ଭବାନୀପାଟଣା(ସ୍ୱାଧୀନ ପାତ୍ର): ପ୍ରାୟ ଦୁଇ ଦଶନ୍ଧି ଭିତରେ ଭବାନୀପାଟଣାର ସର୍ବବୃହତ ପୁଷ୍କରିଣୀ ଆଶା ସାଗରର ଭାଗ୍ୟ ଓ ଭବିଷ୍ୟତ ଅନ୍ଧାରୀ ଇଲାକାରେ ପରିଣତ ହେବାକୁ ଯାଉଥିଲା। କିନ୍ତୁ ଏ କ୍ଷେତ୍ରରେ ସଦୁପଯୋଗ ଓ ସୁପରିଚାଳନାକୁ ନିଜର ପରମ କର୍ତ୍ତବ୍ୟ ଭାବିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିବାପରେ ଆଶା ସାଗର ଏବେ ପୁନଃ ଜୀବନ ପାଇବାକୁ ଯାଉଛି।
ଭବାନୀପାଟଣା ସହରବାସୀଙ୍କ ପାଇଁ ଜୀବନରେଖା କୁହାଯାଉଥିବା ସର୍ବବୃହତ ପୁଷ୍କରିଣୀ “ଆଶା ସାଗର’ ହେବ ପୁନରୁଦ୍ଧାର। ସାଗରର ପ୍ରାୟ ୬୦ ଏକରରେ ଜଳପୂର୍ଣ୍ଣ ହୋଇ ରହିବ। ଚତୁଃପାଶ୍ୱର୍ରେ ହେବ ସୌନ୍ଦର୍ଯ୍ୟକରଣ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ନଭେମ୍ୱର ୨୧ତାରିଖ ‘ଆଶା ସାଗର ପୁନରୁଦ୍ଧାର ପ୍ରକଳ୍ପ’ର ପ୍ରଶାସନିକ ଅନୁମୋଦନ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ୨୦୨୩ ମସିହା ମେ ୨୦ ତାରିଖରେ ଭବାନୀ ପାଟଣା ଗସ୍ତ କରି ‘ଆଶା ସାଗର’ ପୁନରୁଦ୍ଧାର ଓ ନବୀକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଯାହାକି ନିକଟରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି।
କଳାହାଣ୍ଡିର ଐତିହ୍ୟ ସମ୍ପନ୍ନ “ଆଶା ସାଗର’ ପୁନରୁଦ୍ଧାର କାର୍ଯ୍ୟରେ ମୋଟ ୬ କୋଟି ୬୮ଲକ୍ଷ ୬୧ହଜାର ଟଙ୍କା ବ୍ୟୟ ଅଟକଳକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ ତଥା ‘ଆମ ପୋଖରୀ’ ଯୋଜନା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ଆଶା ସାଗରର ନବୀକରଣ ପାଇଁ ଆସିଥିବା ଅର୍ଥ ବିନିମୟରେ ପ୍ରାଥମିକ ପର୍ଯ୍ୟାୟରେ ଜଳ ନିଷ୍କାସନ, ଘାସ ଦଳ ସଫା କରିବା, ପଙ୍କଉଦ୍ଧାର, ବନ୍ଧ ସୁଦୃଢ଼ୀକରଣ, ଗାବିଆନ ପ୍ରାଚୀର, ପ୍ରାକୃତିକ ସମାଧାନ ଜଳାଶୟରେ ଆର୍ଦ୍ରଭୂମି ପ୍ରସ୍ତୁତ ପରେ ଲେକ ମଡେଲ ନିର୍ମାଣ ପଦ୍ଧତି ପ୍ରତି ଗୁରୁତ୍ୱ ଦିଆଯିବ। ପରବର୍ତ୍ତୀ ସମୟରେ ଆଶା ସାଗରର ସୌନ୍ଦର୍ଯ୍ୟକରଣ ସମସ୍ତ ଦିଗ ଉପରେ ଧ୍ୟାନ ଦିଆଯିବ ବୋଲି ପୌର ପରିଷଦ ପକ୍ଷରୁ ସୂଚନ ମିଳିଛି।
ତେବେ ଏହି ସମସ୍ତ କାର୍ଯ୍ୟର ସୁଗମ ଅଗ୍ରଗତି ପାଇଁ ମିଶନ ଶକ୍ତି ସହଯୋଗ କରିବେ। ଭବାନୀପାଟଣା ପୌରପାଳିକା ଅଧୀନରେ ମୋଟ ୨୫ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆଶା ସାଗର ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଭୁବନେଶ୍ୱରରୁ ଆସିଥିବା ବିଶେଷଜ୍ଞ ଟିମ୍ ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ତାଲିମ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରରୁ ଦୁଇଟି ପର୍ଯ୍ୟାୟରେ ବୈଷୟିକ ଟିମ୍ ସର୍ଭେ ପରେ ଆଶା ସାଗର ପୁନରୁଦ୍ଧାର ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା। ସାଗରର ଜଳ ଧାରଣ କ୍ଷମତା ବୃଦ୍ଧି କରାଯିବା, ଚତୁଃପାଶ୍ୱର୍ରେ ସୌନ୍ଦର୍ଯ୍ୟକରଣ, ପାର୍କ ନିର୍ମାଣ, ମର୍ଣ୍ଣିଂ ୱାକ ଟ୍ରାକ୍ ଭଳି ଅନେକ ଯୋଜନା କରାଯିବାକୁ ପରିକଳ୍ପନା କରାଯାଇଛି।
ପ୍ରକାଶ ଥାଉକି, ସିପାହୀ ବିଦ୍ରୋହ ବେଳେ କଳାହାଣ୍ଡିରର ତତ୍କାଳୀନ ମହାରାଜା ଉଦିତ ପ୍ରତାପ ଦେଓ ଲୋକଙ୍କ ସାମୁହିକ ସୁବିଧା ପାଇଁ “ଆଶା ସାଗର’ ଖନନ କରିଥିଲେ। ଐତିହାସିକ ଓ ଗବେଷକଙ୍କ ଅନୁଯାୟୀ ୧୮୫୭ ପରଠାରୁ ୧୮୭୩ ମସିହା ମଧ୍ୟରେ ଦୁଇ ଦୁଇ ଥର ଆଶା ସାଗର ଖନନ କରାଯାଇଥିଲା। ଏକର ଏକର ଚାଷ ଜମିରେ ଜଳସେଚନ ଓ ପାନୀୟ ଜଳର ସୁବିଧା ଯୋଗାଇବା ଆଶା ସାଗରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଭବାନୀପାଟଣା ସହର ମଧ୍ୟଭାଗ କାଳୀ ମନ୍ଦିରଠାରୁ ଖନନ ହୋଇଥିଲା। ଦୀର୍ଘ ୧୭ ବର୍ଷ ଧରି ଶତାଧିକ ଶ୍ରମିକ କଠିନ ପରିଶ୍ରମ କରିଥିଲେ। ୯୯ ଏକର ପରିମିତ ଜଳାଶୟର ଗଭୀରତା ୪୦ ଫୁଟ୍ ଥିଲା। ମହାରାଜା ତାଙ୍କ ଧର୍ମପତ୍ନୀ ଆଶାକୁମାରୀ ଦେବୀଙ୍କ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ‘ଆଶା