ଗରିବଙ୍କ ମୁହଁରେ ହସ ଫୁଟାଉଛି BSKY: ଭିନ୍ନକ୍ଷମ ଗୋକୁଳଙ୍କର ହେଲା ସଫଳ ଅସ୍ତ୍ରୋପଚାର, ମେନିଞ୍ଜିଓମାରୁ ମୁକ୍ତହେଲେ କାମିନୀ

ସୋନପୁର/ ବୌଦ୍ଧ: ଅରକ୍ଷିତକୁ ଦଇବ ସାହା ଭଳି ଗରିବ ଲୋକଙ୍କର ଭରସା ସାଜିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)। ବିଏସ୍‌‌କେୱାଇ ହିତାଧିକାରୀ ମାନେ ବିନା ମୂଲ୍ୟରେ ବିଭିନ୍ନ ପ୍ରକାରର ଚିକିତ୍ସା ସୁବିଧା ପାଇ ପାରୁଛନ୍ତି। ପୂର୍ବରୁ ଆର୍ଥିକ ସମସ୍ୟା ଭିତରେ ଥିବା ଗରିବ ପରିବାରରେ କାର କଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଲେ ସମସ୍ତେ ଚିନ୍ତାଗ୍ରସ୍ତ ହୋଇ ଯାଉଥିଲେ। ଏବେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଗୁଁ ଚିକିତ୍ସା ପାଇଁ ନିହାତି ଗରିବ […]

ସୋନପୁର/ ବୌଦ୍ଧ: ଅରକ୍ଷିତକୁ ଦଇବ ସାହା ଭଳି ଗରିବ ଲୋକଙ୍କର ଭରସା ସାଜିଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)। ବିଏସ୍‌‌କେୱାଇ ହିତାଧିକାରୀ ମାନେ ବିନା ମୂଲ୍ୟରେ ବିଭିନ୍ନ ପ୍ରକାରର ଚିକିତ୍ସା ସୁବିଧା ପାଇ ପାରୁଛନ୍ତି। ପୂର୍ବରୁ ଆର୍ଥିକ ସମସ୍ୟା ଭିତରେ ଥିବା ଗରିବ ପରିବାରରେ କାର କଣ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଲେ ସମସ୍ତେ ଚିନ୍ତାଗ୍ରସ୍ତ ହୋଇ ଯାଉଥିଲେ। ଏବେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଗୁଁ ଚିକିତ୍ସା ପାଇଁ ନିହାତି ଗରିବ ଟିଏ ମଧ୍ୟ କୌଣସି ଚିନ୍ତା କରୁନାହିଁ। ବିଭିନ୍ନ ଜଟିଳ ରୋଗରେ ପୀଡିତ ଅନେକ ବ୍ୟକ୍ତି ଅର୍ଥ ଅଭାବରୁ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁମୁଖରେ ପଡୁଛନ୍ତି। ଅର୍ଥ ଅଭାବରୁ ଜଣେ ରୋଗୀ ଯେପରି ଚିକିତ୍ସା ନପାଇ ମୃତ୍ୟୁମୁଖରେ ନ ପଡେ ତାହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା।

