କଟକ: ମୟୁରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାର ଦୁଇ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ଯାଳୟରେ ଗାଳିଗୁଲଜ ଓ ମାଡ଼ ମାରିଥିବା ଅଭିଯୋଗରେ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ବାରିପଦା ଟାଉନ ଥାନାରେ ଜାନୁଆରୀରେ ଏକ ଏତଲା ହୋଇଥିଲା । ଜିଲ୍ଲା କାର୍ଯ୍ଯାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ଯବେକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ଅସ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକଙ୍କୁ କେନ୍ଦ୍ରମନ୍ତ୍ରୀ ଅସଭ୍ୟ ଭାଷାରେ ଗାଳି ସହ ପ୍ଲାଷ୍ଟିକ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା । ପୁଲିସ ତଦନ୍ତ ଜାରି ରିହଥିବା ବେଳେ ଗିରଫ ହେବା ଭୟ ବିଶ୍ବେଶ୍ବର ଆଗୁଆ ଜାମିନ ଆବେଦନ କରିଥିଲେ।
ସୂଚନା ଅନୁଯାୟୀ, ମାର୍ଚ୍ଚ ୪ରେ ଶ୍ରୀ ଟୁଡୁ ଟାଉନ ଥାନା ଆଇଆଇସିଙ୍କ ନିକଟରେ ହାଜର ହେବା ସହିତ ତଦନ୍ତରେ ସହଯୋଗ କରିବେ। ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କୌଣସି କାର୍ଯ୍ଯ କରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ନେଇ ସରକାର ଅବଗତ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୮କୁ ଧାର୍ଯ୍ଯ କରାଯାଇଛି।