ବାରିପଦା: ଆନ୍ତର୍ଜାତୀୟ ଟାର୍ଗେଟ ବଲ ‘ଆଚିଭର୍ସ କପ୍’ରେ ନିଜର ପାରଦର୍ଶିତା ଦେଖାଇଛି ଭାରତ ଜୁନିୟର ଦଳ । ବାଂଲାଦେଶର ଢାକା ଠାରେ ଅଗଷ୍ଟ ୪ ଠାରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ଟାର୍ଗେଟ ବଲର ର ଆଚିଭର୍ସ କପ୍-୨୦୨୨ ଟୁର୍ଣାମେଣ୍ଟରେ ଭାରତରୁ ସିନିୟର ବୟେଜ୍ , ଜୁନିୟର ବୟେଜ ଏବଂ ସିନୟର ଗାର୍ଲ ଓ ଜୁନିୟର ଗାର୍ଲ ଭଳି ୪ଟି ବିଭାଗରେ ଭାଗ ନେବାପାଇଁ ସମସ୍ତ ଟିମ୍ ଢାକା ଅଭିମୁଖେ ଯାତ୍ରା କରିଥିଲେ । ତେବେ ଭାରତର ଅନ୍ୟ ଦଳ ଗୁଡିକ ରୌପ୍ୟ କପ୍ ପାଇଥିବା ବେଳେ ଜୁନିୟର ଦଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ସ୍ବର୍ଣ୍ଣ କପ୍ ଜିତି ଦେଶର ଟେକ ରଖିଛନ୍ତି ।
ଭାରତର ଏହି ଜୁନିୟର ଗୃପରେ ଦେଶର ଅନ୍ଯାନ୍ୟ ରାଜ୍ୟର ଖେଳାଳୀ ରହିଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ବାରିପଦାର ଦୁଇ ଖେଳାଳୀ ବିକାଶ ରଞ୍ଜନ ଦାସ ଏବଂ ହରିଶଚନ୍ଦ୍ର ହାତୀ ସ୍ଥାନ ପାଇଛନ୍ତି । ଓଡିଶା ଟାର୍ଗେଟ ବଲ୍ ଆସୋସିଏସନର ସାଧାରଣ ସମ୍ପାଦିକା ରାଗିଣୀ ମିତ୍ର ଓଡିଶାରୁ ସିନୟର ବିଭାଗରେ ୨ ଜଣ ଏବଂ ଜୁନିୟର ବିଭାଗରେ ୨ ଜଣଙ୍କୁ ନେଇ ବାଂଲାଦେଶ ଯାଇଥିଲେ । ସେଠାରେ ଜୁନିୟର ବୟେଜ ଦଳ ସ୍ବର୍ଣ୍ଣ କପ୍ ଜିତିବା ପରେ ନିଜର ପ୍ରତିକ୍ରିୟାରେ ଖୁସି ପ୍ରକାଶ କରିଛନ୍ତି । ଏହାସହ ଜୁନିୟର ଦଳର ଅଧିନାୟକ ଏବଂ ବିକାଶ ରଞ୍ଜନ ଦାସ ମଧ୍ୟ ନିଜର ପ୍ରତିକ୍ରିୟାରେ ଖୁସି ଜାହିର କରିଛନ୍ତି । ଭାରତରୁ ଜନ୍ମଲାଭ କରିଥିବା ଟାର୍ଗେଟ ବଲ କ୍ରିଡା ଖୁବ୍ କମ ସମୟ ମଧ୍ୟରେ ଆନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ସୁଦୃଢ କରିପାରିଥିବା ବେଳେ ଆଗକୁ ଏହା ଦେଶବ୍ୟାପୀ ଲୋକାଦୃତ ହେଉଥିବାର ଦେଖିବାକୁ ମିଳିଛି ।