ସୋନପୁର ବଡବଜାର ନିବାସୀ ଜଣେ ଭିନ୍ନକ୍ଷମ ଗରିବ ଯୁବକ ଗୋକୁଳ ସାହୁଙ୍କ ପାଇଁ ବିଏସ୍‌‌କେୱାଇ ଯୋଜନା ଆଶା ବାଡି ସାଜିଲା। ଗୋଗୁଳଙ୍କ ଗୋଟିଏ ଗୋଡ ପୋଲିଓ ରୋଗ ଯୋଗୁଁ ଠିକ୍‌‌ ଭାବେ କାମ କରେ ନାହିଁ। ତେବେ ନିଜ ଭଉଣୀ ଏବଂ ବିଧବା ମାଙ୍କ ମୁହଁରେ ଅନ୍ନ ଦେବା ପାଇଁ ସୋନପୁର ଗାର୍ଲସ୍‌‌ ହାଇସ୍କୁଲ ଛକରେ ଟିଣ ବାଡେଇ ଏକ ଚା ଦୋକାନ ଟିଏ ଗୋକୁଳ କରିଛନ୍ତି। ପ୍ରତ୍ୟେକ ଦିନ ଭୋରରୁ ଉଠି ରାମେଶ୍ୱର ତ୍ରିବେଣୀ ସଙ୍ଗମରେ ଶୌଚ ହେଲା ପରେ ଗୋକୁଳ ଦୋକାନ ଖୋଲନ୍ତି। ସବୁଦିନ ଭଳି ସେପ୍ଟେମ୍ବର ୧୦ ତାରିଖ ଭୋରରେ ରାମେଶ୍ୱର ଘାଟକୁ ଶୌଚ ପାଇଁ ଗୋକୁଳ ଯାଇଥିଲେ। ତେବେ ଶଣ୍ଢ ଲଢେଇ ହୋଇ ଗୋକୁଳଙ୍କ ନିକଟକୁ ଏକ ଗୋରୁ ପଲ ଦୌଡି ଆସିଥିଲେ। ତାଙ୍କର ଠିକ୍‌‌ ପୋଲିଓ ଗୋଡରେ ଏକ ଶଣ୍ଢ ସିଙ୍ଘ ମାରିଦେଲା। ଅଚେତ ହୋଇ ତଳେ ପଡ଼ିଗଲେ ଗୋକୁଳ। ତାଙ୍କୁ ଜଣେ ପରିଚିତ ବ୍ୟକ୍ତି ଦେଖି ଗୋକୁଳଙ୍କୁ ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରିଥିଲେ। ବିଏସ୍‌‌କେୱାଇ ଅନୁବନ୍ଧିତ ନର୍ସିଂ ହୋମ୍‌‌ ଶୋଭା କେୟାରରେ ଗୋକୁଳଙ୍କୁ ଭର୍ତ୍ତି କରାଯାଇଥିଲା। ସମାଜସେବୀ ଜୟମାଧବ ମିଶ୍ର ବିଏସ୍‌‌କେୱାଇ ଜିଲ୍ଲା ସଂଯୋଜିକା ପ୍ରଜ୍ଞା ପରିମିତା ଦାଶଙ୍କୁ ଯୋଗାଯୋଗ କରି ଗୋକୁଳଙ୍କ ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ତୁରନ୍ତ ଉକ୍ତ ନର୍ସିଂ ହୋମ୍‌‌ରେ ଗୋକୁଳଙ୍କ ଗୋଡର ଅସ୍ତ୍ରୋପଚାର କରାଯାଇ ଥିଲା। ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଟି.ଆର୍‌‌. ଦଳାଇ ଅପରେସନ୍‌‌ କରି ହାଡ ଭାଙ୍ଗି ଯାଇଥିବା ସ୍ଥାନରେ ଷ୍ଟିଲ୍‌‌ ରଡ ଲଗାଇ ଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଗୋକୁଳଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯାଇ ଥିଲା। ସେପ୍ଟେମ୍ବର ୧୦ ତାରିଖରେ ଭର୍ତ୍ତି ହୋଇ ୧୪ ତାରିଖରେ ନର୍ସିଂ ହୋମରୁ ବାହାରିଥିଲେ। କିଛି ଦିନ ପରେ ଗୋକୁଳ ଚା ଦୋକାନ ଖୋଲି ପୁଣି ରୋଜଗାର ଆରମ୍ଭ କରିଥିଲେ। ଆମ ଭଳି ଗରିବ ଲୋକଙ୍କ ମୁହଁରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହସ ଫୁଟାଇ ପାରୁଛି ବୋଲି ଗୋକୁଳ କହିଛନ୍ତି।

