ଭୁବନେଶ୍ୱର: ଏଣିକି ରାଜଧାନୀରେ ମିଳିବ କେରଳର ଅନୁଭୂତି। ପର୍ଯ୍ୟଟକଙ୍କୁ ନୂଆ ଅନୁଭବ ଦେବା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି। ଏହି ପରିପ୍ରେକ୍ଷୀରେ ଜୟଦେବ ବାଟିକାରେ ନିର୍ମାଣ କରାଯାଉଛି ୨ଟି ଟ୍ରି ହାଉସ୍। ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରକୃତିକୁ ଉପଭୋଗ କରିବାର ନିଆରା ଅନୁଭୂତି ଦେବ ଏହି ଟ୍ରି ହାଉସ୍। ଯାହା ପରିବେଶ ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂଆ ଦିଶା ପାଲଟିବ। ପୂର୍ବରୁ କେରଳ, ଆସାମ, କଶ୍ମୀର ଆଦି ସ୍ଥାନରେ ଟ୍ରି ହାଉସ୍ ଦେଖିବାକୁ ମିଳୁଥିବାବେଳେ ବର୍ତ୍ତମାନ ଭୁବନେଶ୍ୱରରେ ପ୍ରଥମକରି ବନ ଉନ୍ନୟନ ନିଗମ ପକ୍ଷରୁ କେରଳ ଢାଞ୍ଚାରେ ଏଭଳି ଟ୍ରି ହାଉସ୍ ନିର୍ମାଣ କରାଯାଉଛି। ଯାହାକି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଆସନ୍ତା ମାସରୁ ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ।
୨୦୦୬ ମସିହାରୁ ସ୍ଥାନୀୟ ଖଣ୍ଡଗିରିରେ ୧୨୦ ଏକର ପରିମିତ ଜାଗାରେ ରହିଛି ଜୟଦେବ ବାଟିକା। ଏଠାରେ ଭରି ରହିଥିବା ପ୍ରାକୃତିକ ସବୁଜିମା ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ଭୋଜି ସାଙ୍ଗକୁ ବୁଲାବୁଲି କରିବା ଓ ସେଲ୍ଫଫିର ମଜା ନେବାକୁ ଭୁଲନ୍ତିନି ପର୍ଯ୍ୟଟକ। ପ୍ରକୃତି କୋଳରେ ସମୟ ବିତାଇବାକୁ ଏହି ସ୍ଥାନକୁ ବାଛିଥାନ୍ତି ଅଧିକାଂଶ ଯୁବଗୋଷ୍ଠୀ। ଏଠାରେ ବଣଭୋଜି ସାଙ୍ଗକୁ ପ୍ରାକୃତିକ ପରିବେଶର ଉପଭୋଗ କରିବାର ନିଆରା ମଜା ନେବାକୁ ବର୍ଷ ତମାମ କେବଳ ରାଜଧାନୀ ନୁହେଁ ବିଭିନ୍ନ ସ୍ଥାନରୁ ଶହଶହ ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କ ସୁଅ ଛୁଟେ।
ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ନିମନ୍ତେ କେରଳ ଢାଞ୍ଚାରେ ଏଠାରେ ନିର୍ମାଣ କରାଯାଉଛି ୨ଟି ଟ୍ରି ହାଉସ୍। ଦୁଇଟି ଗଛ ଉପରେ କାଠରେ ନିର୍ମିତ ଟ୍ରି ହାଉସ୍କୁ ସଂଯୋଗ କରିବାକୁ ଟ୍ରି ଟପ୍ ୱାକ୍ ୱେ ମଧ୍ୟ ନିର୍ମାଣ କରାଯିବ। ଫଳରେ ଗୋଟିଏ ଟ୍ରି ହାଉସ୍ରୁ ଅନ୍ୟ ଟ୍ରି ହାଉସ୍ ସହଜରେ ଯାଇପାରିବେ ପର୍ଯ୍ୟଟକ। ଏହା କେବଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବନି ବରଂ ପରିବେଶ ପର୍ଯ୍ୟଟନ ବିଷୟରେ ଜାଣିବାର ସୁଯୋଗ ସୃଷ୍ଟି କରିବ ଏବଂ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବ। ତେବେ ଏଠାରେ ନିର୍ମିତ ହେଉଥିବା ଗୋଟିଏ ଲେଖାଏଁ ଟ୍ରି ହାଉସ୍ ବାବଦକୁ ୧ଲକ୍ଷ ୬୨ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବାବେଳେ ଟ୍ରି ଟପ୍ ୱାକ୍ ୱେ ନିମନ୍ତେ ୩ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ତେବେ ଏହି ଟ୍ରି ହାଉସ୍ରେ କିଭଳି ସୁରକ୍ଷିତ ଭାବେ ପର୍ଯ୍ୟଟକମାନେ ପହଞ୍ଚି ପାରିବେ ସେଥିପାଇଁ କାଠ ପଟାରେ ପାହାଚ ନିର୍ମାଣ କରାଯାଇଥିବା ବେଳେ ଟ୍ରି-ହାଉସ୍ଗୁଡ଼ିକରେ ଆଇରନ୍ ସପୋର୍ଟ ଦିଆଯାଇଛି। ଏ ନେଇ ଓଡ଼ିଶା ବନ ଉନ୍ନୟନ ନିଗମର ଡିଭିଜନାଲ ମ୍ୟାନେଜର ରୁଦ୍ରମଣି ସାହୁ କହିଛନ୍ତି ଯେ, ଜୟଦେବ ବାଟିକା ପ୍ରାକୃତିକ ସବୁଜିମାରେ ଭରପୁର। ଏହାକୁ ଅଧିକ ଆକର୍ଷିତ କରିବାକୁ କେରଳ ଢାଞ୍ଚାରେ ଟ୍ରି ହାଉସ୍ ନିର୍ମାଣ କରାଯାଇଛି। ଏହାଦ୍ୱାରା ଏଠାକୁ ଅଧିକ ପର୍ଯ୍ୟଟକ ଆସିବା ସହ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ଆହୁରି ଉନ୍ନତି ଘଟିବ। ଟ୍ରି ହାଉସ୍ ନିକଟରେ ସୌନ୍ଦର୍ଯ୍ୟକରଣ କରାଯିବାକୁ ଅର୍ଣ୍ଣାମେଣ୍ଟାଲ ଟ୍ରି ଲଗାଯିବ। ଖୁବ୍ଶୀଘ୍ର କାମ ଶେଷ ହୋଇ ପର୍ଯ୍ୟଟକଙ୍କ ବ୍ୟବହାର ନିମନ୍ତେ ଖୋଲାଯିବ। ତେବେ ଏଠାରେ କେବଳ ବୁଲିବା ସହ ପର୍ଯ୍ୟଟକ ସେଲ୍ଫଫି କିମ୍ବା ଫଟୋ ଉଠାଇ ପାରିବେ ବୋଲି ଶ୍ରୀ ସାହୁ କହିଛନ୍ତି।