୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଜମି ଅଧିଗ୍ରହଣ ଅଧିକାରୀ । ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ସମ୍ବଲପୁର-ତାଳଚେର ରେଳଲାଇନ ପ୍ରକଳ୍ପର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଅଜୟ କୁମାର ଗଡ଼ନାୟ। ଜଣେ ଜମି ମାଲିକଙ୍କଠାରୁ କ୍ଷତିପୂରଣ ଟଙ୍କା ଛାଡ଼ କରିବା ପାଇଁ ସେ ୫ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ଅଭିଯୋଗ ଆଧାରରେ ଆଜି ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ୩ ଲକ୍ଷ ଟଙ୍କା ନେଉଥିବାବେଳେ ଧରିଛି । ଘଟଣା ପରେ ତାଙ୍କ ସହ ଜଡ଼ିତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି ।

ଅଧିକାରୀଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଅଜୟ ଗଡ଼ନାୟକ ଜଣେ ଜମି ମାଲିକଙ୍କୁ ତାଙ୍କର ୮୪,୬୨,୨୮୮ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରିବା ଏବଂ ଭବିଷ୍ୟତରେ ସହଯୋଗ କରିବା ପାଇଁ ମୋଟ ୫.୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ସେ ଅକ୍ଟୋବର ୨୭ ତାରିଖରେ ୨ ଲକ୍ଷ ଟଙ୍କା ନେଇ ସାରିଥିବା ବେଳେ ବାକି ୩.୧୦ ଲକ୍ଷ ଟଙ୍କା ପାଇଁ ଚାପ ପକାଉଥିଲେ।

ଅଭିଯୁକ୍ତ ଅଧିକାରୀ ଜଣକ ଜମି ମାଲିକଙ୍କୁ ଧମକ ଦେଇଥିଲେ ଯେ, ଯଦି ବାକି ଟଙ୍କା ତୁରନ୍ତ ନ ମିଳେ ତେବେ ତୃତୀୟ ରେଳଲାଇନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଅଯଥା ସମସ୍ୟା ସୃଷ୍ଟି କରାଯିବ। ଅତିଷ୍ଠ ହୋଇ ଜମି ମାଲିକ ଜଣକ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଭିଜିଲାନ୍ସ ପକ୍ଷରୁ ବିଛାଯାଇଥିବା ଜାଲରେ ସୋମବାର ଅଧିକାରୀ ଜଣକ ୩.୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରଙ୍ଗେ ହାତ ଧରାପଡ଼ିଥିଲେ।

ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ଅଜୟ ଗଡ଼ନାୟକଙ୍କ ସହ ସମ୍ପୃକ୍ତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏହି ଖୋଳତାଡ଼ ଜାରି ରହିଛି। ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି।

About The Author: Madhusudan Das