ଶିକାରୀ ଓ ଅସ୍ତ୍ରଶସ୍ତ୍ର ମୁକ୍ତ ଶିମିଳିପାଳ ଅଭିଯାନ, ୯ଟି ଘଟଣାରେ ୨୦ବନ୍ଧୁକ ଜବତ ୨୩ ଗିରଫ

ବାରିପଦା: ଶିମିଳିପାଳକୁ ଶିକାରୀ ଓ ଅସ୍ତ୍ରଶସ୍ତ୍ର ମୁକ୍ତ ଅଭିଯାନକୁ ସଫଳତା ମିଳୁଛି । ବୁଧବାର ଘଟଣା ସହିତ ଏପର୍ଯ୍ୟନ୍ତ ୯ଟି ଘଟଣାରେ ମୟୂରଭଞ୍ଜ ପୁଲିସ ୨୦ଟି ବନ୍ଧୁକ ଜବତ କରିବା ସହିତ ୨୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଲାଣି । ତତସହିତ ଗୋଟିଏ ବଜ୍ରକାପ୍ତା ଚମଡା, ଗୋଟିଏ ୱେଲ୍ଡିଂ ମେଶିନ, ଗୋଟିଏ ବନ୍ଧୁକ ତିଆରି କାରଖାନା, ୪ଟି ବ୍ୟାରେଲ ଓ ସକେଟ ୨ଟି ମୋବାଇଲ ଫୋନ ଏବଂ ୨ଲକ୍ଷ ୯୫ହଜାର ଟଙ୍କା ଜବତ କରାଯାଇଛି ବୋଲି […]

ବାରିପଦା: ଶିମିଳିପାଳକୁ ଶିକାରୀ ଓ ଅସ୍ତ୍ରଶସ୍ତ୍ର ମୁକ୍ତ ଅଭିଯାନକୁ ସଫଳତା ମିଳୁଛି । ବୁଧବାର ଘଟଣା ସହିତ ଏପର୍ଯ୍ୟନ୍ତ ୯ଟି ଘଟଣାରେ ମୟୂରଭଞ୍ଜ ପୁଲିସ ୨୦ଟି ବନ୍ଧୁକ ଜବତ କରିବା ସହିତ ୨୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଲାଣି । ତତସହିତ ଗୋଟିଏ ବଜ୍ରକାପ୍ତା ଚମଡା, ଗୋଟିଏ ୱେଲ୍ଡିଂ ମେଶିନ, ଗୋଟିଏ ବନ୍ଧୁକ ତିଆରି କାରଖାନା, ୪ଟି ବ୍ୟାରେଲ ଓ ସକେଟ ୨ଟି ମୋବାଇଲ ଫୋନ ଏବଂ ୨ଲକ୍ଷ ୯୫ହଜାର ଟଙ୍କା ଜବତ କରାଯାଇଛି ବୋଲି ଏସପି ବାତୁଲା ଗଙ୍ଗାଧର ‘ସକାଳ’କୁ କହିଛନ୍ତି । ନିୟମିତ ଭାବେ ବନବିଭାଗର ଓ ପୁଲିସର ମିଳିତ ସହଯୋଗରେ ଶିମିଳିପାଳ ଅଭୟାରଣ୍ୟ ଓ ତାର ପଦଦେଶରେ ଖାନତଲାସୀକୁ ଜୋରଦାର କରାଯାଉଛି । ଏଥି ନିମନ୍ତେ ୩ ପ୍ଳାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଥିବା ବେଳେ ଗୋଇନ୍ଦା କାର୍ଯ୍ୟ ପାଇଁ ଆଉ ଏକ ପ୍ଳାଟୁନ ଫୋର୍ସ ମୃତୟନ କରାଯାଇଛି । ଶିମିଳିପାଳ ସଂଲଗ୍ନ କପ୍ତିପଦା, ଉଦଳା, ଖୁଣ୍ଟା, ଶରତ, ମହୁଲଡିହା, ଠାକୁରମୁଣ୍ଡା, ବାଙ୍ଗିରିପୋଷି, ଯଶିପୁର ଓ ବିଶୋଇ ୯ଟି ଥାନା ଅଞ୍ଚଳରେ ଅଭୟାରଣ୍ୟ ସଂଲଗ୍ନ ଅଞ୍ଚଳରେ ଶିକାରୀମାନେ ରଖିଥିବା ବେଆଇନ ଅସ୍ତ୍ରଶସ୍ତ୍ରକୁ ପୁଲିସ ନିକଟରେ ସମର୍ପଣ କରିବାକୁ ଏକ ସଚେତନତା ରଥ ବୁଧବାର ଠାରୁ ପରିକ୍ରମା ଆରମ୍ଭ ହୋଇଛି ।

ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ବ୍ୟକ୍ତିମାନଙ୍କୁ ଏବଂ ଦେଶୀ ବନ୍ଧୁକ ତିଆରି କରୁଥିବା ବ୍ୟକ୍ତିମାନଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ସେମାନେ ସ୍ୱଇଚ୍ଛାରେ ଚଳିତ ମାସ ୩୦ ଓ ୩୧ ତାରିଖ ଦୁଇ ଦିନରେ ନିକଟସ୍ଥ ଥାନାରେ ଜମା ଦେଇ ପୁରସ୍କୃତ ହେବାକୁ ପରାମର୍ଶ ଦିଆଯାଉଛି । ଏଥିରେ ବ୍ୟତିକ୍ରମ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଡା ଚେତାବନୀ ଦିଆଯାଉଛି । ଏହା ସହିତ ସଂଲଗ୍ନ ଗ୍ରାମରେ ଥିବା ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ, ଗାଁ ମୁଖିଆ ପରିବେଶବିତ ଓ ସମାଜସେବୀମାନଙ୍କୁ ନେଇ ପୁଲିସ ପକ୍ଷରୁ ସଚେତନତା ସଭା ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନତା କରାଯାଉଛି । ଏଥିରେ ସମସ୍ତଙ୍କ ସହଯୋଗ କାମନା କରିବାକୁ ଏସପି ନିବେଦନ କରାଯାଇଛି ।

ସୂଚନା ଥାଉ କି, ବନରକ୍ଷୀ ବିମଳ ଜେନାଙ୍କ ପରେ ପୁଣି ଜୁନ ୧୭ତାରିଖରେ ଡେପୁଟୀ ରେଞ୍ଜର ମାଥି ହାଁସଦାଃଙ୍କୁ ଶିକାରୀମାନେ ଗୁଳି କରି ହତ୍ୟା କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରିବାକୁ ଉଭୟ ବନବିଭାଗ ଓ ପୁଲିସକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ଉଭୟ ବିଭାଗକୁ ନେଇ ଯୁଗ୍ମ ଟାସ୍କ ଫୋର୍ସ ଗଠନ କରାଯାଇ ତଲାସୀ ଅଭିଯାନକୁ କଡାକଡି କରାଯାଇଛି । ଏହି ଅପରେଶନରେ ଅଦ୍ୟାବଧି ବଡ଼ସାହି, ଖୁଣ୍ଟା, ଉଦଳା, ଠାକୁରମୁଣ୍ଡା, କପ୍ତିପଦା ଓ ମହୁଲଡିହା ଥାନାରେ ମୋଟ ୯ଟି ମାମଲା ରୁଜୁ ସହିତ ୨୦ଟି ବନ୍ଧୁକ ଜବତ କରାଯାଇଛି । ଘଟଣାରେ ଜଡିତ ୨୩ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇ ସାରିଲାଣି । ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଶିମିଳିପାଳର ହୃଦଗୌରବକୁ ପୁର୍ନବାର ଫେରାଇ ଅଣାଯିବ ବୋଲି ଏସପି କହିଛନ୍ତି ।

About The Author: The Sakala