ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଗୁଣାତ୍ମକ ଶିକ୍ଷାଦାନ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ କୃଷ୍ଣପ୍ରସାଦ ବ୍ଲକ ଶିକ୍ଷା କାର୍ଯ୍ୟାଳୟର ଅବ୍ୟବସ୍ଥା ଏବେ ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ପ୍ରଶ୍ନବାଚୀ ମଧ୍ୟକୁ ଟାଣି ଆଣିଛି। ବର୍ଷ ବର୍ଷ ଧରି ବ୍ଲକ ଶିକ୍ଷାଧିକାରୀ (ବିଇଓ) ପଦବୀ ଖାଲି ପଡ଼ିଥିବାରୁ କାର୍ଯ୍ୟାଳୟର ପ୍ରଶାସନିକ ଓ ଶିକ୍ଷାଗତ କାର୍ଯ୍ୟରେ ସମନ୍ୱୟର ଅଭାବ ଦେଖାଦେଇଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏହି ବ୍ଲକର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ତାହା କେବଳ କର୍ମଚାରୀଙ୍କ ଦରମା ସମ୍ବନ୍ଧୀୟ କାର୍ଯ୍ୟରେ ସୀମିତ ରହିଥିବା ନେଇ ଅଭିଯୋଗ ଉଠୁଛି। ଫଳରେ ବ୍ଲକର ଶିକ୍ଷାଗତ ସମସ୍ୟା, ବିଦ୍ୟାଳୟ ପରିଚାଳନା ଓ ଶିକ୍ଷକମାନଙ୍କ ବିଭିନ୍ନ ଆବଶ୍ୟକତାର ସମାଧାନ କିଏ କରିବ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।
ଅନ୍ୟପକ୍ଷରେ, କ୍ଲଷ୍ଟର ରିସୋର୍ସ ସେଣ୍ଟର କୋଅର୍ଡିନେଟର (ସିଆରସିସି)ମାନଙ୍କ କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ନୂତନ ସିଆରସିସି ଚୟନ ପାଇଁ ପରୀକ୍ଷା ମଧ୍ୟ ଶେଷ ହୋଇଛି। ନିୟମ ଅନୁଯାୟୀ, ଜଣେ ସିଆରସିସିଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥିବା ବେଳେ କେତେକ ସିଆରସିସି ୮ ବର୍ଷ ଧରି କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ତେବେ ଏଯାବତ୍ ନୂତନ ନିଯୁକ୍ତି ହୋଇନଥିବାରୁ ଶିକ୍ଷାଗତ ତଦାରଖ, ଶିକ୍ଷକମାନଙ୍କୁ ମାର୍ଗଦର୍ଶନ ଓ ବିଦ୍ୟାଳୟ ସ୍ତରରେ ସମନ୍ୱୟ ରକ୍ଷା କରିବା ଭଳି କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ପରୀକ୍ଷା ଶେଷ ହେବା ପରେ ମଧ୍ୟ ନିଯୁକ୍ତିରେ ବିଳମ୍ବ କାହିଁକି, ତାହାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।
ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଛି। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ଶିକ୍ଷକଙ୍କୁ ଅନ୍ୟତ୍ର ନିୟୋଜିତ କରାଯାଉଥିବାରୁ ଶ୍ରେଣୀଗୃହରେ ନିୟମିତ ଶିକ୍ଷାଦାନ ବ୍ୟାହତ ହେଉଛି। ସରକାରୀ ନିୟମ ଓ ବଦଳି ବ୍ୟବସ୍ଥାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ଶିକ୍ଷକ, କର୍ମଚାରୀ ଏପରିକି ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ କେତେକ କର୍ମଚାରୀଙ୍କ କାର୍ଯ୍ୟସ୍ଥଳୀ ଓ ନିୟୋଜନ ସମ୍ପର୍କରେ ମଧ୍ୟ ସ୍ୱଚ୍ଛତା ରହୁନଥିବା ଅଭିଯୋଗ ସାମ୍ନାକୁ ଆସୁଛି।
