ସଫଳତାର ଅଧ୍ୟାୟରେ BSKYର ଆଉ ଏକ ଫର୍ଦ୍ଦ, ଚାଲିବାକୁ ସକ୍ଷମ ହେଲେ ଶଯ୍ୟାଶାୟୀ କୁମାରୀ

ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଢିପସାହିର କୁମାରୀ ହାତୀ(୪୦)। ପରିବାର କହିଲେ, ମା’ ଓ ତାଙ୍କର ୨ ଭଉଣୀ। ପିଲାଟି ବେଳୁ ବାପାଙ୍କ ମୁହଁ ଦେଖିନାହାନ୍ତି। ପର ଘରେ କାମ କଲେ ଚୁଲି ଜଳେ। ବଡ଼ ଭଉଣୀଙ୍କ ବାହାଘର ପରେ ପରିବାରର ସବୁ ବୋଝ ସାନ ଭଉଣୀ ସୁବାସିନୀ ଓ ତାଙ୍କ ଉପରେ ରହିଥିଲା। ପାରିବାରିକ ସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ଭଉଣୀ ବିବାହ ନ କରିବାକୁ ନିଷ୍ପତ୍ତି ନେଇଥି‌ଲେ। ଦୁର୍ଦ୍ଦିନରେ ଯାହିତାହି ଦିନ ଗଡ଼ୁଥିଲା। କିନ୍ତୁ ଦୁଇବର୍ଷ […]

ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଢିପସାହିର କୁମାରୀ ହାତୀ(୪୦)। ପରିବାର କହିଲେ, ମା’ ଓ ତାଙ୍କର ୨ ଭଉଣୀ। ପିଲାଟି ବେଳୁ ବାପାଙ୍କ ମୁହଁ ଦେଖିନାହାନ୍ତି। ପର ଘରେ କାମ କଲେ ଚୁଲି ଜଳେ। ବଡ଼ ଭଉଣୀଙ୍କ ବାହାଘର ପରେ ପରିବାରର ସବୁ ବୋଝ ସାନ ଭଉଣୀ ସୁବାସିନୀ ଓ ତାଙ୍କ ଉପରେ ରହିଥିଲା। ପାରିବାରିକ ସ୍ଥିତିକୁ ଦୃଷ୍ଟିରେ ରଖି ଦୁଇ ଭଉଣୀ ବିବାହ ନ କରିବାକୁ ନିଷ୍ପତ୍ତି ନେଇଥି‌ଲେ। ଦୁର୍ଦ୍ଦିନରେ ଯାହିତାହି ଦିନ ଗଡ଼ୁଥିଲା। କିନ୍ତୁ ଦୁଇବର୍ଷ ତଳେ ଗୋଟିଏ ଦୁର୍ଘଟଣା ତାଙ୍କ ପରିବାର ଉପରେ କଳାବାଦଲ ଢାଙ୍କିଦେଲା। କୁମାରୀ କୌଣସି କାମରେ ଯାଉଥିବା ବେଳେ ଗାଡିରୁ ପଡ଼ିଯିବାରୁ ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଡାକ୍ତରଙ୍କ ପରାମର୍ଶ‌ରେ ସେ ଔଷଧ ଖାଇଥିଲେ ହେଁ ଯନ୍ତ୍ରଣା କମିବା ବଦଳରେ ଦିନକୁ ଦିନ ବଢ଼ି ଚାଲିଲା ଏବଂ ହଠାତ୍‌ କୁମାରୀଙ୍କ ଦୁଇ ଗୋଡ଼ ଅଚଳ ହୋଇଗଲା। ସେବେଠାରୁ ସେ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ଏଭଳି ଅସମୟରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ସ୍ମାର୍ଟକାର୍ଡ ଏହି ପରିବାରକୁ ସାହା ହୋଇଛି। ସ୍ମାର୍ଟକାର୍ଡ ଜରିଆରେ ବିନା ମୂଲ୍ୟରେ ତାଙ୍କ ମେରୁଦଣ୍ଡରେ ଜଟିଳ ଅସ୍ତ୍ରୋପଚାର କରାଯାଇଛି। ଏ ବାବଦକୁ ଖର୍ଚ୍ଚ ହୋଇଥିବା ଲକ୍ଷାଧିକ ଟଙ୍କା ରାଜ୍ୟ ସରକାର ବହନ କରିଛନ୍ତି।

ସୂଚନାନୁଯାୟୀ, ବିଭିନ୍ନ ଜାଗାରେ ଡାକ୍ତର ଦେଖାଇ ଔଷଧ ଖାଇବା ପରେ ମଧ୍ୟ କୁମାରୀଙ୍କ ଅବସ୍ଥା ଭଲ ହେବା ପରିବର୍ତ୍ତେ ବିଗିଡ଼ି ଚାଲିଥିଲା। ପରୀକ୍ଷାନିରୀକ୍ଷା ପରେ ଅସ୍ତ୍ରୋପଚାର ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ତାଙ୍କ ପରିବାର ସାହସ ଜୁଟାଇ ପାରୁନଥିଲା। ରାଜ୍ୟ ସରକାରଙ୍କ ବିଏସକେୱାଇ କାର୍ଡରେ ସମ୍ପୂର୍ଣ୍ଣ ମାଗଣାରେ ଅସ୍ତ୍ରୋପଚାର ଓ ଚିକିତ୍ସା ସମ୍ଭବ ବୋଲି ଡାକ୍ତର କହିବା ପରେ ତାଙ୍କ ପରିବାରକୁ ଆଶାର କିରଣ ଦେଖାଦେଇଥିଲା। ଗତ ୨୫ ତାରିଖରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲ‌ରେ କୁମାରୀଙ୍କର ମେରୁଦଣ୍ଡରେ ସଫଳତାର ସହ ଅସ୍ତ୍ରୋପଚାର ହୋଇଛି। ବର୍ତ୍ତମାନ କୁମାରୀ ସୁସ୍ଥ ଅନୁଭବ କରିବା ସହ ଧୀରେଧୀରେ ଚାଲିବା ଆରମ୍ଭ କରିଛନ୍ତି। ଏଥିପାଇଁ କୁମାରୀଙ୍କ ପରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାର, ଡାକ୍ତର ଓ ମେଡିକାଲ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି।

About The Author: The Sakala