ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରି ବିଗତ ୪ ଦିନ ହେଲା ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାରି ମଧ୍ୟରେ ସରକାର ଆନ୍ଦୋଳନକାରୀଙ୍କୁ ମନାଇବା ପାଇଁ ଅଣ୍ଟା ଭିଡ଼ି ଛନ୍ତି । ବାୟୁସେନା ପକ୍ଷରୁ ଏହି ଯୋଜନାକୁ ନେଇ ଜାରି କରାଯାଇଛି ସମ୍ପୂର୍ଣ୍ଣ ତଥ୍ୟ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ସଶସ୍ତ୍ର ସୀମାବଳରେ ଭର୍ତ୍ତି ପାଇଁ ହୋଇଥିବା ଏହି ନୂଆ ଯୋଜନାକୁ ନେଇ ବିରୋଧ ହେଉଥିବା ବେଳେ ଭାରତୀୟ ବାୟୁ ସେନା ଏହି ଯୋଜନା ସମ୍ପର୍କିତ ପୂରା ତଥ୍ୟ ଜାରି କରିଛି । ଏହି ଯୋଜନାରେ ଭାରତୀୟ ବାୟୁସେନାରେ ୪ ବର୍ଷ ପାଇଁ ଭର୍ତ୍ତି ହେବ । ଅଗ୍ନିବୀରଙ୍କୁ ବର୍ଷରେ ୩୦ ଦିନର ଛୁଟି ମିଳିବ । ଏହା ସହ କ୍ୟାଣ୍ଟିନର ସୁବିଧା ମଧ୍ୟ ଉପଲବ୍ଧ ହେବ । ବାୟୁସେନା ପକ୍ଷରୁ ସେମାନଙ୍କୁ ୟୁନିଫର୍ମ ଆଲାଉନ୍ସ, ବୀମା ମଧ୍ୟ ପ୍ରଦାନ କରାଯିବ ଏକ ସାଧାରଣ ସୈନିକଙ୍କ ପାଇଁ ଉପଲବ୍ଧ ଥିବା ସମସ୍ତ ସୁବିଧା ଅଗ୍ନିପଥ ଯୋଜନାରୁ ଆସିଥିବା ଅଗ୍ନିବୀରମାନଙ୍କୁ ସେହି ସମସ୍ତ ସୁବିଧା ଯୋଗାଇ ଦିଆଯିବ।
ଭାରତୀୟ ବାୟୁସେନାର ତଥ୍ୟ ଅନୁସାରେ ଅଗ୍ନିବୀରଙ୍କୁ ମାସିକ ବେତନ ସହ ହାର୍ଡସିପ୍ ଆଲାଉନ୍ସ, ୟୁନିଫର୍ମ ଆଲାଉନ୍ସ, କ୍ୟାଣ୍ଟିନ, ମେଡିକାଲ ସୁବିଧା ପ୍ରଦାନ କରାଯିବ। ଅଗ୍ନିବୀରଙ୍କୁ ଟ୍ରିପଲ ଆଲାଉନ୍ସ ମଧ୍ୟ ମିଳିବ। ବର୍ଷରେ ୩୦ ଦିନ ଛୁଟି ମିଳିବା ସହ ମେଡିକାଲ ଛୁଟି ମଧ୍ୟ ପ୍ରଦାନ କରାଯିବ।ମେଡିକାଲ ଛୁଟି ମେଡିକାଲ ଚେକଅପ୍ ଉପରେ ନିର୍ଭର କରିବ। ଭାରତୀୟ ବାୟୁସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ବୟସ ୧୭.୫ ବର୍ଷରୁ ୨୧ ବର୍ଷ ହୋଇଛି।
ଅନ୍ୟପଟେ ଅଗ୍ନିପଥ ଯୋଜନାରେ ୪ ବର୍ଷର ଚାକିରି କାଳ ଭିତରେ ଯଦି ଅଗ୍ନିବୀରଙ୍କ ମୃତ୍ୟୁ ହୋଇଥାଏ ତେବେ ବୀମା ସୁବିଧା ଉପଲବ୍ଧ ହେବ। ତାଙ୍କ ପରିବାରକୁ ୧ କୋଟିର ଆର୍ଥିକ ସୁବିଧା ଉପଲବ୍ଧ ହେବ। ଡ୍ୟୁଟି ବେଳେ ବିକଳାଙ୍ଗ ହେଲେ ଏକ୍ସ-ଗ୍ରାସିଆରେ ୪୪ ଲକ୍ଷ ଟଙ୍କା ମିଳିବ। ଆଉ ଅବଶିଷ୍ଟ ଚାକିରି ସମୟର ପୂରା ଦରମା ମିଳିବ। ସେବା ନିଧି ପ୍ୟାକେଜର ପୂରା ଅର୍ଥ ମଧ୍ୟ ମିଳିବ। ଅଗ୍ନିବୀରଙ୍କୁ ମୋଟ ୪୮ ଲକ୍ଷର ବୀମା ସୁବିଧା ମିଳିବ।
ଏଥିସହ ଟ୍ରନିଂ ଅବଧି ବେଳେ ଯୁବପିଢ଼ି ଅଧାରୁ ଟ୍ରେନିଂ ଛାଡିପାରିବେ ନାହିଁ। ଅଗ୍ନିପଥ ଯୋଜନା ଅଧୀନରେ ସେ ପ୍ରଥମ ବର୍ଷର ସେବା ପାଇଁ ବେତନ ହିସାବରେ ୩୦ହଜାର ଟଙ୍କା ପାଇବେ, ସେଥିମଧ୍ୟରୁ ୨୧ହଜାର ସିଧାସଳଖ ତାଙ୍କ ଆକାଉଣ୍ଟକୁ ଏବଂ ୯୦୦୦ହଜାର ଟଙ୍କା ଅଗ୍ନିବୀର କର୍ପସ ଫଣ୍ଡକୁ ଯିବ। ପ୍ରତିବର୍ଷ ଦରମା ବୃଦ୍ଧି ପାଇବ। ତାଲିମର ଶେଷ ବର୍ଷରେ, ଅଗ୍ନିବୀରଙ୍କ ଦରମା ୪୦ହଜାର ଟଙ୍କା ହେବ ।