ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ‘୫-ଟି’ ସଚିବଙ୍କ ଏକ ଫଟୋକୁ ନେଇ ବିବାଦ ସୃଷ୍ଟି କରିଛନ୍ତି କିଛି ଗଣମାଧ୍ୟମ ଓ ତଥାକଥିତ ବୁଦ୍ଧିଜୀବୀ। ହାଇକୋର୍ଟ ମୁଖ୍ୟ ବିଚାରପତି ଓ ‘୫-ଟି’ ସଚିବଙ୍କ ଏକତ୍ର ଉପସ୍ଥିତିକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଫଟୋରେ ଉପସ୍ଥିତ ବ୍ୟକ୍ତି, ସ୍ଥାନ ସମ୍ପର୍କରେ ସାମାନ୍ୟତମ ଧାରଣା ନ ଥିବା ବ୍ୟକ୍ତି ଓ ଗଣମାଧ୍ୟମ ଏହାକୁ ନେଇ ଚା’ କପ୍ରେ ଝଡ଼ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। କାହାର ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ ଉଠାଇବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଦାୟିତ୍ୱକୁ ଉଭୟ ଗଣମାଧ୍ୟମ ଓ ତଥାକଥିତ ବୁଦ୍ଧିଜୀବୀ ଯେପରି ପାଶୋରି ଯାଇଛନ୍ତି। ନିଜର ନକରାତ୍ମକ ମନୋଭାବ ଓ ଅଳ୍ପବିଦ୍ୟା ଭୟଙ୍କରୀ ପ୍ରବୃତ୍ତିର ପରିଚୟ ଦେଇଛନ୍ତି। ଏପରିକି ମୁଖ୍ୟ ବିଚାରପତିଙ୍କ ବଦଳି ପ୍ରସଙ୍ଗକୁ ଏହା ସହିତ ସଂଯୋଗ କରି ଅସତ୍ୟ ତଥ୍ୟ ପରିବେଷଣ ସହ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଛନ୍ତି। ଭୁବନେଶ୍ୱରସ୍ଥିତ ସତ୍ୟସାଇ ସେବା କେନ୍ଦ୍ରରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମର ଏହି ଫଟୋକୁ ନେଇ କାହିଁକି ରାଜନୀତି ହେଉଛି ତାହା ମଧ୍ୟ ଅନେକଙ୍କୁ ବିସ୍ମିତ କରିଛି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। ସତ୍ୟସାଇ ହାର୍ଟ ହସ୍ପିଟାଲର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ଭିମାନୀ ଏହାକୁ ନେଇ କ୍ଷୋଭପ୍ରକାଶ କରିଛନ୍ତି।
ଦେଶର ବିଭିନ୍ନ ସ୍ଥାନରେ ଅହମ୍ମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲ ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ କେବଳ ବିଚାର ବିଭାଗୀୟ ଅଧିକାରୀ ନୁହନ୍ତି; ବ୍ୟୁରୋକ୍ରାଟ, ରାଜନୈତିକ ବ୍ୟକ୍ତି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାଆନ୍ତି। ଗରିବ ଓ ଅସହାୟ ପିଲାମାନଙ୍କୁ ଚିକିତ୍ସା ସହାୟତା ଯୋଗାଇବାରେ ସହାୟତା କରିଥାଆନ୍ତି। ଏହି ସଂସ୍ଥାର ସହଯୋଗରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଗରିବ ପିଲାମାନଙ୍କର ହୃଦରୋଗ ଚିକିତ୍ସା କରାଯାଉଛି। ଅନେକ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମଗୁଡ଼ିକରେ ଯୋଗ ଦେବାର ଦୃଷ୍ଟାନ୍ତ ରହିଛି। ଭୁବନେଶ୍ୱରରେ ସମ୍ପୃକ୍ତ ସଂସ୍ଥାର ଏକ ସେବା କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଓ ୫-ଟି ସଚିବଙ୍କ ଉପସ୍ଥିତିକୁ ନେଇ ବିଭ୍ରାନ୍ତି ଓ ବିବାଦ ସୃଷ୍ଟି କରିବାର ଔଚିତ୍ୟକୁ ନେଇ ସ୍ୱାଭାବିକ ପ୍ରଶ୍ନ ଉଠିଛି। ଯେଉଁ ସ୍ଥାନର ଫଟୋକୁ ସ୍ଥାନୀତ କରି ହଟଚମଟ ସୃଷ୍ଟି କରିବାକୁ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ ବ୍ୟକ୍ତିବିଶେଷ ଉଦ୍ୟମ କରିଛନ୍ତି ସେ ସମ୍ପର୍କରେ ସମ୍ଭବତଃ ସେମାନଙ୍କର ସାମାନ୍ୟତମ ଧାରଣା ନାହିଁ। ଭୁବନେଶ୍ୱରରେ ସତ୍ୟସାଇ ସେବା କେନ୍ଦ୍ର ପରି ଏକ ସାର୍ବଜନୀନ ସ୍ଥାନରେ ସ୍ପଷ୍ଟ ଦିବାଲୋକରେ ରାଜ୍ୟର ଗରିବ ପିଲାମାନଙ୍କ ହୃଦ୍ ପରୀକ୍ଷା କାର୍ଯ୍ୟକ୍ରମ ଅବସରର ଫଟୋକୁ ରୁଦ୍ଧଦ୍ୱାର ବୈଠକ ଅଭିହିତ କରି ଖବର ପ୍ରସାରଣ କରିବା ନିମ୍ନରୁଚିର ମାନସିକତା ଭିନ୍ନ କିଛି ହୋଇ ନ ପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସତ୍ୟସାଇ ହାର୍ଟ ହସ୍ପିଟାଲ ମ୍ୟାନେଜିଂ ଟ୍ରଷ୍ଟି ମନୋଜ ଭିମାନୀ ଏହାକୁ ନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସଂସ୍ଥା ପକ୍ଷରୁ ଗରିବ ପିଲାମାନଙ୍କୁ ନିଃଶୁଳ୍କ ଚିକିତ୍ସା ଯୋଗାଇ ଦିଆଯାଇଥାଏ। ଯେଉଁଥିପାଇଁ ପୂର୍ବତନ ରାଷ୍ଟ୍ରପତି ଡ଼. ଅବଦୁଲ କଲାମ ସତ୍ୟସାଇ ହାର୍ଟ ହସ୍ପିଟାଲକୁ ‘ବିଲ୍ ୱିଦ୍ଆଉଟ୍ ବିଲ’ ବୋଲି ବର୍ଣ୍ଣନା କରିଛନ୍ତି। ଏହି ସଂସ୍ଥାର ସାମାଜିକ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥାଆନ୍ତି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୂରଲୀଧରନ୍ଙ୍କ ପୂର୍ବରୁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ ରମନ୍ନା, ବିଚାରପତି ଏମ୍.ଆର୍. ଶାହା, ଓଡ଼ିଶା ହାଇକୋର୍ଟର ବିଚାରପତି ବିଚାରପତି କଳ୍ପେଶ ଜାଭେରୀ ମଧ୍ୟ ଯୋଗ ଦେଇଛନ୍ତି। କିଛିବର୍ଷ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ସହ ତାଙ୍କର ପରିଚୟ ହୋଇଥିଲା ଏବଂ ସେ ହୃଦରୋଗ ପୀଡ଼ିତ ଓଡ଼ିଶାର ଗରିବ ପିଲାମାନଙ୍କ ନିଃଶୁଳ୍କ ଚିକିତ୍ସା ନିମନ୍ତେ ଅନୁରୋଧ କରିଥିଲେ। ଏହାପରେ ଅନୁଷ୍ଠାନ ପକ୍ଷରୁ ଗତ ୫ ବର୍ଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରାୟ ୧୨୦୦ ଶିଶୁମାନଙ୍କର ଚିକିତ୍ସା କରାଯାଇଛି। ଏପରିକି କୋଭିଡ଼ ପରବର୍ତ୍ତୀ ସମୟରେ ୩ଶହରୁ ଅଧିକ ପିଲାମାନଙ୍କର ଅସ୍ତ୍ରୋପଚାର ହୋଇଛି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମ, ଯାଜପୁର, ସୁନ୍ଦରଗଡ଼, ସମ୍ବଲପୁର, ଖୋର୍ଦ୍ଧା, ପୁରୀ ଜିଲ୍ଲାର ବହୁ ଶିଶୁମାନଙ୍କ ଅସ୍ତ୍ରୋପଚାର ନିମନ୍ତେ ତାରିଖ ଧାର୍ଯ୍ୟ ହୋଇଛି। ଭୁବନେଶ୍ୱରରେ ଏହି ସେବା କାର୍ଯ୍ୟକ୍ରମ ସମୟରେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍.ମୂରଲୀଧରନ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ। ଏହି ଫଟୋକୁ ନେଇ ବିବାଦ ସୃଷ୍ଟି କରିବା ଠିକ୍ ନୁହେଁ ବୋଲି ଶ୍ରୀ ଭିମାନୀ କହିଛନ୍ତି।