ସୁନ୍ଦରଗଡ଼ରେ ଯାତ୍ରୀବାହୀ ବସ୍ ଓଲଟି ୧୫ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବଡ଼ ସଡକ ଦୁର୍ଘଟଣା । ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ମଧୁପୁର (ଚିଲବଂଶ) ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଅତିକମରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ହଂସିକା ନାମକ ଏହି ଘରୋଇ ବସ୍‌ଟି ଝାରସୁଗୁଡ଼ାରୁ ବଣାଇଗଡ଼ ଅଭିମୁଖେ ଯାତ୍ରା କରୁଥିଲା। ଡ୍ରାଇଭର ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ବାସିନ୍ଦା, ଗୁରୁଣ୍ଡିଆ ପୋଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ ଗୁରୁଣ୍ଡିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

About The Author: Madhusudan Das