ଲକ୍ଷ୍ୟହୀନ ‘ଏକଲବ୍ୟ’, ଅତିଥି ଶିକ୍ଷକ ଗଢୁଛନ୍ତି ୯୦ ପିଲାଙ୍କ ଭାଗ୍ୟ

କୁଚିଣ୍ଡା: ଦିନେ ବିନା ଗୁରୁରେ ‘ଏକଲବ୍ୟ’ ଶିକ୍ଷିଥିଲେ ଅସ୍ତ୍ରବିଦ୍ୟା। ଆଜି ବି ଅତିଥି ଗୁରୁରେ ଗଢାଯାଉଛି ଏକଲବ୍ୟ ସ୍କୁଲର ୯୦ ପିଲାଙ୍କ ଭାଗ୍ୟ। ଯେଉଁଲକ୍ଷ୍ୟ ନେଇ ସାରା ଦେଶରେ ଖୋଲିଥିଲା ଏକଲବ୍ୟ ଆଦର୍ଶ ସ୍କୁଲ, ତାହା ଯେମିତି ଲକ୍ଷ୍ୟହୀନ ହୋଇପଡ଼ିଛି ସମ୍ବଲପୁର ଜିଲ୍ଲାରେ। ଆଦିବାସୀ ପିଲାଙ୍କୁ ସହଜ ସୁବିଧାରେ ଆବାସିକ ଶିକ୍ଷା ଯୋଗାଇ ଦେବାକୁ ସମ୍ବଲପୁର ଜିଲ୍ଲା ଏକମାତ୍ର ସ୍କୁଲ ଭାବେ କୁଚିଣ୍ଡା ସଦର ମହକୁମାରେ ଖୋଲିଛି ଏକଲବ୍ୟ ଆଦଶ୍ୟ ଆବାସିକ ବିଦ୍ୟାଳୟ। କିନ୍ତୁ ଦୁର୍ଭାଗ୍ୟର କଥା […]

କୁଚିଣ୍ଡା: ଦିନେ ବିନା ଗୁରୁରେ ‘ଏକଲବ୍ୟ’ ଶିକ୍ଷିଥିଲେ ଅସ୍ତ୍ରବିଦ୍ୟା। ଆଜି ବି ଅତିଥି ଗୁରୁରେ ଗଢାଯାଉଛି ଏକଲବ୍ୟ ସ୍କୁଲର ୯୦ ପିଲାଙ୍କ ଭାଗ୍ୟ। ଯେଉଁଲକ୍ଷ୍ୟ ନେଇ ସାରା ଦେଶରେ ଖୋଲିଥିଲା ଏକଲବ୍ୟ ଆଦର୍ଶ ସ୍କୁଲ, ତାହା ଯେମିତି ଲକ୍ଷ୍ୟହୀନ ହୋଇପଡ଼ିଛି ସମ୍ବଲପୁର ଜିଲ୍ଲାରେ।

ଆଦିବାସୀ ପିଲାଙ୍କୁ ସହଜ ସୁବିଧାରେ ଆବାସିକ ଶିକ୍ଷା ଯୋଗାଇ ଦେବାକୁ ସମ୍ବଲପୁର ଜିଲ୍ଲା ଏକମାତ୍ର ସ୍କୁଲ ଭାବେ କୁଚିଣ୍ଡା ସଦର ମହକୁମାରେ ଖୋଲିଛି ଏକଲବ୍ୟ ଆଦଶ୍ୟ ଆବାସିକ ବିଦ୍ୟାଳୟ। କିନ୍ତୁ ଦୁର୍ଭାଗ୍ୟର କଥା ପୁରାଣର ଏକଲବ୍ୟ ଭଳି ଏହି ସ୍କୁଲକୁ ମଧ୍ୟ ବିନା ଗୁରୁରେ ପରିଚାଳନା କରାଯାଉଛି। ରାଜ୍ୟର ଅନ୍ୟ ଛଅ ଗୋଟି ବିଦ୍ୟାଳୟ ସହ ଏହି ସ୍କୁଲକୁ ପ୍ରାୟ ସତର ଏକର ବିସ୍ତୃତ ପଡ଼ିଆରେ କୁସୁମୀ ରାସ୍ତାରେ ନିର୍ମାଣ କରାଯାଇଛି। ଏହି ସ୍କୁଲରେ ଶିକ୍ଷାଦାନ ଶ୍ରେଣୀଗୃହ, ବାଳକ ଓ ବାଳିକାଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ଓ ୧୫ ଜଣ ଷ୍ଟାଫଙ୍କ ପାଇଁ କ୍ୱାର୍ଟର ନିର୍ମାଣ ହୋଇସାରିଛ। ଏଠାରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ତିନି ଗୋଟି ଶ୍ରେଣୀ ଖୋଲିଥିବା ବେଳେ ୩୦ ଜଣ ଲେଖାଏଁ ମୋଟ ନବେ ଜଣ ମେଧାବୀ ଛାତ୍ରଛାତ୍ରୀ ଚୟନ ହୋଇ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଛାତ୍ରୀ। କିନ୍ତୁ ବଡ଼ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଏଠାରେ ଜଣେ ହେଲେ ସ୍ଥାୟୀ ଶିକ୍ଷକ ବା ଅନ୍ୟ କର୍ମଚାରୀ ନିଯୁକ୍ତି ହୋଇପାରିନାହାନ୍ତି। ଦୁଇ ବର୍ଷ ତଳେ ବିଭିନ୍ନ ପର୍ଯ୍ୟାୟରେ ବିଜ୍ଞକ୍ତି ଦେଇ ଜିଲ୍ଲାପାଳ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପାଇଁ ଚୁଡାନ୍ତ ଚୟନ କରି ସାରିଥିଲେ। କିନ୍ତୁ ହିନ୍ଦୀ ଶିକ୍ଷକ ପଦରେ କେଁ ବାହାରିବାରୁ ସମଗ୍ର ପ୍ରକ୍ରିୟାକୁ ଆଜି ପର୍ଯ୍ୟନ୍ତ ସ୍ଥଗିତ ରଖିଥିବା ଜଣାଯାଇଛି। ଦୁଇ ଦୁଇ ଥର ବିଭିନ୍ନ ସ୍କୁଲରୁ ଶିକ୍ଷକ ଡେପୁଟେସନରେ ଆଣି କାର୍ଯ୍ୟ ତୁଲାଉଥିବା ବେଳେ ସଂପୃକ୍ତ ସ୍କୁଲର ଅଭିଭାବକମାନେ ପ୍ରତିବାଦ କରିଥିଲେ। ଫଳରେ ଏବେ ଶିକ୍ଷକମାନଙ୍କୁ ଫେରାଇ ଦିଅଯାଇ ଅତିଥି ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି। ସେଇ ଶିକ୍ଷକମାନେ ମଧ୍ୟ ନିୟମିତ ଦରମା ପାଉ ନ ଥିବାରୁ ଶିକ୍ଷା ବ୍ୟାହତ ହେବାର ସମ୍ଭାବନା ରହିଛି। ଏଣୁ କରୋନ ପରବର୍ତ୍ତୀ ଶିକ୍ଷାଦାନକୁ ସୁଦୃଢ କରିବା ପାଇଁ ସମସ୍ତ ଆଇନଗତ ଦିଗକୁ ସମାଧାନ କରି ଚୟନ ହୋଇଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଦାବି ହେଉଛି।

About The Author: The Sakala