ସବୁଠାରୁ ଗୁରୁତର ଅଭିଯୋଗ ହେଉଛି, ଶିକ୍ଷକମାନଙ୍କ ବିଭିନ୍ନ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଅର୍ଥ ଦେବାକୁ ପଡ଼ୁଥିବା ଏବଂ ଟଙ୍କା ନଦେଲେ କାମ ହେଉନଥିବା ନେଇ କେତେକ ଶିକ୍ଷକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପ୍ରବୀଣା ଦାସ ନାମକ ଜଣେ ଶିକ୍ଷୟିତ୍ରୀଙ୍କ ଚିକିତ୍ସା ବାବଦ ଅର୍ଥ ମଞ୍ଜୁର କରାଇବା ପାଇଁ ଟଙ୍କା ନିଆଯାଇଥିଲେ ମଧ୍ୟ ଏଯାବତ୍ ତାଙ୍କୁ ସହାୟତା ମିଳିନଥିବା ଅଭିଯୋଗ ହୋଇଛି। ସେହିପରି, ୬ ମାସ ତଳେ ଚାକିରିରୁ ଅବସର ନେଇଥିବା ବିମଳ ରଣସିଂହ ଏଯାଏଁ ନିଜର ପ୍ରାପ୍ୟ ସରକାରୀ ଅର୍ଥ ପାଇନଥିବା ଅଭିଯୋଗ କରିଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି, ବିଇଓ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଛି କାହିଁକି? ସିଆରସିସି ଚୟନ ପରୀକ୍ଷା ଶେଷ ହେବା ପରେ ମଧ୍ୟ ନିଯୁକ୍ତି କରାଯାଉନାହିଁ କାହିଁକି? ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର କରିବାକୁ କେବେ ପଦକ୍ଷେପ ନିଆଯିବ?
ସିଆରସିସି ନିଯୁକ୍ତି ସମ୍ପର୍କରେ କୃଷ୍ଣପ୍ରସାଦ ବିଆରସିସିଙ୍କୁ ପଚାରିବାରୁ ଏହା ଜିଲ୍ଲା ଶିକ୍ଷାଧିକାରୀଙ୍କ ଦାୟିତ୍ୱ ବୋଲି କହି ସେ ନିଜ ଦାୟିତ୍ୱ ଏଡ଼ାଇ ଯାଇଥିଲେ। ଅନ୍ୟପକ୍ଷରେ, ଫୋନ୍ ଯୋଗେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍ ଗ୍ରହଣ କରିନଥିବାରୁ ଏ ସମ୍ପର୍କରେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଶିକ୍ଷକମାନଙ୍କ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଅର୍ଥ ଦାବି କରାଯାଉଥିବା ଅଭିଯୋଗର ତଦନ୍ତ କେବେ ହେବ? ଶିକ୍ଷା ହେଉଛି ଭବିଷ୍ୟତ ପିଢ଼ି ଗଠନର ମୂଳଦୁଆ। ଏହି ମୂଳଦୁଆ ଯଦି ପ୍ରଶାସନିକ ଅବହେଳା, ଅବ୍ୟବସ୍ଥା ଓ ଅନିୟମିତତା ମଧ୍ୟରେ ରହିବ, ତେବେ ଏହାର ସିଧାସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପଡ଼ିବ। ତେଣୁ ଜିଲ୍ଲା ଶିକ୍ଷା ବିଭାଗ ଓ ଉଚ୍ଚ କର୍ତ୍ତୃପକ୍ଷ ଏହି ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତ କରିବା ସହ ଖାଲି ପଦବୀ ପୂରଣ, ସିଆରସିସି ନିଯୁକ୍ତି ଓ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ। ନଚେତ୍, ‘ଗୁଣାତ୍ମକ ଶିକ୍ଷା’ କେବଳ ସରକାରୀ ସ୍ଲୋଗାନରେ ସୀମିତ ରହିଯିବାର ଆଶଙ୍କା ରହିଛି।