ସେହିପରି ଅନ୍ୟ ଏକ ଘଟଣା, ବୌଦ୍ଧ ସହର ୬ ନଂ ୱାର୍ଡ ବାସିନ୍ଦା ୪୮ ବର୍ଷୀୟା କାମିନୀ ମାହାର ମେନିଞ୍ଜିଓମା ନାମକ ଜଟିଳ ରୋଗରେ ପୀଡିତ ଥିଲେ। ମେନିଞ୍ଜିଓମା ହେଉଛି ଏକ ପ୍ରକାର ଅଣ କର୍କଟ ଜାତୀୟ ଟ୍ୟୁମର ଯାହା ମୁଣ୍ଡ ଭିତର ମସ୍ତିଷ୍କରେ ସୃଷ୍ଟି ହୋଇଥାଏ। ଏହି ରୋଗ ଯୋଗୁଁ ଶ୍ରୀମତୀ ମାହାର ବେଳେ ବେଳେ ହଠାତ ପଡ଼ି ଯାଉଥିଲେ ଏବଂ ତାଙ୍କର ମୁଣ୍ଡ ବିନ୍ଧା ସମସ୍ୟା ରହିଥିଲା। ସ୍ଥାନୀୟ ଡାକ୍ତରଖାନାରେ ରୋଗର ନିଦାନ ହୋଇ ନ ପାରିବା ଯୋଗୁଁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସିଟି ସ୍କାନ ଏବଂ ଏମଆରଆଇ ସ୍କାନ କରିବା ପରେ ମସ୍ତିଷ୍କରେ ଟ୍ୟୁମର ଥିବା ଜଣାପଡ଼ିଥିଲା ଏବଂ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେଠାରେ ପରୀକ୍ଷା ନିରୀକ୍ଷା ପରେ ମସ୍ତିଷ୍କରେ ଅଣ କର୍କଟ ଟ୍ୟୁମର ବା ମେନିଞ୍ଜିଓମା ହୋଇଥିବା ସ୍ପଷ୍ଟ ଜଣାପଡ଼ିଥିଲା ଏବଂ କଟକ ଏସସିବି ମେଡିକାଲ ଯିବାକୁ ପରାମର୍ଶ ଦିଆଯାଇଥିଲା। ଏସସିବିରେ ନ୍ୟୁରୋ ମେଡ଼ିସିନ ବିଭାଗରୁ ନ୍ୟୁରୋ ସର୍ଜରୀ ବିଭାଗ ଏବଂ ସେଠାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଚକ୍କର କାଟିବା ପରେ ଏମ୍ସ ରେ ସର୍ଜରୀ ପାଇଁ ଦୀର୍ଘ ଲାଇନରେ ରହି କିଛି ମାସ ଅପେକ୍ଷା କରିବାକୁ କୁହାଗଲା। ତେଣୁ ଶ୍ରୀମତୀ ମାହାର ଙ୍କ ପରିବାର ବେସରକାରୀ ଡାକ୍ତରଖାନାରେ ସର୍ଜରୀ କରିବା ପାଇଁ ଚିନ୍ତା କଲେ। ତେବେ ଏଥିପାଇଁ ୪ ଲକ୍ଷରୁ ୫ ଲକ୍ଷ ଟଙ୍କା ଆବଶ୍ୟକ ଥିଲା। ଇତି ମଧ୍ୟରେ ତାଙ୍କ ପରିବାର ଅନେକ ଖର୍ଚ୍ଚାନ୍ତ ହୋଇସାରିଥିବା ବେଳେ ବୌଦ୍ଧ ବସଷ୍ଟାଣ୍ଡରେ ଏକ ଦୋକାନ କରିଥିବା ଶ୍ରୀମତୀ ମାହାରଙ୍କ ସ୍ୱାମୀ ତ୍ରିନାଥ ମାହାରଙ୍କ ପକ୍ଷେ ଏତେ ଟଙ୍କା ଯୋଗାଡ଼ କରିବା ସମ୍ଭବ ନଥିଲା। ଏତିକି ବେଳେ ତାଙ୍କୁ ବରଦାନ ସାବ୍ୟସ୍ତ ହୋଇଥିଲା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଯଦିଓ ଶ୍ରୀମତୀ ମାହାରଙ୍କ ବିଏସକେୱାଇ କାର୍ଡ ରହିଛି, ତେବେ ଏହାର ବ୍ୟବହାର ସମ୍ୱନ୍ଧରେ ସେ ଅଜ୍ଞ ଥିଲେ। ପାଖ ପଡୋଶୀ ଏବଂ ସମ୍ପର୍କୀୟ ମାନଙ୍କ ଠାରୁ ସୂଚନା ପାଇ ସେ ଭୁବନେଶ୍ୱର ସମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଚିକିତ୍ସାଠାରୁ ଆରମ୍ଭ କରି ରହିବା, ଖାଇବା, ପରୀକ୍ଷା ଇତ୍ୟାଦି ପାଇଁ ସମସ୍ତ ଖର୍ଚ୍ଚ ବିଏସକେୱାଇ ଅଧୀନରେ ରାଜ୍ୟ ସରକାର ବହନ କରିଥିଲେ। ଚିକିତ୍ସା ବାବଦରେ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଖର୍ଚ୍ଚ ସମ୍ୱନ୍ଧୀୟ ସମସ୍ତ ବିବରଣୀ ପ୍ରତିଦିନ ତାଙ୍କ ମୋବାଇଲକୁ ମେସେଜ ଆସୁଥିଲା ଏବଂ ବିଏସକେୱାଇ କଲ୍‌‌ ସେଣ୍ଟରରୁ ପ୍ରତ୍ୟହ ତାଙ୍କର ଭଲମନ୍ଦ ତଥ୍ୟ ନିଆଯାଉଥିଲା। ବର୍ତ୍ତମାନ ଶ୍ରୀମତୀ ମାହାର ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଏହି ଜନ ମଙ୍ଗଳକାରୀ ଯୋଜନା ଦ୍ୱାରା ଉପକୃତ ହୋଇଥିବାରୁ ସେ ଏବଂ ତାଙ୍କ ପରିବାରବର୍ଗ ରାଜ୍ୟ ସରକାରଙ୍କୁ ଅଶେଷ କୃତଜ୍ଞତା ଜଣାଇଛନ୍ତି।

About The Author: The Sakala