୪ -୨୨) ମଧ୍ୟରେ ଦେଶରେ କେବଳ ହାତୀ ଆକ୍ରମଣରେ ସମଗ୍ର ଦେଶରେ ୩୯୩୦ ଲୋକଙ୍କର ଜୀବନ ହାନି ଘଟିଛି। ତନ୍ମଧ୍ୟରୁ ଓଡ଼ିଶାରୁ ସର୍ବାଧିକ ୭୧୯ଜଣଙ୍କର ପ୍ରାଣ ହାନି ଘଟିଛି। ଅପରପକ୍ଷରେ ଉକ୍ତ ସମୟ ମଧ୍ୟରେ ୩୦୭ ହାତୀଙ୍କର ମୃତ୍ୟୁ ଘଟିଛି। ୨୦୧୯-୨୧ ମସିହା ମଧ୍ୟରେ ବିଭିନ୍ନ ସଂରକ୍ଷିତ ଜଙ୍ଗଲମାନଙ୍କରେ ବାଘ ଆକ୍ରମଣ ଯୋଗୁଁ ୧୨୫ଜଣଙ୍କର ପ୍ରାଣହାନି ଘଟିଛି। ଅନେକ ସମୟରେ ମୃତ୍ୟୁର କାରଣ ପଞ୍ଜିକରଣ ନ ହୋଇ ପାରିବା କିମ୍ବା ସୂଚନା ଅଭାବରୁ ଏହି ସଂଖ୍ୟା ଅଧିକ ହେବାର ଆଶଙ୍କା ରହିଛି। ଉକ୍ତ ସମସ୍ୟାର ସମାଧାନ କେବଳ କ୍ଷତିଗ୍ରସ୍ତମାନଙ୍କ ପରିବାରଗୁଡ଼ିକୁ କ୍ଷତିଭରଣା ଦେବା ମଧ୍ୟରେ ସୀମିତ ରହିଯାଇଛି। କିନ୍ତୁ ଏହାର ଦୀର୍ଘସ୍ଥାୟୀ ସମାଧାନ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ପ୍ରାୟତଃ ଆମ୍ଭେମାନେ ମଣିଷମାନଙ୍କର ଜୀବନ, ଜୀବିକା ଓ ଅଧିକାର ଉପରେ ଗୁରୁତ୍ୱ ଦେଇ ପଶୁପକ୍ଷୀମାନଙ୍କର ଅଧିକାର ପ୍ରତି ଆଖିବୁଜି ଦେବା ଭଳି ମନେହୁଏ। ଏହି ସମସ୍ୟାର ସମାଧାନ କେବଳ ସରକାରଙ୍କ କାର୍ଯ୍ୟଧାରା ପରିସର ଅନ୍ତର୍ଭୁକ୍ତ ଭାବି ଆମେ ସାଧାରଣ ନାଗରିକମାନେ ମଧ୍ୟ ଅଧିକାଂଶ ସମୟରେ ନିରବ ରହିଯାଉ। ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ଶିକାର, ଖାଦ୍ୟରେ ବିଷଦେବା ତଥା ବନାଗ୍ନି ଭଳି ବିଭିନ୍ନ ମନୁଷ୍ୟକୃତ କାରଣ ଯୋଗୁଁ ଅନେକ ବନ୍ୟଜନ୍ତୁଙ୍କର ଜୀବନହାନି ଘଟୁଛି। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେଙ୍କ ଉତ୍ତର ଅନୁଯାୟୀ ସରକାରଙ୍କ ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲ ସଂରକ୍ଷଣ ନିମିତ୍ତ ନିରନ୍ତର ପ୍ରଚେଷ୍ଟା ଯୋଗୁଁ ବିଭିନ୍ନ ବନ୍ୟଜନ୍ତୁ ଯଥା- ବାଘ, ହାତୀ, ସିଂହ, ଗଣ୍ଡା ଆଦି ଜୀବଜନ୍ତୁଙ୍କର ସଂଖ୍ୟା ବଢ଼଼ିଛି। ଅପରପକ୍ଷରେ ପ୍ରତିଦିନ ଜଙ୍ଗଲଜନ୍ତୁ ଶିକାର ଏବେ ଗଣମାଧ୍ୟମର ପ୍ରମୁଖ ସମ୍ବାଦ ପାଲଟିଛି। ଏହି ଧାରା ବନ୍ଦ ନ ହେଲେ ସମୟ ଆସିବ ଆମ୍ଭେମାନେ କେବଳ ଏହି ପଶୁପକ୍ଷୀମାନଙ୍କୁ ଚିଡ଼ିଆଖାନା, ଅଭୟାରଣ୍ୟ, ଫଟୋ ଏବଂ ଭିଡିଓରେ ଦେଖିବାକୁ ପାଇବା।
ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା ନାଁରେ ଜୀବନ ଜୀବିକାକୁ ସ୍ଥାନୀୟ ଅଧିବାସୀମାନେ ତ୍ୟାଗ କରିବା ଫଳରେ ମାନବାଧିକାର ଓ ପଶୁ ଅଧିକାର ମଧ୍ୟରେ ଏକ ଦ୍ୱନ୍ଦ୍ୱାତ୍ମକ ଓ ଭ୍ରମାତ୍ମକ ପରିବେଶ ସୃଷ୍ଟି ହୋଇଛି। କ୍ରମାଗତ ଭାବେ କଳକାରଖାନା ସ୍ଥାପନ, ପରିବର୍ଦ୍ଧିତ ଜନବସତି, ସହରୀକରଣ, ପରିବର୍ତ୍ତିତ କୃଷି ବ୍ୟବସ୍ଥା, ପଶୁମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗର ଚୋରା ଚାଲାଣ, ବନ୍ୟଜନ୍ତୁମାନେ ଖାଦ୍ୟ ଓ ଜଳ ନିମିତ୍ତ ଜନବସତି ମଧ୍ୟକୁ ପ୍ରବେଶ କରିବା ଏବଂ ସେମାନଙ୍କର ଚଲାପଥ ଉପରେ କଟକଣା, ସର୍ବୋପରି ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଜଙ୍ଗଲ ପ୍ରବେଶ ଆଦି ବିଭିନ୍ନ କାରଣ ଯୋଗୁଁ ମଣିଷ-ପଶୁ ଲଢ଼େଇ ବଢ଼଼ିବାରେ ଲାଗିଛି।
ଗୋଷ୍ଠୀଗତ ଜଙ୍ଗଲ ସୁରକ୍ଷା ମାଧ୍ୟମରେ ବନ ପଞ୍ଚାୟତମାନ ଗଠନ କରି ପାହାଡ଼ ଓ ଜଙ୍ଗଲଭରା ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ବିଭିନ୍ନ ପଦକ୍ଷେପ ନେବାର ଦୃଷ୍ଟାନ୍ତ ରହିଛି। କେତେକ ସ୍ଥାନରେ ଦୈନିକ ଠେଙ୍ଗାପାଳି ମାଧ୍ୟମରେ ଲୋକମାନେ ଜଙ୍ଗଲ ସୁରକ୍ଷା କରିବା ସହିତ ପଶୁପକ୍ଷୀମାନଙ୍କ ପାଇଁ ଖାଦ୍ୟ ଓ ପାନୀୟ ଯୋଗାଉଛନ୍ତି ଏବଂ ଶିକାରୀମାନଙ୍କ କବଳରୁ ସୁରକ୍ଷା ଦେଇପାରୁଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ମିଳିତ ଜଙ୍ଗଲ ପରିଚାଳନା (ଯେଉଁଠି ଉଭୟ ସରକାରୀ କର୍ମଚାରୀ ଓ ଗୋଷ୍ଠୀ ସହଭାଗିତା ଥାଏ) ମାଧ୍ୟମରେ ଲୋକମାନେ ଜଙ୍ଗଲ ସୁରକ୍ଷା ପ୍ରତି ଯତ୍ନବାନ ହେଲେଣି।
ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ବନ୍ୟଜନ୍ତୁଙ୍କ ଦାଉରୁ ଫସଲ ରକ୍ଷା ନିମିତ୍ତ ବିଭିନ୍ନ ଅଭିନବ ପଦକ୍ଷେପମାନ ନିଆଯାଉଛି। ଯଥା- ଲେମ୍ବୁ ତଥା କଣ୍ଟା ଜାତୀୟ ଗଛଗୁଡ଼ିକ ଫସଲର ବାଡ଼ ହିସାବରେ ବ୍ୟବହାର କରିବା, ବଡ଼ବଡ଼ ଗର୍ତ୍ତ ସୃଷ୍ଟି କରିବା, ବିଦ୍ୟୁତ୍ ତାରର ବିକଳ୍ପ ଭାବେ ସୌର ଉତ୍ସରୁ ମିଳୁଥିବା ବିଦ୍ୟୁତ୍ ଶକ୍ତିକୁ ବାଡ଼ ହିସାବରେ ବ୍ୟବହାର କରିବା, ଧାନଚାଷ ହେଉଥିବା ଜମିରେ ମହୁ ଚାଷକୁ ପ୍ରୋତ୍ସାହିତ କରିବା ସହିତ ପାରମ୍ପରିକ ଭାବେ ନିଆଁହୁଳା ଏବଂ ବିଭିନ୍ନ ବାଦ୍ୟ ବ୍ୟବହାର କରି ବନ୍ୟଜନ୍ତୁଙ୍କୁ ଘଉଡ଼ାଇବାର ବ୍ୟବସ୍ଥା କରାଯାଉଛି। ଏହାବାଦ୍ ଗ୍ରାମସଭାମାନଙ୍କରେ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷା ନିମିତ୍ତ ନିୟମିତ ଭାବେ ସଂକଳ୍ପପାଠ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଲେ ସ୍ଥାନୀୟ ଲୋକଙ୍କ ସହାୟତା ଓ ସହଯୋଗରେ ମଣିଷ-ପଶୁ ଲଢ଼େଇ ସମସ୍ୟାର ସମାଧାନ ହୋଇପାରିବ।
ସୀତାକାନ୍ତ ତ୍ରିପାଠୀ (ମୋ:୯୭୭୮୭୬୪୩୯୪)