ତିରୁପତି ମନ୍ଦିରକୁ ୨୦୬ କୋଟିର ସ୍ଵର୍ଣ୍ଣାଳଙ୍କାର ଦାନ କଲେ ଚେନ୍ନାଇର ଜୈନ ଦମ୍ପତି

ତିରୁପତି: ଭଗବାନ ଶ୍ରୀ ଭେଙ୍କଟେଶ୍ୱର ଙ୍କ ମନ୍ଦିରକୁ ୧୨୧ କିଲୋଗ୍ରାମ ସୁନାର ଅଳଙ୍କାର ଦାନ କରିଛନ୍ତି ଚେନ୍ନାଇର ଏକ ଜୈନ ଦମ୍ପତି। ଏହି ସୁନାର ଆନୁମାନିକ ମୂଲ୍ୟ ୨୦୬ କୋଟି ଟଙ୍କା ହେବ । ଗୁରୁବାର ବର୍ଦ୍ଧମାନ ଜୈନ ଓ ତାଙ୍କ ପତ୍ନୀ ରାଧିକା ଜୈନ ତିରୁମାଳା ତିରୁପତି ଦେବସ୍ଥାନମ୍‌ (ଟିଟିଡି)କୁ ଏହି ଅଳଙ୍କାର ହସ୍ତାନ୍ତର କରିଛନ୍ତି। ଏହି ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ଥିଲେ। ଦାନରେ ମୋଟ ୪୫ଟି ଅଳଙ୍କାର ରହିଛି। ଏଗୁଡ଼ିକୁ ୯ଟି ସେଟ୍‌ରେ ସଜାଯାଇଛି। ଏଥିରେ ଶ୍ରୀ ଭେଙ୍କଟେଶ୍ୱରଙ୍କ ପାଇଁ ସୁନା ମୁକୁଟ ଏବଂ ଦେବତାଙ୍କ ପାଦ ପାଇଁ ପଦ୍ମ ପାଦାଲୁ ସମେତ ବିଭିନ୍ନ ଅଳଙ୍କାର ରହିଛି।

ଟିଟିଡି ସୂତ୍ର ଅନୁସାରେ, ତିରୁମାଳା ମନ୍ଦିରକୁ ଜଣେ ଭକ୍ତଙ୍କ ପକ୍ଷରୁ ଏହା ସର୍ବବୃହତ୍‌ ଏକକ ଦାନ। ବର୍ଦ୍ଧମାନ ଜୈନ ଚେନ୍ନାଇସ୍ଥିତ ଭାରା ଫ୍ୟୁଚର ଏଲ୍‌ଏଲ୍‌ପିର ଅଧ୍ୟକ୍ଷ। କମ୍ପାନିର ୬୦ ପ୍ରତିଶତ ଅଂଶଧନ ବିକ୍ରି କରି ସେ ପ୍ରାୟ ୬ ହଜାର କୋଟି ଟଙ୍କା ସଂଗ୍ରହ କରିଥିଲେ। ସେଥିରୁ କିଛି ଅର୍ଥ ଏହି ଦାନ ପାଇଁ ବ୍ୟବହାର କରିଛନ୍ତି। ଏହା ପୂର୍ବରୁ ସେ ମନ୍ଦିର ସମ୍ପ୍ରସାରଣ, ଅନ୍ନପ୍ରସାଦ ଓ ପ୍ରାଣଦାନମ୍‌ ଟ୍ରଷ୍ଟକୁ ଅର୍ଥ ଦାନ କରିବା ସହ ଗୋସୁରକ୍ଷା ଓ ଭକ୍ତି ଚ୍ୟାନେଲ ପାଇଁ ମଧ୍ୟ ଅନୁଦାନ ଦେଇଥିଲେ।

About The Author: Madhusudan Das