ଲୁଣା ନଦୀକୁ ଡେଇଁ ୨୨ ବର୍ଷୀୟ ଯୁବକ ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି

କେନ୍ଦ୍ରାପଡ଼ା: ଲୁଣା ନଦୀକୁ ଡେଇଁ ଯୁବକ ନିଖୋଜ । କେନ୍ଦ୍ରାପଡ଼ା ଅନ୍ତର୍ଗତ ଲୁଣା ନଦୀର ଏକ ପୋଲ ଉପରୁ ଡେଇଁ ପଡ଼ିବା ଫଳରେ ଜଣେ ୨୨ ବର୍ଷୀୟ ଯୁବକ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ସ୍ପିଡ୍ ବୋଟ୍ ସାହାଯ୍ୟରେ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଖୋଜ ହୋଇଥିବା ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାହାକଣ୍ଡିଆ ଗାଁର ରାଜକୁମାର ଜେନା। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରାଜକୁମାର କଳାପଡ଼ା ଲୁଣା ନଦୀ ପୋଲ ନିକଟକୁ ଯାଇଥିଲେ। ତେବେ ଯୁବକ ଜଣକ କେଉଁ କାରଣରୁ ନଦୀକୁ ଡେଇଁଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣାର ପରିସ୍ଥିତି ଏବଂ ପ୍ରକୃତ କାରଣ ଜାଣିବା ପାଇଁ ସ୍ଥାନୀୟ ପୋଲିସ ପକ୍ଷରୁ ମଧ୍ୟ ଏକ ତଦନ୍ତ ଆରମ୍ଭ କରାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକ ସ୍ପିଡ୍ ବୋଟ୍ ଜରିଆରେ ନଦୀରେ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ଗତକାଲି ରାତିର ଅନ୍ଧକାର ଏବଂ ନଦୀରେ ଥିବା ପ୍ରବଳ ସ୍ରୋତ କାରଣରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ଏହା ସତ୍ତ୍ୱେ ଅଗ୍ନିଶମ ବାହିନୀ ପକ୍ଷରୁ ନିଖୋଜ ଯୁବକଙ୍କୁ ଠାବ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ରାଜକୁମାରଙ୍କର କୌଣସି ପତ୍ତା ମିଳିପାରି ନାହିଁ।

About The Author: Madhusudan Das