ସାଗର’ ନାମରେ ଏହାର ନାମକରଣ କରିଥିଲେ। ଦୁର୍ଭାଗ୍ୟର ବିଷୟ ଏହି କି ଯେ ୧୦୬ ଏକର ପରିମିତ ଜମିରେ ଯେଉଁ ଆଶା ସାଗର ନିର୍ମାଣ ହୋଇଥିଲା ତାହାକୁ ଚାରିପଟୁ ଜବରଦଖଲ କରାଯାଇଛି। ଏବେ କେହି ବି ନିଶ୍ଚିତ ହୋଇ ପାରୁ ନାହାନ୍ତି ଆଶା ସାଗର ବର୍ତ୍ତମାନ କେତେ ଏକର ଜମିରେ ଶ୍ରୀହୀନ ଅବସ୍ଥାରେ ପଡିରହିଛି। ପୌର ପରିଷଦ ତରଫରୁ ୬୨ ଏକର ଜମି ଥିବା କଥା ଆଉ କେହି କେହି ତାଠୁ ଯଥେଷ୍ଟ କମ୍ ଜମି ବର୍ତ୍ତମାନ ଅଛି ବୋଲି ପ୍ରକାଶ କରିଛନ୍ତି। ସେ ଯାହା ହେଉ, ଐତିହାସିକ ଗୁରୁତ୍ୱ ବହନ କରିଥିବା ଆଶା ସାଗର ପୁଣି ଜୀବନ ଫେରି ପାଇବ ତାହାକୁ ନେଇ ସମସ୍ତେ ଖୁସି। ୧୪୦ ହେକ୍ଟର ଜମିକୁ ଜଳସେଚିତ କରିପାରୁଥିବା ଏହି ‘ଆଶା ସାଗର’ ହରାଇଥିବା ଅସ୍ଥିତ୍ୱକୁ ରାଜ୍ୟ ସରକାର ଉଚିତ ବିଚାର କରି ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାର ସଠିକ୍ କାର୍ଯ୍ୟକାରିତାକୁ ନେଇ ଭବାନୀପାଟଣା ସହରବାସୀଙ୍କ ମଧ୍ୟରେ ଏବେ ‘ଆଶା ସାଗର’ ଆଶା ସଞ୍ଚାର କରିଛି।
‘୫-ଟି’ଅଧକ୍ଷ ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ୨୦ ମେ ୨୦୨୩ ତାରିଖ ଦିନ ଭବାନୀପାଟଣା ସହରସ୍ଥିତ ପ୍ରସ୍ତାବିତ ଆଶା ସାଗର ନବୀକରଣ ନିମନ୍ତେ ପରିଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ଭବାନୀପାଟଣା ପୌରପାଳିକା ତାର ସମ୍ପୂର୍ଣ୍ଣ ବିବରଣୀ ସହ ବୈଷୟିକ ତଥ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଥିଲେ। ବହୁ ଦିନରୁ ପଡ଼ିରହିଥିବା ଆବର୍ଜନା ପୂର୍ଣ୍ଣ ଆଶା ସାଗରକୁ ଏକ ସ୍ୱଚ୍ଛ, ସୁନ୍ଦର ଏବଂ ମନୋରମ ସ୍ଥଳି ରୂପରେ ପରିଣତ କରାଯିବାକୁ ପଦକ୍ଷେପ ନେଇଛନ୍ତି।
-ସଂଯୁକ୍ତା ବେହେରା ପୌରାଧ୍ୟକ୍ଷା, ଭବାନୀପାଟଣା
ତକ୍ରାଳୀନ ୨୮ତମ ନାଗବଂଶୀ ମହାରାଜା ଉଦିତ ପ୍ରତାପ ଦେଓ ଆଶାସାଗର ଖନନ କରିବା ପଛରେ ଅନେକ ଜନହିତକର ଉଦ୍ଦେଶ୍ୟ ରହିଥିଲା। ବିଶେଷଭାବେ ଚାଷ ପାଇଁ ଜଳସେଚନ ଓ ପାନୀୟ ଜଳ। କେବଳ ତାହା ନୁହଁ, ପ୍ରଚୁର ମାଛ ଆଶା ସାଗରରେ ମିଳୁଥିବା ଯୋଗୁଁ ମାଛ ଚାଷ ମଧ୍ୟ ପ୍ରମୁଖ ଭୂମିକା ନିଭେଇ ଆସୁଥିଲା। ସେ ସମୟରେ ସାଧାରଣତଃ ଘରେ କୂଅ କିମ୍ୱା ପୋଖରୀ ଖୋଳା ଯାଉ ନ ଥିଲା। ଆଶା ସାଗର ହିଁ ସେଥିପାଇଁ ସମସ୍ତଙ୍କ ଆଶା ଓ ଭରସା ପାଲଟିଥିଲା।
-ଡଃ. ଉମେଶ ଚନ୍ଦ୍ର ଶତପଥୀ, ଗବେଷକ ଓ ଶିକ୍ଷାବିତ୍, ଭବାନୀପାଟଣା
ଭବାନୀପାଟଣା ସହରରେ ଆଶା ସାଗର ସବୁ ଠାରୁ ବଡ଼ ଥିଲା। କାଳକ୍ରମେ ଉଭୟ କାଳି ମନ୍ଦିର ଏବଂ ଅର୍କାବାହେଲି ଆଡୁ ଅନଧିକାର ପ୍ରବେଶ ହେଇ ତାର ପରିସର କମି ଯାଇଛି ତଥା ଜଳ ଧାରଣ କ୍ଷମତା କମିଛି। ୨୦୦୬ରେ ତକ୍ରାଳିନ ଜିଲ୍ଲାପାଳ ଏହାର ଇଣ୍ଟେକ ନାଳକୁ ଅଲଗା କରିବାରୁ ଜଳ ପ୍ରବେଶ କମିଗଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଓ ‘୫-ଟି’ ଅଧ୍ୟକ୍ଷଙ୍କ ପରିଦର୍ଶନ ପରେ ଯେଉଁ ଅର୍ଥ ଆସିଛି ତାର ସଦବିନିଯୋଗ ପାଇଁ ସ୍ୱତନ୍ତ୍ର କମିଟି ହେଲେ କାର୍ଯ୍ୟ ସୁଚାରୁ ଭାବେ ହେବ ବୋଲି ମୁଁ ବିଶ୍ୱାସ କରେ। ସହରବାସୀ ଏହାକୁ ସ୍ୱାଗତ କରିବେ କାରଣ ଏହା ସହରର ମାନ ବୃଦ୍ଧି କରିବ।
-ଡଃ. ଅଜୟ ମିଶ୍ର, ଶିକ୍ଷାବିତ୍, ଭବାନୀପାଟଣା
‘ଆଶା ସାଗର’ର ନବକଳେବର ହେଲେ ପାରିପାଶ୍ୱିର୍କ ଅବସ୍ଥାରେ ପରିବର୍ତ୍ତନ ଆସିବ। ସାଗରର ଚତୁଃପାଶ୍ୱର୍ରେ ସୌନ୍ଦର୍ଯ୍ୟକରଣ, ପାର୍କ ଦ୍ୱାରା ଅଞ୍ଚଳର ଅନେକ ବ୍ୟକ୍ତିଙ୍କୁ ‘ଆଶା ସାଗର’ ଆକୃଷ୍ଟ କରିବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ରୂପାନ୍ତରିତ ହେବ। ତେବେ ନିଶ୍ଚିତ ରୂପେ ଭବାନୀପାଟଣା ସୌନ୍ଦର୍ଯ୍ୟ ପୃଷ୍ଠାରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ି ହେବ। ବିଭିନ୍ନ ଅଞ୍ଚଳରୁ ଶହ ଶହ ଲୋକ ଓ ଯୁବ ସମ୍ପ୍ରଦାୟ ପାଇଁ ଆମୋଦ ପ୍ରମୋଦର କାରଣ ସାଜିବ। ଭବାନୀପାଟଣା ସହରବାସୀଙ୍କ ପାଇଁ “ଆଶା ସାଗର’ ଜୀବନରେଖା ପାଲଟିବ।
-ଆଶୁତୋଷ ପୁରୋହିତ, ଯୁବ ସାହିତ୍ୟିକ, ଭବାନୀପାଟଣା