ଉପକୂଳ ମୁହାଁ ଗଭୀର ଅବପାତ: ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି, ୩୩ ଓଡ୍ରାଫ୍ ଟିମ୍ ମୁତୟନ

ଭୁବନେଶ୍ୱର: ରାଜ୍ୟରେ ଗଭୀର ଅବପାତ ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମନ୍ତ୍ରୀ ଧନଜୀବନ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ଆଗୁଆ ସତର୍କ ସୂଚନା ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ପଶ୍ଚିମ-କେନ୍ଦ୍ର ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ ଆଡକୁ ଗତି କରୁଛି। ଏହା ସେପ୍ଟେମ୍ବର ୨୩ ତାରିଖ ରାତି ସୁଦ୍ଧା ବିଶାଖାପାଟଣା ଏବଂ ଗୋପାଳପୁର ମଧ୍ୟରେ କଳିଙ୍ଗପାଟଣା ପାଖାପାଖି ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୫୫ ରୁ ୬୫ କିଲୋମିଟର ରହିପାରେ, ଯାହାକି ୭୫ କିଲୋମିଟର ଛୁଇଁବାର ଆଶଙ୍କା ରହିଛି।

ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲା ପାଇଁ ଆସନ୍ତା ୨୪ ଘଣ୍ଟା ଲାଗି ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟର ସିମିଳିଗୁଡାରେ ସର୍ବାଧିକ ୨୩୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟାନ୍ୟ ସ୍ଥାନ ଯଥା ଜୟପୁରରେ ୧୬୧.୬ ମିମି ଏବଂ ଗୁଣୁପୁରରେ ୧୬୦ ମିମି ବର୍ଷା ହୋଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହେବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।

ବିପର୍ଯ୍ୟୟର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ସମୁଦାୟ ୩୩ ଟି ଓଡ୍ରାଫ୍ (ODRAF) ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି। ଗଞ୍ଜାମରେ ୬, ଗଜପତିରେ ୩, କୋରାପୁଟରେ ୬, ମାଲକାନଗିରିରେ ୩, ରାୟଗଡାରେ ୩, କଳାହାଣ୍ଡିରେ ୨ ଏବଂ ବଲାଙ୍ଗୀରରେ ୧ ଟିମ ମୁତୟନ ହୋଇଥିବାବେଳେ ଗଞ୍ଜାମର ଛତ୍ରପୁର ଠାରେ ୯ଟି ଟିମକୁ ରିଜର୍ଭ ରଖାଯାଇଛି। ଏହାଛଡ଼ା ଏନଡିଆରଏଫ (NDRF) ଓ ଅଗ୍ନିଶମ ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଲାଇଫ୍ ଜ୍ୟାକେଟ୍ ଏବଂ ପାୱାର ବୋଟ୍ ମଧ୍ୟ ପ୍ରସ୍ତୁତ ରହିଛି।

ଜିଲ୍ଲା ଓ ବ୍ଲକ ସ୍ତରୀୟ ଜରୁରୀକାଳୀନ କେନ୍ଦ୍ରଗୁଡ଼ିକୁ ୨୪ ଘଣ୍ଟିଆ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବନ୍ୟା, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଏବଂ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ଓ ପୌର ପ୍ରଶାସନ ତୀକ୍ଷ୍ଣ ନଜର ରଖିଛନ୍ତି। ଏହି ସମୀକ୍ଷା ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ, ପାଣିପାଗ ବିଭାଗ ଆଞ୍ଚଳିକ ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି, ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏବଂ ଅଗ୍ନିଶମ ଆଇଜି ଉମାଶଙ୍କର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ।

About The Author: Madhusudan Das