ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରିକୁ ବିଜେଡିର ବିରୋଧ

ପ୍ରତି ଘରେ ମଦ ପହଞ୍ଚାଇବାକୁ ବିଜେପି ଦୃଢ଼ ପ୍ରତିଜ୍ଞ: ବିଜେଡି

ଭୁବନେଶ୍ୱର: ରାଜ୍ୟ  ସରକାରଙ୍କର ଟେଟ୍ରା ପ୍ୟାକରେ ମଦ ବିକ୍ରିର ନିଷ୍ପତ୍ତିକୁ ଦୃଢ଼ ନିନ୍ଦା କରିଛି ବିଜେଡି। ସୋମବାର ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏବଂ ବିଜୁ ମହିଳା ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ସୁମିତ୍ରା ଜେନା ସରକାରଙ୍କ ନିଷ୍ପତ୍ତିକୁ ଅନୈତିକ ଓ ଯୁବ ବିରୋଧୀ ଅଭିହିତ କରି ଏହାକୁ ତୀବ୍ର ସମାଲୋଚନା କରିଛନ୍ତି। 

ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ନିର୍ବାଚନ ସମୟରେ ବିଜେପି ଓଡ଼ିଶାକୁ ମଦମୁକ୍ତ କରିବାର ପ୍ରତିଶ୍ରୁତି ଦେଇଥିଲା;  କିନ୍ତୁ ଏବେ ଟେଟ୍ରା ପ୍ୟାକ୍‌ ପ୍ୟାକେଜିଂ ପ୍ରଚଳନ କରି ଓଡ଼ିଶାକୁ ମଦଯୁକ୍ତ ରାଜ୍ୟରେ ପରିଣତ କରିବାକୁ ଯାଉଛନ୍ତି । ମଦ ବିରୋଧରେ ସ୍ଲୋଗାନ ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଏବେ ମଦକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି, ଯେଉଁଥିପାଇଁ ପ୍ରଥମଥର ପାଇଁ ମଦରୁ ରାଜସ୍ୱ ଆୟ ୧୦,୦୦୦ କୋଟି ଟଙ୍କା ଅତିକ୍ରମ କରିଛି । ପୂର୍ବ ସରକାରଙ୍କ ଦ୍ୱାରା ବନ୍ଦ ହୋଇଥିବା ୭୦ଟି ମଦ ଦୋକାନ ଗୁଡ଼ିକୁ ପୁନର୍ବାର ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ କଥା । ରାଜ୍ୟ ସରକାର ଲୋକଙ୍କ କଲ୍ୟାଣ ଅପେକ୍ଷା, ରାଜସ୍ୱ ଉପରେ ପ୍ରାଥମିକତା ଦେଉଛନ୍ତି । ମହୁଲିରୁ ମଦ, ମାଣ୍ଡିଆରୁ ମଦ ଓ ଗନ୍ଧହୀନ ମଦ, ନୂତନ ପ୍ରକାରର ମଦ ପ୍ରଚଳନ ପାଇଁ ସରକାର ଉଦ୍ୟମ କରୁଛନ୍ତି। ପୂର୍ବ ସରକାରଙ୍କ ଦ୍ୱାରା ପ୍ରଚଳିତ ଯୋଜନା ଗୁଡ଼ିକର ନାମ ଓ ରଙ୍ଗ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ବିଜେପି ସରକାରଙ୍କ ନିଜସ୍ୱ ଯୋଜନା ବୋଲି କିଛି ନାହିଁ । ସରକାରଙ୍କର ଏହି ନିଷ୍ପତ୍ତି ଛାତ୍ର ଓ ଯୁବକ ଯୁବତୀ ମାନଙ୍କ ଉପରେ ନକାରାକକ ପ୍ରଭାବ ପକାଇବ। ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦୃଢ ଦାବି କରିଥିଲେ।

  ସୁମିତ୍ରା ଜେନା କହିଥିଲେ ଯେ ଟେଟ୍ରା ପ୍ୟାକରେ ମଦ ବିକ୍ରି ଛାତ୍ରମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ । କୌଣସି ଦାୟିତ୍ୱସମ୍ପନ୍ନ ସରକାର ଏହିଭଳି ନୀତିକୁ ପ୍ରୋତ୍ସାହନ ଦେବା ଅତ୍ୟନ୍ତ ନିନ୍ଦନୀୟ। ଆହୁରି ଆଶ୍ଚର୍ଯ୍ୟଜନକ ଯେ ନିଜେ ଅବକାରୀ ମନ୍ତ୍ରୀ ଏଭଳି ଅନୈତିକ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଛନ୍ତି । ଗୁଟଖା ନିଷେଧ ଉପରେ ବିଜେପିର ୟୁ-ଟର୍ଣ୍ଣ ସେମାନଙ୍କର ଦୋମୁହାଁ ନୀତିକୁ ପ୍ରଦର୍ଶିତ କରୁଛି । ଟେଟ୍ରା ପ୍ୟାକରେ ମଦ ବିକ୍ରି ପାଇଁ ସରକାର ନେଇଥିବା ଏହି ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ବିଜେଡି ଦାବି କରୁଛି । ଏହି ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।

About The Author: Madhusudan Das