ଭୁବନେଶ୍ୱର: ଓଡ଼ିଶାରେ ପାସ୍ପୋର୍ଟ ସେବା ଆଜକୁ ୨୫ଦିନ ହେବ ଠପ୍ ହୋଇଯାଇଛି। ଟେକ୍ନିକାଲ ସମସ୍ୟା ପାଇଁ ଆବେଦନକାରୀ ପାସ୍ପୋର୍ଟ ପାଇପାରୁ ନାହାନ୍ତି। ପୁରୁଣା ପୋର୍ଟାଲ ବଦଳିବା ପରେ ଏଭଳି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି। ଆବେଦନ କାରୀ ନୂଆପଲ୍ଲୀ ଅଫିସ୍ରୁ ରସୁଲଗଡ଼ ଅଫିସ୍କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡ଼ିଲେଣି। ନା ସେମାନଙ୍କୁ ମିଳୁଛି ସ୍ଲଟ୍, ନା ଫେରିପାଉଛନ୍ତି ଆକାଉଣ୍ଟରୁ କଟିଥିବା ଟଙ୍କା। ପ୍ରତିଦିନ ପାସ୍ପୋର୍ଟ ଅଫିସ୍ ଆଗରେ ଆବେଦନକାରୀ ହୋ ହାଲ୍ଲା କରୁଛନ୍ତି। ପାର୍ସପୋର୍ଟ ଅଫିସ୍ କର୍ମଚାରୀ ସ୍ଥାନୀୟ ପିସିଆର ଭ୍ୟାନ୍କୁ ଡାକିଲେ ମଧ୍ୟ ସେମାନେ ହାତ ଟେକି ଚାଲି ଯାଉଛନ୍ତି। ଏଭଳି ସମସ୍ୟା ପାଇଁ ବିଦେଶରେ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ଭବିଷ୍ୟତ ଏବେ ଅନିଶ୍ଚିତା ଭିତରେ ରହିଛି। ବଡ଼ କଥା ହେଲା ବିଦେଶରେ ଚାକିରି ଏବଂ ପାଠ ପଢ଼ୁଥିବା ଛାତ୍ରମାନେ ବିଶେଷ କରି ଏହି ସମସ୍ୟାରେ ପିଡୀତ ହୋଇଛନ୍ତି। ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଏକାଧିକ ବ୍ୟକ୍ତି କେନ୍ଦ୍ର ସରକାରଙ୍କୁ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ ‘ଏକ୍ସ’ରେ ମେସେଜ୍ କରିଛନ୍ତି।
ଖବର ନେବାରେ ଜଣାଯାଇଛି ଯେ ପାସ୍ପୋର୍ଟ ଅଫିସ୍ର ଯେଉଁ ପୁରୁଣା ୱେବ୍ସାଇଟ୍ ଥିଲା, ତାହାକୁ ଗତ ମାସରେ ପରିବର୍ତ୍ତନ କରାଯାଇ ନୂଆ ପୋର୍ଟାଲ ଖୋଲାଯାଇଛିା। ଯାହାଫଳରେ ଗତ ମାର୍ଚ୍ଚ ୧ରୁ ଏହି ପର୍ଯ୍ୟନ୍ତ ଏହି ଟେକ୍ନିକାଲ ସମସ୍ୟା ଦେଖା ଦେଇଛି। ନୂଆ ପୋର୍ଟାଲରେ ଆବେଦନକାରୀ ଆବେଦନ କରି ସଫଳ ପାଉନାହାନ୍ତି। ଆକାଉଣ୍ଟରୁ ଟଙ୍କା କଟୁଥିଲେ ମଧ୍ୟ କେତେବେଳେ ଡ୍ରପ୍ ଆଉଟ୍ ହୋଇଯାଉଛି, ତ ଆଉ କେତେବେଳେ ଆବେଦନ ପରେ ଆବେଦନକାରୀଙ୍କ ନାଁ ଉଡ଼ି ଯାଉଛି। ଆହୁରି ମଧ୍ୟ ନୂଆ ପୋର୍ଟାଲ ସମ୍ପର୍କରେ ଲୋକେ ଅବଗତ ନ ଥିବାରୁ ପାସ୍ପୋର୍ଟ ପାଇଁ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି। ଗତ ୧ତାରିଖରୁ ବର୍ତ୍ତମାନ ସୁଧା ୮୦ ହଜାର ଲୋକ ଆବେଦନ କରି ଏଭହି ହିନସ୍ତା ଭୋଗୁଛନ୍ତି। ସେମାନଙ୍କ ଆକାଉଣ୍ଟରୁ ଟଙ୍କା କଟିଥିଲେ ମଧ୍ୟ ପାସ୍ପୋର୍ଟ ପାଇପାରିନାହାନ୍ତି। ତେଣୁ ପ୍ରତିଦିନ ରାଜ୍ୟର ବିଭନ୍ନ ଜିଲ୍ଲାରୁ ହଜାର ହଜାର ଲୋକ ୪୦ ଡିଗ୍ରୀ ଖରାରେ ଭୁବନେଶ୍ୱରକୁ ଆସି ନାହିଁ ନ ଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।
