ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ଏବଂ ଜନମଙ୍ଗଳ ପ୍ରକଳ୍ପର ସମୀକ୍ଷା କରୁଛନ୍ତି। ଗତକାଲି ଜିଲ୍ଲାର ୪ ବ୍ଲକ ସହିତ ମହାନଗର ନିଗମ କାର୍ଯ୍ୟାଳୟରେ ସମୀକ୍ଷା କରି ଲୋକଙ୍କ ସହ ଆଲୋଚନା କରିଥିଲେ ୫ଟି ସଚିବ। ଗ୍ରାଉଣ୍ଡ ଜିରୋରେ ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରୁଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ। ଆଜି ସୁନ୍ଦରଗଡ଼ ଗସ୍ତର ଦ୍ୱିତୀୟ ଦିନରେ ଘୋଘରଠାରେ ଥିବା ଘୋଘରେଶ୍ୱର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପୂଜକ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ପରେ ଟାଙ୍ଗରପାଲି ବେଲସେରା ମନ୍ଦିର ଓ ବିଭିନ୍ନ ସ୍ଥାନ ଯିବାର କାର୍ଯ୍ଯକ୍ରମ ରହିଛି। ଶେଷରେ ଜିଲ୍ଲା ଅଧିକାରୀଙ୍କ ସହ ବୈଠକ କରି ୫ଟି ସଚିବ ଭି.କେ ପାଣ୍ଡିଆନ ଭୁବନେଶ୍ବର ଫେରିବେ ବୋଲି ଜଣାପଡ଼ିଛି।
ସେହିପରି ଶ୍ରୀ ପାଣ୍ଡିଆନ୍ ଗତକାଲି ଆର୍ଥାତ ଶନିବାର ଗୁରୁଣ୍ଡିଆ, ବଣାଇ, କୋଇଡ଼ା ଏବଂ ବୀରମିତ୍ରପୁର ବ୍ଲକ ଗସ୍ତ କରିଥିଲେ। ରୂପାନ୍ତରଣରେ ସାମିଲ ହୋଇଥିବା ଗୁରୁଣ୍ଡିଆ ସ୍ଥିତ ସରକାରୀ (ଏସ୍ଏସ୍ଡି) ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ତଥା କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସେ ସ୍ଥାନୀୟ ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ସହ ଭାବ ବିନିମୟ କରିଥିଲେ। ୫-ଟି ବିଦ୍ୟାଳୟ ରୂପାନ୍ତରଣ ପ୍ରକଳ୍ପ ଶୀଘ୍ର ଶେଷ କରିବା ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ-ଛାତ୍ରାବାସ ପ୍ରକଳ୍ପ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ସେ ତୁମକେଲା ସ୍ଥିତ ବିଜୁ ସେତୁ ନିର୍ମାଣ ଅଗ୍ରଗତି ସମୀକ୍ଷା କରିଛନ୍ତି। ଗ୍ରାମ୍ୟ ନିର୍ମାଣ ଡିଭିଜନ୍ ଦ୍ୱାରା ନିର୍ମାଣ ହେଉଥିବା ଏହି ସେତୁ ସମ୍ପୂର୍ଣ୍ଣ ହେଲେ ସ୍ଥାନୀୟ ଅଞ୍ଚଳର ୪୦ ହଜାର ଜନସାଧାରଣ ଉପକୃତ ହେବେ। ଶ୍ରୀ ପାଣ୍ଡିଆନ୍ ବଣାଇ ସ୍ଥିତ ବାଣେଶ୍ୱର ମନ୍ଦିରରେ ପୂଜାର୍ଚନା କରିବା ସହିତ ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ଦେବାଳୟର ରୂପାନ୍ତରଣ କାର୍ଯ୍ୟ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
୫-ଟି ସଚିବ ବଣାଇ ସ୍ଥିତ ମିଶନ୍ ଶକ୍ତି କାଫେରେ ମିଶନ୍ ଶକ୍ତି ଗ୍ରୁପ୍ର ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ। ସରକାରଙ୍କ ସହାୟତା ଫଳରେ ମହିଳାମାନେ କିପରି ଉପକୃତ ହୋଇଛନ୍ତି ମିଶନଶକ୍ତି ମହିଳାମାନେ ତାହା ୫-ଟି ସଚିବଙ୍କ ନିକଟରେ ବର୍ଣ୍ଣନା କରିଥିଲେ। ଅନୁରୂପ ଭାବରେ ବଣେଇ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀଙ୍କ ସହ ସିଧାସଳଖ ଆଲୋଚନା ସହ ଚିକିତ୍ସା ଓ ଭଲମନ୍ଦ ପଚାରି ବୁଝିଥିଲେ ଶ୍ରୀ ପାଣ୍ଡିଆନ। ପରବର୍ତ୍ତୀ ସମୟରେ ସେ ବଣାଇ ସ୍ଥିତ ହକି ପ୍ରଶିକ୍ଷଣ କେନ୍ଦ୍ରରେ ପହଞ୍ଚି ଖେଳାଳି, ବଇଦପାଲି ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ପ୍ରଶିକ୍ଷଣ ଓ ଶିକ୍ଷାଦାନ ସମ୍ପର୍କରେ କଥା ହୋଇଥିଲେ। ନିକଟସ୍ଥ ବିଜୁ ପାର୍କରେ ଉତ୍ତମ ପରିବେଶ ସୃଷ୍ଟି ପାଇଁ ସେ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ବଇଦପାଲି ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହ କୋଇଡା ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ନିର୍ମାଣ କାର୍ଯ୍ୟ ଶେଷ ପାଇଁ ପରାମର୍ଶ ଦେଇଥିଲେ।
ଏହା ପରେ ଶ୍ରୀ ପାଣ୍ଡିଆନ୍ କୋଇଡା ଡିଗ୍ରୀ ମହାବିଦ୍ୟଳୟ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମହାବିଦ୍ୟାଳୟରେ ଅନୁସୂଚିତ ଜନଜାତି ବର୍ଗର ଅନେକ ଛାତ୍ରଛାତ୍ରୀ ପାଠ ପଢ଼଼ୁଥିବାରୁ ସେଠାରେ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହା ପରେ ସେ କୋଇଡା ଆଇଟିଆଇ ଗସ୍ତ କରି ଅଧ୍ୟକ୍ଷ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ବକେୟା କାମଗୁଡିକ ଶୀଘ୍ର ଶେଷ କରିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ପିଲାମାନଙ୍କର ସର୍ବାଙ୍ଗୀଣ ହିତ ପାଇଁ ଯତ୍ନବାନ୍ ରହିବାକୁ ଆଇଟିଆଇର ଅଧ୍ୟକ୍ଷଙ୍କୁ କହିଥିଲେ। ପରେ ପରେ ସେ ବୀରମିତ୍ରପୁର ଯାଇ ସେଠାକାର ସ୍ମାର୍ଟ ପାର୍କର ନିର୍ମାଣ ଅଗ୍ରଗତି ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତାବିତ ସହରାଞ୍ଚଳ ଜଳାଶୟ ପୁନରୁଦ୍ଧାର ପ୍ରକଳ୍ପ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରି କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି ପ୍ରକଳ୍ପ ଯେପରି ଠିକ୍ ଭାବେ କାର୍ଯ୍ୟକାରୀ ହେବ ତାହା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଶ୍ରୀ ପାଣ୍ଡିଆନ୍ ବୀରମିତ୍ରପୁରରେ ପ୍ରସ୍ତାବିତ ନୂଆ ବସ୍ ଷ୍ଟାଣ୍ଡ ପ୍ରକଳ୍ପ ସ୍ଥଳ ଗସ୍ତ କରି ତାହାର ଏକ ବିସ୍ତୃତ ରିପୋର୍ଟ ସରକାରଙ୍କୁ ପଠାଇବା ପାଇଁ କହିଥିଲେ। ଏହି ଅବସରରେ ସେ ବୀରମିତ୍ରପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଶିକ୍ଷକମଣ୍ଡଳୀ ଏବଂ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ।