ଭୁବନେଶ୍ବର: ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗତକାଲି ଦେହାନ୍ତ ଘଟିଛି । ୭୪ ବର୍ଷ ବୟସରେ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଅନେକ ଦିନରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ସୂର୍ଯ୍ୟ । ଗତକାଲି ସନ୍ଧ୍ୟା ୭ଟା ୨୧ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ପାତ୍ରଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବେ । ମରଶରୀରକୁ ଶଙ୍ଖ ଭବନକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବ । ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ଏହାପରେ ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ କରାଯିବ ।
ପୂର୍ବତନ ବାଚସ୍ପତି ତଥା ବର୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ର ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିଛନ୍ତି । ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ । ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଲୋକ ପ୍ରତିନିଧି ଭାବେ ଆଜୀବନ ସେବା ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ରାଜ୍ୟପାଳ କହିଛନ୍ତି । ଅନ୍ୟପଟେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ସେ କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର ଦେହାନ୍ତ କେବଳ ବିଜୁ ଜନତା ଦଳ ପାଇଁ ନୁହେଁ ସମଗ୍ର ଓଡ଼ିଶା ରାଜନୀତି ପାଇଁ ଅପୂରଣୀୟ କ୍ଷତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକପ୍ରକାଶ କରିଛନ୍ତି ଓ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେ କହିଛନ୍ତି ଆମ ଦଳର ଜଣେ ଉତ୍ସର୍ଗୀକୃତ ନେତା, ଗଞ୍ଜାମର ଟାଣୁଆ ସଂଗଠକ । ତୃଣମୂଳ ସ୍ତରରୁ ଆସି ଓଡ଼ିଶାର ବାଚସ୍ପତି ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରା ପ୍ରରଣାର ଉତ୍ସ ହେବ ।