ଏଭଳି ସମସ୍ୟା ସମ୍ପର୍କରେ ପାସ୍ପୋର୍ଟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ସେମାନେ ହାତ ଟେକି ଦେଇଛନ୍ତି। ଆମେ କିଛି କରିପାରିବୁନି; ଦିଲ୍ଲୀରୁ ଏଭଳି ସମସ୍ୟା ହୋଇଛି ବୋଲି କହି କଥା ଏଡ଼ାଇ ଯାଉଛନ୍ତି। ପ୍ରତିଦିନ ସାଧାରଣ ଭାବେ ୪ଶହ ସ୍ଲଟ୍ ଏବଂ ତତ୍କାଳ ୮୦ଟି ସ୍ଲଟ୍ ବୁକିଂ ହୋଇଥାଏ। ଗତ ୧ତାରିଖରୁ ୮୦ହଜାର ଲୋକେ ଆବେଦନ କରିଥିଲେ ମଧ୍ୟ ସ୍ଲଟ୍ ମିଳୁନି। ସେମାନେ ୩ଥର ସ୍ଲଟ୍ ବୁକ୍ ତାରିଖ ବଦଳାଇ ସାରିଛନ୍ତି; କିନ୍ତୁ ସ୍ଲଟ୍ ମିଳୁନାହିଁ। ପାସ୍ପୋର୍ଟ ଅଫିସ୍କୁ ଦୌଡ଼ି ଦୌଡ଼ି ସେମାନେ ହତାଶ ହୋଇପଡ଼ିଲେଣି। ତକାôଳ ଆବେଦନ ପାଇଁ ୩ହଜାର ୫ଶହ ଟଙ୍କା ଆବଦେନକାରୀଙ୍କ ଆକାଉଣ୍ଟରୁ କଟୁଥିବାବେଳେ ସାଧାରଣ ଆବେଦନ ପାଇଁ ୧୫୦୦ ଟଙ୍କା ଦେବାକୁ ପଡୁଛି। ତକାôଳ ପାଇଁ ପୂର୍ବରୁ ୩ଟି ସ୍ଲଟ୍ ମିଳୁଥିବା ବେଳେ ବର୍ତ୍ତମାନ ୨ଟି ସ୍ଲଟ୍ ମିଳୁଛି; କିନ୍ତୁ ସାଧାରଣ ଆବେଦନ ପାଇଁ ସେହି ୩ଟି ସ୍ଳଟ୍ ରହିଛି। ଯଦି ୩ଟି ତାରିଖରେ ଆବେଦନକାରୀ ପାସ୍ପୋର୍ଟ ଅଫିସ୍ ନ ଆସେ, ତା’ହେଲେ ତାଙ୍କୁ ମଧ୍ୟ ଟଙ୍କା ଫେରସ୍ତ ମିଳୁନାହିଁ। ଆହୁରି ମଧ୍ୟ ୩ଥର ସ୍ଲଟ୍ ନମିଳିଲେ ଆଉ ପାସ୍ପୋର୍ଟ ଆବେଦନକାରୀ ପାଇପାରୁନାହାନ୍ତି। ସେମାନେ ପାଇବା ପାଇଁ ଏକାଧିକବାର ଅଫିସ୍ ଦୌଡ଼ିବାକୁ ପଡୁଛି। ପୁରୁଣା ଫାଇଲ୍କୁ ବନ୍ଦ କରିବା ପାଇଁ ଦୌଡ଼ିବାକୁ ପଡୁଛି। ଏପରିକି ଲୋକଙ୍କ ଆକାଉଣ୍ଟରୁ କଟିଥିବା ଟଙ୍କା ଫେରି ଆସିବା ପାଇଁ ସେଭଳି କିଛି ବ୍ୟବସ୍ଥା ନାହିଁ। ଯେଉଁଥିପାଇଁ ପରୋକ୍ଷରେ ଲୋକଙ୍କ ଠାରୁ ଅର୍ଥ ଲୁଟ୍ କରାଯାଉଥିବା ଅଭିଯୋଗ ହୋଇଛି। ଅନେକ ସମୟରେ ଜାଣିଶୁଣି ଦିନ ୧୧ଟା ପର୍ଯ୍ୟନ୍ତ ଅଧିକାରୀମାନେ ଲୋକଙ୍କୁ ପାସ୍ପୋର୍ଟ ଦେଉଛନ୍ତି; କିନ୍ତୁ ଏହାପରେ ସର୍ଭର କାମ କରୁନି କହି ଖେଳୁଛନ୍ତି। ଏହି ଟେକ୍ନିକାଲ ବା ବୈଷୟିକ ସମସ୍ୟା ସୁଧାରିବାକୁ ଗତ ଶୁକ୍ରବାର ଦିଲ୍ଲୀରୁ ଟିମ୍ ଆସିଥିଲେ ମଧ୍ୟ ସେମାନେ ଏହାର ଟେର୍ ପାଇନାହାନ୍ତି। କେବେ ଏହି ସମସ୍ୟାର ସମାଧାନ ହେବ, ତାହା ମଧ୍ୟ ଜଣାନାହିଁ। ଓଡ଼ିଶାରେ ପାସ୍ପୋର୍ଟ ସେବା ଠପ୍ ହୋଇଯାଇଥିବାରୁ ଲୋକେ ବିଦେଶ ଯାଇପାରୁନାହାନ୍ତି।
ଏ ସମ୍ପର୍କରେ ପାସ୍ପୋର୍ଟ ଅଧିକାରୀ ଶୁଧାଂଶୁ ଶେଖର ମିଶ୍ର କହିଛନ୍ତି ଯେ, ନୂଆ ସଫ୍ଟୱେୟାର ଜରୁରୀ ଥିଲା। ତେଣୁ ନୂଆ ସଫ୍ଟୱେୟାରରେ କାମ ଚାଲୁଛି। ଖୁବ୍ଶୀଘ୍ର ଏହି ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି।